Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବିଷ ଚିଠି
ବିଷ ଚିଠି
★★★★★

© Sagarika Mohanty

Fantasy Others

5 Minutes   8.0K    11


Content Ranking

ମାଆ ,

ତୁ ଆଜି ଫେରିଗଲୁ । ଆଉ ଅଟକେଇ ପାରିଲିନି ତୋତେ । ମୋ ପାଖରେ ଦୀର୍ଘ ତିନି ମାସର ତୋର ରହଣି ଭିତରେ ମୁଁ ଭୁଲି ଯାଇଥିଲି ମୋ ନିଜକୁ । ତୋ ସେବା ଯତ୍ନ କରିବାରେ ଯୋଉ ଆନନ୍ଦ ପାଇଲି , ତାର ଆକଳନ କେବେ ବି କରି ପାରିବିନି । ସବୁଠାର ବେଶି ଖୁସି ଲାଗୁଥିଲା , ଘଣ୍ଟା ଘଣ୍ଟା ଧରି ତୋ ଠାରୁ ମୋ ପିଲା ଦିନ କଥା ଶୁଣିବାକୁ । ଏମିତି ବହୁତ କଥା , ଯାହା ମୁଁ ଆଗରୁ କେବେ ଶୁଣିବାର ସୁଯୋଗ ପାଇନଥିଲି । ତୋ ଯିବା ପରେ ବି ମୁଁ ବସି ବସି ସେଇ କଥା ସବୁ ଭାବୁଛି ।

ପିଲା ଦିନେ ମୁଁ ଏତେ ମୋଟୀ ହେଇଥିଲି ଯେ ତୁ ମୋତେ " ଗୋଲ ମୋଟଲ " ଡାକୁଥିଲୁ । ମୁଁ ଦୌଡ଼ି ପାରୁନଥିଲି ବୋଲି ଭାଇ ମାନେ ମୋ ସାଙ୍ଗରେ ଜମା ଖେଳୁ ନଥିଲେ । ତୁ କହୁଥିଲୁ , ମୋ ଦେହର ରଙ୍ଗ କୁଆଡେ ଏତେ ସୁନ୍ଦର ହେଇଥିଲା ଯେ ସମସ୍ତେ ନଜ଼ର ପକେଇ ଦେଉଥିଲେ । କିନ୍ତୁ ଏବେ ଆଉ ସେ ରଙ୍ଗ ନାହିଁ , ନୁହେଁ ମାଆ ! ସମୟର ଅପରାହ୍ନ ରେ ଫିକା ପଡ଼ି ଯାଇଛି । ସେ କଥା ତୁ ବେଶ ବୁଝି ପାରିଥିବୁ ।

ତୁ କହୁଥିଲୁ , ଆମ ଘର ପାଖ ଦୋକାନୀ , ବିଡି ଖାଇ ସାରି ଫୋପାଡ଼ି ଦେଲା ପରେ ମୁଁ କୁଆଡେ ତାକୁ ଉଠେଇ ନେଇ ଲୁଚି ଲୁଚି ଖାଉଥିଲି । ସେ କଥା ମନେ ପକେଇ ଏବେ ବି ମୋ ପୁଅ ହସି ହସି ଗଡି ଯାଉଛି । ତା ଆଗରେ କାହିଁକି ମୋର ସିକ୍ରେଟ କହୁଥିଲୁ ଯେ । ଦେଖିଲୁନି , କେମିତି ଚିଡାଉଛି ସବୁବେଳେ ମୋତେ । ଦେଖିବୁ , ଏଇ କଥା କହି କହି ମୋତେ କେତେ ଟାହି ଟାପରା କରିବ ଏବେ ।

ତୁ କହୁଥିଲୁ , ମୋତେ ତୁ ଖାଇବାକୁ ବାଢ଼ିଦେଲେ , ମୁଁ କୁଆଡେ ପଚାରୁଥିଲି , "ଘରେ ଅନ୍ୟ ମାନେ ଖାଇ ସାରିଲେଣି କି ନାହିଁ । " ସତ କହିଲୁ ମାଆ , ଏତେ ଛୋଟ ବୟସରୁ ଏତେ ବୁଦ୍ଧି ମୋର ଆସିଲା କୋଉଠୁ !! ଏବେ କିନ୍ତୁ ଦେଖିଲୁ ତ , ନିଜ ଚିନ୍ତା ଆଗ କରୁଛି । ଆଗ ଖାଇ ଦେଉଛି । ଏ ଅଲଶର ରୋଗ ଟା ମୋତେ ଟିକେ ସ୍ଵାର୍ଥପର କରିଦେଇଛି ।

ବାପାଙ୍କର ଗେଲ୍ହା ଝିଅ ହେଇଥିଲି ।

ବାପା ବଞ୍ଚିଥିବା ଯାଏ ମୋତେ "ରାଣୀ ମା " ଡାକୁଥିଲେ । ସେକଥା ଆଜି ଯାଏ ବି ମୋର ମନେ ଅଛି । ସନ୍ଧ୍ୟା ବେଳେ ବାପାଙ୍କ କୋଳରେ ବସି ପାଠ ପଢ଼ୁଥିଲି ବୋଲି ତୁ କେତେ ବିରକ୍ତ ହେଉଥିଲୁ । ଆଉ ଆମ କୁକୁର "ଟୋନି" , ବାପାଙ୍କର କେତେ ପ୍ରିୟ ଥିଲା । କିନ୍ତୁ ମୁଁ ତାକୁ ଦେଖିଲେ , ବିରକ୍ତ ହେଉଥିଲି । ଡରୁଥିଲି ବି । ଶେଷ ଯାଏ ବାପା ତା ସାଙ୍ଗେ ମୋର ବନ୍ଧୁତା କରେଇ ପାରି ନଥିଲେ ।

ଥରେ କୁଆଡେ ତୋତେ ଜର ହେଇଥିଲା । ବାପା ବି ଘରେ ନଥିଲେ ।ଭାଇ ମାନେ ସ୍କୁଲ ଚାଲିଗଲେ । ମୁଁ କିନ୍ତୁ ଅଧା ବାଟରୁ ଫେରି ଆସିଲି । ତୋ ପାଟିରେ ଚାମଚରେ ଟିକେ ଟିକେ ପାଣି ଦେଉଥିଲି । ବାପା ଫେରି ନ ଆସିବା ଯାଏ ତୋତେ ଧରି ଶୋଇ ରହିଥିଲି । ପରେ ତୁ ତ ଭଲ ହେଇ ଯାଇଥିଲୁ କିନ୍ତୁ ମୁଁ କୁଆଡେ ଜରରେ ପଡି ଯାଇଥିଲି ।

ଥରେ କୁଆଡେ ତୋ ଜନ୍ମଦିନ ରେ ଜିଦ କରି ଦଶ ପଇସା ବାପାଙ୍କ ଠୁ ମାଗି ନେଇ ଯାଇଥିଲି । ବାପା ଦେଇଦେଲେ । କାରଣ ମୁଁ କୁଆଡେ କାହାକୁ କେବେ କିଛି ଅଳି କରି ମାଗୁ ନଥିଲି । ସେ ଟଙ୍କାରେ ଦୋକାନରୁ ଦୁଇଟା ଜଲେବି ଆଣି , ତୋତେ ଖୁଏଇ , ତୋ ଗୋଡ଼ ଛୁଇଁ ମୁଣ୍ଡିଆ ମାରିଥିଲି । ତୁ ଖୁସିରେ କାନ୍ଦି ପକେଇଥିଲୁ । ଭାଇ ମାନେ ତୋ ଜନ୍ମଦିନ ଭୁଲି ଯାଇଥିଲେ । ଆଜି ବି ଭୁଲିଯାନ୍ତି । ହେଲେ ଆଜି ଯାଏ ତୋ ଜନ୍ମଦିନ ମୁଁ କେବେ ଭୁଲିନି । ନୁହେଁ ମାଆ !!

ଆହୁରି ବି ବହୁତ କଥା । ଏତେ କଥା ଭିତରେ ଆଉ କିଛି କହିବାକୁ ଭୁଲି ଯାଇନୁ ତ ? କାଳେ କିଛି ସିକ୍ରେଟ ରହିଯାଇଥିବ । ରହ , ମୁଁ ଟିକେ ମନେ ପକାଏ ।

ମୁଁ କୁଆଡେ ଖୁବ ଭଲ ପାଠ ବି ପଢ଼ୁଥିଲି । ସମସ୍ତଙ୍କର ଖୁବ ଆଜ୍ଞାଧୀନ ଆଉ ଶାନ୍ତଶିଷ୍ଟ ଥିଲି । ମାଛି କୁ ମ' ବୋଲି କହୁନଥିଲି । ସେଥିପାଇଁ ଆଜି ଯାଏ ସୁଶାନ୍ତ କାକାଙ୍କ ବିଷୟରେ କାହାକୁ କିଛି କହିପାରରିନଥିଲି । ହେଲେ ତୋ ମୁହଁରୁ ତାଙ୍କ ମୃତ୍ୟୁ ଖବର ଟା ଶୁଣି ସାହାସ ପାଇଲି । ତଥାପି ତୋ ଉପସ୍ଥିତିରେ କହିପାରିଲିନି । କହିଥିଲେ , ବୋଧେ ତୁ ବୁଝି ପାରିନଥାନ୍ତୁ । ସେଥିପାଇଁ ଏ ବିଷ ଚିଠି ଲେଖୁଛି । ପିଲାବେଳେ କହିଥିଲେ ତୁ ଭାବିଥାନ୍ତୁ , ଏଇଟା ମୋର ପିଲାଳିଆମୀ । ମୁଁ ବି କଣ କହିଥାନ୍ତି , କେମିତି କହିଥାନ୍ତି । ସେ ଅଭିଯୋଗଟା କେମିତି କରନ୍ତି , ତୁ କେବେବି ଶିଖେଇ ନଥିଲୁ ମୋତେ । ବାପାଙ୍କର ଘନିଷ୍ଠ ବନ୍ଧୁ ଥିଲେ ସୁଶାନ୍ତ କାକା । ତା ବୋଲି ତାଙ୍କ ଉପରେ ଏତେ ଭରସା କରିବା କଣ ତୋର ଠିକ ଥିଲା ମାଆ କହିଲୁ । ମୋ ପାଠ କଣ ଏତେ କଷ୍ଟ ଥିଲା ଯେ ତୁ ପଢେଇ ପାରିଲୁନି । ପଠେଇ ଦେଉଥିଲୁ ସେ ରାକ୍ଷାସଟା ପାଖକୁ , ତୋର ଏଇ ଗୋଲ ମୋଟଲ ଝିଅକୁ । ମୋ ଫ୍ରକ ଖୋଲିଦେଇ ସିଏ ମୋ ସାଙ୍ଗେ କଣ ଯେ କରୁଥିଲା ମୁଁ ଆଜି ଯାଏ ଠିକ ଭାବେ ବୁଝି ପାରିନି । ଖୁବ କଷ୍ଟ ହେଉଥିଲା ମାଆ । ମୋ ପାଟି ବନ୍ଦ କରି ଦିଆ ଯାଉଥିଲା । ମୋତେ ଧମକ ଦିଆ ଯାଉଥିଲା । ମୋ ଅସହାୟ ଆଖି କେବଳ ତୋତେ ହିଁ ଖୋଜି ବୁଲୁଥିଲା । ଲାଗୁଥିଲା ଯେମିତି , ତୁ ଏଇନା ଏ କାନ୍ଥ ଭିତରୁ କୋଉଠୁ ବାହାରି ଆସିବୁ ଆଉ ଏ କଦର୍ଯ୍ୟ ଲୋକଟା ପାଖରୁ ମୋତେ ଉଦ୍ଧାର କରିବୁ । ହେଲେ ତୁ କେବେବି ଆସିଲୁନି । ବରଂ ସବୁଦିନ ମୋତେ ନେଇ ସେ ଦୁଷ୍ଟ ଲୋକଟା ପାଖରେ ଜୋର ଜବରଦସ୍ତ ଛାଡି ଦେଇ ଆସୁଥିଲୁ । ମୁଁ କାନ୍ଦିଲେ , ତୁ ଭାବୁଥିଲୁ , ବୋଧେ ମୁଁ ପାଠକୁ ଡରୁଛି ବୋଲି। ଛଅ , ସାତ ବର୍ଷର ଛୁଆର ଏମିତି କେତେ ପାଠ , କହିଲୁ ମାଆ । ସେ ରକ୍ଷାସଟା ବି କେମିତି ତୋତେ ବୁଝେଇ ଦେଉଥିଲା କେଜାଣି , ତୁ ବି ବୁଝି ଯାଉଥିଲୁ । ଭାଗ୍ୟକୁ ବାପାଙ୍କର ବଦଳି ହେଇଗଲା । ଆଉ ମୁଁ ରକ୍ଷା ପାଇଗଲି । ଏତେ ବର୍ଷ ପରେ , ଏ କଥାର କିଛି ମୂଲ୍ୟ ନାହିଁ ମୁଁ ଜାଣେ ।

କିନ୍ତୁ ସେଦିନ ତୁ ପଚାରିଥିବା କଥାର ଉତ୍ତର ଦେବାକୁ ଚାହୁଁଥିଲି । ତୁ ପଚାରୁଥିଲୁ ନା , ମୁଁ ମୋର ଗୋଟିଏ ବୋଲି ପୁଅର ରକ୍ଷଣାବେକ୍ଷଣ ପାଇଁ ଏତେ ସୁନ୍ଦର ଚାକିରୀଟା କାହିଁକି ଛାଡିଦେଇଛି । ପୁଅ ପିଲାଟା , ଟିକେ ସ୍ମାର୍ଟ ହେବା କଥା । ସମାଜ ଆଜି ଆହୁରି କଳୁଷିତ ହେଇ ଯାଇଛି ମାଆ । ମାଆ ହେଲା ପରେ ବୁଝିଲି , କିମ୍ବା କହିପାରୁ , ବୁଝିବାକୁ ଚାହିଁଲି ଯେ ପୁଅ , ଝିଅ ସମସ୍ତଙ୍କ ପାଇଁ ଏବେ ଘଡି ସନ୍ଧି ମୁହୂର୍ତ୍ତ । ନିଜକୁ ନିଜ ସନ୍ତାନର ଦାୟିତ୍ୱ ନେବାକୁ ହେବ । ତାକୁ ଛୋଟ ବେଳୁ ଶିଖେଇବାକୁ ହେବ , ଏମିତି ପରିସ୍ଥିତି କୁ ସାମ୍ନା କେମିତି କରନ୍ତି । ଏମିତି ଅଭିଯୋଗଟା କରନ୍ତି କେମିତି । ନହେଲେ କିଛି ସିକ୍ରେଟ ତା ଜୀବନରେ ଏମିତି ଅକୁହା ରହିଯିବ । ତିରିଶ ବର୍ଷ ପରେ , ସେ ଯଦି ଏମିତି ବିଷ ଚିଠି ଲେଖିବାକୁ ସକ୍ଷମ ହିଁ ନ ରହିଲା ,

ତେବେ କଣ ହେବ ???

ମୁଁ ଭାବୁଛି , ତୁ ନିଶ୍ଚୟ ଉତ୍ତର ପାଇଯାଇଥିବୁ । ଏଇଟା ମୋର ଅଭିଯୋଗ ନୁହେଁ ମାଆ । ତୋ ମୋ ଭିତରେ କେବଳ ଗୋଟେ ସିକ୍ରେଟ । ନିଜ ଭିତରେ ରଖିବୁ । କହୁ କହୁ କାହା ଆଗରେ କହି ପକେଇବୁନି । ମନରେ କିଛି ବୋଝ ରଖିବୁନି । ଦେହର ଯତ୍ନ ନେବୁ ।

ଇତି ,

ତୋର ଗୋଲମୋଟଲ ।

ମାଆ ବାପା ସୁଯୋଗ

Rate the content


Originality
Flow
Language
Cover design

Comments

Post

Some text some message..