ଆ ଗାଁ ଡାକୁଛି ଆ
ଆ ଗାଁ ଡାକୁଛି ଆ
ଗାଁ ଡାକେ ଆଜି ଆ
ସବୁଜ ବନାନୀ ବଣ ଲଟା ମୋର,
ଡାକୁଛି ତୁ ଚାଲିଆ
ମୋତେ ଛାଡି ଆଜି ବିଦେଶ ଯାଇଛୁ,
ପଡୁନି ମନେ କି ତୋର ମା' l
ପରଦେଶ ଗଲୁ ପାଠପଢିବାକୁ
ଗାଁ ଚାଟଶାଳୀ ଦେଇ ପାସୋରି,
ସେ ଗାଁ ରେ ଥିଲା ତୋ ଷଠିଘର
କେତେ ସ୍ମୃତି ପୁଣି ଅସୁମାରୀ l
ହେତୁ ପାଇଲା ଦିନଠୁ ବୁଲିଥିଲୁ କେତେ
ତୋ ଗାଁର ତୋଟା ଗହଳ,
ଦୋକାନ,ବଜାର,ପାଲା ମହୋତ୍ସବେ
ପଡିଥିଲା କେତେ ଚହଳ l
ସାଙ୍ଗସାଥି ମେଳେ ବରଷାରେ ଭିଜି
ଦେଇଥିଲୁ ଭସାଇ କେତେ କାଗଜ ନାଆ
ଆଜି ସେ ଗାଁ ନେହୁରା ହୋଇକି ଡାକୁଛି
କେଉଁଠି ଅଛୁ ତୁ ଆ ଫେରି ଆ l
ତୋ ଗାଁ ସବୁଠୁ ନିଆରା ଲାଗଇ
ସେଠି ନିର୍ଭୟ ତୁ ପରା,
ସେ ଗାଁ ବୁକେ ସାଇତା ସ୍ମୃତି ଯେ
ଡାକେ ବାରମ୍ବାର ତୁ ଫେରି ଆ l
ଗାଁର ମଉଜ ଗାଁ ସଜବାଜ
ବଖାଣିଲେ କେବେ ସରିବନି,
ହେଲେ ଗାଁ ଆଜି ମନ ମାରି ଡାକେ
ମତେ କଣ ତୁ ଭୁଲି ଗଲୁଣି l
ସହରୀ ସଭ୍ୟତା ସଭିଙ୍କୁ ଘାରିଛି
ଟିକେ ସହରୀ ବାବୁ ହେବାକୁ,
ସାରା ପୃଥିବୀଟା ସଂକ୍ରମଣେ
ଥର ହର ନାଚିବାକୁ l
ମା 'ଯେପରି ସେନେହମୟୀ ସେ
ସନ୍ତାନ ଦିଏନା ଦୁଃଖ,
ଗାଁ ମାଟି ପରା ଚନ୍ଦନର ଧୂଳି
ସେ ତୋର ସରଗ ସୁଖ l
ଅଣନିଃଶ୍ୱାସୀର ଜାଲରେ ପଡିଯେ
ରୋଗ ସଂକ୍ରମଣ ଘାରେ,
ଉପାସ ଭୋକରେ ଦିନ କଟିଯାଏ
କର୍ମ ଯାଏ ପୁଣି ଦୂରେ l
ଆଜି ଅନୁଭବୀ ଗାଁ ଡାକେ ତୋର
ଆ ମୋ ପାଖକୁ ଆ,
ଏ ଘଞ୍ଚ କାନନ ତୋହାରି ଯେ ଘର
ଅଟ୍ଟାଳିକା ଭୁଲିଯା l
ଏ ଗାଁ କୋଳରେ ତୁ ଯେ ନିରାପଦ
ଲୋଡ଼ା ନାହିଁ ସେ ବୈଭବ ସମ୍ପଦ,
ମାଟିର ମଣିଷ ମାଟିରେ ମିଶିବା
ଡାକୁଛି ବିକଳେ ଆ,
ଏ କୋଳ ତୋର ସରଗ ପୁର
ଶାନ୍ତିରେ ତୁ ଶୋଇଯା l
ମୋରି କୋଳରେ ଅମୃତ ପରଶ
ଟିକେ ଛୁଇଁ ଦେଇ ଯା,
ପରଦେଶ ଭୁଲି ଡାକେ ତୋର ମା'
ଆ ତୋ ଗାଁ ଡାକୁଛି ଆ ll
