ପାରୋ
ପାରୋ
ବିନତି ଦେବୀ ଆଜି ନିଶ୍ଚଳ ପ୍ରାୟ ହୋଇଯାଇଛନ୍ତି ସୁକନ୍ୟାକୁ ଦେଖି।ସୁକନ୍ୟା ବିନତି ଦେବୀଙ୍କର ଏକ ମାତ୍ର ଅଲିଅଳି ଝିଅ।ସେ ଜନ୍ମ ହେବା ଦିନଠାରୁ ତାଙ୍କ ଘରର ଉନ୍ନତି ହୋଇ ଚାଲିଛି।ସେବେଠାରୁ ସେ କେବେ ପଛକୁ ବୁଲି ଚାହିଁ ନାହାଁନ୍ତି।ସୁକନ୍ୟାକୁ ଯିଏ ଦେଖେ ଘଡିଏ ଚାହିଁ ରହେ।ଏତେ ସୁନ୍ଦର ,ସତରେ କ'ଣ ଏତେ ସୁନ୍ଦର ଝିଅ ଅଛନ୍ତି।ଯିଏ ଦେଖେ ତା ପାଟିରୁ ଏହାହିଁ ପ୍ରଥମ ଶବ୍ଦ ବାହାରେ।ସେଥିପାଇଁ ବିନତି ଦେବୀ ମନେ ମନେ ବହୁତ ଗର୍ବ କରନ୍ତି।
ମୋର ମନେ ଅଛି ଯେଉଁ ଦିନ ଦେବଦାସ ଚଳଚ୍ଚିତ୍ର ଦେଖିବା ପାଇଁ ଯାଇଥିଲୁ ସେହିଦିନ ସେ ସିନେମା ହଲରେ ହିଁ କହିଥିଲେ ପାରୋ ଠାରୁ ବି ମୋ ଝିଅ ସୁନ୍ଦର । ତାର ଯଦି ତା ସୁନ୍ଦରତାକୁ ନେଇ ଏତେ ଗର୍ବ ତେବେ ମୋର କି ମୋ ଝିଅ ବଡହେଲେ ତାର କାହିଁକି ନ ହେବ।ସେଦିନ ସୁକନ୍ୟା ଦଶ କି ବାର ବର୍ଷ ର ହୋଇଥିଲା।ଦେବଦାସ ଚଳଚ୍ଚିତ୍ର ର ଐଶ୍ୱର୍ଯ୍ୟା ରାୟ ର ପାର୍ବତୀ(ପାରୋ)ର ଅଭିନୟ ଏତେ ନିଖୁଣ ଥିଲା ଯେ ତାହା ସୁକନ୍ୟାର ମନ ଭିତରେ ଏକ ପ୍ରକାର ଘର କରିଯାଇଥିଲା।କେଜାଣି କାହିଁକି ସବୁବେଳେ ସେ ତାରି ସୁନ୍ଦରତାକୁ ନିଜ ସହ ତୁଳନା କରେ।ବିନତି ଦେବୀ ମଧ୍ୟ ତ କଥାକୂ ସମର୍ଥନ କରି ତାକୁ ମୁହଁ ଦିଅନ୍ତି।ଏତେ ସେ ପାରୋର ଚରିତ୍ର କୁ ଭଲ ପାଇ ବସିଲା ଯେ ବେଳେବେଳେ ନିଦରେ ବି ତା ସୁନ୍ଦରତାକୁ ବର୍ଣ୍ଣନା କଲା।
ଧିରେ ଧିରେ ସମୟ ଗଡିଲା ତା ସହ ବୟସ ବି।ପ୍ରକୃତରେ ପୂର୍ଣ୍ଣିମା ର ଚାନ୍ଦ ପରି ସୁକନ୍ୟାର ସୁନ୍ଦରତା ବଢି ବଢି ଚାଲିଲା ତା ସହ ତାର ଗର୍ବ। ସେହି ଭିତରେ ନିଜକୁ ସଜେଇବାରେ ସେ ଏତେ ବ୍ୟସ୍ତ ରହିଲା ଯେ ପାଠ ପଢିଲା ନାହିଁ କି ପଢିବା ପାଇଁ ଇଛା କଲା ନାହିଁ।ବିନତି ଦେବି ମଧ୍ୟ ତା ପାଠରେ ଧ୍ୟାନ ଦେଲେ ନାହିଁ।ସଦା ସର୍ବଦା କହିଲେ ମୋ ଝିଅର ପାଠ କ'ଣ ହେବ ତାକୁ ତ ବାହା ହେବା ପାଇଁ ବର ଅନେଇ ବସିଛନ୍ତି।ତଙ୍କର ଏପରି କଥା ଧିରେ ଧିରେ ସମସ୍ତଙ୍କୁ ଖରାପ ଲାଗିଲା।ସେପଟେ ସୁକନ୍ୟା ତା ସାଙ୍ଗ ମାନଙ୍କ ସହ ସଦା ସର୍ବଦା ନିଜ ସୌନ୍ଦର୍ଯ୍ୟ ଚର୍ଚ୍ଚା ରେ ବ୍ୟସ୍ତ ଥାଏ।ପାରୋ ଚରିତ୍ର ଟି ତାର ମନକୁ ଏପରି ପାଇଥିଲା ଯେ ସେ ଚଳଚ୍ଚିତ୍ର ର ପ୍ରତିଟି ମୁହୂର୍ତ୍ତ ଯେଉଁ ଠି ସେ ଅଭିନୟ କରିଛି ତାକୁ ମୁଖସ୍ତ କରି ସେହି ପ୍ରକାରେ ଅଭିନୟ କରିଦେଉଥିଲା।ଅନେକ ସମୟରେ ତା ସାଙ୍ଗମାନେ କୁହନ୍ତି ,ତୁ ଯାଆ ସେହି ଚଳଚ୍ଚିତ୍ର ରେ ଅଭିନୟ କରିବୁ।ଏହା ଶୁଣି ତା ମନ କୁଣ୍ଢେମୋଟ ହୋଇ ଯାଏ।ବିବାହ ସମୟ ଆସିଲା।ବର ଖୋଜା ଚାଲିଲା।ପ୍ରଥମେ ପ୍ରଥମେ ଭଲ ଘରର ପ୍ରସ୍ତାବ ଆସିଲା ମାତ୍ର ପାଠ ନଥିବାରୁ ସେସବୁ ମନା କରି ଗଲେ।ତାପରେ ବି କିଛି ମଧ୍ୟମ ଧରଣର ପ୍ରସ୍ତାବ ଆସିଲା ସେଥିରେ ବିନତି ଦେବି ମନା କରନ୍ତି କାରଣ ସବୁଠି ସୁକନ୍ୟା କୁ ଘର କାମ କରିବାକୁ ପଡିବ ବୋଲି ଜାଣି ପାରନ୍ତି ତେଣୁ କୁହନ୍ତି ମୋ ଝିଅର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ।
ଏସବୁ ବାଦେ ବି ଏକ ଭଲ ଘରର ପ୍ରସ୍ତାବ ଆସିଲା।ଏକ ମାତ୍ର ପୁଅ ଓ ମାଆ ,ବାପା ।ଘରେ ଜଣେ ମଧ୍ୟ ବୟସ୍କା ମହିଳା ଥାନ୍ତି କାମ କରିବା ପାଇଁ।ତେଣୁ ସେଠାରେ ବିନତି ଦେବି ରାଜି ହୋଇଗଲେ।ମାତ୍ର ପୁଅ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ।ହଉପଛେ ସବୁ ରାଜି ହୋଇ ବିବାହ ଖୁବ ଭଲରେ ହେଲା।ସୁକନ୍ୟା ଶାଶୁ ଘରକୁ ଗଲା।ମାତ୍ର ଗଲା ବେଳେ ବିନତି ଦେବି ଏକ ମନ୍ତ୍ରଣା ଦେଲେ ଯେ ବିବାହର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସନ୍ତାନ କଥା ଧରିବୁନି ନହେଲେ ତୋର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ।ମାଆ ର କଥାଟି ଅକ୍ଷରେ ଅକ୍ଷରେ ପାଲନ କରୁଥିଲା ବିନତି ।
ବର୍ଷେ ଯାଇ ଦୁଇ ବର୍ଷ ହେଲା ମାତ୍ର ସୁକନ୍ୟାର କୋଳ ଶୂନ୍ୟ ଦେଖି ଲୋକେ କହିବା ଆରମ୍ଭ କଲେ।ଯେଉଁ ମାନେ ଶାଶୁଘରେ ତା ସୁନ୍ଦରତାକୁ ବଖାଣି ବଖାଣି ଥକୁନଥିଲେ ସେମାନେ ହିଁ କହିବା ଆରମ୍ଭ କରିଦେଲେ।
ସେତେବେଳକୁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବି ଏଇ କଥାକୁ ନେଇ ଝଗଡା ଆରମ୍ଭ ହୋଇଯାଏ।ବାରମ୍ବାର ସୁକନ୍ୟା ର ଗର୍ଭ ନଷ୍ଟ ହେଉଥିବାରୁ ଡାକ୍ତରଙ୍କ ପରାମର୍ଶ କଥା କହିଲେ ସୁକନ୍ୟା ଅରାଜି ହୁଏ ।ତେଣୁ ଧିରେ ଧିରେ ଶାଶୁ ଘରର ସମସ୍ତେ କହିବା ଆରମ୍ଭ କଲେ।ଏପରି ଦିନେ ସେ ରାଗିକି ତାଙ୍କ ଈରକୁ ପଳେଇଆସିଲା।
ମାଆ ବିନତି ଦେବି ମଧ୍ୟ ତାର ପକ୍ଷ ନେଇ ଚୁପ ରହିଲେ।ଏପରି କହିଲେ ତୋ ସୁନ୍ଦରତାକୁ ଛାଡି ତୋ ଶାଶୁଘର ଲୋକ ରହିପାରିବେ ନାହିଁ ତୁ ବ୍ୟସ୍ତ ହେବୁନି।ଏପରି କିଛି ମାସ କଟିଲା।ଶାଶୁଘର ଲୋକ ଆସିଲେନି।ବଳେ ବଳେ ସୁକନ୍ୟା ତାଙ୍କ ଘରକୁ ଗଲା।କ୍ରମେ କ୍ରମେ ତା ମନରେ ବସା ବାନ୍ଧିଲା ଯେ ତାର ପ୍ରିୟ ଚଳଚ୍ଚିତ୍ର ନାୟିକା ପାରୋର ଯେଉଁ ଅବସ୍ଥା ହେଲା ଓ ସେ ଯେଉଁ ଦୁଃଖ ଭୋଗକଲା ତାର ଅବସ୍ଥା ତାହା ହେବନି ତ।ଏମିତି ଭାବି ଏଥର ନିଜ ଯିଦିରୁ ଓହରିଲା।ମାତ୍ର ବିଧିର ବିଧାନ ବିଚିତ୍ର।ଯେତେ ଚେଷ୍ଟା କଲେବି ଯେଉଁ ଔଷଧ ସବୁ ଖାଇଥିଲା ତାର ପ୍ରଭାବରେ ସେ ଆଉ ମାଆ ହୋଇପାରିଲା ନାହିଁ।ମାତୃ ସୁଖରୁ ବଞ୍ଝିତ ହୋଇ ସେ ପାଗଳ ପ୍ରାୟ ହୋଇଗଲା।ଆଇନାରେ ତା ନିଜ ମୁହଁ ଯେତେବେଳେ ଦେଖେ ସେ କଳା ନାଲି ରଙ୍ଗ ଦେଇ ତାକୁ ବିକୃତ ରଙ୍ଗ କରି ମନେ ମନେ ହସେ ଓ କୁହେ ପାରୋଠୁ ମୁଁ ଆହୁରି ସୁନ୍ଦର।
ତାର ଏପରି ବ୍ୟବହାର ଦେଖି ବିନତି ଦେବି ତାକୁ ଘରକୁ ନେଇଗଲେ।ଅନେକ ବୈଦ ଓ ଡାକ୍ତର ଦେଖାଇଲେ ମାତ୍ର ତାର ବିକୃତପଣ ଆଉ ଠିକ ହେଲା ନାହିଁ।
ଯେତେବେଳେ ସେ ଦର୍ପଣ ଦେଖିଲା ସେତେବେଳେ ନିଜକୁ ବିକୃତ କରି ସଜେଇହେବା ଆରମ୍ଭ କରିଦିଏ।
ସେବେଠାରୁ ବିନତି ଦେବି ନିଜେ ମଧ୍ୟ ଦର୍ପଣ ଦେଖନ୍ତି ନାହିଁ ଓ ସବୁବେଳେ କୁହନ୍ତି ଏ ଦର୍ପଣଟା ଅଭିସପ୍ତ ,ମୋ ଝିଅକୁ ନଜର ଲଗେଇଦେଲା।ମାତ୍ର ପ୍ରକୃତରେ ଅନ୍ତର ମଧ୍ୟରେ ସେ ନିଜକୁ ହିଁ ଏସବୁ ପାଇଁ ଦାୟୀ କରନ୍ତି।