(୧୧)#ଆକାଶ ଆଖିରେ ପ୍ରେମ#
(୧୧)#ଆକାଶ ଆଖିରେ ପ୍ରେମ#
ଏବେ ଏବେ ମୁଁ ଦେଖୁଛି, ଆକାଶ ଆଖିରେ ପ୍ରେମ
ଏକ ସ୍ପନ୍ଦିତ ଭାବାବେଗର ନିର୍ଜିତ ନୀରବତାରେ ,
ଏମିତି ଦୃଶ୍ୟ କେବେ ମୁଁ ଦେଖିନଥିଲି
ଏଇ ସହରରେ ବୋଧହୁଏ ମୋ ଜାଣିବା ଭିତରେ,
ଆକାଶ ଯଦିବା ପଡୁଥିଲା କେବେକେବେ ଏ ଆଖିରେ
ଅଜସ୍ର ଧୂଳି ଧୂଆଁର ଧୂସରିତ ଆଲିଙ୍ଗନରେ,
ଜାଣି ହେଉନଥିଲା ସେଠି ସୁପ୍ତ ଦିବା ନିଶିର ପରିଚୟ
ଛିଡ଼ା ହୋଇ ସମୟର ମ୍ଳାନ ଅଗଣାରେ,
ଆହା ଏବଂ ଆଶ୍ବାସନାର ପିଡାକୁ କାନ୍ଧରେ ବୋହି
ସେ ଚାଲିଥିଲା ବେଗି ବେଗି ଅଣନିଃଶ୍ବାସୀ ହୋଇ,
ଫୁଙ୍ଗୁଳା ଦେହରେ, ମାଂସ ବିହୀନ , ହାଡୁଆ ଛାତିରେ
ଖରା ବର୍ଷା ଶୀତ କାକରରେ, ଦିନ କି ରାତିରେ ,
ଆଜିକାଲି ପୁଣି ସମୟର କୋମଳ ଅନୁରାଗରେ
ବଦଳିଛି ତା' ଦୁନିଆ ବି, ପ୍ରୀତିର ସମୁଦ୍ରେ ଶୋଷରେ ,
ସଜାଇବାକୁ ସବୁଜ ସୁନ୍ଦର ପ୍ରେମର ପୃଥିବୀଟେ
ମୁଠାଏ ଆଲୋକକୁ ଧରି ,ଅନ୍ଧାରଠୁ ଦୁଇ ହାତ ଦୂରେ ।