Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୧୨୭
ଜହ୍ନମାମୁଁ -୧୨୭
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.4K    11


Content Ranking

ବୁଦ୍ଧି ଓ ବିବେକ

ଅନେକ ଦିନ ତଳର କଥା । ସୁବୁଦ୍ଧିପୁର ଗାଁରେ ଗୋବିନ୍ଦ ବୋଲି ବୁଦ୍ଧିମାନ୍ ତରୁଣଟିଏ ଥାଏ । କେହି କୌଣସି ସମସ୍ୟାରେ ପଡିଲେ ତା’ର ପରାମର୍ଶ ନେଇ ସମସ୍ୟାର ସମାଧାନ କରନ୍ତି ।

ତେବେ ଗୋବିନ୍ଦ କିଛି ଉପାର୍ଜନ କରେ ନାହିଁ । ସେ ଅତି ଛୋଟ ଥିଲାବେଳେ ତା’ ବାପା ମା ମରିଯାଇଥିଲେ । ବଡ ଭାଇ ତାକୁ ପୋଷୁଥିଲେ । ନିଜେ କେବେ କିଛି ଉପାର୍ଜନ କରିବା କଥା ତା’ ମୁଣ୍ଡକୁ ଆସି ନଥିଲା ।

ଦିନେ ତା’ ଭାଇ ଭାଉଜ ଅନ୍ୟ କୋଠରୀରେ କଥାବାର୍ତ୍ତା ହେଲାବେଳେ ସେ କଥାବାର୍ତ୍ତା ତା’ କାନରେ ପଡିଲା ।

ଭାଉଜ କହୁଥିଲେ, “ଗୋବିନ୍ଦ କ’ଣ ଏଡେ ବୋକା ଯେ ତା’ ଦେଇ କିଛିବି କାମଦାମ ହେବ ନାହିଁ?”

ବଡ ଭାଇ କହିଲେ, “ବୋକା? ତା’ ଭଳି ବୁଦ୍ଧିମାନ ଏ ଅଂଚଳରେ ଆଉ କେହିବି ନ ଥିବେ । କାମଦାମ ସେ କରେ ନାହିଁ କାରଣ ମୁଁ ତାକୁ କେବେବି କାମ କରିବାକୁ କହିନାହିଁ । ମୋଟେ ଛଅବର୍ଷ ବୟସରେ ବାପା ମା’ଙ୍କୁ ହରାଇଛି । ମୋ ଆଖିରେ ସେ ସେହିଭଳି ପିଲା ହୋଇ ରହିଛି । ସେ କାମ କରିବା ଭଳି ଯୋଗ୍ୟ ହେଲାଣି, ଏକଥା ମୋ ମୁଣ୍ଡକୁ ଆସି ନାହିଁ, ତା’ ମୁଣ୍ଡକୁ ବା କିପରି ଆସିବ?”

ଭାଉଜ କହିଲେ “ସେ ଯଦି ସତରେ ବୁଦ୍ଧିମାନ, ତେବେ ରାଜଦରବାରକୁ ଯାଇ ସେଠାରେ ନିଜ ବୁଦ୍ଧି ପ୍ରମାଣ କରୁନାହିଁ?” ଭାଇ ଏହାର କୌଣସି ଉତ୍ତର ଦେଲେ ନାହିଁ ।

ସେତେବେଳେ ପ୍ରତି ବର୍ଷ ରାଜା ନିଜ ରାଜ୍ୟର ତରୁଣମାନଙ୍କ ନିମନ୍ତେ ଗୋଟିଏ ସାଧାରଣ ଜ୍ଞାନ ପ୍ରତିଯୋଗିତାର ବ୍ୟବସ୍ଥା କରୁଥିଲେ । ପ୍ରତି ଗାଁରୁ ଜଣେ ଜଣେ ଯୁବକ ସେଥିରେ ଯୋଗ ଦେଇ ପାରୁଥିଲେ । ଗ୍ରାମ ସମିତିର ସଭାପତିଙ୍କଠୁଁ ଖଣ୍ଡେ ଚିଠି ନେଇଗଲେ ହେଲା ।

ବାର୍ଷିକ ପ୍ରତିଯୋଗିତା ନିକଟ ହୋଇ ଆସିଥାଏ । ଗୋବିନ୍ଦ ଯାଇ ଗ୍ରାମ ସମିତିର ସଭାପତିଙ୍କୁ କହିବା ମାତ୍ରେ ସେ ଆନନ୍ଦରେ ତା’କୁ ପରିଚୟ ପତ୍ର ଦେଲେ । ଗୋବିନ୍ଦ ଯଥା ସମୟରେ ଦରବାରରେ ଯାଇ ଉପସ୍ଥିତ ହେଲା ।

ରାଜା ପ୍ରତିଯୋଗୀମାନଙ୍କୁ ପ୍ରଶ୍ନ କଲେ: “ଆମ ରାଜ୍ୟରେ କେତେଜଣ ସତ୍ୟପରାୟଣ ଲୋକ ଥିବେ?”

ଜଣେ କହିଲେ, “ଅନ୍ତତଃ ଦଶ ହଜାର ସତ୍ୟପରାୟଣ ବ୍ୟକ୍ତି ଥିବେ ।”

ଅନ୍ୟ ଜଣେ କହିଲେ, “ଆମକୁ ପ୍ରଥମେ ସାଧୁ ସନ୍ଥ କେତେ ଅଛନ୍ତି, ତା’ର ହିସାବ ନେବାକୁ ହେବ । କାରଣ ସେମାନେହିଁ ସତ୍ୟପରାୟଣ ।”

ଗୋବିନ୍ଦ କହିଲା, “ମହାରାଜ! ଠିକ୍ କେତେ ଅଛନ୍ତି କହି ପାରିବି ନାହିଁ, ତେବେ ଜଣେ ଯୁକ୍ତ ଆଠଜଣ, ଅର୍ଥାତ୍ ନଅଜଣ ନିଶ୍ଚୟ ଅଛନ୍ତି ବୋଲି କହିହେବ ।

ରାଜା ଏହାର ମର୍ମ ବୁଝିଲେ । ସତ୍ୟବାଦୀ ହିସାବରେ ସେ ରାଜାଙ୍କର ବେଶି ଖ୍ୟାତି ଥିଲା । ତାଙ୍କର ଆଠଜଣ ମୁଖ୍ୟ ପରାମର୍ଶ ଦାତା ଥିଲେ । ସତ୍ୟବାଦୀ ରାଜା ଯେଉଁମାନଙ୍କୁ ପରାମର୍ଶଦାତା ରୂପେ ମନୋନୀତ କରିଛନ୍ତି, ସେମାନେ ବି ନିଶ୍ଚେ ସତ୍ୟ ପରାୟଣ ହୋଇଥିବେ, ଗୋବିନ୍ଦ ଏହାହିଁ ବୁଝାଉଥିଲା ।

ରାଜା ପଚାରିଲେ “ଆଚ୍ଛା, ମୋ ମନମୁତାବକ ପୋଷାକ କିପରି ପାଇବି?”

ଜଣେ କହିଲେ “ଆଜ୍ଞା, ବନାରସରେ ମିଳିବ!”

ଆଉ ଜଣେ କହିଲେ “ଛାମୁଙ୍କ ଶ୍ୱଶୁର ଦେଇ ପାରିବେ!”

ଗୋବିନ୍ଦ କହିଲା, “ବନାରସରେ ମୂଲ୍ୟବାନ ବସ୍ତ୍ର ମିଳେ; ଛାମୁଙ୍କ ଶ୍ୱଶୁର ବି ମୂଲ୍ୟବାନ ପୋଷାକ ଦେବେ । କିନ୍ତୁ ଛାମୁଙ୍କ ମନମୁତାବକ ପୋଷାକ ଛାମୁ କେବଳ ମାତ୍ର ବରାଦ ଦେଇ ଭଲ ଦରଜୀଠୁଁ କରାଇ ନେଇ ପାରିବେ!”

ରାଜା ଗୋବିନ୍ଦର ଉତ୍ତରରେ ବହୁତ ଖୁସି ହେଲେ । ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତଙ୍କୁ ଖଣ୍ଡିଏ ଖଣ୍ଡିଏ ମୂଲ୍ୟବାନ ଚଦର ଓ ସୁନା ମୋହର ମିଳିଲା । ରାତିରେ ସମସ୍ତଙ୍କୁ ଗୋଟିଏ ଭୋଜିକୁ ନିମନ୍ତ୍ରଣ କରାଗଲା ।

ସମସ୍ତେ ସେ ଚଦରମାନ ଘୋଡି ହୋଇ ଆସିଥାନ୍ତି ଓ ଭୋଜିରେ ପରଶା ଯାଇଥିବା ଭଲ ଭଲ ଚିଜ ଖାଉଥାନ୍ତି । ଗୋବିନ୍ଦ କିନ୍ତୁ ଚଦର ନ ଆଣି ଆସିଥାଏ । ଖାଇବା ବେଳେ ବି ଖାଲି ଭାତ ଡାଲି ଛଡା ସେ ଆଉ କିଛି ହେଲେବି ଖାଇଲା ନାହିଁ । ରାଜାଙ୍କର ଜଣେ ମନ୍ତ୍ରୀ ଏହା ଲକ୍ଷ୍ୟ କରି ରାଜାଙ୍କୁ କହିଲେ । ରାଜା ଗୋବିନ୍ଦକୁ ଡକାଇ ପଚାରିଲେ, “ତମେ କାହିଁକି ମୋର ଉପହାର ଚଦର ବ୍ୟବହାର କରୁନାହଁ?”

ଗୋବିନ୍ଦ କହିଲା, “ଛାମୁ! ଆପଣ ଯେତେବେଳେ ପଚାରୁଛନ୍ତି, ମୋତେ ସତ କହିବାକୁ ପଡିବ । ଚଦରର ମର୍ଯ୍ୟାଦା ସହ ମୋର ଧୋତି ଓ ଅନ୍ୟାନ୍ୟ ପୋଷାକ ମୂଲ୍ୟବାନ ହେବା ଦରକାର । ସେଭଳି ପୋଷାକ ପାଇବି କାହୁଁ? ତେଣୁ ଚଦରଟି ମୁଁ ରାଜ ପୁରୋହିତଙ୍କୁ ଭେଟି ଦେଇଛି । ଅପାତ୍ରରେ ଦେଇ ନାହିଁ ।”

“ତମେ ଭାତ ଡାଲି ଛଡା ଆଉ କିଛି ନ ଖାଇବାର କାରଣ?”

“ଛାମୁ! ଥରେ ସିନା ସେସବୁ ଖାଇବି, ତାପରେ ତ ତାକୁ ଖାଲି ଝୁରି ହେଉଥିବି! ତେଣୁ ଯେଉଁ ଜିନିଷ ଜୀବନସାରା ପାଇବି, ତାହାକୁହିଁ ଖାଇଲି ।”

“ସୁନା ମୋହର କ’ଣ କଲ?”

“ଛାମୁ! ସେ ଗୋଟିକ ରଖିଛି । ମୋ ବଡଭାଇ ଦେବୋପମ ଲୋକ । ମୋତେ ପାଳି ପୋଷି ସେ ବଡ କରିଛନ୍ତି । ତାହା ତାଙ୍କୁ ଦେବି ।”

ଗୋବିନ୍ଦର ଉତ୍ତରରେ ରାଜା ବହୁତ ଖୁସି ହେଲେ ଓ ତାକୁ ନିଜ ଦରବାରରେ ଉପଯୁକ୍ତ ଚାକିରୀଟିଏ ବି ଦେଲେ ।

ସୁବୁଦ୍ଧିପୁର ଗୋବିନ୍ଦ ତରୁଣ

Rate the content


Originality
Flow
Language
Cover design

Comments

Post

Some text some message..