Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପକ୍ଷୀ ଜନ୍ମ
ପକ୍ଷୀ ଜନ୍ମ
★★★★★

© Soumya Shubhadarshinee

Inspirational Tragedy

10 Minutes   3.6K    13


Content Ranking

ମୁକ୍ତି ଶବ୍ଦର ତର୍ଜମା କରୁଥାଏ ମଣିଷ ତମାମ ଜୀବନ , କିନ୍ତୁ ମୁକ୍ତି ପରେ ଜୀବନରେ ଆଉ କଣ ଅବଶେଷ ରୁହେ ଯେ ?......

ଜିଇଁବାର ମୋହ ହିଁ ଜୀବନ । ମୁକ୍ତ ହେବାର ଲୋଭ କେବଳ ଭୀରୁ ମାନଙ୍କ ଅଭିଧାନରେ !

★★★★★★★

'ମିଟୁ .......ମିଟୁ ......ମିଟୁ ...ମିଟୁ .......ମିଟୁ . ମିଟୁ ....

ଖୁବ୍ ଜୋରରେ ଡାକୁଛି ଶୁଆ , କୁଁ କୁଁ ହେଉଛି ମଝିରେ ମଝିରେ । ତା' ଶବ୍ଦ ଗୋଟେ ଆସନ୍ନ ବିପତ୍ତିର ପୂର୍ବ ସୂଚନା ଦେଉଛି । ତା' ସହ ଜୋର ଚିଲ୍ଲାବି ଶୁଭୁଛି ତା'ର ।

ସୀମା ବାଥରୁମ୍ ଭିତରୁ ନିଜ ଝିଅକୁ ଡାକ ଦେଲା ,'' ରିନି ... ରିନି ... କ'ଣ ହେଲା ମିଟୁର ଦେଖ ଟିକେ ? ''

ସୀମାର ସ୍ୱର ବାରି ମିଟୁ ଆହୁରି ଜୋରରେ ମିଟୁ ...ମିଟୁ ଶବ୍ଦ କରୁଛି ଆଉ ପଙ୍ଖ ଫଡଫଡ କରୁଛି , ଯେମିତି ବିକଳ ହେଇ ଡାକୁଛି । ଶୁଆର ଶବ୍ଦ ସହ ତା'ର ଚିଲ୍ଲା ମିଶି ଆହୁରି ଭୟଙ୍କର ଶୁଭିଲା ସୀମାକୁ !

ଏପଟେ ପୁଣି ରିନି ଡାକ ଶୁଣୁନି! ବ୍ୟସ୍ତ ଲାଗିଲା ସୀମାକୁ , ନାଁ ଆଉ ହେବନି ତର ତର ହେଇ ବାହାରିଲା ଅଧା ଗାଧୁଆ ହେଇ ମ୍ୟାକ୍ସି ଗଳେଇ ।

ଚିତ୍କାର ଦାଣ୍ଡ ଘରୁ ଆସୁଥିଲା , ତେଣୁ ସେଇ ଆଡକୁ ଧାଇଁଲା ସୀମା। ଇସ୍ ରୁମ ଭିତରର ସ୍ଥିତି ଦେଖି ଭୟ ପାଇଗଲା !ସାରା ଚଟାଣରେ ଲାଲ ରଙ୍ଗର ସମାରୋହ , ଯେମିତି ରକ୍ତ ଜୁଡୁ ବୁଡୁ !!

ମୁଣ୍ଡ ତା'ର କାମ କଲାନି ! ବିବ୍ରତ ହେଇ ଜୋରରେ ଡାକିଲା ସାନଭାଇକୁ, '' ସୋନୁ ....ସୋନୁ କିନ୍ତୁ କୌଣସି ଉତ୍ତର ନଥିଲା । କୁଆଡେ ଗଲା , ଖୋଜିଲା ସବୁଠି , ମିଟୁ କି ରିନିବି ଦେଖା ଯାଉନାହାନ୍ତି !!........

ବାଲକୋନି , ହଁ ହୁଏତ ସେଠି ଥିବେ । ଜୋରରେ ଦଉଡି ଗଲା ସେଠିକୁ । ଓଃ ଗଡ୍ ! ହାତରେ ଛୁରୀ ଗୋଟେ ଧରି ଠିଆ ହେଇଛି ଶୁଭୁ , ଆଉ ଶୁଆକୁ ଦେଖଉଛି । ତା' ହାତରେ ଛୁରୀ ଦେଖି ଖୁବ୍ ଡରିଗଲା ସୀମା , କ'ଣ ତେବେ ସେ ଚଟାଣରେ ରକ୍ତ ଓଃ ! କାହାକୁ ମାରିଲା ?

" ରିନି .. ରିନି ଆହୁରି ବିକଳ ଭାବେ ଚିଲ୍ଲେଇଲା ! ଭୟଙ୍କର ଭୟ ଖେଳିଗଲା ତା' ସମଗ୍ର ଶରୀରରେ , ଦ୍ରୁତ ହେଇଗଲା ସ୍ପନ୍ଦନ , ମୁଣ୍ଡ ଗୋଳମାଳ ହେଇଗଲା । ଆଜି କଣ ସତ୍ୟାନାଶ କରିଦେଇଛି ତେବେ ସୋନୁ? ସତରେ ଉଜାଡି ଦେଇଛି ସଂସାର ?.....

ହଠାତ୍ ଝରକା ଆଡ଼କୁ ନଜର ପକେଇଦେଲା ସେ । ଦିଶିଗଲା କମ୍ପ୍ୟୁଟର ପାଖେ ଝିଅ ରିନି କାନରେ ହେଡ୍ ଫୋନ୍ ଦେଇ ବସିଛି , ଓଃ !.......

ସେଥିପାଇଁ ଶୁଭୁନି ଝିଅକୁ । ଠିକ ଅଛି ଝିଅ ତେବେ । ଟିକେ ଆଶ୍ୱସ୍ତ ହେଲା ସୀମା । ନା' ତୁଚ୍ଛାଟାରେ ଅମଙ୍ଗଳ କଥା ସବୁ ଭାବିନେଲା ସେ ! ହେଇପାରେ ନାହିଁ ଏମିତି :

କେତେ ଗେଲ୍ହା କରେ ସୋନୁ ତା' ଭାଣିଜୀ ରିନିକୁ , କେଡେ ଶ୍ରଦ୍ଧାରେ ଡାକେ '' ଲି........ ନି.......''

ଏମିତି କରିବ କାହିଁକି ସେ ! ଧେତ୍ , ବେଳେ ବେଳେ ତା' ନିଜ ଭୟ ନିଜକୁ ଡ଼ରେଇ ଦିଏ ଏମିତି ଖାଲି ଯାହା !.......

ହେଲେ ମିଟୁ ଅଛି ଅସୁବିଧାରେ , ମୁକୁଳେଇବାକୁ ହେବ ମିଟୁକୁ । କିନ୍ତୁ ଜମା ସହଜ ନୁହେଁ , ସୋନୁ ହାତରୁ ଛୁରୀ ଛଡ଼େଇବା । ଦେବନି ସେ କେବେ । ତା' ମନକୁ ବୁଝେଇ ବାଝେଇ କରିବାକୁ ପଡିବ ।

ସୀମା ନିଜେ ଆଉ ଗୋଟେ ଛୁରୀ ନେଇ ଗଲା ସୋନୁ ଆଡ଼କୁ , ଆଉ ତାକୁ ଦେଖେଇଲା ଠିକ ତା' ପରି । ଯେମିତି ସୋନୁର ଧ୍ୟାନ ତା' ପ୍ରତି ଆସିଛି ଚଟକି ସେ ଛୁରୀରେ ଚଟାଣ ଉପରେ ଆଘାତ କଲା ଜୋରରେ ଆଉ କହିଲା , '' ତୁ ମୋ ସୋନୁକୁ ମାରିବୁ , ଏତେ ସାହସ ତୋ'ର , ଜମା ଛାଡିବିନି ତୋତେ । ''

ସୋନୁ ଏବେ ସୀମାକୁ ଦେଖୁଥିଲା ମିଟୁକୁ ଛାଡି । ସୀମା ତାକୁ ଡାକ ପକେଇଲା ,''ଆ ତୁ ବି ମାର ଏଇଟା ପାଜି ଖେଚଡ ଟେ , ତୋତେ ମାରିବ କହୁଛି , ଆ' । ସୋନୁ ଦଉଡି ଆସି ଅପା ସହ ମିଶିକି ଛୁରୀ ମାରିଲା ଚଟାଣ ଉପରେ ,ଜୋର ଜୋର ଚିଲ୍ଲେଇକି ।

ସୀମା ହଠାତ୍ ଛୁରୀ ଫୋପାଡ଼ି ଦେଲା , ଆଉ ତା ଦେଖା ଦେଖି ସୋନୁ ବି ସଂଗେ ସଂଗେ ଫୋପାଡ଼ି ଦେଲା।

ସୀମା କାଳ ବିଳମ୍ବ ନକରି କୋଳେଇ ନେଲା ସାନ ଭାଇକୁ । ଆଉଁସି ଦେଇ କହିଲା , '' ତୋତେ ସେ ଚଟାଣ ମାରିବ କହୁଥିଲା , ସେଇଥିପାଇଁ ପା' ମାରିଲେ ଆମେ , ବଢିଆ ହେଇଚି ନୁହେଁ ମୋ ସୋନୁକୁ ମାରିବ ଏଡ଼େ ସାହସ !'' ସୋନୁ ମୁହଁ ଗୁଞ୍ଜିଲା ସୀମା କୋଳରେ ଆଉ ଗେଲ୍ହା ହେଲା କୁନି ପୁଅ ଟିଏ ପରି ।

କିଛି ସମୟ ପରେ ଆସିଲା ରିନି କମ୍ପ୍ୟୁଟର ପାଖରୁ ଆଉ ରାଗିକି ଚିଲ୍ଲେଇଲା , '' ମାମା ଦେଖ ମାମୁଁ ମୋ କଲର୍ ବକ୍ସରୁ ରେଡ଼୍ କଲର୍ ପୂରା ଢାଳି ଦେଇଛି ଘରସାରା ।''

ସୀମା ଏବେ ବୁଝିଲା ରକ୍ତର ରହସ୍ୟ । ହେ ପ୍ରଭୁ ସେଇ ରଙ୍ଗ କିଛି ମୁହୂର୍ତ୍ତ ଆଗରୁ ତା' ମୁହଁର ରଙ୍ଗ ଉଡେଇ ଦେଇଥିଲା ! .......

ନିରୋଳା ହସ ସୋନୁ ଆଖିରେ କେଡେ ସୁନ୍ଦର ! କିଏ ଆଉ ହେବ ତା' ପରି ? ମୁହଁ ଗୁଞ୍ଜି ଦେଇଛି ସୀମା କୋଳରେ ଛୁଆଟିଏ ପରି।

ସେଇ ଥତ ମତ ସ୍ୱରରେ କହୁଛି , '' ଚକ .... ଲେତ୍ , ଦେ ମୋଲ ଦଲକାଲ , ଦେ ପା' ପା' .... ତାଳି ମାରି ଖୁସି ଖୁସି କାନୀ ଧରି ସୀମା ଅପା ସହ । ସୀମା ତା' ସ୍ୱର୍ଗତ ପାପା ମମିଙ୍କ ଯୁଗଳ ଫୋଟୋ ନିକଟକୁ ଯାଇ କହିଲା , '' ମୁଁ କଥା ଦେଇଥିଲି ବାପା , ସୋନୁକୁ ସମ୍ଭାଳିବି । ମୋତେ ସାରା ଜୀବନ ତା'ର ସୁରକ୍ଷା ପାଇଁ ଶକ୍ତି ଦିଅ , ଧର୍ଯ୍ୟ ଦିଅ !''.......

************

ସବୁ ସ୍ୱପ୍ନର ଉଡାଣ ସମ୍ଭବ ନୁହେଁ , କେବେ ପଙ୍ଖ ନଥାଏ ତ' କେବେ ପବନ !.........

ନିଜ ପିଲାଟିଏର ସ୍ୱପ୍ନ ସବୁ ମଣିଷ ଦେଖନ୍ତି । ରୂପା ପାଇଁ କିନ୍ତୁ ସେଇ ସାଧାରଣ ସ୍ୱପ୍ନ ଖୁବ୍ ମହଙ୍ଗା ।ବିଚିତ୍ର ନିୟତି ମା' ହେବାକୁ ସେ ସମର୍ଥ କିନ୍ତୁ ଅରୁଣ ନୁହଁନ୍ତି !....

ଡାକ୍ତର ଖୁବ୍ ସହଜରେ ବୁଝେଇ ପାରନ୍ତି । ଦେଖନ୍ତୁ ଏମିତି ସମସ୍ୟା ହୁଏ ଅନେକ କ୍ଷେତ୍ରରେ । ଏଭଳି ସମସ୍ୟା ଯେ ଠିକ କରି ହେବନି ତା' ନୁହେଁ କିନ୍ତୁ କିଛି ସଠିକ ଭାବେ କୁହା ଯାଇପାରିବ ନାହିଁ । ସେମିତି ହେଲେ ପୁଣି କେମିତି ଚଳିବ ? ସଠିକ ଭାବେ ହିଁ ଜାଣିବାକୁ ଅଛି ସେ ଦୁହିଁଙ୍କର । ପରିବାରର ତାଙ୍କ ଉପରେ କି ଭୟଙ୍କର ଚାପ କ'ଣ ଡାକ୍ତର ବୁଝନ୍ତି ନାହିଁ?......

--'' ତୁ ମୋ ବଂଶ ବୁଡ଼େଇ ଦେବୁ ବାଞ୍ଝ ।"

ଓଃ ! କେତେ ଯନ୍ତ୍ରଣା ଥାଏ ଏଇ ବିଶେଷଣ ଭିତରେ ରୂପା ଛଡା ଆଉ କିଏ ବୁଝିଛି ? ଗୋଟେ ଅତୃପ୍ତ ଆଶା , ହୁତ୍ ହୁତ୍ ହେଇ ଜଳେଇ ଚାଲେ ତା' ସମଗ୍ର ସତ୍ତା ଯେବେ ଶାଶୁ କୁହନ୍ତି ଏମିତି ।

ଆଉ ଅରୁଣ ଭାରି ଅସହାୟ ଭାବେ ଅନୁରୋଧ କରନ୍ତି , " ମୋ ସମସ୍ୟା କଥା କୁହନି , ପ୍ଲିଜ !''

କିଛି ବୁଦ୍ଧି ବାଟ ନଥାଏ ତା' ପାଖେ , ଯେତେହେଲେ ଅରୁଣ ତା' ସ୍ବାମୀ , ତା' ପ୍ରଥମ ଓ ଶେଷ ପ୍ରେମ । ପ୍ରେମ ଆଗରେ ଦୁର୍ବଳ ମଣିଷ ସବୁବେଳେ । ସେ ସହି ନିଏ ଉଲୁଗୁଣା କୁହେନି କେବେ ଅରୁଣଙ୍କ ଅସମର୍ଥ୍ୟ କଥା।

**********

ମନୀ ଅପା ବୁଝି ଆସିଥିଲା କେଉଁ ପଣ୍ଡିତଙ୍କୁ , ଉଭୟ ରୂପା ଆଉ ଅରୁଣଙ୍କ ଜାତକ ଦେଖେଇ । ପଣ୍ଡିତେ କହିଛନ୍ତି ପିଲାଟିଏ ପୋଷ୍ୟ କରି ତା'ର ସେବା ଯତ୍ନ କଲେ ବନ୍ଧ୍ୟା ବୃକ୍ଷ ଫଳିବ ନିଶ୍ଚିତ । ତ୍ରିବାର ସତ୍ୟ ଵଚନ ଏଇଟି ମହାନ ପଣ୍ଡିତଙ୍କ କଣ୍ଠରୁ ।

ସେ ଶୁଣିଲା ଆଉ ଅରୁଣଙ୍କୁ ଜଣେଇଲା । ହେଉ ପଛେ ଗୋଟେ ଅନ୍ଧବିଶ୍ୱାସ, କିନ୍ତୁ ପିଲାଟିଏ ଜୀବନରେ ଆସିବାର ସୁଯୋଗ ଟିଏ ତ' ଅଛି । ଅରୁଣ ସଫା ସଫା କହିଥିଲେ , ମିଛ କଥା ଗୁଡା ଖାଲି ଅନ୍ଧବିଶ୍ୱାସ ! ଆଉ ପୁଣି ଶାଶୁଘରେ କେହି ରାଜି ହେବେନି ଏଥିରେ ତା' ବି ଜଣେଇଥିଲେ , ''ବୋଉ ମୋର ଆଉ ଗୋଟେ ବାହାଘର କରିଦେବ ବୁଝିଲ, କିନ୍ତୁ ଆଉ କାହା ପିଲାକୁ କେବେ ନୁହେଁ ! "...........

*************

ରୂପା କିନ୍ତୁ କାହିଁକି କେଜାଣି ବିଶ୍ୱାସ କରିଯାଇଥିଲା । ଆଉ ସ୍ୱାମୀଙ୍କୁ ମନେଇବାର ପ୍ରଚେଷ୍ଟାରେ ଲାଗି ଯାଇଥିଲା । ଅରୁଣ ଆଉ କେତେ ବିରୋଧ କରିବେ । ସେବି ତ' ଅଭାବ ବୋଧକୁ ଅନୁଭବ କରୁଛନ୍ତି ସବୁବେଳେ। ଗୋଟେ ପରିପୂର୍ଣ୍ଣ ଘରର ସ୍ୱପ୍ନ ଅପୂର୍ଣ୍ଣ ରହିଯାଇଛି ।

ବୋଉକୁ ମନେଇବା ଅସମ୍ଭବ ଥିଲା । " ମୋ ଘରେ ଗୋଟେ ବର୍ଣ୍ଣଶଙ୍କର ! ନା ' ପ୍ରଭୁ ପୂଜା ପାଇବେନି ଆଉ । ଛାଡିଯିବେ ଘର ମୋର ଶୂନ୍ୟ କରି !'' ପୂଜା ପାଠ ବୋଉର ଜୀବନ । କେମିତି ସେ ଗୋଟେ ଅଜଣା ପିଲାକୁ ପୁରେଇବ ପ୍ରଭୁ ମାରା ହେଇଯିବେନି !........

ରୂପା ବୁଝେଇଲା କେବଳ ବ୍ରାହ୍ମଣ ପିଲାଟିକୁ ଆଣିବେ ସେ ଦୁହେଁ । ଆଉ ଝିଅଟିଏ ଆଣିବେ । ପରଗୋତ୍ରୀ ହେଇଯିବ ବଡ଼ ହେଲେ ।

ବହୁତ ବୁଝା ସୁଝା ପରେ, ପଣ୍ଡିତଙ୍କ ଆପ୍ତ ବାକ୍ୟର ଲୋଭରେ, ବଡ଼ କଷ୍ଟରେ, ବୁଝିଲା ବୋଉ କିନ୍ତୁ ରଖିଲା ସର୍ତ୍ତ , " ମୋ କୂଳ ନନ୍ଦନ ଆସିଗଲେ କିନ୍ତୁ ସେ ଅଲକ୍ଷଣୀକୁ ପୁଣି ଅନାଥ ଆଶ୍ରମରେ ଛାଡି ଆସିବ ସତ୍ୟ କର ଦୁହେଁ !''

କେଡେ ସ୍ୱାର୍ଥପର ମଣିଷ ସତେ !.....

ରୂପା କଥା ଦେଲା , ହଁ ସେଇଆ କରିବେ ସେମାନେ । ନିଜ ପିଲାକୁ ପାଇଗଲେ ଛାଡ଼ି ଆସିବେ ପୋଷ୍ୟ ପିଲାକୁ ଅନାଥ ଆଶ୍ରମରେ ।

ଏମିତି ଗୋଟେ ସର୍ତ୍ତ ଭିତରେ ଆସିଥିଲା ସୀମା ତା' ନିଜ ଘରକୁ । ମା' ଆଉ ବାପା ପଣ୍ଡିତଙ୍କ ଭବିଷ୍ୟବାଣୀରେ ପ୍ରଭାବିତ ହେଇ ଅନାଥ ଆଶ୍ରମରୁ ଆଣିଥିଲେ ଜମା ଛ' ମାସର ଝିଅଟିଏ । କୋମଳ ଚମ୍ପା ଫୁଲ ରଙ୍ଗର , କୁନି କଣ୍ଢେଇ।

ଆଦର କଲେ ରୁପା ଆଉ ଅରୁଣ ଝିଅକୁ । ସ୍ନେହରେ ଡାକିଲେ ସୀମା । ଜେଜେବି କେବେ କେମିତି କୋଳେଇ ନେଲେ କିନ୍ତୁ ଜେଜୀମା' ପାଖ ମାଡିଲା ନାହିଁ। ଦୂର ଦୂର ମାର ମାର କଲା ସାରା ଜୀବନ । ଘରଟି କିନ୍ତୁ ପୂରିଲା ପୂରିଲା ଲାଗିଲା ଧୀରେ ଧୀରେ । ଗୋଟେ ଛୋଟ ଛୁଆର ବାଳୁତ ପଣ ଭିତରେ ପୁଣି ଥରେ ଜୀବନ ଜୀଇଁବାର ମୋହ ଲାଗିଗଲା ।

ପଣ୍ଡିତଙ୍କ ଆପ୍ତ ବାକ୍ୟବି ସତ ହେଲା । ପାଞ୍ଚ ବର୍ଷ ପରେ ରୂପା ଶୁଭ ଖବର ଆଣିଲା । ସଭିଏଁ ସୁଖୀ ହେଲେ ଆଉ ଜେଜୀ ଅତି ଆନନ୍ଦିତ ହେଲା । ଏବେ ଏ ଅଲକ୍ଷଣୀକୁ ଘରୁ ବିଦା କରିବାର ବେଳ ଆସିଗଲା। ଆହା କେଡେ କଷ୍ଟରେ ଅଛନ୍ତି ପ୍ରଭୁ, ସେଇ ଝୁଅଟାର ଉପସ୍ଥିତି ସକାଶେ !.......

ରୁପାକୁ ସିଧା ସିଧା କହିଦେଲା ଜେଜୀ, '' ଯା ଛାଡି ଦେଇ ଆସିବୁ ସେ ଅଳିଆକୁ ପୁଣି ଅଳିଆ ଗଦାରେ । " କିନ୍ତୁ ପାଞ୍ଚ ବର୍ଷର ମୋହ କିଏ କ'ଣ ଏମିତି କଥା ପଦେରେ ତୁଟେଇ ଦେଇ ପାରେ ?......

ଗୁମୁରୀ ଗୁମୁରୀ କାନ୍ଦିଲା ବାପା ଆଉ ମା' ର ପ୍ରାଣ । କେମିତି ସେ ନିଜ ପିଲାପରି ପାଳି ପୋଷି ଏଡିକିରୁ ଏଡୁଟେ କରିଥିବା ସୀମାକୁ ଛାଡି ଦେବ ? ନିଜ ଜୀବନରୁ ତଡି ଦେବ ?

ଅରୁଣବି ଥିଲେ ମୋହରେ ବନ୍ଧା । କେଡେ ଗୁଲୁ ଗୁଲୁ କଥା କହୁଛି , ପାପା ପାପା କହି ଵୋକ ଦେଉଛି ,ରୁଣୁ ଝୁଣୁ ତା' କୁନି ପାଦ ପାଉଁଜି କେତେ ଧୁର ଶୁଭୁଛି । ସେଇ ନିଷ୍ପାପ ଛୁଆକୁ କେମିତି ଭୁଲି ହେବ ?

ବଡ଼ ନେହୁରା ହେଇଥିଲେ ବାପା , ମା' , ଅଝଟ କରିଥିଲେ , ହାତ ଗୋଡ଼ ଧରିଥିଲେ ଜେଜୀର । ବିକଳ ବାପା କହିଥିଲେ '' ଥାଉ ବୋଉ , ଟିକେ ବଡ଼ ହେଲେ ହଷ୍ଟେଲରେ ରଖିଦେବା । ଆଉ ଉଣେଇସି ବର୍ଷରେ ବାହା ଦେଇଦେବା।''

ମା' ବି କହିଥିଲା ''ସୀମା ରହିବ ନାହିଁ ଆଉ ବେଶି ଦିନ ବୋଉ । କିନ୍ତୁ ଅନାଥ ଆଶ୍ରମରେ ଛାଡି ହବ ନାହିଁ , ନା' ନା' ବିଲକୁଲ ନୁହେଁ ।''

ଜେଜୀମା ରାଗିଲା ବହୁତ । ସତ୍ୟ ଭଙ୍ଗ କଲେ ଅନର୍ଥ ହେବ ବୋଲି ଚେତାବନୀ ଦେଲା । କଥା ଭାଷା ବନ୍ଦ କରିନେଲା ବାପାଙ୍କ ସହ । ଅନାଥ ଝିଅଟା କଣ୍ଟା ହେଇ ଆଖିରେ କେଞ୍ଚି ହେଲା ଜେଜୀର ।

କିନ୍ତୁ ରୁପା ଝିଅକୁ ତା' କୁନି ଭାଇ ଆସିବାର ଖବର ଜଣେଇଲା । ଝିଅ ସହ କଣ୍ଢେଇ ଘର ସଜେଇଲା । ଆଉ ପ୍ରଚୁର ଗେଲ୍ହା କଲା ସୀମାକୁ , ''ହଁ ଏଇ ତ' ତା' ପାଇଁ ଆଜିର ଶୁଭ ଖବର ଆଣିବାର ମାଧ୍ୟମ । ଏଇ କୁନି ପରୀର ଆସିବା ସବୁ ସୁଖର ଠିକଣା !........

**************

ଈଶ୍ୱର ବେଳେବେଳେ ଭୁଲି ଯାଆନ୍ତି ତାଙ୍କ ନିଜ ହାତ ଗଢ଼ା ସଂସାର । କାହିଁକି କେଜାଣି ସ୍ୱପ୍ନ ଦେଖେଇ ପୁଣି ନିରାଶ କରନ୍ତି !..

ଗୁଲୁ ଗୁଲିଆ ପୁଅଟିଏ ଆସିଲା ଭରିଦେଇ ସଂସାର । ସୀମା ନିଜେ ଗେଲ୍ହାରେ ଡାକିଲା 'ସୋନୁ ' ମୋ ସୁନା ଭାଇ ।

ଖୁସିରେ ପାଦ ତଳେ ପଡ଼ିଲା ନାହିଁ ଜେଜୀର । ଆସିଗଲେ କୂଳନନ୍ଦନ , ଭରି ଗଲା ଜୀବନ ପାତ୍ର । ସେଇ ଖୁସିରେ ସୀମା ଉପରେବି ଟିକେ ଦୟା ଦେଖେଇଲା ଜିଜୀମା ।

ଭଲ ଥିଲା ସବୁ କିନ୍ତୁ ଖୁବ୍ କମ ଦିନ ପାଇଁ । ପିଲାଟିର ହାବ ଭାବ ସାଧାରଣ ପିଲା ପରି ନଥିଲା । ଟିକିଏ ଭିନ୍ନ ଥିଲା । ଡାକ୍ତର ପ୍ରଥମେ କିଛି ଜଣେଇଲେ ନାହିଁ , କେବଳ ଅପେକ୍ଷା କରିବାକୁ କହିଲେ । କିନ୍ତୁ ଅପେକ୍ଷାର ଫଳ ସୁଖଦ ନଥିଲା । ଭିନ୍ନକ୍ଷମ ପିଲାଟି , ମାନସିକ ଅନଗ୍ରସର । ସୁନ୍ଦର ଗଢଣ ହୃଷ୍ଟ ପୃଷ୍ଠ କିନ୍ତୁ ହାଵ ଭାବ ଛୋଟ ପିଲା ପରି ସାରା ଜୀବନ ।

ଥଙ୍ଗେଇ ଥଙ୍ଗେଇ କଥା , ସବୁବେଳେ ଅଝଟ , ସାଧାରଣ ଜୀବନଚର୍ଯ୍ୟା ପାଇଁ ମଧ୍ୟ ଅସମର୍ଥ୍ୟ । ଘରେ ବାହାରେ ସବୁଆଡେ ଗୋଟିଏ ପରିଚୟ , " ପାଗଳା '' ସୀମା କିନ୍ତୁ ନିଜ ସାନ ଭାଇକୁ ଭାରି ଶ୍ରଦ୍ଧା କରେ ।ପାଗଳା ବୋଲି କେବେ ଅବହେଳା କରେନି । କେମିତି ଗୋଟେ ଅଦୃଶ୍ୟ ବନ୍ଧନ ଭାଇ ଭଉଣୀ ଭିତରେ।

ଜିନିୟ ତ୍ରୁଟି ଫଳରେ ଏପରି ସ୍ଥିତି ଜଣେଇଥିଲେ ଡାକ୍ତର । କୌଣସି ଚିକିତ୍ସା ନାହିଁ , କେବଳ ଶିକ୍ଷା ଦିଆଯାଇ ପାରିବ । ସେମାନଙ୍କ ପାଇଁ ଥିବା ସ୍ପେସିଆଲ ସ୍କୁଲରେ । ନିଜ କାମଟି ନିଜେ କରିପାରିଲେବି ବହୁତ । ନିଜେ ବାଥରୁମ୍ ଯିବ , ବ୍ରସ କରିବ , ଡ୍ରେସ୍ ପିନ୍ଧିବ, ହାତରେ ମୁଠେ ଖାଇବ ଏସବୁ ଶିଖିବାର ଅଛି ସେଇ ସ୍କୁଲରେ । ବାସ ଆଉ ଅଧିକ ନୁହେଁ !.........

************

ଜୀବନ ଦୁର୍ବିସହ ହେଇଗଲା ସଭିଙ୍କର । କିଛି ବୁଝି ପାରେନି ପୁଅ ସୋନୁ । ଅସନା ମସନା ରୁହେ ସବୁବେଳେ । ଏଠି ସେଠି ଝାଡା ପରିଶ୍ରା କରି ଦିଏ , ଦେହ ହାତରେ ବୋଳି ପକାଏ ମଇଳା , ପାଣି ଢାଳି ଦିଏ ଘରେ , ଖାଇବା ଜିନିଷ ନଷ୍ଟ କରିପକାଏ , ସବୁବେଳେ ପାଟି କରେ ଅସ୍ପଷ୍ଟ ଭାଷାରେ କୁହେ । ଅସ୍ତ ବ୍ୟସ୍ତ କରିଦିଏ ଜୀବନ ।

ଆଉ ଜେଜୀକୁ ସବୁଠୁ ଅଧିକ

ହଇରାଣ କରେ । ଅଝଟ ଲଗାଏ ।

ଜେଜୀ କିନ୍ତୁ ତା' ଉପରେ ନୁହଁ ସୀମା ଉପରେ ଗର ଗର ହୁଏ । ଅଲକ୍ଷଣୀ ସକାଶେ ସବୁ ଅଡୁଆ ! ମରିଯାଉ ପୋଡା ମୁହିଁ । ତାରି ପାଇଁ ଘରକୁ ଏଡ଼େ ବଡ଼ ବିପଦ ମାଡି ବସିଲା । କୂଳ ନନ୍ଦନ ଏମିତି ବିକଳ ହେଇଗଲା । ସତ୍ୟ ଭଙ୍ଗ କରିବାର ଫଳ ଏଇ !......

**************

ଶାଶୁଙ୍କର ଉଲୁଗୁଣା କିନ୍ତୁ ଶୁଣେନି ରୂପା । ଜାଣେ ଏସବୁ କେବଳ ମନର ବିକାର । ସୁସ୍ଥ ପିଲାଟିଏ ନାହିଁ ତାଙ୍କ ଭାଗ୍ୟରେ । କିଏ ଆଉ କଣ କରିବ । ସୀମା ପରି ନିରୀହ ପିଲାକୁ ଏଥିପାଇଁ ଦୋଷ ଦେବାର କିଛି ମାନେ ନାହିଁ । ଅପରନ୍ତୁ ସେଇ ସୁସ୍ଥ ପିଲାଟିର ମୁହଁକୁ ଚାହିଁ ଜିଇଁ ଯିବେ ସେମାନେ ।

ସୀମା ତା' ସାନ ଭାଇ ସୋନୁକୁ ଗେଲ୍ହା କରେ ବହୁତ ,ଗପ କରେ , ଖେଳେ ଆଉ ଆପଣେଇ ନିଏ । ଆଉ ବଡ଼ ହେଲା ପରେ ସବୁ ଦାୟିତ୍ୱ ନେଇଯାଏ । ଗାଧୋଇ ଦିଏ , ଖୋଇ ଦିଏ , ଟଏଲେଟ୍ ନେଇଯାଏ , ସ୍କୁଲବି ନେଇଯାଏ । ତା' ଅଳି ଅଝଟ ବୁଝିନିଏ । ସୋନୁଠୁ କେତେ ମାଡ଼ ଖାଇ ସହି ଯାଏ କିନ୍ତୁ ଅଭିଯୋଗ କରେନି । ଏମିତି କି ପାପା କି ମାମା ରାଗିଲେ ତାଙ୍କଠୁ ରକ୍ଷା କରିନିଏ । କହିଦିଏ ନିରୀହ ସ୍ୱରରେ '' ମାମା ସେ କ'ଣ କିଛି ବୁଝୁଛି , ତାକୁ ମାରିକି ଲାଭ ?''

ସଭିଙ୍କ ଭିତରେ ସୋନୁ କେବଳ ସୀମା ପା' କୁ ଆପଣାର ମାନେ । ତାରି ପାଖରେ ଅଳି ଅର୍ଦଳୀ କରେ । ଜାଣେ ସେ କେଵଳ ପା' ବୁଝେ ତାକୁ।

ସୀମା ବିନା କଳ୍ପନା କରି ହୁଏନି ଘର । ସେଇ ଝିଅଟି , ଯାହାକୁ ତଡିଦେବାର ଥିଲା ,ଆଜି ସେହିଁ ସଜାଡି ନେଇଛି ଜୀବନ:କେତେ ବିଚିତ୍ର ସତେ !......

ସୋନୁ କିନ୍ତୁ ସମସ୍ୟା ଥିଲା , ଆଉ ରହିବ ବି ସେମିତି ସାରା ଜୀବନ ଜଣା ଥିଲା । ଅତିଷ୍ଠ ହେଉଥିଲା ଜୀବନ ଧୀରେ ଧୀରେ । ଏମିତିକି ରୂପା ଆଉ ଅରୁଣ ବି ରହୁଥିଲେ ବିଷାଦ ଭିତରେ ଆଉ ହଜୁ ଥିଲେ ନିରାଶା ଭିତରେ । ସେଇ ଅସହାୟ ମୁହୂର୍ତ୍ତରେ କିନ୍ତୁ ସୀମାଠି ମିଳୁଥିଲା ସମ୍ଭାବନା ! ଯଦି କେବେ ପାପା ଦୁଃଖ କରୁଥିଲେ ନିଜ ବିକଳାଙ୍ଗ ପିଲାଟିର ଭବିଷ୍ୟତ ପାଇଁ , ସୀମା ଆସି ଲୁହ ପୋଛି ଦେଇ କହୁଥିଲା , '' ପାପା ମୁଁ ଅଛି ତୁମେ ଚିନ୍ତା କରନି ।'' ଆଉ ଧାରେ ହସ ଖେଳେଇ ଦେଉଥିଲା ସଭିଙ୍କ ମୁହଁରେ ।

*************

ପକ୍ଷୀ ଜନ୍ମ ସବୁ ମଣିଷଙ୍କର ସଂସାର ପିଞ୍ଜରା ଭିତରେ । ଛଟପଟ ହୁଅନ୍ତି ସବୁବେଳେ ହଜାରେ ଜଞ୍ଜାଳ ଫାଶରେ । ମୁକ୍ତି ଖୋଜନ୍ତି ବ୍ୟତିବ୍ୟସ୍ତ ହେଇ । ଠିକ ସେମିତି ସୀମା , କିନ୍ତୁ ମୁକ୍ତି ଖୋଜିନି ସେ , ଅପରନ୍ତୁ ଜୀବନକୁ ବାଛିଛି । କୋଳେଇ ନେଇଛି ମମି ଆଉ ପାପାଙ୍କ ଅଧୁରା ସଂସାର ।

ସୋନୁ ପରି ବିରାଟ ସମସ୍ୟା ସହ ସାଲିସ କରି ନେଇଛି। ପାପା ମମିଙ୍କ ଯିବା ପରେ ସୀମା ଭଉଣୀ ନୁହେଁ ମା' ହେଇ ନେଉଛି ସୋନୁର ଦାୟିତ୍ବ । ନିଜ ବାହାଘର ପାଇଁ ବି ସୀମା ବାଛିଛି ସେମିତି ମଣିଷ ଯେ ସୋନୁକୁ ଆପଣେଇ ନେବେ । ସୀମାକୁ ପାଇବାର କେବଳ ଗୋଟିଏ ସର୍ତ୍ତ : ସୋନୁକୁ ନିଜର କରିବାକୁ ହେବ । ତା' ଛଡା ଆଉ କିଏ ଅଛି ଅବୁଝା , ପାଗଳା , ଭାଇର ଏ ଦୁନିଆଁ ରେ ! ଈଶ୍ୱର ଏଠି ସଦୟ ହେଇ ସେମିତି ଜୀବନ ସାଥି ଦେଇଛନ୍ତି ସୀମାକୁ । ଆଉ ଆଜି ପରିପୂର୍ଣ୍ଣ ଘରଟେ ଗଢ଼ିଛି ସେ ନିଜ ସୋନୁ ଆଉ ସଂସାର ସହ ।

ସୋନୁ ଆସିଥିଲା ତା' ଆସିବା ପରେ , ତେଣୁ ସେ ସମ୍ଭାଳିବ ନାହିଁ ତ' କିଏ ସମ୍ଭାଳିବ ?

ସୋନୁ ପାଇଁ ତ' ତା ଅସ୍ତିତ୍ୱ , ନହେଲେ ଅଲୋଡ଼ା ଝିଅଟି ଅନାଥ ଭାବେ ଅନିଶ୍ଚିତ ପୃଥିବୀରେ ହଜି ଯାଇଥାନ୍ତା !......

*ସୌମ୍ୟା*

ସୀମା ସୋନୁ ଅସ୍ତିତ୍ଵ

Rate the content


Originality
Flow
Language
Cover design

Comments

Post

Some text some message..