ମାେ ପିଲାବେଳ ର ଆଇସକ୍ରିମ
ମାେ ପିଲାବେଳ ର ଆଇସକ୍ରିମ
ମନେ ପଡ଼ିଯାଏ ଛୋଟ ବେଳ ର କଥା ସବୁ।ଇଚ୍ଛା ହୁଏ ଫେରି ଆସନ୍ତାନି ସେ ପୁରୁଣା ଦିନ ସବୁ।କେତେ କମ୍ ଆବଶ୍ୟକତାରେ ବି କେତେ ସୁନ୍ଦର ଥିଲା ଜୀବନ।ମୁଁ ଗାଆଁ ରେ ମୋ ମାଆ ,ଜେଜେଙ୍କ ପାଖେ ରୁହେ।ବାବା କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ଥିବାରୁ ବୋଉ ଆଉ ଭାଇ ଭଉଣୀ ତାଙ୍କ ପାଖରେ ରୁହନ୍ତି।
ମାଆ,ଜେଜେଙ୍କର ଝିଅ ନଥିବାରୁ,ପୁଣି ପରିବାରରେ ପ୍ରଥମ ଛୁଆ ହେଇ ଥିବାରୁ ସବୁ ମନ ମର୍ଜୀ ପୁରା ହୁଏ।
ସାଙ୍ଗ ମାନଙ୍କ ସହ ରାତି ଦିନ କଟେ।କଥା ଏପରି କି ସକାଳେ ଟିଉସନ୍ ରେ ସେଇ ସାଙ୍ଗ,ସ୍କୁଲ୍ ରେ ବି ସେଇ ସାଙ୍ଗ,ରାତି ଟୀଉ ସନ୍ ରେ ବି ସେଇ ସାଙ୍ଗ,ବନ୍ଧୁତ୍ୱ ପୁରା ଚରମ ସୋପାନରେ।
ପ୍ରତିଦିନ ସ୍କୁଲ୍ ପାଖକୁ ଗୋଟେ ଆଇସକ୍ରିମ ବାଲା ,ଅଷ୍ଟମ ଶ୍ରେଣୀ ଝରକାର ଦାଣ୍ଡ ପାଖକୁ ଟିକେ ଦୂରରେ ଦିଶିଲା ଭଳି ଛିଡା ହୁଏ।କି ପାଠ ପଢ଼େ କିଛି ଜଣା ନଥାଏ।କେମିତି ଖାଇବା ଛୁଟି କି ସ୍କୁଲ୍ ଛୁଟି ହେଲେ ,ବେଶୀ ହେଲେ ଦଶ ଡ଼ିଆଁ ରେ ଆଇସକ୍ରିମ ବାଲା ର କାଠ ବାକ୍ସ ପାଖେ।କି କ୍ୱାଲିଟି ଫ୍ୱାଲିଟି କିଛି ନଥାଏ।ସେତେବେଳେ ମୂଲ୍ୟ ପଚିଶି ପଇସା ,ପଚାଶ ପଇସା।ରଙ୍ଗ ବେରଙ୍ଗ ର ଜିଭ ରଙ୍ଗ ହେଲାଭଳି ବରଫ ଗୋଲା ପଚିଶ ପଇସା ଆଉ ଧଳା ରଙ୍ଗର ପଚାଶ ପଇସା,ଧଳା ଟା ଅଧା ସିମେଇ ଆଉ ନଡିଆ ମିଶା ଆଉ ଅଧା ଧଳା ମିଠା ବରଫ।ବେଳେ ବେଳେ ସେ ବରଫ ଗୋଲା ଚାଟି ଚାଟି ମଝିରେ ଥିବା ବାଉଁଶ କାଠିରେ ଜିଭ ଓଠ ଚିରି ହେଇ ଯାଏ।
କାହା ଜିଭ ବେଶୀ ରଙ୍ଗୀନ ଦିଶିବ ,ମଝିରେ ମଝିରେ ଜିଭ ଦେଖା ପ୍ରହସନ ଚାଲେ ।ଆଜି ବି ସେ ଆଇସକ୍ରିମ ବାଲାର କାଠ ଢାଙ୍କୁଣି ଶବ୍ଦରେ ମନକୁ ଆନମନା କରେ। ସିଜିନ ବେପାର,କେବେ ମିଠା ବରଫ ଗୋଲା ତ କେବେ ପାମ୍ପଡ ଭଜା,ପୁଣି କେବେ ମିଠା ଖଟା ବରକୋଳିର ପ୍ୟାକେଟ ଆଚାର, ତ ବାର ମଜା ।ଘରେ ସେହି ପଚାଶ ପଇସା ରୁ କେବେ ଅଧିକ ଦିଅନ୍ତି କି?
ବେଳେ ବେଳେ ଗୋଟେ ଆଇସକ୍ରିମ କୁ ପାଞ୍ଚ ଛଅ ଜଣ ସାଙ୍ଗ ।ଘୃଣା ଶବ୍ଦ ଟି ଅଭିଧାନ ରେ ଜାଗା ପାଇ ନଥିଲା ବୋଧେ।ଆଇସକ୍ରିମ ସରିଲା ଯାଏ କ୍ରମାନ୍ୱୟରେ ଜିଭ ଉପରେ ଘଷା ହୁଏ।
ଯେ ଆନନ୍ଦ ,ଏବେ ଠିକ୍ ବୁଝି ପାରୁଛି।
ଆଜିକାଲି କାଇଁ ଯେ କେତେ ପ୍ରକାର ର ବରଫ ଗୋଲା,କେତେ ଫ୍ଲେବର୍ ର।ସ୍ଵାଦ ଅଛି ,ହେଲେ ସେ ସମୟ ନାହିଁ।ବାଲି ଯାତ୍ରା ମେଳାରେ ବି ଥଣ୍ଡା ଦିନ ବୋଲି ଗୋଟେ ପରେ ଗୋଟେ ଆଇସକ୍ରିମ ଖିଆ,ଆଉ ଲୁଚେଇ ଲୁଚେଇ ସେ ହାର୍ଟ ସେପର ନାଲି ରଙ୍ଗର ପ୍ଲାଷ୍ଟିକ ଖୋଳକୁ ବ୍ୟାଗ୍ ରେ ଭର୍ତି କରୁ,ସକାଳେ ଗଣିବୁ ସବୁ ଭାଇ ଭଉଣୀ ମିଶି କିଏ କେତେଟା ଖାଇଛି ।
ନା ସମୟ ଅଛି ନା ସେ ଅରିଭାଇ ଆଇସକ୍ରିମ,ନା ସେ ସାଙ୍ଗ ସାଥୀ।
ସବୁ ଚିହ୍ନ ଲିଭେଇବାରେ ବ୍ୟସ୍ତ ଏ ନିର୍ଦ୍ଦୟ ସମୟ।ମୁଁ ମାତ୍ର ମାେ ପୁଅ ଶ୍ରୀରାମକୁ ଛୋଟ ବେଳୁ ଆଇସକ୍ରିମ ର ମନ ଗଢା ଗପ ସୁଣେଇ ସୁଣେଇ ଲୋଭଗ୍ରସ୍ତ କରି ଦେଇଛି।ତାକୁ ପୁଣି ମୁଁ ସାଙ୍ଗ ଦେବି କି ନାହିଁ କୁହନ୍ତୁ ?