Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -91
ଜହ୍ନମାମୁଁ -91
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   7.4K    15


Content Ranking

ଭାଲୁର ପଣସ ଖିଆ

ଗୋଟିଏ ଜଙ୍ଗଲରେ ବିଭିନ୍ନ ପଶୁପକ୍ଷୀ ବାସ କରୁଥାନ୍ତି । ଥରକର ଘଟଣା – ଖରାଦିନ ହୋଇଥାଏ । ଗୋଟିଏ ଭାଲୁକୁ ଭୀଷଣ ଶୋଷ ଲାଗିଲା । ସେ ପାଣି ପିଇବା ପାଇଁ ଜଙ୍ଗଲ ପାଖରେ ଥିବା ଝରଣା ଆଡକୁ ଚାଲିଲା । ଝରଣା ଠାରୁ କିଛିଦୂରରେ ଗୋଟିଏ ପଣସଗଛ ଥାଏ । ସେଥିରେ ଅନେକ ପଣସ ଫଳିଥାଏ । ସେଥିମଧ୍ୟରୁ ଗୋଟିଏ ବଡ ପଣସ ପାଚି ଯାଇଥାଏ । ପଣସ ବାସ୍ନାରେ ଚାରିଆଡ ମହକି ଉଠୁଥାଏ । ଭାଲୁ ପାଣି ପିଇସାରି ଫେରିବା ବେଳକୁ ତା’ ନାକରେ ସେ ବାସ୍ନା ବାଜିଲା । ପଣସ ତ ଭାଲୁର ପ୍ରିୟ ଖାଦ୍ୟ । ବାସ୍ନା ଶୁଙ୍ଘି ଶୁଙ୍ଘି ସେ ଯାଇ ଗଛ ପାଖରେ ପହଁଚିଗଲା ।

ଜହ୍ନ ରାତି । ଚାରିଆଡ ପରିଷ୍କାର ଦେଖାଯାଉଥାଏ । ଗଛମୂଳରେ ପହଁଚି ଭାଲୁ ଦେଖିଲା ବିଲୁଆଟିଏ ଗଛମୂଳରେ ଛିଡାହୋଇ ଗଛ ଉପରକୁ ଏକାଲୟରେ ଅନାଇ ରହିଛି । ମଝିରେ ମଝିରେ ଗଛ ଉପରକୁ ସେ କୁଦା ମାରୁଛି । ବିଲୁଆକୁ ଦେଖି ଭାଲୁ ଭୀଷଣ ରାଗିଗଲା । କହିଲା – “ହଇରେ ବିଲୁଆ ତୋର ତ ଭାରି ସାହସ, ମୁଁ ଥାଉଥାଉ ତୁ ପୁଣି ପଣସଟା ଖାଇଦେବୁ? ଆଜି ଦେଖିବି ତୁ କିପରି ମୋ କବଳରୁ ଖସିଯିବୁ ।”

ବିଲୁଆ ଭାଲୁକୁ ଦେଖି ପ୍ରଥମେ ତ ସେ ଡରିଗଲା । କିନ୍ତୁ ସେ ତ ମହା ଚାଲାକ । ମନେମନେ କିଛି ଉପାୟ ପାଂଚି ଭାଲୁକୁ ନମସ୍କାରଟାଏ ପକାଇ ଦେଇ କହିଲା, “ଆହେ ଅଜା, ତୁମରିପାଇଁ ତ ମୁଁ ଆଜି ଏଠାରେ ଡିଆଁ ଡେଇଁ କରି କୁସ୍ତି କସରତ ଲଗାଇଛି । କଥା କଣ କି ଏଇବାଟେ ଯାଉଯାଉ ମୁଁ ଦେଖିଲି ପଣସଟା ଗଛରେ ପାଚିଛି । ସେତେବେଳେ ମୋର ତୁମ କଥା ମନେ ପଡିଗଲା । ଭାବିଲି ପଣସଟା ତୁମପାଇଁ ନେଇଯିବି । ପଣସ ଖାଇବାକୁ ତୁମେ କେତେ ଯେ ଭଲପାଅ ସେ କଥା ମୋତେ କ’ଣ ଅଜଣା; କିନ୍ତୁ କେଉଁଠି ତୋଳି ପାରୁଛି? ଯେତେ ଡେଇଁଲେ ବି ପଣସ ପାଖରେ ମୁଁ ମୋଟେ ପହଁଚି ପାରୁନାହିଁ ।”

ଭାଲୁଟା ତ ଭାରି ବୋକା, ବିଲୁଆର କଥାଶୁଣି ସେ କହିଲା, “ଆରେ ଆରେ ଏପରି କଥା? ଆଗରୁ ମୋତେ ସେ କଥା କହୁନୁ । ମୁଁ ଖାଲି ମିଛଟାରେ ତୋ’ଉପରେ ଏତେ ରାଗିଲାଣି । ହେଉ, ଆଉ କଷ୍ଟକରି ଡେଇଁବା କିଛିବି ଦରକାର ନାହିଁ । ମୁଁ ନିଜେ ତୋଳିଆଣି ଖାଇବି ।”

ପ୍ରକୃତରେ ପଣସଟି ଗଛର ମୂଳଠାରୁ ପ୍ରାୟ ପୁରୁଷେ ଉଚ୍ଚରେ ଥିଲା । ବହୁତ ଚେଷ୍ଟା କରି ବିଲୁଆ ତାକୁ ତୋଳିନପାରି ହତାଶ ହୋଇ ଛିଡା ହୋଇଥିଲା । ଅବଶ୍ୟ ଆଉ ଥରେ ଦୁଇଥର ଚେଷ୍ଟା କରିଥିଲେ ହୁଏତ ତାହା ସେ ତୋଳି ପାରଥାନ୍ତା; ମାତ୍ର ଭାଲୁର କଥାଶୁଣି ତା’ମନଟା ଭୀଷଣ ଦୁଃଖ ହୋଇଗଲା । ଭାବିଲା ମିଛ କଥା କହି ସିନା ସେ ଭାଲୁ ହାବୁଡରୁ ଖସିଗଲା । ମାତ୍ର ପଣସ ଖାଇବାର ତା’ର ଯେଉଁ ଆଶାଥିଲା ତାହା ଆଉ ପୂରଣ ହୋଇପାରିଲା ନାହିଁ । ସେ ତ ଜାଣେ ଭାଲୁ ବେଶ୍ ଗଛ ଚଢିପାରେ । ସେ ନିଶ୍ଚୟ ପଣସଟି ତୋଳି ଖାଇଦେବ । ତେବେ କଣ ପଣସ ତା ଭାଗ୍ୟରେ ନାହିଁ । ଦେଖାଯାଉ ଶେଷ ଚେଷ୍ଟାକରି ଦେଖେ । ଭାଗ୍ୟରେ ଥିଲେ ପଣସଟା ମିଳିବ । ଆଉ ଏ ମୂର୍ଖ ଭାଲୁକୁ ପାନେ ମଜା ବି ଚଖେଇ ହେବ ।”

ଏହାଭାବି ବିଲୁଆ କହିଲା, “ଠିକ୍ କହୁଛ ଅଜା । ତୁମେ ଗଛରେ ଚଢି ସେହି ପଣସଟା ତୋଳୁଥାଅ, ମୁଁ ଟିକିଏ ପାଖ ବୁଦାମୂଳରୁ ନିତ୍ୟକର୍ମ ସାରି ଆସୁଛି । ଏହାକହି ସେ କିଛିଦୂରରେ ଥିବା ଗୋଟିଏ ବୁଦାମୂଳକୁ ଚାଲିଗଲା । ସେଠାରେ ଗୋଟିଏ ବଣୁଆ କୁକୁର ବାସ କରୁଥାଏ । ବିଲୁଆକୁ ତ ସେକଥା ଆଗରୁ ଜଣାଥାଏ । କୁକୁର ପାଖରେ ପହଁଚି ବିଲୁଆ କହିଲା, ଆରେ କୁକୁର ଭାଇ, କ’ଣ ତୋର ସବୁ ଭଲ ତ? ଏହିବାଟେ ଯାଉଥିଲି ତୋ’କଥା ହଠାତ୍ ମୋର ମନେପଡିଗଲା । ଭାବିଲି ଟିକିଏ ଦେଖିଆସେ । ଗୋଟେ ଗୀତ ଶୁଣାନ୍ତୁନି? ତୋ ଗୀତ ତ ମୋତେ ଭାରି ଭଲ ଲାଗେ ।”

ଏକଥା ଶୁଣି କୁକୁରର ମନ କୁଣ୍ଢେମୋଟ ହୋଇଗଲା । ବିଲୁଆ କଥାରେ ଭୁଲିଯାଇ କୁକୁର କହିଲା, ହଇହେ ନନା, ଇଏ ଗୋଟାଏ କଥା? ହେଉ ଶୁଣ ମୁଁ ଗାଉଛି ।

ଏହାକହି କୁକୁର ଆଖିବୁଜି ଉଚ୍ଚସ୍ୱରରେ ଭୋ….ଭୋ କରି ରଡି ପକାଇବାକୁ ଲାଗିଲା । ବିଲୁଆ ଏ ଭିତରେ ସେଠାରୁ ଖସିଆସି ଭାଲୁ ପାଖରେ ହାଜର୍ ହୋଇଗଲା । ଭାଲୁ ସେତେବେଳକୁ ପଣସଟା ତୋଳି ତଳକୁ ଓହ୍ଲାଉଥାଏ । ବିଲୁଆ କହିଲା, “ଅଜା, ପଣସଖିଆ ସେତିକି ଥାଉ । ପଣସକୁ ତଳେ ଥୋଇଦେଇ ଶୀଘ୍ରଚାଲ ଲୁଚିଯିବା । ମୁଁ ଦେଖିଆସିଲି ଦୁଇଟା ଶିକାରୀ କାନ୍ଧରେ ଧନୁତୀର ପକାଇ ସାଙ୍ଗରେ କୁକୁର ଧରି ଏଇଆଡକୁ ଆସୁଛନ୍ତି ।”

ଭାଲୁ ମଧ୍ୟ କୁକୁର ଭୁକିବା ଶବ୍ଦ ଶୁଣିଥିଲା । ସେ ବିଲୁଆ କଥାକୁ ସତମଣି ପଣସଟାକୁ ଗଛମୂଳେ ଛାଡିଦେଇ ବିଲୁଆ ସହିତ ଧାଇଁଧାଇଁ ଦୂରରେଥିବା ଅନ୍ୟ ଏକ ବୁଦା ଆଢୁଆଳରେ ଯାଇ ଲୁଚିଗଲା । ସେତେବେଳକୁ ଭାଲୁକୁ କମ୍ପଜର ଆସିଗଲା । ସେକଥା ସେ ବିଲୁଆକୁ କହିଲା । ବିଲୁଆ କହିଲା, ଅଜା ତୁମେ କିଛି ଚିନ୍ତା ନକରି ଏଠାରେ ଶୋଇଯାଅ । ଶିକାରୀ ଚାଲିଗଲେ ମୁଁ କ’ଣ ତୁମକୁ ଉଠାଇଦେବିନି? ତୁମେ ଯାଇ ପଣସ ଖାଇବ?” ବିଲୁଆ କଥାରେ ଭାଲୁ ଶୋଇପଡିଲା । ତା’ପରେ ବିଲୁଆ ଚୁପ୍ ଚାପ୍ ଗଛ ମୂଳକୁ ଯାଇ ମନଇଚ୍ଛା ପଣସ ଖାଇଲା । ଖୋସାତକ ସବୁ ଖାଇସାରି ଚୋପାଗୁଡାକ ଏପରି ବାଗେଇ ରଖିଦେଲା ଯେ, ଯେପରି ପଣସଟି ଗୋଟା ଥୁଆହୋଇଛି ବୋଲି ଜଣାପଡିବ । ଏହାପରେ ଭାଲୁକୁ ଉଠାଇ ସେ କହିଲା – ଅଜା, ଏଥର ଉଠ, ଶିକାରୀ ଗଲେଣି । ପଣସ ଖାଇବାକୁ ଯିବନିକି?”

ବିଲୁଆ ଡାକରେ ଭାଲୁର ନିଦ ଭାଙ୍ଗି ଗଲା । ସେତେବେଳକୁ ତାର ଡର କମିଯାଇଥାଏ । ସେ ଗଛମୂଳକୁ ଯାଇ ଆନନ୍ଦରେ ପଣସକୁ କାମୁଡି ପକାଇଲା । ଫଳରେ ଚୋପାଗୁଡାକ ଖୋଲିଗଲା । ଭାଲୁ କହିଲା, “ଆରେ ବିଲୁଆ, ପଣସ କାହିଁ? କ’ଣ ଖାଲି ଚୋପା?”

ବିଲୁଆ କହିଲା – “ଆହେ ଅଜା, ଜରବାଉଳାରେ ତୁମକୁ କିଛି ଜଣାପଡୁନି । ଚୋପା ଭିତରପଟେ ପରା ପଣସ ଅଛି । ତୁମେ ମୁହଁ ପୂରାଇ ଚାଟି ଖାଉଥାଅ, ମୁଁ ଟିକିଏ ପାଣିପିଇକରି ଆସୁଛି ।”

ଏହାକହି ବିଲୁଆ ସେଠାରୁ ଖସିଗଲା । ଭାଲୁ ସେ ଚୋପା ଭିତରେ ମୁହଁପୂରାଇ ଚାଟିବାରୁ ଅଠାଗୁଡାକ ସାଲୁବାଲୁ ହୋଇ ତା’ ମୁହଁଯାକ ଲାଗିଗଲା । ସେ ତା’ ଗୋଡରେ ସେଗୁଡାକୁ ଛଡାଇବା ପାଇଁ ଅନେକ ଚେଷ୍ଟାକଲା । ଫଳରେ ତା’ ଗୋଡଯାକ ମଧ୍ୟ ଅଠା ହୋଇଗଲା । ସେତେବେଳେ ଯାଇ ସେ ବିଲୁଆର କାରସାଦି ଠିକ୍ ବୁଝିପାରିଲା; ମାତ୍ର ବିଲୁଆ ଉପରେ ରାଗିଲାବେଳକୁ ସେ ଜଙ୍ଗଲ ମଧ୍ୟରେ କୁଆଡେ ଅଦୃଶ୍ୟ ହୋଇଯାଇଥିଲା ।

ଭାଲୁ ପଣସ ବିଲୁଆ

Rate the content


Originality
Flow
Language
Cover design

Comments

Post

Some text some message..