Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ-113
ଜହ୍ନମାମୁଁ-113
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   7.2K    11


Content Ranking

ବର୍ଷା ରାତିର ଚୋର

ବସ୍ତରର ଅମୀର ଶେଖ ହସନ୍ ଜଣେ କୁଶଳୀ ଶାସକ ଥିଲେ । ଦିନେ ସହରର କଟୁଆଳ ଜଣେ ଯୁବକକୁ ଧରି ଆଣି ତାଙ୍କ ପାଖରେ ପହଁଚି କହିଲା, “ହଜୁର! ଏଇ ସଲୀମ ନାମକ ଯୁବକ ଜଣେ ବୁଦ୍ଧିମାନ ଚୋର । ଖୁବ୍ ଯୋର ବର୍ଷା ହେଉଥିବା ବେଳେ ସେ ଆମ ସହରର ଧନୀ ବ୍ୟକ୍ତି ଦାଉଦ୍ ଖାଁ ଘରେ ପଶି ଚୋରୀ କରୁଥିଲା । ଧରା ପଡିଛି ।”

ଅମୀର ଯୁବକ ଆଡକୁ ଚାହିଁ ଦେଖିଲେ ଯେ ତା’ ଚେହେରାରେ ଚୋରର କୌଣସି ଲକ୍ଷଣ ନାହିଁ । ବରଂ ଖୁବ୍ ସୁସଂସ୍କୃତ ଲାଗୁଥିଲା । ତେଣୁ ସେ ପଚାରିଲେ, “କ’ଣ, ତମେ ଦାଉଦ ଖାଁ ଘରୁ ଚୋରୀ କରୁଥିଲ?”

ତଳକୁ ମୁହଁ କରି ସଲୀମ କହିଲା “ଆଜ୍ଞା!” ଅମୀର କହିଲେ “ତମେ କ’ଣ ଜାଣନି ଚୋରି ଅପରାଧ ପାଇଁ ଦଣ୍ଡ ହେଉଛି ଦୁଇ ହାତ କାଟି ଦିଆଯିବ?”

ସଲୀମ୍ କେବଳ ମଥା ହଲାଇଲା । କିନ୍ତୁ ନିଜର ନିର୍ଦୋଷପଣିଆ ସାବ୍ୟସ୍ତ କରିବାକୁ ସେ ତିଳେ ହେଲେ ମଧ୍ୟ ଚେଷ୍ଟା କଲା ନାହିଁ ।

ଅମୀର କହିଲେ, “ଏହାକୁ କଇଦିଖାନାରେ ରଖ । ସକାଳୁ ମୁଁ ଏହାକୁ ଦଣ୍ଡ ଦେବି ।”

ରାତିରେ ଅମୀର ନିଜେ କାରାଗାର ଦେଖିବାକୁ ଗଲେ । ସେ ଅଳ୍ପ ଦୂରରୁ ଶୁଣିବାକୁ ପାଇଲେ ବନ୍ଦୀଶାଳା ଭିତରୁ ମଧୁର କଣ୍ଠରେ କିଏ ପ୍ରାର୍ଥନା ଗାଉଛି । ସେ ସେହି ଗୀତର ଶବ୍ଦ ବାରି ବାରି ଯାଇ ଦେଖିଲେ ସଲୀମହିଁ ବସି ଗୀତ ଗାଉଛି ।

ଅମୀର ବନ୍ଦୀ ସଲୀମ୍ ପାଖକୁ ଯାଇ କହିଲେ, “ମୁଁ ବୁଝୁଛି ତୁମ ପରି ଲୋକ କଦାପି ମଧ୍ୟ ଚୋରି କରି ନଥିବ । ତେଣୁ ମୁଁ ତୁମକୁ ଦଣ୍ଡ ଦେବାକୁ ଇଚ୍ଛା କରୁନାହିଁ । କାଲି ତୁମକୁ ଦଣ୍ଡସ୍ଥଳକୁ ନିଆଯିବା ପରେ ମୁଁ ତୁମକୁ କିଛି ପ୍ରଶ୍ନ ପଚାରିବି ଆଉ ତୁମେ ଉତ୍ତରରେ କହିବ କି ଦାଉଦ୍ ଖାଁ ଘରେ ତମେ ଚୋରୀ ପାଇଁ ପଶି ନଥିଲ ।”

ସଲୀମ କହିଲା “ହଜୁର୍, ଆପଣଙ୍କ ଦୟା ପାଇଁ ମୁଁ କୃତଜ୍ଞ ।”

ପରଦିନ ଦଣ୍ଡସ୍ଥଳରେ ହଜାର ହଜାର ଦର୍ଶକଙ୍କ ସାମ୍ନାରେ ସଲୀମ୍କୁ ଦଣ୍ଡଦିଆ ଯିବାକୁ ନିଆଗଲା । ଅମୀର ନିଜେ ମଧ୍ୟ ସେଠାରେ ଉପସ୍ଥିତ ଥା’ନ୍ତି ।

ତା’ପରେ ଅମୀର ସଲୀମ୍କୁ ପ୍ରଶ୍ନ କଲେ, “ତମେ କୁହ, କାଲି ତମେ ଦାଉଦ୍ ଘରକୁ ଚୋରୀ କରିବା ପାଇଁ ନା ଅନ୍ୟ କିଛି କାମ ସକାଶେ ଯାଇଥିଲ?”

ସଲୀମ୍ କହିଲା “ହଜୁର, ସତରେ ମୋର ସେ ଘରେ ଅନ୍ୟ କୌଣସି କାମ ନଥିଲା ।”

ସଲୀମ୍ର ଏଭଳି ଉତ୍ତର ଶୁଣି ଅମୀର ହଠାତ୍ ଚମକି ଉଠିଲେ । ଭାବିଲେ, “ଏ ଯୁବକକୁ ଦଣ୍ଡରୁ ରକ୍ଷା କରିବାକୁ ମୁଁ ଏତେ ଚେଷ୍ଟା କଲି, କିନ୍ତୁ ସବୁ ବ୍ୟର୍ଥ! ଟୋକାଟା ନିହାତି ମୂର୍ଖ ।”

ଅମୀର କହିଲେ, “ଠିକ୍ ଅଛି । ଯଦି ସେ ନିଜେ ମାନୁଛି ତେବେ ଆଇନ୍ ଅନୁସାରେ ତାକୁ ଦଣ୍ଡ ଦିଅ । ଦୁଇ ହାତ କାଟି ଦିଅ ।”

ଜଣେ ସିପାହୀ କଟାରୀ ଧରି ସଲୀମ୍ର ହାତ ହାଣିବାକୁ ଯାଉଛି, ଠିକ୍ ସେତିକିବେଳେ ଜଣେ ଯୁବତୀ ଦୌଡି ଆସି କହିଲା, “ବନ୍ଦ କର, ଯଦି ଆଇନ୍ର ନିୟମ ଏପରି ତେବେ ମୋ ହାତ ବରଂ କାଟି ଦିଅନ୍ତୁ, କିନ୍ତୁ ତାକୁ ଛାଡି ଦିଅନ୍ତୁ । ସେ ମିଛ କଥା କହୁଛି ।”

ଅମୀରଙ୍କ ଆଦେଶରେ ଦଣ୍ଡ ଦେବା ସ୍ଥଗିତ ରହିଲା । ତା’ପରେ ଅମୀର ସେ ଯୁବତୀକୁ କହିଲେ, “ତମେ ତା’ହେଲେ ସତ କଥା କ’ଣ କହି ପାରିବ?”

ଯୁବତୀଟି ନିଜ ଆଖିରୁ ଲୁହ ପୋଛୁ ପୋଛୁ କହିଲା, “ହଜୁର୍, କହିପାରିବି, ନିଶ୍ଚୟ ପାରିବି । ତେବେ ଶୁଣନ୍ତୁ । ଅନେକ ବର୍ଷ ତଳେ ଅନ୍ୟ ଏକ ସହରରେ ଆମ ପରିବାର ରହୁଥିଲେ । ଆମ ଘର ସାମନାରେ ଜଣେ ଧନୀ ବ୍ୟକ୍ତିଙ୍କର ଘର ଥିଲା । ସଲୀମ୍ ତାଙ୍କରି ପୁଅ । ଆମ ପରିବାର ଓ ତାଙ୍କ ପରିବାର ଅତି ଘନିଷ୍ଠ ବନ୍ଧୁପରି ଚଳୁଥିଲେ । ସେତେବେଳେ ଆମେ ପିଲା ଥିଲୁ । କିନ୍ତୁ ଦୁଇ ପରିବାର ଏହା ଠିକ୍ କରିଥିଲେ ଯେ ସଲୀମ୍ ସହିତ ମୋର ବିବାହ ହେବ ।

କିନ୍ତୁ ପରିସ୍ଥିତି ବଦଳି ଗଲା । କୌଣସି କାରଣରୁ ଆମ ପରିବାର ବସୋରାରେ ଆସି ସ୍ଥାୟୀ ବାସିନ୍ଦା ହୋଇ ରହିଲେ । ଇତିମଧ୍ୟରେ ସଲୀମ୍ ପରିବାର ଉପରେ ନାନା ପ୍ରକାରର ବିପଦ ପଡିଲା ଓ ସେମାନେ ଗରୀବ ହୋଇଗଲେ । ତାଙ୍କ ପରିବାର ଓ ଆମ ପରିବାର ପରସ୍ପର ଦୂରେଇ ଗଲେ ।

ଦୁଇଦିନ ପୂର୍ବେ ସଲୀମ୍ କୌଣସି କାରଣରୁ ବସୋରା ଆସିଥିଲା । ସେ ପ୍ରଥମ ଥର ପାଇଁ ଏଠାକୁ ଆସିଛି । ସେ ବଜାରରୁ ରାତିରେ ଫେରୁଥିବା ବେଳେ ହଠାତ୍ ବର୍ଷା ହେବାରୁ ସେ କୌଣସି ଏକ ଘରର ପିଣ୍ଡା ଉପରକୁ ଉଠିଗଲା । ସେ ଜାଣି ନଥିଲା ସେ ଘର ଆମ ଘର ବୋଲି । ମୁଁ ଘର ଭିତରୁ ଚାହିଁ ଦେଖିଲି ଜଣେ କିଏ ବାହାରେ ଠିଆ ହୋଇଛି । ବିଜୁଳି ଝଲକରେ ମୁଁ ତାକୁ ସାଙ୍ଗେ ସାଙ୍ଗେ ଚିହ୍ନିଲି ଓ ଭିତରକୁ ଡାକିନେଲି । ସେତେବେଳେ ତ ଆମ ଘରେ ସମସ୍ତେ ଶୋଇଥା’ନ୍ତି ।

ତା’ପରେ ଆମେ କିଛି ସମୟ ଧରି ଅନେକ କଥାବାର୍ତ୍ତା ହେବା ପରେ ମୁଁ କହିଲି କି ମୋର ବିବାହ ଜଣେ ଧନୀ ବ୍ୟକ୍ତିଙ୍କ ପୁଅ ସହିତ ହେବ । ମୋର ଭାବି ଶଶୁର ଆଜି ଆମ ଘରେ ଅଛନ୍ତି ।

ସବୁ ଶୁଣି ସଲୀମ୍ ହସି ହସି କହିଲା, “ନଗ୍ମା, ଏଇ ବର୍ଷା ରାତିରେ ମୁଁ ତୋ ଘରେ ଅଛି ବୋଲି କେହି ଜାଣିଲେ କିଛି ଭଲ କଥା ହେବ ନାହିଁ । ଅନ୍ୟମାନେ ମଧ୍ୟ ଖରାପ ଭାବି ପାରନ୍ତି ।”

ମୁଁ କହିଲି, “ସଲୀମ୍, ଗୋଟାଏ କାମ କର । ତମେ ଚୁପ୍ଚାପ୍ ଚାଲିଯାଅ । ବର୍ଷା ଛାଡି ଗଲାଣି । ଯଦି କେହି ଦେଖେ ତେବେ ମୁଁ ‘ଚୋର ଚୋର’ ବୋଲି ପାଟି କରିବି । ତମେ ଯଦି ଧରା ନ ପଡିବ ତ ଭଲ । ଯଦି ଧରା ପଡିବ ତେବେ କୌଣସି ମତେ ନିଶ୍ଚୟ ଖସି ଚାଲିଯାଇ ପାରିବ ।”

ସଲୀମ ଅତି ସନ୍ତର୍ପଣରେ ଘରୁ ବାହାରି ଯିବା ବେଳେ ଆମର ଜଣେ ଚାକର ତାକୁ ଦେଖି “ଚୋର, ଚୋର” ବୋଲି ଚିତ୍କାର କଲା ଓ ଅନ୍ୟମାନଙ୍କ ସହାୟତାରେ ତାକୁ ଧରି ନେଲା । ମୋ ମା’ ବାପା ସଲୀମ୍କୁ ଚିହ୍ନିଥିଲେ ମଧ୍ୟ ଧନୀ ସମୁଧି କାଳେ କିଛି ଭାବିବେ ବା ମୋ ଚରିତ୍ରରେ ସନ୍ଦେହ କରିବେ ସେଥିପାଇଁ ସେମାନେ କିଛିବି କହିଲେ ନାହିଁ ।”

ନଗମାର କାହାଣୀ ଶୁଣି ଅମୀରଙ୍କ ଆଖିରେ ମଧ୍ୟ ଲୁହ ଭରି ଉଠିଲା । ସେ ନିଜର ଆଖି ପୋଛୁ ପୋଛୁ ସମବେତ ଦର୍ଶକଙ୍କୁ ସମ୍ବୋଧନ କରି କହିଲେ, “ସଲୀମ୍ ନାମକ ଏ ଯୁବକ ଅତ୍ୟନ୍ତ ସାହସୀ ଓ ବିବେକୀ । ଏକ ନିର୍ଦୋଷ ଯୁବତୀର ଚରିତ୍ରରେ କୌଣସି କଳଙ୍କ ଲାଗିଯିବ ବୋଲି ଭାବି, ସେ ନିଜର ଦୁଇ ହାତକୁ ଉତ୍ସର୍ଗ କରିବା ପାଇଁ ମଧ୍ୟ ପଶ୍ଚାତ୍ପଦ ହୋଇ ନାହାଁନ୍ତି । ଏହାହିଁ ତ ପ୍ରକୃତ ତ୍ୟାଗ । ମୋର ଯଦି ଝିଅ ଥା’ନ୍ତା ତେବେ ମୁଁ ନିଶ୍ଚୟ ଏହି ଯୁବକ ସହିତ ତା’ର ବିବାହ ଦେଇ ଗୌରବାନ୍ୱିତ ହୋଇଥା’ନ୍ତି ।”

ତା’ପରେ ନଗ୍ମାର ବାପା ଭିଡ ମଧ୍ୟରୁ ଦୌଡି ଆସି ସେଠାରେ ପହଁଚିଲେ ଓ ଅମୀରଙ୍କୁ ସଲାମ୍ କରି କହିଲେ, “ହଜୁର୍, ଆପଣ ମୋ ଝିଅ ନଗ୍ମାକୁ ସଲୀମ ସହିତ ବିବାହ ଦିଅନ୍ତୁ । ମୁଁ ଏହି ମୂଲ୍ୟବାନ ହୀରାର ମୂଲ୍ୟ ବୁଝି ନଥିଲି । ସେଥିପାଇଁ ମୁଁ ଲଜ୍ଜିତ ଓ ଆପଣଙ୍କ ପାଖରେ କ୍ଷମା ଚାହୁଁଛି ।”

ସବୁ ଶୁଣି ଅମୀର ଖୁସି ହେଲେ । ସମବେତ ଜନତା ମଧ୍ୟ କରତାଳି ଧ୍ୱନିରେ ଏ କଥାକୁ ସମର୍ଥନ କଲେ । ସେହିଦିନହିଁ ଅମୀରଙ୍କ ତତ୍ୱାବଧାନରେ ନଗ୍ମା ଓ ସଲୀମଙ୍କର ଶୁଭବିବାହ ସମ୍ପନ୍ନ ହେଲା ।

ବସ୍ତର ହସନ୍ ଅମୀର

Rate the content


Originality
Flow
Language
Cover design

Comments

Post

Some text some message..