(୨୨)#ଗରୀବର ଜୀବନ#ଗାଥା କବିତା
(୨୨)#ଗରୀବର ଜୀବନ#ଗାଥା କବିତା
ଭାଗ୍ୟ ବଳେ ଅବା କର୍ମଫଳେ ସେ
ଜୀବନ ଜିଇଁଛି ମହୀ ତଳେ
ଗରୀବ ବୋଲି ସେ ମାନି ନେଇଛି
ହାରିବି ଯାଇଛି ମନ ବଳେ l
ଜୀବନ ତା ପାଇଁ ଖଣ୍ତାର ଦାଢ
ବଞ୍ଚିବା ମରିବା ପାଖାପାଖି
ତୃଷାର୍ତ୍ତ ମନ ଟା ଟୋପେ ଜଳକୁ
ଚାହିଁ ବସିଥାଏ ଖୋଲି ଆଖି l
ଦିଓଳି ଖାଇବା ସ୍ଵପ୍ନର କଥା
ତାଲାଗି ଯେମିତି ପ୍ରତିଦିନ
ନୂଆ ଲୁଗା କଥା କିଏ ପଚାରେ
ଛିଣ୍ଡାରେ କଟେ ସାରା ଜୀବନ l
ପିଲାଛୁଆର ସଂସାରକୁ ନେଇ
ଦିନ କାଟେ ସେ ଅନ୍ଧାରି ମୂଲକେ
ପରାଜୟ ତା ଜୀବନର ସାଥୀ
ଆଲୋକ ଦେଖିଲେ ସେ ଚମକେ l
ଖରା ବର୍ଷା ଶୀତ ସବୁ ସମାନ
ଉଦାସ ଆଖିରେ ସତେ ତା'ର
ମରିବା ପାଇଁକି ଜନ୍ମ୍ ହୋଇଛି
ଜିଇଁ ବାରେ କି ତା ଅଧିକାର l
ଭବିଷ୍ୟତ ବୋଲି କିଛି ତା ନାହିଁ
ଦୟାରେ ଚାଲିଛି ବର୍ତ୍ତମାନ
ସରକାର କହେ ବଞ୍ଚିରହୁ ସେ
ଖାଲି କରିବାକୁ ଭୋଟଦାନ ।
