Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -16
ଜହ୍ନମାମୁଁ -16
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.5K    6


Content Ranking

ଡାକୁ ଭୈରବ 1

ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ରାତ୍ରିର ଏହି ନିଃଶବ୍ଦ ଅନ୍ଧକାରରେ ବେଶ୍ ନିର୍ଭୀକ ଭାବେ ତୁମେ ନିଜ କର୍ତ୍ତବ୍ୟରେ ଆଗେଇ ଯାଉଛ । ତୁମର ଶକ୍ତି ସାମର୍ଥ୍ୟ ଦେଖି ମୁଁ ଖୁବ୍ ଆଚମ୍ବିତ ହେଉଛି । ସମ୍ଭବତଃ ତୁମର ଏପରି ଆତ୍ମ-ବିଶ୍ୱାସର କାରଣ ଧର୍ମ ଓ ନ୍ୟାୟ । ଏହାରି ବଳରେ ଶାସନ ପରିଚାଳିତ ହେଉଛି । କିନ୍ତୁ କେତେକ ଶାସକ ନ୍ୟାୟ ଓ ଧର୍ମର ଭିତିରେ ଶାସନ କରୁଥିଲେ ମଧ୍ୟ, କୌଣସି କ୍ଷେତ୍ରରେ ନିଜର ମାନସିକ ବଳହୀନତା ପ୍ରକାଶ କରି ଧର୍ମ ଓ ନ୍ୟାୟର ବିରୁଦ୍ଧାଚରଣ କରିଛନ୍ତି । ଉଦାହରଣ ସ୍ୱରୂପ ମୁଁ ତୁମକୁ ଡାକୁ ଭୈରବର କାହାଣୀ ଶୁଣାଉଛି । ଶୁଣ, ଶୁଣିଲେ ତୁମ ପଥଶ୍ରମ ଲାଘବ ହେବ ।” ଏହାପରେ ସେ ବେତାଳ ଗପିବାରେ ଲାଗିଲା ।

ବହୁଦିନ ତଳେ ମନ୍ଦାର ପ୍ରଦେଶରେ ମଣିଧ୍ୱଜ ନାମକ ଜଣେ ଶାସକ ଶାସନ କରୁଥିଲେ । ନିଜର ଧୈର୍ଯ୍ୟ, ସାହସ, ବିବେକ ଓ ନ୍ୟାୟପୂର୍ଣ୍ଣ ଶାସନ ନିମନ୍ତେ ସେ ବେଶ୍ ପ୍ରଖ୍ୟାତ ଥିଲେ । ତାଙ୍କର ଶାସନରେ କଠୋର ଦଣ୍ଡବିଧି ପ୍ରଚଳିତ ଥିଲା । ଚୋରର ହାତ କାଟି ଦିଆ ଯାଉଥିଲା । ଡାକୁକୁ ଶୂଳୀ ଦଣ୍ଡ ମିଳୁଥିଲା । ତେବେ ମଧ୍ୟ ଦେଶରେ ଡାକୁ ଉପଦ୍ରବ ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥାଏ ।

କାରଣ ମନ୍ଦାର ପ୍ରଦେଶ ଓ ପଡୋଶୀ ରାଜ୍ୟ ଚମ୍ପକ ନଗରୀର ସୀମାବର୍ତ୍ତୀ ଅଂଚଳରେ ଏକ ବିରାଟ ଅରଣ୍ୟ ଥିଲା । ସେହି ଘଂଚ ଅରଣ୍ୟରେ ଆତ୍ମଗୋପନ କରି ଡାକୁମାନେ ପ୍ରଜାମାନଙ୍କୁ ଆକ୍ରମଣ କରୁଥିଲେ । ମଣିଧ୍ୱଜଙ୍କ ସୈନିକମାନେ ବହୁବାର ସେ ଡକାୟତଙ୍କୁ ଧରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିଲେ । ଘୋର ଅରଣ୍ୟରେ ସେମାନଙ୍କର ସନ୍ଧାନ କରିବା ଆଦୌ ସମ୍ଭବ ହେଉ ନ ଥିଲା ।

ଏହି ଜଙ୍ଗଲରେ କୁଖ୍ୟାତ ଡାକୁ ଭୈରବ ବାସ କରୁଥିଲା । ତା’ର ପିତା ଡକାୟତ ସର୍ଦ୍ଦାରର ମୃତ୍ୟୁ ପରେ ସେ ବାଲ୍ୟକାଳରୁ ଡାକୁ ସର୍ଦ୍ଦାର ରୂପେ ଦଳରେ ଯୋଗ ଦେଇଥିଲା । ଯାତ୍ରୀମାନଙ୍କୁ ଲୁଣ୍ଠନ କରିବାର କଳା କୌଶଳରେ ସେ ପୁରାପୁରି ଓସ୍ତାଦ୍ ଥିଲା ।

ଥରେ ଭୈରବ ପାଖକୁ ତା’ର ସାଥୀମାନେ ଜଣେ ମୁନିଙ୍କୁ ଧରି ଆଣିଲେ । ସେମାନେ ପ୍ରକାଶ କଲେ ଯେ, ଏହି ଛଦ୍ମବେଶୀ ମୁନି ରାଜାଙ୍କ ଗୁପ୍ତଚର ଅଟେ । କିନ୍ତୁ ଯେତେବେଳେ ଭୈରବ ସ୍ପଷ୍ଟ ରୂପେ ଜାଣିପାରିଲା ଯେ ସେ ପ୍ରକୃତରେ ଜଣେ ସାଧୁ ମହାତ୍ମା, ତାଙ୍କୁ ଅରଣ୍ୟର ଅପର ପ୍ରାନ୍ତରେ ଛାଡି ଦେବା ପାଇଁ ସେ ତା’ର ଅନୁଚରମାନଙ୍କୁ ଆଦେଶ ଦେଲା ।

ମୁନି ସେଠାରୁ ଯିବା ପାଇଁ ଅନିଚ୍ଛୁକ ହୋଇ କହିଲେ, “ପୁତ୍ର, ମୁଁ ତ ଜାଣିଶୁଣି ଅରଣ୍ୟର ଏହି ନିଘଂଚ ଅଂଚଳକୁ ଆସିଛି । ମୋର ଯୋଗ ସାଧନା ନିମନ୍ତେ ଏକାଗ୍ରତା ଓ ନିରୋଳା ପରିବେଶ ନିତାନ୍ତ ଆବଶ୍ୟକ ।

କିନ୍ତୁ ଏହା ପୂର୍ବରୁ ମୁଁ ଯେତେଥର ଯୋଗ ସାଧନାରେ ଉପବେଶନ କରିଛି, କେହି ନା କେହି ଯାତ୍ରୀଙ୍କର ଦୃଷ୍ଟି ମୋ ଉପରେ ପଡିଛି ଓ ସେମାନେ ନାନାଦି ପ୍ରଶ୍ନ ପଚାରି ମୋର ଧ୍ୟାନ ଭଙ୍ଗ କରାଇଛନ୍ତି । ଏହା ଫଳରେ ମୋର ଏକାଗ୍ରତା ନଷ୍ଟ ହୋଇଛି । ଏହି ଗୋପନ ସ୍ଥଳୀରେ ମୋ ପାଇଁ କିଛି ବନ୍ଦୋବସ୍ତ କରାଇ ଦେଲେ ମୋର ଯୋଗ ସାଧନା ସମ୍ପୂର୍ଣ୍ଣ ହୋଇ ପାରନ୍ତା ।”

ଭୈରବ ସେହି ମୁନିଙ୍କ ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଇଲା, ଯେପରି ସାଧୁ ମହାତ୍ମାଙ୍କର ତପସ୍ୟା ନିର୍ବିଘ୍ନରେ ସମାପନ ହୋଇ ପାରିବ ।

ଦିନେ ସାଧୁ ଭୈରବକୁ ନିଜ ପାଖକୁ ଡକାଇ କହିଲେ, “ପୁତ୍ର ଏବେ ତ ଗ୍ରୀଷ୍ମଋତୁ ଆଗତ-ପ୍ରାୟ । ଉଷ୍ମତାର ଆଧିକ୍ୟ ହେତୁ ମୁଁ ହିମାଳୟ ଅଂଚଳକୁ ଚାଲି ଯିବାକୁ ଇଚ୍ଛା କରୁଛି । ତୁମର ସେବା-ଯତ୍ନରେ ମୁଁ ଅତ୍ୟନ୍ତ ପ୍ରସନ୍ନ, ମାତ୍ର ତୁମର ବୃତ୍ତି ମୋତେ ଦାରୁଣ ଆଘାତ ଦେଇଛି । ପରଧନ ଅପହରଣ, ଲୁଣ୍ଠନ ଏକ ପାପ କର୍ମ ଅଟେ ।”

ସାଧୁଙ୍କର ଏଭଳି ଉପଦେଶ ଶୁଣି ଭୈରବ କହିଲା, “ମହାତ୍ମା, ମୋତେ ପ୍ରକୃତରେ ପାପ କ’ଣ, ପୂଣ୍ୟ କ’ଣ ତାହା ଜଣା ନାହିଁ । ଆମର ପୂର୍ବପୁରୁଷ ଅମଳର ପେସା ଲୁଣ୍ଠନ ଓ ଡକାୟତି । କେବଳ ଯୁଦ୍ଧ ବ୍ୟତୀତ ମୋତେ ଅନ୍ୟ କୌଣସି ବିଦ୍ୟା ମଧ୍ୟ ଜଣା ନାହିଁ । ରାଜା କ’ଣ ମୋତେ ତାଙ୍କର ସୈନ୍ୟବାହିନୀରେ ସ୍ଥାନ ଦେବେ? ଧରା ପଡିବା ମାତ୍ରେ ମୋତେ ଏକ ଡାକୁର ସଜା ମିଳିବା ସୁନିଶ୍ଚିତ । ତେଣୁ ଏ ଜୀବନରେ ନିଜକୁ ପରିବର୍ତ୍ତନ କରି ମୋତେ ଆଉ କ’ଣ ବା ଲାଭ ମିଳିବ?”

ସାଧୁ ମହାତ୍ମା ଭୈରବର ସଦ୍ବୁଦ୍ଧି ଉଦୟ ନିମନ୍ତେ ବହୁ ଚେଷ୍ଟା କଲେ, କିନ୍ତୁ ସେଥିରେ ସେ ବିଫଳ ହେବାରୁ ଭୈରବକୁ ସେ କହିଲେ, “ପୁତ୍ର, ଯାହା ଉଚିତ୍ କଥା, ତାହା ମୁଁ ତୁମକୁ ଜଣାଇଲି । ଏବେ ତୁମର ଇଚ୍ଛା । କିନ୍ତୁ ମୋର ସେବାର ପ୍ରତିଦାନ ମୁଁ ତୁମକୁ ଦେବାପାଇଁ ଚାହୁଁଛି । ମୁଁ ତୁମକୁ ଗୋଟିଏ ମନ୍ତ୍ର ଶିକ୍ଷା ଦେବି । ତାହା ଜପ କରିବା ମାତ୍ରେ ତୁମେ ଏକ ଶିଶୁ ହୋଇଯିବ । ଏହାଦ୍ୱାରା ତୁମେ ନିଜର ଜୀବନ-କାଳ ପୁନଶ୍ଚ ପ୍ରଥମରୁ ଆରମ୍ଭ କରି ପାରିବାର ଯଥେଷ୍ଟ ସୁଯୋଗ ପାଇ ପାରିବ । କିନ୍ତୁ ହଁ, ତୁମେ ପୁଣି ଥରେ ଭୈରବ ହେବା ପାଇଁ ଚାହିଁଲେ ଆଉ ହୋଇ ପାରିବ ନାହିଁ । ଆବଶ୍ୟକତା ପଡିଲେ ଏହି ମନ୍ତ୍ର ବଳରେ ତୁମେ ଏକ ନୂତନ ଜୀବନ ଆରମ୍ଭ କରିପାର ।” ମୁନି ମନ୍ତ୍ର ଶିକ୍ଷା ଦେଇ ସେ ସ୍ଥାନ ପରିତ୍ୟାଗ କଲେ ।


ମଣିଧ୍ୱଜ ଡାକୁ ଭୈରବ

Rate the content


Originality
Flow
Language
Cover design

Comments

Post

Some text some message..