ଆବର୍ଜନା
ଆବର୍ଜନା
ପାଞ୍ଚିଛ କି ତିଳେ କିବା ଖୁସି ମିଳେ
ଫିଙ୍ଗି ଆବର୍ଜନା ମାନ
ବିବଶ ସମାନ ଭୟେ କମ୍ପମାନ
ହେଲାଣି ଧରଣୀ ପ୍ରାଣ ।
କେତେ ସୁଖ ପର୍ବ ପାଳି କରୁ ଗର୍ବ
ବର୍ଷ ମାସ ଦିନ ଧରି
ଉପଯୋଗ ପରେ ଅବଶିଷ୍ଟ ଥରେ
ନଭାବି ଯାଉଛୁ ଭରି ।
ତା'ର ପ୍ରତିଫଳ ଜୀବନ ବିଫଳ
ପ୍ରଦୂଷଣେ ହୋଇ ଘାଣ୍ଟି
ରସାୟନ ବିଷ ବଳେ ହୁଏ କିସ
ଏ ସାରା ପବନ ମାଟି ।
ଅଧୀର ଏ ଜୋର ଶବ୍ଦ ଘନ ଘୋର
ଫଟାଏ କ୍ଷଣିକେ କାନ
ରଜନୀ ଦିବସ ନିରୀହ ବିବଶ
ପକ୍ଷୀଙ୍କର ଯାଏ ପ୍ରାଣ ।
ରୋଗ ଶ୍ବାସଗତ ବଢିଲେ ଜଗତ
ଯାକର ଉଦ୍ଭିଦ ପ୍ରାଣୀ
ହେବେ ସଂକ୍ରମିତ ଏହିକଥା ମିତ
ହେଜିଥାଅ ମନେ ଜାଣି ।
ଜାଣିବ କିଭଳି ଧ୍ବଂସ ମାର୍ଗେ ଚଳି
ପ୍ରଦୂଷିତ ଗ୍ରାମ ପୁର
ଦେଖି ପ୍ରାଣୀକଷ୍ଟ ଧନଜନ ନଷ୍ଟ
ଖୁସି ହୋଇଯାଏ ଦୂର ।
