Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -14
ଜହ୍ନମାମୁଁ -14
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   7.3K    17


Content Ranking

ପିତୃଭକ୍ତି 2

ପ୍ରଭାକର ପୁତ୍ରକୁ ବୁଝାଇଲେ, “ଆମର ପରିବାରରେ ତ କେହିବି ବ୍ୟବସାୟ କରି ନାହାଁନ୍ତି । ଆମେ ନୀତି ଓ ସାଧୁତା ଉପରେ ଅଧିକ ବିଶ୍ୱାସ ରଖୁ । ବ୍ୟବସାୟରେ ଅଧିକ ଟିକେ ଲାଭ ପାଇବା ପାଇଁ ଜଣକୁ ଛଳ କପଟ ମଧ୍ୟ କରିବାକୁ ପଡେ । ବିନା ପ୍ରତାରଣରେ ଅଧିକ ଲାଭ ମିଳିବା ଯମାରୁ ସମ୍ଭବ ନୁହେଁ । ଏପରି ନ କଲେ ବ୍ୟବସାୟରେ ସଫଳ ହେବା କାଠିକାର ପାଠ । କିନ୍ତୁ କୃଷିକାମ କଲେ ମୋର ପୂର୍ବର ଅନୁଭୂତି ତୋର କାମରେ ବହୁତ ଆସିବ । ବ୍ୟବସାୟ କ୍ଷେତ୍ରରେ ତ ଆମର କୌଣସି ମଧ୍ୟ ଅଭିଜ୍ଞତା ନାହିଁ । କୃଷି ଆମର ପରମ୍ପରାଗତ ବୃତ୍ତି । ଏଥିରେ ଲାଭ କ୍ଷତି ପ୍ରାୟ ବରାବର ରହିଥାଏ । ତେଣୁ ମୋ କଥାମାନି ଏଠାରେ ରହି କ୍ଷେତକାମ ହାତକୁ ନେଇ ମୋତେ ସାହାଯ୍ୟ କର । ମୋର ଯାହା କହିବାର ଥିଲା ଖୋଲାମନରେ ମୁଁ ତାହା କହିଦେଲି ।”

ସୁଦର୍ଶନ ତା’ ପିତାଙ୍କ କଥାକୁ ହସରେ ଉଡେଇ ଦେଇ କହିଲା, “ଆବଶ୍ୟକତା ପଡିଲେ, ବ୍ୟବସାୟ ନିମନ୍ତେ ଯାହା ସବୁ ଶିଖିବାର କଥା ତାହା ମୁଁ ଶିଖିନେବି । ଏଥିରେ ସଫଳତା ପାଇବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିବି । ଆପଣଙ୍କର ଅନୁଭୂତିରୁ ଲାଭ ଉଠାଇବାର ଆବଶ୍ୟକତା ମୋର ନାହିଁ । ଏପରିକି କୃଷି କାମରେ ମଧ୍ୟ ମୁଁ ଆପଣଙ୍କର ଅନୁଭୂତି କାମରେ ଲଗାଇ ନ ଥାନ୍ତି । ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କର କିଛି ଜ୍ଞାନ ନାହିଁ । ତେଣୁ ଏପରି ଅଯଥା ପରାମର୍ଶ ନ ଦେଇ ନୀରବ ରହନ୍ତୁ ।”

ସୁଦର୍ଶନକୁ ତା’ର ମାତା ସମର୍ଥନ କଲେ । ପୁତ୍ର ଏପରି ବେଖାତିର କରିବାରୁ ପ୍ରଭାକର ବହୁତ ମନଦୁଃଖ କଲେ । ସେ ମନେ କଲେ ତାଙ୍କ ପ୍ରତି ପୁତ୍ରର କୌଣସି ସମ୍ମାନ ନାହିଁ । ସେ ଜମି ବିକ୍ରି କରିବାକୁ ଚାହୁଁ ନ ଥିଲେ । ଅଧିକ ପାଞ୍ଚ ଏକର ଜମି କିଣିବା ପାଇଁ ସେ ଯେଉଁ ଅର୍ଥ ଜମା ରଖିଥିଲେ, ତାହା ସେ ତାଙ୍କ ପୁତ୍ର ହାତକୁ ବଢାଇ ଦେଲେ ।

ସୁଦର୍ଶନ ବ୍ୟବସାୟ ଆରମ୍ଭ କଲା । ପ୍ରଥମେ ପ୍ରଥମେ ତ ଭଲ ଲାଭ ମିଳିଲା । କିନ୍ତୁ ପରେ ଏହି ଲାଭ ବଜାୟ ରଖିବା ପାଇଁ ତାକୁ ଅନୀତି ମାର୍ଗରେ ଚାଲିବାକୁ ହେଲା । ମିଛ କହିବା, ଅନ୍ୟ କାହାକୁ ଠକିବା ତା’ର ଯେପରି ନିତିଦିନିଆ ଅଭ୍ୟାସ ହୋଇଗଲା । କିନ୍ତୁ ଏକ ବର୍ଷ ପରେ ସେ ତା’ର ପିତାଙ୍କୁ ନେଇ ତିନିଗୁଣ ଲାଭ ଦେଲା ।

ପୁତ୍ରର ଏପରି ସଫଳତାରେ ପ୍ରସନ୍ନ ହୋଇ ପ୍ରଭାକର କହିଲେ, “ପ୍ରକୃତରେ ତୁମେ ଏବେ ବଡ ଯୋଗ୍ୟ ହୋଇ ଯାଇଛି । ମୁଁ ତୁମକୁ ଭୁଲ୍ ବୁଝିଥିଲି । ଏବେ ଯଦି ତୁମେ ଚାହିଁବ, ତେବେ ମୁଁ ମୋର ସମସ୍ତ ଭୂସମ୍ପତ୍ତି ବିକ୍ରୟ କରିଦେଇ ତୁମର ବ୍ୟବସାୟରେ ଭାଗୀଦାର ହେବି ।”

ପିତାଙ୍କର ଏପରି କଥାରେ ସୁଦର୍ଶନ ଆଦୌ ଖୁସି ହେଲା ନାହିଁ । ଓଲଟି ସେ ରାଗିଯାଇ ନିଜ ପିତାଙ୍କୁ କହିଲା, “ଲୋକମାନଙ୍କୁ ଏତେ ଉପଦେଶ ଦେଉଛନ୍ତି, ନୀତିବାଣୀ ଶୁଣାଉଛନ୍ତି, କିନ୍ତୁ ଏବେ ମୁଁ ଠିକ୍ ବୁଝି ପାରୁଛି ଯେ, ଆପଣଙ୍କ ଦୃଷ୍ଟିରେ ଧନ ହିଁ ସବୁକିଛି । ଅନୀତି, ଛଳକପଟ, ଅସତ୍ୟ ମନୁଷ୍ୟକୁ ଧନ ଦେଇ ପାରେ କିନ୍ତୁ ସଂତୃପ୍ତି ନୁହେଁ । ଏହା ମୁଁ ମୋର ଅନୁଭୂତିରୁ ଜାଣି ସାରିଲିଣି । ନୀତି ଓ ସତ୍ମାର୍ଗରେ ପରିଚାଳିତ ହୋଇ ମୁଁ ଏକବର୍ଷ ବ୍ୟବସାୟ କରିବି । ଏଥିରେ ଯଦି ମୋତେ ଲାଭ ମିଳିବ, ତେବେ ବ୍ୟବସାୟ କରିବାରେ ମୋର କୌଣସି ଆପତ୍ତି ନାହିଁ । ନଚେତ୍ ଏହି ବାଟ ଛାଡିଦେଇ ମୁଁ କୃଷି କାର୍ଯ୍ୟରେ ମନଦେବି । କିନ୍ତୁ ସେଥିରେ ଆପଣଙ୍କୁ ଭାଗୀଦାର କରିବାର କୌଣସି ପ୍ରଶ୍ନହିଁ ଉଠୁନାହିଁ ।”

ପୁତ୍ରର ଏପରି କଟୁ କଥା ପ୍ରଭାକରଙ୍କୁ ବେଶ୍ ଆଘାତ ଦେଲା । ସେ ତାଙ୍କ ପତ୍ନୀଙ୍କ ଆଗରେ କ୍ଷୋଭ ପ୍ରକଟ କରି କହିଲେ ଯେ, ପୁତ୍ରଠାରେ ତିଳେ ମାତ୍ର ପିତୃଭକ୍ତି ନାହିଁ ।

ବର୍ଷ ପୁରା ନ ହେଉଣୁ ସୁଦର୍ଶନ ବ୍ୟବସାୟରେ ତା’ର ସମସ୍ତ ମୂଳଧନ ହରାଇଲା । କ୍ଷତିଭାର ସମ୍ଭାଳି ନ ପାରି ବ୍ୟବସାୟ ପରିବର୍ତ୍ତେ ସେ କ୍ଷେତ କାମ କରିବାକୁ ବାହାରିଲା ।

ପ୍ରଭାକର ତା’ ପୁତ୍ରର ଏପରି ନିଷ୍ପତିରେ ଅତ୍ୟନ୍ତ ଖୁସି ହେଲେ ଓ ତାଙ୍କ ପଦ୍ଧତି ଅନୁସାରେ ଚାଷ କରିବା ପାଇଁ ପରାମର୍ଶ ଦେଲେ । କିନ୍ତୁ ସୁଦର୍ଶନ କହିଲା ସେ ଧାନ କ୍ଷେତରେ ତମାଖୁ ଚାଷ କରିବ । ଆମ୍ବଗଛ କାଟିଦେଇ ନଡିଆ ଚାରା ଲଗାଇବ । ପ୍ରଭାକର କହିଲେ ଯେ ଗଛ କାଟିବା ପରିବର୍ତ୍ତେ ନୂତନ ଜମି କିଣି ଗଛ ଲଗାଇଲେ ବହୁତ ଭଲ ହେବ । କିନ୍ତୁ ସୁଦର୍ଶନ ତା’ ପିତାଙ୍କ ଉପଦେଶ ମୋଟେ ଗ୍ରହଣ କଲେ ନାହିଁ ।

ପ୍ରଭାକରଙ୍କର ପତ୍ନୀ ମଧ୍ୟ ପୁତ୍ରର ଏପରି ଯୋଜନାକୁ ଆଦୌ ସମର୍ଥନ କଲେ ନାହିଁ । ସେ ନିଜ ପତିଙ୍କୁ କହିଲେ, “ଏପରି କଲେ ଆମର ସର୍ବନାଶ ସୁନିଶ୍ଚିତ ଅଟେ । କିନ୍ତୁ ପୁତ୍ରର ମନରେ ଆମେ କୌଣସି ପ୍ରକାର ଦୁଃଖ ଦେବା ନାହିଁ । ତେଣିକି ଆମ ଭାଗ୍ୟରେ ଯାହାବି କିଛି ଲେଖାଥିବ ତା’ ଘଟିବ ।”

ମାତ୍ର ପତ୍ନୀଙ୍କ କଥା ପ୍ରଭାକର କଦାପି ମାନିଲେ ନାହିଁ । ପୁତ୍ରକୁ ବୁଝାଇବା ପାଇଁ ସେ ଅନେକ ଚେଷ୍ଟା କଲେ, କିନ୍ତୁ ସୁଦର୍ଶନ ତା’ର ଜିଦ୍ରେ ସେମିତି ଅଟଳ ରହିଲା । ଶେଷରେ ପ୍ରଭାକର କହିଲେ, “ମୁଁ ବଂଚିଥିବା ଯାଏଁ, ମୋର ଇଚ୍ଛା ଯାହା ହେବ, ମୁଁ ତାହା ହିଁ କରିବି । ତୋର ଜିଦି ପୂରଣ ପାଇଁ ତୁ ତୋ ନିଜ ଚେଷ୍ଟାରେ ଜମି କିଣି ଗଛ ଲଗାଇପାରୁ ।”

ଅବିଳମ୍ବେ ସୁଦର୍ଶନ ଗ୍ରାମର ଅନ୍ୟ ଏକ ସମ୍ପନ୍ନ କୃଷକ ସହିତ ଯୋଗାଯୋଗ କଲା । ଏହି କୃଷକ ଶହେ ଏକର ଉର୍ବର ଜମିର ଅଧିକାରୀ ଥିଲେ । ପଦ୍ମା ତାଙ୍କର ଏକମାତ୍ର କନ୍ୟା । ସୁଦର୍ଶନର ଚେହେରାରେ ମୁଗ୍ଧ ହୋଇ, ପଦ୍ମା ତାକୁ ବିବାହ କରିବା ପାଇଁ ଜିଦ୍ ଧରିଲା । ପ୍ରକାଶ ସୁଦର୍ଶନକୁ ଦଶ ଏକର ଜମି ଉପହାର ଦେବା ପାଇଁ କହି ସର୍ତ୍ତ ରଖିଲେ ଯେ, “ଏହି ଦଶ ଏକର ଜମି ବଦଳରେ ମୋର କନ୍ୟାକୁ ବିବାହ କରିବାକୁ ପଡିବ ।”

ଏହା ଏକ ଉତ୍ତମ ପ୍ରସ୍ତାବ । କିନ୍ତୁ ଏଥିରେ ଏକ ଅସୁବିଧା ଥିଲା ଯେ, ପ୍ରଭାକର ଓ ପ୍ରକାଶ ମଧ୍ୟରେ ଶତ୍ରୁତା ରହିଥିଲା । ଏପରିକି ଦୁହେଁ ଦୁହିଁଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁ ନ ଥିଲେ । ତେଣୁ ପ୍ରକାଶ ସୁଦର୍ଶନକୁ ଏ କଥା କହିଲେ ଯେ, “ଯଦି ତୁମେ ମୋର କନ୍ୟାକୁ ବିବାହ କରିବ, ତେବେ ତୁମକୁ ତୁମ ନିଜ ବାପା ମାଙ୍କ ଠାରୁ ଦୂରରେ ରହିବାକୁ ପଡିବ ।”

ସୁଦର୍ଶନ ପ୍ରକାଶର ସର୍ତ୍ତ ସମ୍ବନ୍ଧରେ ପିତାମାତାଙ୍କୁ ଜଣାଇଲା ।

ଏହି ବିଷୟ ଜାଣି ସୁଦର୍ଶନର ମା ଚିନ୍ତାଗ୍ରସ୍ତ ହୋଇ ପଡିଲେ । ପୁତ୍ରକୁ ବିବାହ କରାଇ ବୋହୂଟିଏ ଘରକୁ ଆଣିବାର ସୁଖ କଳ୍ପନାରେ ସେ ବିଭୋର୍ ଥିଲେ । କିନ୍ତୁ ପୁତ୍ରର ଏପରି କଥା ଶୁଣି ତାଙ୍କ ସ୍ୱପ୍ନର ମହଲ ହଠାତ୍ ଭାଙ୍ଗିଗଲା । ଅନ୍ୟ କିଛି ଉପାୟ ନ ପାଇ ଶେଷରେ ସେ ଗୋପାଳ ସ୍ୱାମୀଙ୍କ ଘରକୁ ଯାଇ ତାଙ୍କୁ ନିଜର ଦୁଃଖ ଜଣାଇଲେ ।

ଗୋପାଳସ୍ୱାମୀ ଜଣେ ତାନ୍ତ୍ରିକ । ତାଙ୍କ ପାଖରେ ଅନେକ ଜଡିବୁଟି ଥାଏ । ତାହାର ପ୍ରୟୋଗ କରି ସେ ଜଣେ ଲୋକର ମନ ପରିବର୍ତ୍ତନ କରି ପାରନ୍ତି ବୋଲି ଅନେକଙ୍କର ଧାରଣା ଥାଏ । ଏହି ଜଡିବୁଟି ପାଇଁ ତାଙ୍କ ପାଖକୁ ଲାଗ୍ଲାଗ୍ ଦୁଇଦିନ ଆସିବାକୁ ପଡିବ । ଗୋପାଳସ୍ୱାମୀ ସବୁ ଶୁଣି ସାରିବା ପରେ ସୁଦର୍ଶନର ମା’ଙ୍କୁ କହିଲେ, “କଥାରେ ଅଛି; କର୍ମାନୁସାରେ ଫଳ । ତୁମ ନିଜ କନ୍ୟାକୁ ବିବାହ ପରେ ଅନ୍ୟତ୍ର ପରିବାର ବସାଇବା ପାଇଁ ତୁମେ ମଧ୍ୟ ପରାମର୍ଶ ଦେଇଥିଲ । ଏବେ ତୁମ ସେହି କନ୍ୟାର ଶାଶୁ ଶ୍ୱଶୁରଙ୍କର ନିଃଶ୍ୱାସ ତମ ଉପରେ ପଡିବାକୁ ଯାଉଛି । ପ୍ରଥମେ ନିଜର ସ୍ୱଭାବରେ ପରିବର୍ତ୍ତନ ଆଣ । ନିଜର କନ୍ୟାକୁ ଉଚିତ୍ ମାର୍ଗ ଦେଖାଅ । ତାର ଶାଶୁ, ଶ୍ୱଶୁର ସନ୍ତୁଷ୍ଟ ହେବା ପରେ ଯାଇ ତୁମର ମଙ୍ଗଳ ହେବ ।”

ପିତୃଭକ୍ତି ବ୍ୟବସାୟ ଯୋଗ୍ୟ

Rate the content


Originality
Flow
Language
Cover design

Comments

Post

Some text some message..