STORYMIRROR

Kulamani Sarangi

Classics

2  

Kulamani Sarangi

Classics

୩୧ତମ କଳିକା

୩୧ତମ କଳିକା

1 min
411


ଦେବଯାନୀ

ଏକତ୍ରିଂଶ କଳିକା

--------------------

ଆରୋହି ସ୍ୟନ୍ଦନ ନହୁଷ ନନ୍ଦନ ବଢାଇ କର ସାଦରେ,

ଦେବଯାନୀ ହସ୍ତ ଧରି ନରନାଥ ବସାଇଲେ ସମୀପରେ,

ବୁଡିଗଲେ ଲଜ୍ଜାରେ,

ଦେବଯାନୀ ବ୍ରୀଡା-ସରୋବରେ ।।


ସଲ୍ଲଜ ନେତ୍ରରେ ରାଜାଙ୍କ ପୟରେ ଦୃଷ୍ଟି ଥିଲା ନିପତିତ,

ଅକସ୍ମାତ ଚାହିଁ ଦିଅନ୍ତେ ନୟନେ ନୟନ ହେଲା ମିଳିତ,

ଚପଳାଙ୍ଗୀର ଅଙ୍ଗେ,

ଖେଳିଗଲା ସ୍ପନ୍ଦନ ତରଙ୍ଗେ ।।


ଅରବିନ୍ଦ,ଚୂତ, ଅଶୋକ ସହିତ ନୀଳୋତ୍ପଳ, ନବମଲ୍ଲୀ,

ବାଛି ପଞ୍ଚଶର ପ୍ରହାରିଲା ମାର ବାଳା ହୃଦେ ଗଲା ଗଳି ,

ଘାରିହେଲା ମଜ୍ଜାରେ,

ମନସିଜ ଦେଖନ୍ତି ମଜାରେ ।।


କରିବାକୁ ଦୂର ଲଜ୍ଜା ଲଳନାର, ହସ୍ତିନାର ନରବର,

ନିଜ ପରିହିତ ବସ୍ତ୍ର ନରନାଥ କର୍ତ୍ତନକରି ସତ୍ତ୍ୱର

ସେହି ଅଂଶକୁ ନେଇ,

ଦେଲେ ସୁଶ୍ରୀ ଅଙ୍ଗରେ ବେଢାଇ ।।


ମହାନୁଭବଙ୍କ ମହାନୁରାଗରେ କୃତଜ୍ଞ ନବ ଛଇଳୀ

ଆନନ୍ଦାଶ୍ରୁ ଜଳ ବାଳା ଗଣ୍ଡସ୍ଥଳ ଭିଜାଇ ବହେ ଉଛୁଳି 

ଦେଖି ଯଯାତି ଧୀର,

ବୋଧନ୍ତି କହି ବାକ୍ୟ ମଧୁର ।।


ରାଜାଙ୍କ ସହିତେ ବଚନ ଅମୃତେ ସ୍ନାନକରି ଋଷିବାଳା,

ଚିନ୍ତା ବିସ୍ମରିଲେ ମନେ ବିଚାରିଲେ ଯା'ଘଟିଲା ଭଲ ହେଲା

ସବୁ କୃଷ୍ଣ ମେଘରେ, 

ଥାଏ ଚପଳା ଲୁଚି ଅନ୍ତରେ ।।


ପ୍ରୀତି ବୀଜ ଯାହା ଥିଲା ହୃଦୟର ଶୁଷ୍କ ପ୍ରାନ୍ତରେ ପତିତ,

ରାଜାଙ୍କ କୋମଳ ବଚନ ଜଳରେ ହେଲା ତାହା ଅଙ୍କୁରିତ

କୁମାରୀ ଅଜ୍ଞାତରେ

ପ୍ରେମଲତାରେ ପଲ୍ଲବ ଧରେ ।।


ବାଳା ବିଚାରନ୍ତି ସତେ କି ଯଯାତି ହେବେ ମୋ ହୃଦୟ ଈଶ,

କିଣି ନେଲେଣିତ ମନକୁ ସହଜେ ଦେଇଣ ପ୍ରୀତିପରଶ

ଭାଗ୍ୟ ହେବ ମୋ ସତେ,

ବିଳସିବି ନୃପ ହୃଦଗତେ ।।


ପବନହୁଁ ଖର ଚଳେ ରହୁବର ପ୍ରତେ ହୁଏ କି ତପନ,

ଦିବା ଅବସାନେ ଅସ୍ତାଚଳ ଚୁଳେ କ୍ଷିପ୍ରେ କରନ୍ତି ଗମନ

ଛାୟାଦେବୀ ପ୍ରାକାରେ,

ଦେବଯାନୀ ଉଭା ସମୀପରେ ।।


ବେଳେ ବେଳେ ଚାହିଁ ବାଳା ଚନ୍ଦ୍ରମୁଖ ହସିଦିଅନ୍ତି ରାଜନ,

ବୋଲନ୍ତି 'ସୁମୁଖୀ ଥିଲା ସତେ ଲେଖି ବିଧାତା କେତେ କଷଣ

ଆଜ ଭାଗ୍ୟେ ତୁମ୍ଭର, 

ଦୈବଯୋଗେ ଭେଟ ହେଲା ମୋର'।।


ବାର୍ତ୍ତାଳାପ ଖାଲି ଥିଲା ଉପଲକ୍ଷ୍ୟ, ଦର୍ଶନଟି ଥିଲା ମୂଖ୍ୟ,

ବାରମ୍ବାର ଦେଖିବାର ଇଚ୍ଛା ହୁଏ ଲଳନାର ବିଧୁମୁଖ ,

କରି ମଧୁଆଳାପ,

ପହଞ୍ଚିଲେ ଆଶ୍ରମ ସମୀପ ।।


କ୍ରମଶଃ-------


ସ୍ୟନ୍ଦନ---ରଥ

ବ୍ରୀଡା---ଲାଜ

ମନସିଜ---କନ୍ଦର୍ପ

ରହୁବର---ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics