Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପୋଡ଼ପିଠା
ପୋଡ଼ପିଠା
★★★★★

© Lopamudra Mishra

Inspirational Tragedy

14 Minutes   13.8K    16


Content Ranking

ପୁଅର ପୋଡପିଠା ଖାଇବାରେ ଭାରି ଆନନ୍ଦ । ମାଆର ପୁଅକୁ ପିଠା ଖୁଆଇବାରେ ତହିଁରୁ ଅଧିକ ଖୁସି । ବର୍ଷା ଦିନିଆଁ ତାଳ ଆଉ ଗୁଡ ରେ ପୋଡା ଯାଇଥିବା ପିଠାର ବାସ୍ନା ପୁଅକୁ ଟାଣିଆଣେ ତା ମାଆ ପାଖକୁ । ମାଆ ଖୁବ ମନ ଲଗାଇ ନିଜର ସବୁ ମମତା ଅଜାଡି ଦେଇ ପିଠାଟି ବନାଇ ରଖିଥାଏ ଖାସ ନିଜ ପୁଅ ପାଇଁ । ପୁଅ ଯୋଉଠି ଥିଲେ ବି ମାଆର ସ୍ନେହ ବୋଳା ସେହି ପୋଡପିଠା ତାକୁ ଅସ୍ଥିର କରି କହେ, "ଫେରିଆ ମାଆ କୋଳକୁ "।

ଖୁବ କମ ବୟସରୁ ସ୍ୱାମୀଙ୍କୁ ହରେଇଥିବା ନିର୍ମଳା ଦେବୀଙ୍କ ଦୁଃଖୀ ପରିବାରର ଏକମାତ୍ର ଆଶା ଆଉ ଭରଷା ତାଙ୍କ କୋଡିଏ ବର୍ଷର ପୁଅ ଗୌରଵ । ସେ ହିଁ ଏହି ବିଧବା ମାଆର ବେରଙ୍ଗ ଜୀବନରେ ଇନ୍ଦ୍ରଧନୁର ସପ୍ତରଙ୍ଗ । ତାକୁ ହିଁ ନେଇ ନିର୍ମଳାଙ୍କ ସମସ୍ତ ସ୍ୱପ୍ନ, ତାକୁ ହିଁ ନେଇ ସାରାଟା ତାଙ୍କ ଜୀବନ । ଗୌରବ ଯେବେ ରେଭେନ୍ସା ୟୁନିଭରସିଟିରେ ଯୁକ୍ତ ତିନି ବିଜ୍ଞାନ ଶେଷ ବର୍ଷର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ, ସେବେଠୁ ସେ ଚିନ୍ତାଗ୍ରସ୍ଥ ହୁଏ ଆଗକୁ କିପରି ବହୁତ ବେଶି ପଢ଼ି ପାରିବ । ଅଧିକ ପଢିବା ଅଧିକ ଜାଣିବାରେ ଖୁବ ଆଗ୍ରହୀ ଗୌରବ । ଅର୍ଥ ସାଜେ ପ୍ରତିବନ୍ଧକ । କକା ଓ ବଡ ବାପା ଉଭୟ ମୁଣ୍ଡ ହଲେଇ ନାହିଁ କରିଦିଅନ୍ତି, ସେମାନେ ଆଉ ପାରିବେନାହିଁ । ନିଜର ସ୍ଵର୍ଗତ ମଝିଆଁ ଭାଇର ସମ୍ପୂର୍ଣ୍ଣ ସଂସାରଟାର ଦାୟିତ୍ୱ ଏପରି ଏତେ ଦିନ ଯାଏଁ ତୁଲେଇବା ସେମାନଙ୍କ ପକ୍ଷେ ଆଉ ସମ୍ଭବ ନୁହେଁ । ସେମାନେ ସଫା ଶୁଣେଇ ଦେଇଛନ୍ତି , "ସବୁ ସୁବିଧା ଯୋଗାଇ କଲେଜ ପାଠ ଯାଏଁ ଚଳେଇ ନେଲୁ । ଏବେ ନିଜ ବ୍ୟବସ୍ଥା ନିଜେ କର । ଡୁଡୁ(ଗୌରବର ଡାକ ନାମ )କୁ କୁହ ପାଠ ପଢ଼ା ସେତିକିରେ ରଖି କିଛି ଗୋଟେ ରୋଜଗାର ପନ୍ଥା ପାଇଁ ଚେଷ୍ଟା କରୁ ।"

ବିଧବା ମାଆ ବା ଆଉ ବେଶି କଣ କରିପାରିବ? ପୁଅକୁ ଇଚ୍ଛା ମୁତାବକ ପାଠ ପଢେଇବାକୁ କି ବା ସମ୍ବଳ ଅଛି ତା ପାଖେ । ଯାହା ଥିଲା ଏହି ପାଞ୍ଚ ବର୍ଷ ଭିତରେ ପୁଅର କଲେଜ ପାଠ ପଢା ପାଇଁ ଦେଢ଼ଶୂର ଦିଅରଙ୍କୁ ଦେଇଦେଇଛି ବିକି ଭାଙ୍ଗି କୌଣସି ମତେ କଲେଜ ଖର୍ଚ୍ଚଟା ଉଠେଇଦେବା ପାଇଁ । ଏବେ ସେ ନାଚାର ।

ପୁଅ ଶେଷ ବର୍ଷ ପରୀକ୍ଷାରେ କୃତିତ୍ୱର ସହ ଉତିର୍ଣ୍ଣ ହୋଇ ଘରକୁ ଫେରିଲା । ମାଆ ପୁଅର ମନଲାଖି କଳାହାଣ୍ଡିଆ ପାଚିଲା ମିଠା ତାଳ, ଅରୁଆ ଚୁନା, ଗୁଡ ନଡ଼ିଆ ମିଶା ପୋଡପିଠା କରିରଖିଥିଲା । ପିଠାର ମହ ମହ ମିଠା ବାସ୍ନାରୁ ପୁଅ ମାଆର ମମତାକୁ ସାଉଁଟି ପକାଇଲା । ଖାଇ ସାରି ମାଆର କାନିରେ ମୁଁହ ପୋଛିଲା । ମାଆକୁ ଜଡେଇ ଧରି ତାହାରି କୋଳରେ ମୁଣ୍ଡ ଗୁଞ୍ଜିଦେଲା । "ମାଆ ଲୋ ତୋ ପଣତ ଠାରୁ ସୁନ୍ଦର ସୁରକ୍ଷିତ ସ୍ଥାନ ଆଉ କୋଉଠି ନାହିଁ । ତୋ ହାତ ତିଆରି ପିଠା ପରି ତୋର କୋଳ ବି ଭାରି ମିଠା । କି ଶାନ୍ତି ତୋ ପାଖରେ " । ଗୌରବ ବିହ୍ୱଳିତ ହୋଇ କହିଲା ।

ନିର୍ମଳା ଦେବୀଙ୍କ ଆଖିରେ ଅଶ୍ରୁ କଣିକା । ପୁଅର ମୁଣ୍ଡକୁ ଆଉଁଷୁ ଆଉଁଷୁ କହିଲେ, " ବାବୁରେ ! ତୁ ତ ଜାଣୁ ତୋ ବାପା ଅକାଳରେ ଚାଲିଗଲେ । ତୋ ପାଇଁ କିଛି ରଖି କରି ଯାଇପାରିଲେ ନାହିଁ । ଅଳ୍ପ ଯାହା କିଛି ଥିଲା ଆଜିଯାଏଁ ଚଳିଗଲା । କକା, ବଡବାପାଙ୍କର ନିଜର ସଂସାର ଅଛି । ସେମାନେ ଆଉ କେତେ ଆମକୁ ସାହାଯ୍ୟ କରିବେ? ତୁ ତ ଆମର ଖୁବ ପରିଶ୍ରମୀ ଆଉ ପାରିବାର ପିଲା । ଏବେ କୋଉଠି ଚାକିରୀ ଖଣ୍ଡେ ଦେଖେ । ତୋ ଭାଗ୍ୟରେ ଥିଲେ ତୁ ନିଶ୍ଚେ ଆଗକୁ ବଢ଼ିବୁ । ତୁ ତ ମୋର ସୁନା ପୁଅଟା । ଏ ଅସହାୟ। ମାଆର ପାରିବା ପଣ ବୁଝିପାରୁଥିବୁ ଧନ "। କହୁ କହୁ ଦୁଃଖିନୀ ବିଧବା ଜଣଙ୍କ କୋହ ସମ୍ବରଣ କରିନପାରି କାନ୍ଦି ଉଠିଲେ । ଗୌରବ ମାଆ ଆଖିରୁ ବହିଆସୁଥିବା ସବୁଯାକ ଲୁହକୁ ନିଜ ଅଞ୍ଜୁଳିରେ ତୋଳି ଧରି କହିଲା, "ମାଆ ତୁ ଜମା ବ୍ୟସ୍ତ ହ’ନା । ମୁଁ ଖୁବ ଶୀଘ୍ର ଚାକିରୀ କରିବି । ମୋ ଉପରେ ଭରଷା ରଖ । ଏବେ ଏ ଲୁହ ଗୁଡା ପୋଛି ପକାଇ ମତେ ଟିକେ ତୋ କୋଳରେ ଶୁଆଇଦେ ।"

ସ୍ନାତ କୋତର ପଢ଼ା ପାଇଁ କରିବାକୁ ଥିବା ସମସ୍ତ ଦରଖାସ୍ତ ପତ୍ରକୁ ଭୁଲିଯାଇ ଗୌରବ ଚାକିରୀ ସନ୍ଧାନରେ ଲାଗିଗଲା । ମେଧାବୀ ଛାତ୍ର ସେ, ହେଲେ ଶିକ୍ଷାଗତ ଯୋଗ୍ୟତା କେବଳ ମାତ୍ର ସ୍ନାତକ । ଏପରି ସ୍ଥଳେ ଚାକିରୀଟେ ଯୋଗାଡ଼ କରିବା ଭୀଷଣ କଷ୍ଟ । ଗୌରବର ମେଧା ଓ ତାହାର ସୁସ୍ଥ ସୁନ୍ଦର ଶାରୀରିକ ଗଠନକୁ ଲକ୍ଷ କରି ସାଙ୍ଗମାନେ ଉପଦେଶ ଦେଲେ ପୁଲିସ ଚାକିରୀ କିମ୍ବା ଦେଶର ସେନାବାହିନୀରେ ଚେଷ୍ଟା କରିବା ସର୍ବୋତ୍ତମ ହେବ । ତାହା ହିଁ ହେଲା । ସେ ଭାରତୀୟ ସୈନ୍ୟବାହିନୀର ଚୟନ ପ୍ରକ୍ରିୟାରେ ଅତି ସହଜରେ ଉତିର୍ଣ୍ଣ ହୋଇଗଲା ।

ମାଆ ନିର୍ମଳା ଦେବୀ ପୁଅର ଏପରି ଏକ ଚାକିରୀ କରିବାରେ ଅମଙ୍ଗ ହେଉଥିଲେ । ଗୋଟିଏ ବୋଲି ପୁଅ । ତାକୁ ଦୂରକୁ ପଠାଇଦେବେ, ସେ ପୁଣି ବନ୍ଧୁକ ଧରି ଶତ୍ରୁ ସହ ଯୁଦ୍ଧ କରିବାକୁ ! ନାଁ ନାଁ । ହେଇପାରିବ ନାହିଁ । ଗୌରବ ଖୁବ ବୁଝାଇଲା ପରେ ନିର୍ମଳା ମଙ୍ଗିଲେ । ତାଙ୍କର ମନେ ପଡ଼ିଲା କିପରି ତାଙ୍କ ବଡଭାଇଙ୍କ ସାନ ପୁଅ ଆର୍ମିରେ ଚାକିରୀ କରି ନିଜ ସ୍ତ୍ରୀ ପିଲାଙ୍କୁ ଧରି ସାରା ଭାରତ ବୁଲି ସାରିଲାଣି । ପୁତୁରାର ସୁନ୍ଦର ସମ୍ମାନଜନକ ଜୀବନ ଶୈଳୀ ତାଙ୍କ ଆଖିଆଗରେ ଭାସି ଉଠିଲାରୁ, ନିଜ ନୟନ ପିତୁଳା ପୁଅଟା ପାଇଁ ଝଲମଲ ସୁନେଲି ସ୍ୱପ୍ନଟେ ଆଖି ଖୋଲା କରି ଦେଖି ପକେଇଲେ ।

ମାଆ ସବୁ ଜିନିଷ ସଜାଡି ରଖୁଛନ୍ତି । ଆଗାମୀ ଅଳ୍ପ କିଛି ଦିନ ଭିତରେ ପୁଅ ଟ୍ରେନିଂରେ ଯୋଗ ଦେବ । କିଛି ମାସର ତାଲିମ, ତାପରେ ପୋଷ୍ଟିଙ୍ଗ । ଗୌରବ ଘରୁ ଯିବା ବେଳକୁ ଆହୁରି ତାଳ ପାଚିନଥାଏ । ନିର୍ମଳା କୋହ ଭରା କଣ୍ଠରେ କହିଲେ, " ବର୍ଷା ଆରମ୍ଭ ହେଇ ତାଳ ପାଚିଲା ବେଳକୁ ଆସିଯାଇଥିବୁ ବାବା । ମୁଁ ତୋ ପାଇଁ ପିଠା ପୋଡି ରଖିଥିବି ।"

ପୁଅ ନଇଁ ପଡି ମାଆର ଆଶୀର୍ବାଦ ନେବାକୁ ପ୍ରୟାସ କରନ୍ତେ ମାଆ ତାକୁ କୋଳେଇ ନେଇ ଛାତିରେ ଜାକିଦେଲେ । ପ୍ରାଣ ଭରି ପୁଅକୁ ଜଡେଇ ଧରି କିଛି ମୁହୂର୍ତ୍ତ ସେହିପରି ନିଶ୍ଚଳ ହୋଇ ରହିଗଲେ । ପୁଣି ତାଙ୍କ ଆଖି ଓଦା ଓଦା ହୋଇ ପୁଅର ପିନ୍ଧା ସାର୍ଟ ଭିଜି ଗଲା । ଗୌରବର ବିଳମ୍ବ ହୋଇଯାଉଛି ।

-ମାଆ ମୁଁ ଆସୁଛି । ତୁ ତୋର ଯତ୍ନ ନେବୁ । ଠିକ ସମୟରେ ଖାଇବୁ । ବେଶି ଉପାସ ବ୍ରତ କରିବୁନାହିଁ । ମୋ ପାଇଁ ତୁ ସବୁବେଳେ କାଂଦିବୁନି ।

ପୁଅର ଉପଦେଶ ମାଆକୁ ଆହୁରି ଭାବପ୍ରବଣ କରିପକାଇଲା । ଛାତିର କୋହକୁ ଚାପି ନପାରି ନିର୍ମଳା ଭୋ କରି କାନ୍ଦି ଉଠିଲେ । ଲୁଗା କାନିରେ ପାଟିକୁ ଚାପି କାନ୍ଦ ବନ୍ଦ କରିବାକୁ ଚେଷ୍ଟା କରି ରହିରହି ଧୀର ସ୍ୱରରେ କହିଲେ, "ବାବୁରେ ! ତୁ ତ ମୋର ବାୟାଟା । ତୁ ଭଲରେ ଥିଲେ ମୁଁ ଏଠି ଭଲରେ ରହିବି । ତୁ ତୋ ନିଜ ଦେହପା’ ଜଗି କରି ଚଳିବୁ । ଖାଇବା ପିଇବା ଠିକରେ କରିବୁ । ଖାଲି ପେଟରେ ଜମା ରହିବୁନି ବାବା । କକାଙ୍କ ମୋବାଇଲକୁ ଫୋନ କରି ଭଲ ମନ୍ଦ ଜଣେଇବୁ । ଜଲଦି ଆସିବୁ ଧନ । "

ଜୀବନ ସଂଗ୍ରାମରେ ସଦା ସଂଘର୍ଷରତ ଦୁଇ ସଂଗ୍ରାମୀ, ମାଆ ଓ ପୁଅ ଉଭୟ ଉଭୟଙ୍କୁ ଚାହିଁ ରହିଛନ୍ତି ଲୋତକ ପୂର୍ଣ୍ଣ ନୟନରେ । ପୁଅ ନିଜ ଦୁଃଖିନୀ ମାଆ ଠୁ ବିଦାୟ ନେଇ ଦେଶ ମାଆର ସେବା କରିବା ଉଦ୍ଦେଶ୍ୟରେ ବାହାରି ପଡିଲା ।

ମେଘାଳୟର ରାଜଧାନୀ 'ସିଲଂ'ରେ ଗୌରବର ଆର୍ମି ଟ୍ରେନିଙ୍ଗ ସେଣ୍ଟର । ଉଚ୍ଚା ଉଚ୍ଚା ପାହାଡ, ଖୁବ ବିରାଟ ଜଳପ୍ରପାତ, କାଚକେନ୍ଦୁ ପରି ପାଣି ଥିବା ନିର୍ମଳ ହ୍ରଦ ଓ ଲମ୍ବା ଲମ୍ବା ପାଇନ ଗଛରେ ଆବୃତ ସୁନ୍ଦର ଏକ ମନୋରମ ସହର । ସବୁଜ ଶାନ୍ତ ସୁନ୍ଦର ପରିବେଶ । ସେଇଠି ପହଞ୍ଚି ଗୌରବ ଦେଖିଲା ତାହାରି ପରି ଅନେକ ପିଲା ଘର ପରିବାର ଛାଡ଼ି ଆସିଛନ୍ତି ଦେଶ ପାଇଁ ନିଜର ଜୀବନ,ଯୌବନକୁ ଉତ୍ସର୍ଗିକୃତ କରିବା ପାଇଁ ।

ଆର୍ମିର କଠିନ ତାଲିମ । ସୁକୁମାର ତରୁଣଙ୍କୁ ଖୁବ ଶକ୍ତ ଯୋଦ୍ଧାରେ ପରିଣତ କରିବାର ତାଲିମ । ଯେଉଁ ବୟସରେ ନବଯୁବକମାନେ ରଙ୍ଗୀନ ପ୍ରଜାପତିକୁ ଛୁଇଁବାର ସ୍ୱପ୍ନରେ ବିଭୋର ହୁଅନ୍ତି ,ମୋବାଇଲରେ ଅଜଣା ଝିଅ ସହ ଚାଟିଙ୍ଗ କରି ରାତି ରାତି ବିତେଇଦିଅନ୍ତି ,ପ୍ରେୟସୀର ହାତ ଧରି ରାସ୍ତା ପାର୍କ, ସିନେମା, ରେଷ୍ଟୁରାଣ୍ଟ ଘୁରିବୁଲନ୍ତି ସେହି ବୟସରେ ଏଠି ଏହି ତରୁଣ ଯୁବକ ମାନେ ଟ୍ରେନିଙ୍ଗ୍ ସେଣ୍ଟରର କଡ଼ା ଶୃଙ୍ଖଳା ଭିତରେ ରହି କଠିନ ପରିଶ୍ରମ କରି ନିଜକୁ ଆଗାମୀ ଦିନର ସାହସୀ ଯୋଦ୍ଧା ରୂପେ ଗଢି ତୋଳିବାର ସଂକଳ୍ପ କରୁଥାନ୍ତି । ଦେଶ ପାଇଁ ଦେଶବାସୀଙ୍କ ପାଇଁ ଅନାୟାସରେ ଜୀବନ ତ୍ୟାଗୀ ବାର ମନ୍ତ୍ର ଶିଖୁଥାନ୍ତି ।

ଆର୍ମି ତାଲିମ କେନ୍ଦ୍ରର କଡ଼ା ଅନୁଶାସନ । ବର୍ତ୍ତମାନ ସମୟରେ ଯେବେ ସ୍ମାର୍ଟ ଫୋନଟିଏ ସଭିଙ୍କର ଅବିଛେଦ୍ୟ ଅଙ୍ଗ ପାଲଟିଯାଇଛି, ସେପରି ସ୍ଥଳେ ଏଠି ତରୁଣ ଯବାନ ମାନଙ୍କୁ ସାଧା ସିଧା ମୋବାଇଲ ଫୋନଟିଏ ବି ବ୍ୟବହାର କରିବା ମନା । ପ୍ରତି ରବିବାର ନିର୍ଦ୍ଧିଷ୍ଟ ଏକ ସମୟରେ ସଭିଏଁ ଲାଇନରେ ରହି ପେ’ ଫୋନ ଯୋଗେ ନିଜ ନିଜ ପରିବାର ସହ କଥା ହୁଅନ୍ତି । ଗୌରବର ମାଆ ସେହି ରବିବାରକୁ ଚାହିଁ ରହିଥାନ୍ତି ।

ନଅ ମାସର ଟ୍ରେନିଙ୍ଗ ପରେ ଅଠେଇଶ ଦିନ ପାଇଁ ଛୁଟି ମିଳିବ । ସେହି ଛୁଟିରେ ଗୌରବ ଘରକୁ ଫେରି ମାଆ ଆଖିରୁ ଅନବରତ ଝରୁଥିବା ଅଶ୍ରୁକୁ ନିଜ ହାତରେ ପୋଛିପାରିବା । ସେ ଜାଣେ ଏଠିକୁ ଆସିଲା ପରଠୁ ମାଆ ତାହାର ପ୍ରତ୍ୟେକ ଦିନ ପୁଅର ଶୁଭ ମନାସୀ ଠାକୁରଙ୍କ ପାଖେ ଲୁହ ଢାଳୁଥିବ । ମାସ ଦିନ ବାର ଗଣି ହେଉଥିବ, ଆଉ କେତେଦିନ ପରେ ନୟନମଣି ତାହାର ଫେରିବ ଘରକୁ ।ଡୁଡୁ ଏତେଗୁଡାଏ ଦିନ ନିଜ ମାଆକୁ ଛାଡ଼ି କେବେ ଦୂରରେ ରହିନଥିଲା । କଲେଜ ହଷ୍ଟେଲରେ ଥିଲାବେଳେ ମାସରେ ଅତ୍ୟନ୍ତ ଦୁଇଥର ଘରକୁ ଚାଲିଆସେ । ସେ ବି ଏବେ ମାଆ ପାଖକୁ ଫେରିବାକୁ ବ୍ୟାକୁଳ । ମାଆ ହାତ ତିଆରି ପୋଡପିଠାର ବାସ୍ନା ସୁଦୂର ସିଲଂ ପର୍ଯ୍ୟନ୍ତ ପହଞ୍ଚିଗଲାଣି । ଘରକୁ ଆସିବାର ସମୟ ହେଇ ଗଲାଣି ।

ଏହି ଦୀର୍ଘ ନଅ ମାସ ଅପେକ୍ଷାର ଅବସାନ ଘଟିଲା । ନଅ ମାସ ତ ନୁହେଁ ନିର୍ମଳାଙ୍କୁ ଏହିଟି ନଅ ଯୁଗ ପରି ଲାଗିଲା । ପୁଅକୁ ଏତେ ଦିନ ପରେ ପାଖରେ ପାଇ ସେ ଖୁସିରେ ଆତ୍ମବିଭୋର ହୋଇଉଠିଲେ । ପୁଅର ଶରୀରରେ ଅନେକ ପରିବର୍ତ୍ତନ । ମାଆ ନଜରକୁ କିନ୍ତୁ ପୁଅର ଶକ୍ତ ବାହୁ ଦିଶିଲା ନାହିଁ । ସେ ପୁଅର ଶୁଖିଲା ମୁହଁ ଓ ଖାଲି ପେଟକୁ ଦେଖି ବ୍ୟସ୍ତ ହୋଇପଡିଲେ । ସଙ୍ଗେ ସଙ୍ଗେ ପୁଅ ପାଇଁ ଖାଇବା ଯୋଗାଡ଼ରେ ଲାଗିପଡ଼ିଲେ । ଯୁଗେ ଯୁଗେ ମାଆ ମାନେ ଏହିଭଳି ।

ଛୁଟି ସରିବାକୁ ଅଳ୍ପ କିଛି ଦିନ ବାକି । ଡୁଡୁ ମାଆର କୋଳରେ ମୁଣ୍ଡ ରଖି ଶାନ୍ତିରେ ଆଖି ବୁଜି ପକାଉଛି, ଯେମିତି ସବୁ ତା'ର କଠିନ ଶ୍ରମର ପୀଡା ଏହି ସୁକୋମଳ କୋଳର ସ୍ପର୍ଶ ପାଇ ଉଭେଇ ଯାଉଛି ।

- ମାଆ ମୁଁ ଆଉ ତିନିଦିନ ପରେ ଫେରିଯିବି ନୂଆ ପୋଷ୍ଟିଙ୍ଗ ଏରିଆକୁ । ପୁଣି ଆସିଲେ ତୋ ପାଇଁ କଣ ଆଣିକି ଆସିବି କହ?

"ତୁ ଖାଲି ଜଲଦି ଆସିଯିବୁ ବାବା । ମୋର ଆଉ କିଛି ଦରକାର ନାହିଁ ।" ପୁଅର ମୁଣ୍ଡ ଆଉଁଷୁ ଆଉଁଷୁ ନିର୍ମଳା କହିଲେ ।

ସେ ଭାରତ ମାଆ ସିନା ଚାହେଁ ପୁଅ ନିଜ ଲହୁ ଲୁହ ଢାଳି ଜୀବନ ଦେଇ ଦେଶ ମାଆର ରକ୍ଷା କରୁ, ମାତ୍ର ଏ ମାଆ ଚାହେଁ ପୁଅ ପାଇଁ ନିଜର ସବୁଯାକ ରକ୍ତ ନିଗାଡ଼ି ନିଜ ଜୀବନକୁ ବାଜି ଲଗାଇ ପୁଅକୁ ନିଜ ପଣତର ସୁରକ୍ଷା ବଳୟ ଭିତରେ ଲୁଚାଇ ରଖିବାକୁ । ଦୁଇ ମାଆଙ୍କ ଭିତରେ ଏତିକି ଯାହା ଫରକ ।

ମାଆ କୋଳରୁ ଉଠି ପୁଣି ଆର ଜଣେ ମାଆର ସେବାରେ ନିଜକୁ ନିୟୋଜିତ କରିବାକୁ ଗୌରବ ପ୍ରସ୍ତୁତ ହୋଇ ବାହାରି ପଡିଲା ।

ଜାମ୍ମୁ ଓ କାଶ୍ମୀର । ଭାରତର ଭୂସ୍ୱର୍ଗ କାଶ୍ମୀର । ସ୍ୱର୍ଗ ଦେଖିବା ଆଗରୁ ସ୍ୱର୍ଗ ଦର୍ଶନ । ଆଶ୍ଚର୍ଯ୍ୟଜନକ ଭାବେ ସୌନ୍ଦର୍ଯ୍ୟର ବିଭାର ଯେଉଁଠି, ସେଇଠି ଏବେ ଗୌରବର ପୋଷ୍ଟିଙ୍ଗ । ସୁନ୍ଦର ସ୍ଥାନଟି କିନ୍ତୁ ଏବେ ସଦା ଅଶାନ୍ତ । ଜୀବନ ଏଠି ଦୁର୍ବିସହ । କାଶ୍ମୀର ଏବେ ବେଶି କଷ୍ଟ ଦାୟକ ଏହି ଗୌରବ ପରି ସୈନିକ ମାନଙ୍କ ପାଇଁ ।

ଜାନୁଆରୀ ଓ ଫ୍ରେବୃଆରୀ ମାସର ଭୋର ପାଞ୍ଚଟାରେ ଯେତେବେଳେ ସାରାଟା ଜାମ୍ମୁ ଓ କାଶ୍ମୀର ବରଫରେ ଘୋଡ଼ି ହୋଇରହିଥାଏ, ଅଞ୍ଚଳବାସୀ ଗଭୀର ନିଦ୍ରାରେ ଥା’ନ୍ତି, ସେତେବେଳେ ଏହି ସେନାର ଯବାନ ମାନେ ଥଣ୍ଡା ପାଣିରେ ଗାଧୋଇ ଦେଶ ପ୍ରତି କର୍ତ୍ତବ୍ୟ ପାଳନ କରିବାକୁ ବାହାରି ପଡନ୍ତି । ଭାରତ-ପାକ ସୀମାକୁ ରାତି ରାତି ଅନିଦ୍ରା ରହି ମାଇନସ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଜଗି ରହନ୍ତି । ଆହୁରି ମଧ୍ୟ ବନ୍ୟା ପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ନିଜ ଜୀବନକୁ ବେଖାତିର କରି କାଶ୍ମୀରର ସାଧାରଣ ଜନତାଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିପଡନ୍ତି । ଅସମ୍ଭବ ବିପଦର ସାମ୍ନା କରିବାକୁ ସୈନିକ ସଦା ପ୍ରସ୍ତୁତ ।

ଗୌରବ ଖୁବ ମନୋଯୋଗ ଦେଇ ନିଜ କର୍ତ୍ତବ୍ୟ ପାଳନ କରେ । ସମୟର ଚକ ଆଗକୁ ଆଗକୁ ଗଡି ଚାଲେ । ଏଠାକୁ ଆସିବାର ଅନେକ ଦିନ ହୋଇଗଲାଣି । ଗୌରବକୁ ଛୁଟି ମିଳୁନି କି ସେ ଘରକୁ ଯାଇପାରୁନାହିଁ । ବରଫ ଆବୃତ କାଶ୍ମୀର ଯେବେ ଏକଦମ ଜଡ ପାଲଟିଯାଏ, ଜୀବନ ଗୁଡିକର ଗତି ଅତିଶୟ ମନ୍ଥର ହୋଇଉଠେ, ଗୌରବକୁ ତା ମାଆର ଉଷ୍ମ ସ୍ପର୍ଶ ମନେ ପଡିଯାଏ । ଇଚ୍ଛା ହୁଏ ତାର ଦୌଡି ଯାଇ ମାଆର ଉଷୁମ କୋଳରେ ମୁଣ୍ଡ ରଖି ଶୋଇ ପଡ଼ିବାକୁ ।

ଜାନୁଆରୀରୁ ମେ ମାସ ହୁଏ କିନ୍ତୁ କାଶ୍ମୀରରୁ ଶୀତ ସମ୍ପୂର୍ଣ୍ଣ ଯାଏନାହିଁ । ଆଗକୁ ପୁଣି ବର୍ଷା ଋତୁ । ଗୌରବର ବାଡ଼ି ପଟେ ସେହି କଳା ହାଣ୍ଡିଆ ତାଳ ପାଚିବାର ସମୟ । ତାଳ ପାଚିଲେ ମାଆ ପିଠା ପୋଡି ପୁଅର ଆସିବା ରାସ୍ତାକୁ ଚାହିଁ ରହିଥିବ ।

ମାଆର ଫୋନ ଆସେ,"ବାୟା ତୁ କେମିତି ଅଛୁରେ? ଖିଆ ପିଆ ଠିକରେ କରୁଛୁ ନାରେ? ତତେ ବହୁତ ଦିନ ହେଲା ଦେଖିନି ବାବା । ମନ ବଡ ଅସ୍ଥିର ଲାଗୁଛି । ଛୁଟି ନେଇ ଆସି ଯାଆ କିଛି ଦିନ ପାଇଁ । ଗଛରେ ତାଳ ପାଚି ଆସିଲାଣି ।"

"ହଁ ଲୋ ମାଆ ମୁଁ ଛୁଟି ପାଇଁ ଦରଖାସ୍ତ କରିଛି । ମଞ୍ଜୁରି ମିଳିଗଲେ ସଙ୍ଗେ ସଙ୍ଗେ ତୋ ପାଖକୁ ବାହାରି ପଡ଼ିବି । ତୁ ଜମା ବ୍ୟସ୍ତ ହ’ ନା । ନିଜର ଯତ୍ନ ନେଉଥିବୁ । ମୁଁ ଖୁବ ଜଲିଦି ଆସୁଛି । ତୋ ହାତ ତିଆରି ପୋଡପିଠାର ବାସ୍ନା କଣ ମତେ ଏଠି ସ୍ଥିର ହୋଇରହିବାକୁ ଦେବ? ଏହି ମାସ ଶେଷ ସପ୍ତାହ ବେଳକୁ ତୋ ଗେଲ୍ହା ପୁଅ ତୋ ହାତରୁ ପିଠା ଖାଇ ତୋରି କାନିରେ ମୁହଁ ପୋଛୁଥିବ "। ମାଆ ପୁଅଙ୍କ କଥୋପକଥନ ଏମିତି ଦଶ ବାର ମିନିଟ ଚାଲିଲା । ଘରକୁ ଶୀଘ୍ର ଫେରିବାର ନିର୍ଭୟ ପ୍ରତିଶ୍ରୁତି ପୁଅ ଠାରୁ ପାଇ ମାଆ ଫୋନ ରଖିଲା ।

ପୁଅର ଆସିବା ଦିନ ପାଖେଇ ଆସୁଛି । ନିର୍ମଳା ଦେବୀ ପୁଅ ମନପସନ୍ଦର କେତେ କେତେ ରକମ ଚିଜ ଯୋଗାଡ଼ କରି ରଖୁଛନ୍ତି । ପୁଅ ପାଇଁ ମୁଢି ଓ ନଡ଼ିଆର ମୁଆଁ, ରାଶି ଲଡୁ,ବେସନ ଲଡୁ,ମୁଗ ଭଜା, ମିଠା ଗଜା ଆହୁରି ଏମିତି କେତେ ଦରବ ତିଆରିବାରେ ଲାଗିପଡିଛନ୍ତି । ପୁଅର ସରୁ ଚକୁଳି ଭାରି ପସନ୍ଦ ସେଥିପାଇଁ ବି ଭଲ ବିରି ଓ ଅରୁଆ ଚାଉଳ ସଜାଡି ରଖିଛନ୍ତି ।

ଆଉ ଚାରିଦିନ ପରେ ଡୁଡୁ ଆସି ପହଞ୍ଚିବ । ନିର୍ମଳା ଖୁବ ବ୍ୟସ୍ତ । ଧୀର ପଡ଼ିଯାଇଥିବା ଜୀବନ ତାଙ୍କର ପୁଅର ଆଗମନ ଖବର ପାଇ ହଠାତ ଚଳଚଞ୍ଚଳ ହୋଇଉଠିଛି । ଗାଁର ଦୁଇ ଚାରି ଜଣ ସାଙ୍ଗ ବି ଆସି ବୁଝିଗଲେଣି, ଡୁଡୁ କୋଉ ଦିନ କୋଉଠି ଓହ୍ଲେଇବ ଆଉ କେମିତି ଆସିବ ବଜାରରୁ ଘରକୁ ।

ଗୋଟେ ଫୋନ କଲ ଆସିଲା କାଶ୍ମୀରରୁ ଗୌରବର ଘରକୁ । ଏଥର କିନ୍ତୁ ଫୋନଟା ମାଆ ନିର୍ମଳାଙ୍କ ନମ୍ବରକୁ ନଆସି ଡୁଡୁର କକାଙ୍କ ନମ୍ବରକୁ ଆସିଥିଲା । କକା ରଘୁନାଥ ଭାଉଜଙ୍କୁ ଖବରଟା ଦେବାକୁ ଆସି ଅପେକ୍ଷାକୃତ ଖୁବ ଧୀର ଓ ନରମ ଗଳାରେ କହିଲେ, "ନୂଆ ବୋଉ ! ଡୁଡୁ ଆସୁଛି । ଉଡ଼ାଜାହାଜରେ ଆସି କାଲି ସକାଳେ ଭୁବନେଶ୍ୱରରେ ପହଞ୍ଚିବ ।"

"ହଁ ମୁଁ ଜାଣିଛି । ବହୁତ ଦିନ ପରେ ପା’ ତାକୁ ଛୁଟି ମିଳିଲା । ହେଲେ ସେ ତ ଟ୍ରେନରେ ଆସିବ କହୁଥିଲା ପୁଣି ଉଡ଼ାଜାହାଜରେ କାହିଁକି ଟିକଟ କଲା? ବାୟାଟା । ଘରକୁ ଜଲିଦି ଆସିବାକୁ ବିକଳ ହେଉଥିଲା । ସେହି ସକାଶେ ବୋଧେ ।" ନିର୍ମଳା ହସି ହସି କହିଲେ ।

ରଘୁନାଥ ଚାହିଁ କରି ମଧ୍ୟ ସତଟା କହିପାରୁ ନାହଁନ୍ତି । ଆଖିର ଲୁହକୁ ଲୁଚେଇ କହିଲେ, "ନୂଆବୋଉ ତାକୁ କାଲି ଭୁବନେଶ୍ୱରରେ ଆଉ ଗାଁରେ 'ଗାର୍ଡ ଅଫ ଅନର' ମାନେ ରାଷ୍ଟ୍ରୀୟ ସମ୍ମାନ ଦିଆଯିବ "

ନିର୍ମଳାଙ୍କ ଆଖିରେ ଖୁସିର ଲହରୀ । ବିଚାରୀ ନିରକ୍ଷର ନିରୀହ। ମାଆ ! ଗାଁ ବାହାରକୁ, ନିଜ ଜିଲ୍ଲା ବାହାରକୁ ଯିଏ ଥରେ ଵା ଦୁଇଥର ପାଦ କାଢିଥିବେ ସେ କାହୁଁ ବୁଝିବେ ଦିଅର ତାଙ୍କର କୋଉ ସମ୍ମାନ କଥା କହୁଛନ୍ତି । ସେ ଆହୁରି ଉତ୍ସ।ହର ସହକାରେ କହିଲେ, "ସତରେ ନା କଣ? ମତେ ତ ଏ ବିଷୟରେ କିଛି କହୁନଥିଲା । ମନୁଆଁଟେ । ମୁଁ ଜାଣେ ପା’ ଆମ ଡୁଡୁ ନିଶ୍ଚେ ଦିନେ ଆମ ସମସ୍ତଙ୍କର ଟେକ ରଖିବ । ବହୁତ ପରିଶ୍ରମ କଲାଣି ଛୁଆଟା । ଆସୁ ଏଥର ମାସେ ଖଣ୍ଡେ ଘରେ ଭଲ କି ବିଶ୍ରାମ ନେବ । " କହୁ କହୁ କଣ ଗୋଟେ ମନେ ପଡିଗଲା ପରି ଧାଇଁ କରି ଭିତରକୁ ଚାଲିଗଲେ ନିର୍ମଳା ।

ଟିଭିରେ ଚାଲିଛି ଓଡ଼ିଆ ପୁଅ ସହୀଦ ଗୌରବ ରାଉତଙ୍କର ଗୌରବମୟ ବୀରତ୍ୱର କାହାଣୀ । ଗତ ଦଶ ତାରିଖ ମଧ୍ୟ ରାତ୍ରରେ କାଶ୍ମୀରର ଊରିରେ ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ । ଭାରତ-ପାକ ସୀମା (।ine of contro। ) ଅତିକ୍ରମ କରି କିଛି ଆତଙ୍କବାଦୀ କୌଣସି ମତେ ଭାରତକୁ ପଶିଆସିବା ଖବରଟା ଭାରତୀୟ ସୈନିକ ପାଇବା ମାତ୍ରେ ସଶସ୍ତ୍ରେ ସାମ୍ନା କରିବାକୁ ବାହାରି ପଡିଲେ । ରାତିରେ ସମସ୍ତ ଜିନିଷ ସଜାଡି ସକାଳୁ ଗୃହାଭିମୁଖେ ବାହାରିବାକୁ ଥିବା ଗୌରବ ବି ସେହି ବୀର ଯବାନଙ୍କ ସହ ଥିଲେ । ଖୁବ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆତଙ୍କବାଦୀମାନେ ଗୁଳି ଚାଳନା ଆରମ୍ଭ କରିଦେଲେ । ଗ୍ରେନେଡ଼ ବିସ୍ଫୋରଣ କରି ସେନା ଶିବିରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲେ । ଭାରତୀୟ ସେନା ବି ଖୁବ ସାହାସିକତାର ସହ ସେମାନଙ୍କର ମୁକାବିଲା କଲା । ଓଡିଶାର ଗୌରବ ରାଉତ ନିଜର ଅଦମ୍ୟ ସାହସ ଓ ବିଚକ୍ଷଣ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ଆତଙ୍କବାଦୀ ମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗୁଳି କରି ଧରାଶାୟୀ କରିଦେଲେ । ନିଜ କାନ୍ଧରେ ଗୁଳି ବାଜି ରକ୍ତ ଝରୁଥିଲେ ମଧ୍ୟ ସେଥିକୁ ଖାତିର ନକରି ନିଜର ଜଣେ ଆହତ ସାଥୀ ଯବାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ତାଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହେଲେ । ଦୀର୍ଘ ଚାରି ଘଣ୍ଟାର ଗୁଳି ବିନିମୟ ଭିତରେ ଗୌରବଙ୍କ ମସ୍ତକରେ ଆସି ବାଜିଲା ଶତ୍ରୁର ଗୁଳି । ତଥାପି ସେ ହାରିଯାଇନଥିଲେ । ନିଜ ହୃଦୟର ଶେଷ ସ୍ପନ୍ଦନ ଚାଲୁଥିବା ପର୍ଯ୍ୟନ୍ତ ତାଙ୍କ ରାଇଫଲରୁ ଗୁଳି ଚାଲୁଥିଲା ।

ଖବରଟା ସାରା ଭାରତରେ ପ୍ରଚାରିତ, କେବଳ ମାତ୍ର ଗୌରବଙ୍କ ମାଆଙ୍କୁ ଅଗୋଚର । ଟିଭି ଦେଖିବାକୁ ତାଙ୍କୁ ତର କାହିଁ ? ସେ ତ ପୁଅର ମନପସନ୍ଦ ପୋଡପିଠା ବନେଇବାରେ ବ୍ୟସ୍ତ । ଏଥର ପିଠାର ସ୍ୱାଦଟା ଏମିତି ହେବା ଦରକାର ଯେମିତି ସେ ପିଠା ଚାଖି ପୁଅ ତାଙ୍କର ଦୀର୍ଘଦିନର ଶାରୀରିକ ପରିଶ୍ରମ ଓ ଏତେ ଦୂରଯାତ୍ରାର କ୍ଳେଶକୁ ଅଚିରେ ଭୁଲିଯିବ ।

ନିର୍ଦ୍ଧିଷ୍ଟ ସମୟରେ ବୀର ସହୀଦ ଗୌରବ ରାଉତଙ୍କ ମର ଶରୀରକୁ ବିରାଟ ପଟୁଆରରେ ସସମ୍ମାନେ ଗାଁକୁ ଅଣାଗଲା । ବହୁ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ସହ ସ୍ଥାନୀୟ ନେତା, ଜିଲ୍ଲାର ଜିଲ୍ଲାପାଳ ସଭିଏଁ ସହୀଦଙ୍କୁ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆସି ଉପସ୍ଥିତ ହେଲେଣି । ସହୀଦଙ୍କ କକାଙ୍କ ସମେତ ଗାଁର ଅନ୍ୟ କେତେଜଣ ମୁଖ୍ୟ ବ୍ୟକ୍ତି ଟିଭି ରିପୋର୍ଟରଙ୍କୁ କହୁଥାନ୍ତି "ଗୌରବ ଆମ ଅଞ୍ଚଳର ଗର୍ବ ଓ ଗୌରବ । ଏ ମାଟି ତା ପରି ପୁଅ ପାଇ ଧନ୍ୟ ହେଇଛି "

ନିର୍ମଳା କିଛି ବି ହେଲେ ବୁଝିପାରୁନାହାଁନ୍ତି । ତାଙ୍କ ଏକୋଇର ବଳା ପୁଅକୁ ଆଖି ବୁଜି ତ୍ରିରଙ୍ଗା କପଡା ଘୋଡ଼ି ହୋଇ ଶୋଇଯାଇଥିବା ଦେଖି ଦୌଡି ଗଲେ । ନିଜ କାନିରେ ପୁଅକୁ ଢାଙ୍କି ପକେଇଲେ । ପୁଅର ମୁହଁରେ ମୁହଁ ଥାପି ଖୁବ ଗେଲ କଲେ । ଉଠି ଆସି ପିଠା ଖାଇବାକୁ ବହୁତ କାକୁତି ହୋଇ ପୁଅକୁ ଡାକିଲେ । ପୁଅ ଆଖି ଖୋଲୁନି କି ମାଆର କଥାରେ ଉତ୍ତର ଦେଉନି । ମାଆର ଧର୍ଯ୍ୟ ସୀମା ଉଲଙ୍ଘନ କଲା । ତାପରେ ଶୁଭିଲା ଅସହ୍ୟ ଏକ ହୃଦୟବିଦାରକ କ୍ରନ୍ଦନର ରୋଳ । ତାଙ୍କ କଲିଜାର ଟୁକୁଡାକୁ କଫିନ ଭିତରେ ନିଶ୍ଚଳ ହେଇ ପଡିଥିବାର ଦେଖି ଛାତି ଭିତରେ ତାଙ୍କର ବିରାଟ ବିସ୍ଫୋରଣ ହେଲା । ତାଙ୍କୁ ସେଠୁ ବଳପୂର୍ବକ ଉଠାଇନେଇ କାନ୍ଦରୁ ବିରତ ହେବା ପାଇଁ ବୁଝାଗଲା । ବୀର ଜନନୀର ଆଖି ରେ ଅଶ୍ରୁ ଶୋଭା ପାଏନି ବରଂ ଏପରି ପୁଅ ପାଇଁ ଗର୍ବ କରାଯାଏ କହି ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ କିଛି ଜଣ ।

"ଗର୍ଵ କରିବି? କାହା ପାଇଁ ଗର୍ବ କରିବି?ଆଉ ଅଛି କିଏ ମୋର?ଯାହା ପାଇଁ ମୋର ନିଶ୍ୱାସ ପ୍ରଶ୍ଵାସ ଚାଲୁଥିଲା, ଯାହାର ସୁନ୍ଦର ଭବିଷ୍ୟତର ସ୍ୱପ୍ନ ଦେଖି ମୋର ଦିନ ବିତୁଥିଲା, ଯାହାକୁ ଛାତିରେ ଜାକି ଧରି ମୁଁ ମୋର ସବୁ ଦୁଃଖ ପାସୋରି ଦେଉଥିଲି, ତାକୁ ମୋ ଆଗରେ ନିର୍ଜୀବ ପରି ପଡିଥିବା ଦେଖି ମୁଁ ଗର୍ବ କରିବି ତୁମେ କହୁଛ? ବୀର ଯବାନ ଗୌରବ ଦେଶ ମାଆ ପାଇଁ ଜୀବନ ଦେଇଦେଲା ବୋଲି ଆଜି ତ୍ରିରଙ୍ଗା ତାକୁ ଜାବୁଡି ଧରିଛି । କାଲି ଆଉ କାହାକୁ ଜାବୁଡି ଧରିବ । ଦେଶର ଗୋଟେ ପୁଅ ଚାଲିଗଲେ ଆହୁରି ଅନେକ ଅଛନ୍ତି ତାକୁ ରକ୍ଷା କରିବା ପାଇଁ । ହେଲେ ମୋର ଆଉ କିଏ ଅଛି? ମୁଁ ଆଉ କାହାକୁ ମୋ ପଣତରେ ଘୋଡେଇ ରଖିବି?? ନିର୍ମଳା କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇଗଲେ ।"

ଗୌରବର ସମାଧି ସ୍ଥଳରେ ଏକ ସହୀଦ ସ୍ମୃତି ପୀଠଗଢ଼ା ହେଲା । ଗୌରବର ତ୍ୟାଗକୁ ଖୁବ କମ ଦିନ ଭିତରେ ସଭିଏଁ ଭୁଲିଗଲେ । ସୈନିକର ତ ଜନ୍ମ ହିଁ ଯୁଦ୍ଧ ଆଉ ମୃତ୍ୟୁ ପାଇଁ । ଜାତି ପାଇଁ, ଧର୍ମ ପାଇଁ, ସୀମା ପତିଆରା ପାଇଁ ଏ ଯୁଦ୍ଧ ବି ସରେ ନାହିଁ । ସୈନିକକୁ ସବୁବେଳେ ଶିଖାଯାଏ "ଯୁଦ୍ଧରେ ମୃତ୍ୟୁବରଣ କଲେ ତୋର ସୈନିକ ଜୀବନ ସାର୍ଥକ ହେବ ।" ମୃତ୍ୟୁରେ ପୁଣି ଯାହା ଜୀବନ ସାର୍ଥକ ହୁଏ,ତା ମରଣ ରେ କିଏ ବା କାହିଁକି ଏତେ ଲୁହ ଢାଳିବ ? ଗୌରବ ଦେଶ ପାଇଁ ଗାଁ ପାଇଁ ଗୌରବ ଆଣିଦେଇଛି କହୁଥିବା ଲୋକ, 'ବୀର ଗୌରବ ଅମର ରହେ' ନାରା ଲଗାଉଥିବା ସାଥୀ ସମସ୍ତଙ୍କ ମନରୁ ଗୌରବର ସ୍ମୃତି ଫିକା ଫିକା ହେଇ ଆସିଲା । କେବଳ ଜଣେ ହିଁ ପୁଅକୁ ନିଜ ଭିତରେ ଅମର କରି ରଖିଥିଲା । ସେ ପ୍ରତିବର୍ଷ ବର୍ଷା ଋତୁରେ ତାଳ ପାଚିଲେ ଅତି ଯତ୍ନରେ ପୋଡପିଠା ବନେଇ ନେଇଯାଉଥିଲା ପୁଅ ପାଖକୁ । ତାହାରି ସମାଧି ପାଖେ ପିଠାଟି ଧରି ବସୁଥିଲା ଆଉ ଡାକ ପକେଇ କହୁଥିଲା, "ଡୁଡୁ !ମୋ ଧନ ! ଏ ବାୟା ! ଉଠୁରେ ସୁନା । ଦେଖ ମୁଁ କେମିତି ତୋ ପାଇଁ ପିଠା ପୋଡିକି ଆଣିଛି । ଉଁଉଉ...କି ବାସ୍ନା ! ଠିକ ତୁ ଯେମିତି ଭଲ ପାଉ ସେଇମିତି । ତୁ ପା’ କହୁ ମୋ ପିଠାର ବାସ୍ନା ଯାଇ କାଶ୍ମୀରରେ ତୋ ପାଖେ ପହଞ୍ଚିଯାଏ । ଏବେ କଣ ତତେ ଆଉ ମୋ ପିଠା ବାସୁନି କିରେ ଧନ? ଉଠୁ ବାବା ଉଠୁ । ଆଉ ବେଶି ଡେରି କରନା । ପୋଡପିଠାଟା ପା’ ଥଣ୍ଡା ହେଇଯିବ ।"

ଲୋପ ମୁଦ୍ରା ମିଶ୍ର

ପୋଡପିଠା ଗୌରଵ ସୈନିକ

Rate the content


Originality
Flow
Language
Cover design

Comments

Post

Some text some message..