Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଖାଦ୍ୟ ଉପଯୋଗୀ ଶବ
ଖାଦ୍ୟ ଉପଯୋଗୀ ଶବ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

4 Minutes   442    7


Content Ranking

ତିନି ବର୍ଷ ଲଗାତାର ଭାବେ ବର୍ଷା ହେଲା ନାହିଁ । ଜମି ଶୁଖିଗଲା । କେଉଁଠି ଟିକିଏ ହେଲେ ଘାସ ମଧ୍ୟ ନାହିଁ । ଯେଉଁ ପୋଖରୀରେ ଶାମୁକା ଓ ଗେଣ୍ଡା ଆଦିରେ ପୁରି ରହୁଥିଲା, ସେ ଶୁଖିଲା ପଡିଲା । ସେଥିରେ ବାସ କରୁଥିବା ପ୍ରାଣୀ ସବୁ ନିଶ୍ଚିହ୍ନ ହୋଇଗଲେ ।

ସମସ୍ତ ଛୋଟ ବଡ ପଶୁ ମରିଗଲେ । କିନ୍ତୁ ଗୋଟିଏ କୋକିଶିଆଳୀ ଏବଂ ତା’ର ସ୍ତ୍ରୀ କେବଳ ବଞ୍ଚିଥିଲେ । ସେମାନେ କିନ୍ତୁ ଖାଦ୍ୟ ପାଇଁ ବହୁତ କଷ୍ଟ କରନ୍ତି । ଏପରିକି ଦୀର୍ଘ ଦିନ ଧରି ସେମାନେ ତାଙ୍କର ପ୍ରିୟ ଖାଦ୍ୟ ମାଛ, କଙ୍କଡା, ଠେକୁଆ, କୁକୁଡା ଆଦି ଜୀବକୁ ଦେଖିବାକୁ ବି ପାଇଲେ ନାହିଁ । ଯାହାକୁ ଖାଇ ଦିନେ ମୋଟା ଓ ସବଳ ହୋଇଥିଲେ, ସେ ସବୁ ସ୍ୱପ୍ନ । ତେଣୁ ବହୁ ଦିନ ଧରି ସେମାନେ ଉପାସରେ ରହିବାକୁ ବାଧ୍ୟ ହେଲେ ।

ଦିନେ ମାଈ କୋକିଶିଆଳୀଟି କାନ୍ଦି କାନ୍ଦି ତା’ର ସ୍ୱାମୀକୁ କହିଲା - “ମତେ ଯଦି କାଲି ଭିତରେ କିଛି ଖାଦ୍ୟ ନ ମିଳେ, ତେବେ ମୋର ମୃତ୍ୟୁ ଅନିବାର୍ଯ୍ୟ ।” କୋକିଶିଆଳୀଟି କିନ୍ତୁ ଉପାୟଶୂନ୍ୟ । ସ୍ତ୍ରୀକୁ ସାନ୍ତ୍ୱନା ଦେବାପାଇଁ ତା ପାଖରେ କୌଣସି ଭାଷା ନଥାଏ । ତେଣୁ ସେ ନୀରବ ରହିଲା । ମାଈ କୋକିଶିଆଳୀ କହିଲା - “ମୁଁ ଜାଣେ ତମେ କାହିଁକି ଏପରି ନୀରବ ରହିଛ । ଯେତେବେଳେ ଏହି ପୋଖରୀ ଓ ଜଙ୍ଗଲଟି ପ୍ରାଣୀ ପୂର୍ଣ୍ଣ ଥିଲା, ଆମେ ସେତେବେଳେ ପେଟ ଭରି ଖାଉଥିଲେ । ଆମର ଖାଦ୍ୟ ଚିନ୍ତା ନଥିଲା । ତେଣୁ ଆମେ ମଣିଷ ମାଂସ ଖାଇବାକୁ ଚେଷ୍ଟା କରିନଥିଲେ । କିନ୍ତୁ ବର୍ତ୍ତମାନ ସେ ସମୟ ଆସିଯାଇଛି । ଏବେ ଆମକୁ ମଣିଷ ମାଂସ ଖାଇବାକୁ ହେବ ।”

“ମଣିଷ ମାଂସ ।” ଏକଥା ଶୁଣି କୋକିଶିଆଳୀଟି ଆଶ୍ଚର୍ଯ୍ୟ, ବିସ୍ମିତ । ତା’ପରେ ସେ ଟିକିଏ ଦମ୍ ନେଇ ପଚାରିଲା - “ଆମେ ଏତେଦିନ ଭୋକିଲା ରହିବାରେ ଆମ ଦେହରେ ବଳ ନାହିଁ ଯେ, ଆମେ ମଣିଷକୁ ଆକ୍ରମଣ କରି ମାରି ପାରିବା । ତେଣୁ ତା’ର ମାଂସ ଖାଇବାର ପ୍ରଶ୍ନ କାହିଁକି ଉଠୁଛି ।”

ଆମକୁ ମଣିଷକୁ ଆକ୍ରମଣ କରିବାର ଦରକାର ନାହିଁ ।ସେମାନେ ମଧ୍ୟ ଖାଦ୍ୟ ଏବଂ ଜଳ ଅଭାବରେ ଭୋକିଲା ରହି ପ୍ରତିଦିନ ମରୁଛନ୍ତି । ତାଙ୍କୁ ବହୁ ସଂଖ୍ୟାରେ ସମାଧି ଦିଆଯାଉଛି । ଆମେ ସମାଧି ପାଖକୁ ଯିବା । ସମାଧି ଖୋଳି ଶବ ବାହାର କରିବା । ସେହି ମାଂସ ସବୁକୁ ପେଟପୁରା ଖାଇବା । ମାଈ କୋକିଶିଆଳୀଟି ତା’ର ସ୍ୱାମୀକୁ ବୁଝାଇଦେଲା ।

କୋକିଶିଆଳୀଟି କିଛି ସମୟ ଧରି ଚିନ୍ତିତ । ତାପରେ ସେ କହିଲା - “ଏଇଆ ଯଦି କଥା, ଚାଲ ତେବେ ଚେଷ୍ଟା କରିବା । ସେଥିରେ ଅସୁବିଧା କିଛିନାହିଁ ।”

ଅନ୍ଧାର ରାତିରେ ଅଣ୍ଡିରା ଓ ମାଈ କୋକିଶିଆଳୀ ଦୁହେଁ ମଶାଣୀ ପାଖକୁ ଗଲେ । ସେଠାରେ ସେମାନେ ଦେଖିଲେ ଯେ ଅନେକ ସ୍ଥାନରେ ନୂଆ ନୂଆ ସମାଧି ଦିଆଯାଇଛି ।

ହେ ଭଗବାନ ଆମକୁ ସମାଧିରୁ ଶବ ଖୋଳି ବାହାର କରି ପାରିବାର ଶକ୍ତି ଦିଅ । ଏତିକି କହି କୋକିଶିଆଳୀ ତାର କାମ ଆରମ୍ଭ କରିଦେଲା । କିଛି ସମୟ ଖୋଳିବା ପରେ ସେଥି୍ରେ ଦୁଇଟି ଲମ୍ବ ଓ ମାଂସାଳିଆ ଗୋଡ ସେମାନେ ଦେଖିଲେ ।

ମାଈ କୋକିଶିଆଳୀଟି ତାକୁ ଦେଖି ଭାରି ଖୁସି । ସେ କହିଲା ଚାଲ - “ଆମେ ଏଇ ଗୋଡ ଦୁଇଟିକୁ ଖାଇବା । ଏହାକୁ ଦେଖିଲେ ଲାଗୁଛି ଇଏ ଦୁର୍ଭିକ୍ଷରେ ମରି ନାହିଁ ।”

କୋକିଶିଆଳୀଟି ମୃତ ଲୋକଟିର ଗୋଡକୁ ଶୁଘିଂଲା । ସେ ବିରକ୍ତ ହୋଇ ନାକରେ ହାତ ଦେଇ କହିଲା - “ହେ ଭଗବାନ ଏଇ ଗୋଡ ଦୁଇଟା ସର୍ବଦା ଜଣେ ଅସାଧୁ ଘରକୁ ଯାଉଥିଲା । ଏଇ ଗୋଡ କେବେହେଲେ କୌଣସି ପବିତ୍ର ସ୍ଥାନକୁ ଯାଇନାହିଁ । ଏଇ ଗୋଡ ସବୁବେଳେ ଅନ୍ୟକୁ ଗୋଇଠା

ମାରେ । ତେଣୁ ଏଇ ରୁକ୍ଷ ଗୋଡଗୁଡିକ ଖାଦ୍ୟ ଉପଯୋଗୀ ନୁହେଁ ।”

“ଯଦି ଏଇଟି ଭଲ ନୁହେଁ, ଚାଲ ଆଉ ଗୋଟିଏ ସମାଧି ଖୋଳିବା ।” ଏହା ଥିଲା ମାଈ କୋକିଶିଆଳୀର ଆହ୍ୱାନ । କୋକିଶିଆଳୀ ଆଉ ଗୋଟିଏ ସମାଧି ଖୋଳିଲା ସେ ଦେଖିଲା ଶବଟି ତା’ର ଛାତି ଉପରେ ହାତ ଦୁଇଟିକୁ ଗୋଟିଏ ଉପରେ ଗୋଟିଏ ପକାଇଛି । ସେ ତା’ର ହାତକୁ ଶୁଘିଂ କହିଲା - “ପାଗଳ ! ଏଇ ସ୍ୱାର୍ଥପର ହାତ କାହାକୁ କିଛି ଦେଇ ନାହିଁ । ଏମିତି କାହାକୁ ଖାଦ୍ୟ ମୁଠେ ବି ଦେଇନାହିଁ । ଆମେ ତାକୁ ଖାଇଲେ ଆମର କ୍ଷତି ହେବ ।”

ସ୍ୱାମୀର ମନ୍ତବ୍ୟରେ ମାଈ କୋକିଶିଆଳୀଟି ବ୍ୟସ୍ତ, ବିବ୍ରତ । ସେ କହିଲା - “ଆମେ କ୍ଷୁଧାର୍ତ୍ତ । ନ ଖାଇଲେ ମରିଯିବା । ଏପରି ବାଛ ବିଚାର କରି ଖାଇବାର ଏହା ବେଳ ନୁହେଁ । ମୁଁ ଏ ଶବ ଖାଇବାକୁ ଯାଉଛି ।”

“ଅଭଦ୍ର କୋଉଠିକାର ।” କୋକିଶିଆଳୀଟି ଚିତ୍କାର କରି ଉଠିଲା । “ଆମେ କଅଣ ଏମିତି ନୀଚ ଜୀବ ଯେ, ପାପୀ ମଣିଷର ମାଂସ ମଧ୍ୟ ଖାଇବା ? ମୁଁ ଖାଇବି ନାହିଁ କି ତମେ ମରିଯାଅ ପଛେ ମୁଁ ତମକୁ ଏହା ଛୁଆଁଇ ଦେବିନାହିଁ ।”

“ମୁଁ ଜାଣି ପାରୁନି ତମେ କଅଣ କହୁଛ ? ମୋର କିଛି ଖାଦ୍ୟ ଦରକାର । ଆଉ ତମେ ମତେ କେତେକ ଥଟ୍ଟାଳିଆ ଉପଦେଶ ଦେଇ ଖାଦ୍ୟ ଖାଇବାରୁ ନିବୃତ୍ତ କରୁଛ । ଏହାର ହାତ, ଗୋଡ ମାଂସ ଯଦି ଖାଇବାରେ ଅନୁପଯୁକ୍ତ, ଚାଲ ଆମେ ଏଇ ଶବର ଛାତିର ଅଂଶ ଖାଇବା । ଏହାର ଛାତିକୁ ଚିରି ଦେବା ଏବଂ ଏହାର କଲିଜା ଖାଇବା ।” ମାଈ କୋକିଶିଆଳୀଟି କହିଲା ।

କିନ୍ତୁ କୋକିଶିଆଳୀ କୌଣସି ଉତ୍ତର ଦେଲାନାହିଁ । ସେ ପୁଣି ଶବଟିର ଛାତିକୁ ଶୁଘିଂଲା ।

“ଏହାର ଆଦୌ ହୃଦୟ ନାହିଁ ।” କୋକିଶିଆଳୀଟି ଚିତ୍କାର କରି ଉଠିଲା । କହିଲା ଗୋଟିଏ ହୃଦୟହୀନ ବ୍ୟକ୍ତି ପଶୁ ସଙ୍ଗେ ସମାନ । ଏଇ ଲୋକଟି ମନ୍ଦ ବୃତ୍ତିରୁ ଜନ୍ମ ।

କୋକିଶିଆଳୀ ଟିକିଏ ଚାହିଁଲା ଏବଂ କହିଲା, “ତମେ ମୋର ଧୈର୍ଯ୍ୟର ପରୀକ୍ଷା ନେଉଛ ।”

କିନ୍ତୁ ଟିକିଏ ଅପେକ୍ଷା କର । ମୁଁ ତାର ମୁଣ୍ଡକୁ ପରୀକ୍ଷା କରୁଛି । ଏହା ଯଦି ଭଲ ହୁଏ, ତେବେ ମୁଁ ଏହାର ମୁଣ୍ଡକୁ ଉଠାଇ ସେଥିରୁ ମସ୍ତିଷ୍କ ବାହାର କରିବି । ତମକୁ ଖାଇବାକୁ ଦେବି । ତାହା ହିଁ ତୁମ ଧୈର୍ଯ୍ୟର ପୁରସ୍କାର । ଏହା କହି କୋକିଶିଆଳୀଟି ଖୋଳିବାକୁ ଲାଗିଲା । ଶବଟିର ମୁଣ୍ଡଟିକୁ ବାହାର କଲା ।

ସେ ତାକୁ ଶୁଘିଂଲା । ତାପରେ କହିଲା - “ମୁଁ ଦୁଃଖିତ ।ଏଇ ମୁଣ୍ଡଟା ଭାରି ଗର୍ବୀ । ଏହା ତାକୁ ସର୍ବସ୍ୱାନ୍ତ କରିଦେଇଛି ଏବଂ ଯଦି ଆମେ ଏଇ ଶବର ମସ୍ତିଷ୍କ ଖାଉ, ତେବେ ଆମେ ନିଶ୍ଚିତ ଭାବରେ ଆମର ମୃତ୍ୟୁ ପରେ ଆମେ ନର୍କ ଯନ୍ତ୍ରଣା ଭୋଗକରିବୁ ।”

ଆମେ ଦେଖିଲେ ଯେ ଏଇ ମଶାଣୀରେ ଗୋଟିଏ ହେଲେ ଖାଦ୍ୟ ଉପଯୋଗୀ ମଣିଷ ମିଳିଲା ନାହିଁ । ଆଉ ଏକ ମଶାଣୀକୁ ଯିବା । ମାଈ କୋକିଶିଆଳୀଟି କହିଲା ।

ମୁଁ ନିଶ୍ଚିନ୍ତ କଲି ଯେ, ଆମେ ଆମର ଭୋଜନ ପାଇଁ ଗୋଟିଏ ଖାଦ୍ୟ ଉପଯୋଗୀ ଶବ ନିଶ୍ଚୟ ପାଇବା । ଏହା ଥିଲା କୋକିଶିଆଳୀର ଉତ୍ତର ।

ମୃତ୍ୟୁପରେ ନର୍କ ଯନ୍ତ୍ରଣା ଭୋଗ କରିବା କଥା ଶୁଣି ମାଈ କୋକିଶିଆଳୀଟି ତ ଡରି ଯାଇଥିଲା, ତେଣୁ ସେ ତା’ର ମୁଣ୍ଡକୁ ଅଧା ହଲାଇ ସ୍ୱାମୀର ପ୍ରସ୍ତାବକୁ ଗ୍ରହଣ କରିନେଲା ।

ଏକଥା କହିବାର ଆଉ ଆବଶ୍ୟକତା ନାହିଁ ଯେ, ଶେଷରେ କୋକିଶିଆଳୀଟି ଖାଦ୍ୟ ଉପଯୋଗୀ ଗୋଟିଏ ଶବ ପାଇଗଲା ।

ସେଥିପାଇଁ କୁହାଯାଏ ମଶାଣୀରେ ଅନେକ ଶବ ପଡିଥିଲେ ବି କେତେକ ଶବକୁ କୋକିଶିଆଳୀମାନେ ଖାଆନ୍ତି । ବାକି ସବୁ ଶବ ସେମିତି ପଡି ରହିଥାଏ ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


ଉପଯୋଗୀ ଶବ ଆକ୍ରମଣ

Rate the content


Originality
Flow
Language
Cover design

Comments

Post

Some text some message..