Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନାସ୍ତିକ
ନାସ୍ତିକ
★★★★★

© Soumya Shubhadarshinee

Inspirational Others

5 Minutes   412    14


Content Ranking

ବିଶ୍ୱାସରେ ରୁହନ୍ତି ବିଶ୍ଵନିୟନ୍ତା ନା' ଆବଦ୍ଧ ମନ୍ଦିର ଭିତରେ । ଖୋଜିଲେ ମିଳନ୍ତି ନା' ଅନୁଭବ କଲେ । ସତରେ ଉତ୍ତର ମିଳିବା ସହଜ ନୁହେଁ ବା ଖୁବ୍ ସରଳ !

……

--'' ପାପା ପ୍ଲିଜ ଆଜି ତ' ଆସ , ମୋ ପାଇଁ !''

--'' ମମି ସହ ଯା' ମୁଁ ଏଇଠି ଅଛି । ''

--'' ପୁଅ ପାଇଁ ଟିକେ ଆସ , ଖୁସିହେବ ସେ ।''

---'' ନା' ଶୀର୍ଷା ସରି !''

…….

ଜନ୍ମଦିନ କିଛି ମଧୁର ମୁହୂର୍ତ୍ତ ସାଉଁଟିବାର ସୁଯୋଗ । ସେହି ଦିନର ଅନୁଭବ ଖୁବ୍ ନିଆରା । ଶୀର୍ଷା ଜନ୍ମ ଦିନ ହେଲେ ପୁଅକୁ ନେଇ ଅମରେଶ୍ୱର ମନ୍ଦିର ଯାଏ । ପ୍ରଭୁଙ୍କ ମଥାରେ କ୍ଷୀର ଢାଳେ ପୁଅ ନାଁରେ , ଘର୍ଷଣ କରାଏ ଆଉ କର୍ପୂର ଜାଳେ । ପୁଅ ଯାଏ ବୃଷଭଙ୍କ କାନରେ ଚୁପ କି ନିଜ ମନ କଥା କହିବାକୁ । ଏମିତି ଶୀର୍ଷାର ସଂସ୍କାର , ପ୍ରତ୍ୟକ ଜନ୍ମ ଦିନର ଏଇ ନିର୍ଦ୍ଧିଷ୍ଟ ରୁଟିନ୍ ।ସୌମେନ୍ଦ୍ର କିନ୍ତୁ କେବେ ମନ୍ଦିରର ପାହାଚ ଚଢ଼ନ୍ତି ନାହିଁ , ପ୍ରତୀକ୍ଷା କରନ୍ତି ବାହାରେ ।

ମନ୍ଦିର ପରେ ସୌମେନ୍ଦ୍ର ପୁଅକୁ ନେଇ ଯାଆନ୍ତି ଅରଫାନେଜ୍ । ସେଠି କିଛି ସର୍ବହରାଙ୍କ ଭିତରେ ସୁଖ ବାଣ୍ଟନ୍ତି ବଡ଼ ଶ୍ରଦ୍ଧାରେ । ଏଇଥିରେ ବି ଥାଏ ଭିନ୍ନ ତୃପ୍ତି ।

ଏସବୁ ପରେ ସନ୍ଧ୍ୟାରେ ପୁଅର ପାର୍ଟି , ଯେଉଁଠି ଥାନ୍ତି ତା'ର ସବୁ ଫ୍ରେଣ୍ଡ , କେକ୍ , କ୍ୟାଣ୍ଡେଲ୍ , ମାସ୍କ , ପାର୍ଟି ପପର୍ । ସେସବୁ ଭିତରେ ବାର୍ଥ ଡେ' ବୟକୁ ଅଭିନନ୍ଦନ ଦିଅନ୍ତି ସଭିଏଁ । ଫନ୍ ଗେମ୍ ଆଉ ସରପ୍ରାଇଜ ଗିଫ୍ଟ ଭିତରେ ସାଉଁଟି ନିଅନ୍ତି ସୁଖ।

ସବୁର ସମ୍ମିଳନ ଭିତରେ ଜନ୍ମ ଦିନ ଗୋଟେ ସ୍ମରଣୀୟ ମୁହୂର୍ତ୍ତ ଭାବେ ବିବେଚିତ ହୁଏ ପୁଅ ପାଇଁ ।

……

ଗୋଟେ କୂଳିନ ବ୍ରାହ୍ମଣ ଘରର ପରମ୍ପରା ସହ ଜଡିତ ଶୀର୍ଷା । ଶାଳଗ୍ରାମ ପୂଜା ପାଆନ୍ତି ଘରେ । ଆମିଷ ପଶେନି । ନୈଷ୍ଠିକ ବ୍ରାହ୍ମଣ ଭାବରେ ବୈଦିକ ରୀତି ନୀତି ପାଳିତ ହୁଏ । ଏଇ ଅନୁଭବ ତା'ର ପରିବାର ଭିତରେ । ଶାଶୁ ଶ୍ୱଶୁରବି ବେଶ ଧର୍ମପରାୟଣ । ପୂଜାପାଠର ଶକ୍ତ ଶୃଙ୍ଖଳ ଭିତରେ ଆବଦ୍ଧ।

ସୌମେନ୍ଦ୍ର କିନ୍ତୁ ବ୍ୟତିକ୍ରମ , ତାଙ୍କ ସହ ଗଢିଥିବା ଘରେ ଶୀର୍ଷା ପୂଜା ପାଠ କରିବାର ସୁଯୋଗରୁ ବଞ୍ଚିତ । ପ୍ରଥମେ ପ୍ରଥମେ ସେ ସୁନ୍ଦର ପୂଜା ଘରଟିଏ ସଜାଡି ପୂଜା ପାଠ ପାଇଁ ବନ୍ଦୋବସ୍ତ କରିଥିଲା । କିନ୍ତୁ ସୌମେନ୍ଦ୍ର ସେଗୁଡିକୁ ନେଇ ଜଳ ବିସର୍ଜନ କରିଦେଇ ଆସିଲେ ଆଉ ଦୃଢ଼ ଭାବେ ଜଣେଇ ଦେଲେ ମୋ ଘରେ ଠାକୁର ରହିବେ ନାହିଁ !

ପୁରୁଷ ନିର୍ଦ୍ଦେଶ ଦେଇପାରେ , ସ୍ତ୍ରୀର ଇଚ୍ଛା ଅନିଚ୍ଛା ବିରୁଦ୍ଧରେ ବି । ଏଇଟା ଆମ ସମାଜର ନଗ୍ନତା !

ଶୀର୍ଷା ସୌମେନ୍ଦ୍ରଙ୍କୁ ନାସ୍ତିକ ବୋଲି କୁହେନି କିନ୍ତୁ କଷ୍ଟ ପାଏ କାରଣ ଘରେ ପୂଜା

ପାଠ ହୁଏନି । ଠାକୁର ନଥାନ୍ତି କି କୌଣସି ଦେବା ଦେବୀଙ୍କର ଚିତ୍ରପଟ ଟିଏବି ଦୃଶ୍ୟ ହୁଏନି । ସୌମେନ୍ଦ୍ରଙ୍କ ଚେତନାରେ ପ୍ରକୃତିର ପୂଜା ମଣିଷର କର୍ତ୍ତବ୍ୟ ହେବା ଉଚିତ । କ୍ଷିପ୍ , ଆପ୍, ମରୁତ୍ , ବ୍ୟୋମ୍ , ଅଗ୍ନି ଏଇ ପାଞ୍ଚ ମହାଭୂତ ସମ୍ଭୂତ ଆମର କାୟା । ଏଇଥିରୁ ସୃଷ୍ଟି ହେଇ ଏଇଥିରେ ବିଲୀନ ହେବାର ଅଛି । ସେଠି ପୁଣି ଈଶ୍ୱର ଆସିଲେ କୁଆଡୁ ?

ସେ ମନ୍ଦିର ମଧ୍ୟ ଯାଆନ୍ତି ନାହିଁ , ଏ କ୍ଷେତ୍ରରେବି ତାଙ୍କର ଥାଏ ଭନ୍ନ ଯୁକ୍ତି , ସର୍ବବ୍ୟାପକ ସତ୍ତାଙ୍କୁ ମନ୍ଦିର ଭଳି ସଂକୀର୍ଣ୍ଣତା ଭିତରେ ବାନ୍ଧିବା ଆମର ମୁର୍ଖତା । ଯୁଗ ଯୁଗର ସାଧନା ଉତ୍ତାରୁ ମିଳେ ତାଙ୍କ ସାନିଧ୍ୟ , କିନ୍ତୁ ଆମେ ଗୋଟେ ନିର୍ଜୀବ ପଥର ଭିତରେ ତାଙ୍କୁ ପରିକଳ୍ପନା କରି ନିଜକୁ ପ୍ରବୋଧନା ଦେଉ । ତଦ୍ଭିନ୍ନ ଆଉ କୌଣସି ସତ୍ୟତା ନାହିଁ । ଶୀର୍ଷା କେବେ ଏଇ ଯୁକ୍ତି ସହ ଭିଡ଼େନି । ସେ ବୁଝେ ଈଶ୍ୱରଙ୍କୁ ନେଇ ମଣିଷ ନିଜ ଚେତନାରେ ଖୁବ୍ ମୁକ୍ତ । ଏଥିପାଇଁ ବାଧ୍ୟ ବାଧକତା ନିରର୍ଥକ ।

କିନ୍ତୁ କେଉଁଠି ଗୋଟେ ପୂଜା ପାଠର ଅଭାବ ବୋଧ ବ୍ୟସ୍ତ କରେ ଶୀର୍ଷାକୁ ତେଣୁ ସେ ନିତି ମନ୍ଦିର ଧାଏଁ । ନିଜର ସଂସାରକୁ ଘଣ୍ଟ ଘୋଡେଇ ରଖିବାକୁ ପ୍ରଭୁଙ୍କୁ ବିକଳ ହେଇ ପ୍ରାର୍ଥନା କରେ ।

ନିଜେ ପୂଜାପାଠ ନକରିବା ଭିନ୍ନ ବ୍ୟାପାର କିନ୍ତୁ ଅନ୍ୟକୁ ସେଥିପାଇଁ ପ୍ରତିରୋଧ କରିବା ପ୍ରକୃତରେ ଅନ୍ୟାୟ , ଏଇ ଭାବନା ରୁହେ ଶୀର୍ଷା ମନରେ।

……..

ସୌମେନ୍ଦ୍ର ତା' ନିଜ ପସନ୍ଦ । ପରିବାରର ଅନିଚ୍ଛା ସତ୍ତ୍ୱେ ସେ ନିଜେ ସଂସାର ଗଢିଛି ତାଙ୍କ ସହ । ଖୁବ୍ ଭଲ ପାଆନ୍ତି ନିଜ ପରିବାରକୁ । ସୁଯୋଗ୍ୟ ସ୍ୱାମୀ ଭାବେ ବାରିବାକୁ ନୁହେଁ ।

କ୍ଲାନ୍ତ ବ୍ୟସ୍ତ ଜୀବନରେ ଅତ୍ମୀୟତାର ଉର୍ଜା ଭରିପାରନ୍ତି ଆବେଗର ସ୍ପର୍ଶରେ । ସକାଳର ମିଠା ଚା' କପ ଧରି ଶୀର୍ଷାକୁ ଉଠେଇ ପାରନ୍ତି ସବୁଦିନ । ପୁଅର ବେଷ୍ଟ ଫ୍ରେଣ୍ଡ ହେଇ ଖେଳି ପାରନ୍ତି କ୍ରିକେଟ୍ । ଖୋଜିବା ପୂର୍ବରୁ ପହଞ୍ଚି ପାରନ୍ତି , ଭାବିବା ପୂର୍ବରୁ ଫୋନ୍ କରିପାରନ୍ତି , ମାଗିବା ପୂର୍ବରୁ ଦେଇ ପାରନ୍ତି । ସବୁ ସ୍ତ୍ରୀଙ୍କ ଇପ୍ସିତ ମଣିଷ ପରି ମଣିଷଟିଏ ସହ ଶୀର୍ଷା ଆଉ ପୁଅ ବେଶ ଆନନ୍ଦରେ ।

କିନ୍ତୁ ସେଇ ଈଶ୍ୱରଙ୍କୁ ନେଇ ରହିଯାଏ ଗୋଟେ ଶୁନ୍ୟତା । ଈଶ୍ୱର ବିହୀନ ଘରର ଚେତନା ବେଳେବେଳେ ବ୍ୟତିବ୍ୟସ୍ତ କରେ ଅବଚେତନରେ ।

.......

ପୁଅର ଜାଣିବାରେ ପାପା ଗଡ୍ ଙ୍କୁ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ମମି କରେ । ଆଉ ସବୁଠୁ ବେଷ୍ଟ ହେଲା ଗଡ୍ ଭାରି ଭଲ । ସେ ମାଗିଲେ କ୍ଲାସରେ ବେଷ୍ଟ ପୋଜିସନ ଦେଇପରନ୍ତି , ଫ୍ରେଣ୍ଡ ମାନଙ୍କ ସହ ଝଗଡା ସମାଧାନ କରିଦିଅନ୍ତି , ତା ' ମନ ପାସନ୍ଦ ଟ୍ରିପ୍ ପ୍ଲାନ ସକ୍ସେସ କରନ୍ତି , ପାପା ଆଉ ମମିଙ୍କ ଝଗଡା ସମାଧାନ କରିଦିଅନ୍ତି । ସେ ତା' ପ୍ରେୟାର୍ ଶୁଣନ୍ତି ସବୁବେଳେ । ପାପା ଗଡ୍ ଙ୍କୁ ମାନନ୍ତି ନାହିଁ ତେଣୁ ସେ ନାସ୍ତିକ । ପାପା କାହିଁକି ନାସ୍ତିକ ଏ ପ୍ରଶ୍ନଟା ଆସେ ପୁଅ ମନକୁ ! ପଚାରେ ସେ ମମିକୁ ଅନେକ ଥର , କିନ୍ତୁ କୌଣସି ଉତ୍ତର ନଥାଏ ମମି ପାଖରେ । ପାପାଙ୍କୁ ପଚାରିଲେ ସେ କେବଳ ହସି ଦିଅନ୍ତି କିନ୍ତୁ କୁହନ୍ତି ନାହିଁ କିଛି ।

ହେଲେ ପାପା ଜଣେ ବେଷ୍ଟ ପାପା କାରଣ ସେ ବିଲକୁଲ ହିରୋ , ଭାରି ବ୍ରିଲିଆଣ୍ଟ୍ ଆଉ ମୋଷ୍ଟ ଲଭିଙ୍ଗ । ଗଡ୍ ବ୍ୟତୀତ ଅନ୍ୟ କୌଣସି କଥାରେ ନିରାଶ କରନ୍ତି ନାହିଁ । ତଥାପି ପୁଅ ବେଳେବେଳେ ପାପାଙ୍କୁ ମନ୍ଦିର ଯିବାକୁ ବାଧ୍ୟ କରେ ବିଶେଷ କରି ନିଜ ଜନ୍ମଦିନରେ ।

ପୁଅ ପାଇଁ ମନ୍ଦିର ଯିବାକୁ ସୌମେନ୍ଦ୍ରଙ୍କ ଅନିଚ୍ଛା ଶୀର୍ଷାକୁ ଆହତ କରେ । ସେ ବେଳେବେଳେ ବୁଝାଏ , '' ଦେଖ ଈଶ୍ବରଙ୍କ ନିକଟରେ ଅନ୍ୟର ମଙ୍ଗଳ ପାଇଁ ପ୍ରାର୍ଥନା କଲେ ଶୁଣନ୍ତି ସେ । ନିଜ ପାଇଁ ମାଗିଲେ ସ୍ୱାର୍ଥପର ମଣିଷର କୌଣସି ଇଚ୍ଛା ପୂର୍ଣ୍ଣ ହୁଏନି । ପୁଅ ପାଇଁ ଥରେ ହାତ ଯୋଡ଼ି ଦେଖ , ତୃପ୍ତି ଅଛି ସେଥିରେ !''

ସୌମେନ୍ଦ୍ର ହସନ୍ତି ଆଉ କୁହନ୍ତି , " ତୁମେ ଅଛ ସେଥିପାଇଁ , ସେଇତକ ପର୍ଯ୍ୟାନ୍ତ !''

ଶୀର୍ଷା ବେଳେବେଳେ ଟିକେ ଅବୋଧ୍ୟ ହେଇ କୁହେ , '' ମୁଁ ନରହିଲେ ଯିବ ନୁହେଁ !''

ସୌମେନ୍ଦ୍ର ଚୁପ ରୁହନ୍ତି ଆଉ ରାଗି ଯାଆନ୍ତି ।

.........

ହସ୍ପିଟାଲର ନୀରବତା ଅସହ୍ୟ ! ଡାକ୍ତର , ନର୍ସ , ସଭିଏଁ କେବଳ ବ୍ୟସ୍ତ ବିବ୍ରତ , କିନ୍ତୁ ଶୀର୍ଷା ଏବେବି ନୀରବ ନିଶ୍ଚଳ । ଆକ୍ସିଡେଣ୍ଟରେ ମୁଣ୍ଡରେ ଆଘାତ ଲାଗି ଯାଇଛି । ସେ ମନ୍ଦିରରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଲା ।

ପୁଅ କାନ୍ଦି କାନ୍ଦି ପାପାଙ୍କୁ ଦୋଷ ଦେଉଥାଏ , '' ପାପା ଘରେ ଗଡ୍ ଯଦି ରହୁଥାନ୍ତେ ମମି ମନ୍ଦିର ଯାଇ ନଥାନ୍ତା କି ଆକ୍ସିଡେଣ୍ଟ ହେଇ ନଥାନ୍ତା । ତୁମେ ଦାୟୀ ଏଇ ଆକ୍ସିଡେଣ୍ଟ ପାଇଁ । ''

ସୌମେନ୍ଦ୍ରଙ୍କୁ ପୁଅର ଅଭିଯୋଗ ବ୍ୟସ୍ତ କରୁଥିଲା ।

କେଉଁଠି ଗୋଟେ ଅସହାୟତା ଘାରୁ ଥିଲା । ଦୋଷୀ ଦୋଷୀ ଲାଗୁଥିଲା । ଈଶ୍ବର କ'ଣ ଅଛନ୍ତି ? ତାଙ୍କର ପରୀକ୍ଷା ନେଉଛନ୍ତି ? ନିଜ ଉପସ୍ଥିତିର ସତ୍ୟତାକୁ ଉପଲବ୍ଧି କରିବାକୁ ବାଧ୍ୟ କରୁଛନ୍ତି କଷ୍ଟ ଦେଇ , ଜୀବନ ମୃତ୍ୟୁ ମଝିରେ ଶୀର୍ଷାକୁ ତ୍ରିଶଙ୍କୁ କରି ?''

ମନେ ପଡୁଥିଲା ଶୀର୍ଷା କଥା , '' ଅନ୍ୟ ପାଇଁ ପ୍ରାର୍ଥନା କଲେ ଈଶ୍ୱର ଶୁଣନ୍ତି । "

ସୌମେନ୍ଦ୍ର ହସ୍ପିଟାଲରେ ଥିବା ଛୋଟ ମନ୍ଦିର ଆଡ଼କୁ ଅଗ୍ରସର ହେଉଥିଲେ ପୁଅର ହାତ ଧରି !

ସୌମ୍ୟା ଶୁଭଦର୍ଶିନୀ

ବିଶ୍ୱାସ ଅନୁଭବ ମନ୍ଦିର

Rate the content


Originality
Flow
Language
Cover design

Comments

Post

Some text some message..