ବ୍ୟୋମଧୂମ
ବ୍ୟୋମଧୂମ


ବାହାରେ ବର୍ଷାର ପ୍ରକୋପ ବଢି ଚାଲିଥିଲା । ସୀମା ମନରେ ବି ଜମାଟ ବାନ୍ଧୁଥିଲା ଈର୍ଷ୍ୟା, ଅସୂୟା ଓ ଭୟର ସ୍ତୁପୀକୃତ ପାହାଡ । ଦୋଳାୟମାନ ହେଉଥିବା କାନ୍ଥଘଣ୍ଟାଟିର କର୍କଶ ଚିତ୍କାର , ରାତ୍ରି ବାରଟା ବାଜିବାର ସୂଚନା ଦେଉଥିଲା ।
ସମୀର ଏଯାଏ ଫେରିଲେନି । ରାତି ବଢିବା ସହ ବର୍ଷା ବି ବଢ଼ିବାରେ ଲାଗିଛି । ତୁହାକୁ ତୁହା ପବନ ଆଉ ବିଜୁଳି ଆଲୁଅରେ ସୀମାର ଆଖି ଦୁଇଟା କାଚ ପରି ଚିକ ଚିକ କରୁଛି । ସେ ଆଖିରେ ଲୁହ ଅଛି ନା ବର୍ଷାର ପରଶ ,ତା କହିବା ମୁସ୍କିଲ୍ ।
ବାଲକୋନୀ ଉପରେ ସୀମାର ବ୍ୟତିବ୍ୟସ୍ତ ପାଦ । ଆଖି ବୁଲେଇ ଦେଉଛି କେତେବେଳେ ରାସ୍ତାର ଆର ପାଖକୁ ତ କେତେବେଳେ ମୋବାଇଲ ଫୋନ ଉପରେ ।
କଲୋନୀରେ ଗୋଟେ ବି ମଣିଷ ଦିଶୁନାହାନ୍ତି । ଏତେ ବର୍ଷାରେ କିଏ ବା ବାହାରେ ରହିବ । ସେ ଜଗୁଆଳି ଟୋକାଟା ବି ଗେଟ ପାଖରେ ଦିଶୁନାହିଁ । ସିଏ କ’ଣ ? ବୁଲା କୁକୁରଟିଏ ବି ରାସ୍ତା ଉପରେ ଦିଶୁନି । ଏ ବର୍ଷା ରାତିରୁ ରକ୍ଷା ପାଇବା ପାଇଁ ଯିଏ ଯାହାର ମୁଣ୍ଡ ଗୁଞ୍ଜିବାର ବ୍ୟବସ୍ଥା କରିସାରିଥିବେ ।
କିନ୍ତୁ ସମୀର !! ତାଙ୍କର ନା ଘର ଚିନ୍ତା ନା ଘରେ ଏକୁଟିଆ ଥିବା ପତ୍ନୀର ଚିନ୍ତା ।
ସତରେ କ’ଣ ସୀମାର ଭୟ ଏ ବଢ଼ିଲା ବର୍ଷା ରାତି ପାଇଁ ନା ଆଉ କିଛି ?
ଆଗରୁ ବି କେତେଥର ଏମିତି ଅଫିସ କାମ ସାରି ଅଧ ରାତିରେ ଘରକୁ ଫେରନ୍ତି ସେ । କିନ୍ତୁ ..... ଆଜି କଥାଟା ଟିକେ ଅଲଗା । ସୀମା ଜାଣେ , ଆଜି ସମୀର ଏକୁଟିଆ ଫେରିବେନି । ସାଥିରେ ଫେରିବ ମୋନା ।
ମୋନା , ସମୀରଙ୍କର ଉଚ୍ଚ ପଦସ୍ଥ ଅଫିସର । ସୀମା ଓ ସମୀରଙ୍କର ଠିକ ସାମ୍ନା ଡୁପ୍ଲେକ୍ସଟା ତାର ।
ସୁନ୍ଦରୀ , ସ୍ୱାମୀ ପରିତ୍ୟକ୍ତ। ଆଧୁନିକତାର ଆବରଣ ତା ରୁପକୁ ଆହୁରି ମନମୋହକ କରିବାରେ ସାହାଯ୍ୟ କରେ । ବୟସ କେତେ , ଅନୁମାନ କରିବା ସହଜ ନୁହେଁ ।ତାର ଖୋଲାଖୋଲି କଥାବାର୍ତ୍ତା ଓ ରୁଚିପୂର୍ଣ୍ଣ ଆଚରଣରେ ଯେ କୌଣସି ପୁରୁଷ ତା ଆଡକୁ ଆକର୍ଷିତ ହୋଇଯିବ ।
ଯେମିତି ସମୀର !
ଚମକି ପଡିଲା ସୀମା । ନା ନା ।ସିଏ ଭୁଲ ଚିନ୍ତା କରୁଛି ନିଶ୍ଚୟ । ସମୀର ତାକୁ ଖୁବ ଭଲ ପାଆନ୍ତି । ଏଥିରେ କିଛି ସନ୍ଦେହ ନାହିଁ । ତା ପ୍ରତି ସମୀରଙ୍କର ଅଗାଧ ପ୍ରେମ ଥିବାର ଅସଂଖ୍ୟ ପ୍ରମାଣ ପାଇଛି ସେ ।
ତଥାପି ଏଇ କେତେଦିନ ଭିତରେ ମୋନାର ରଂଗଢଙ୍ଗ ଓ ସମୀରଙ୍କର କିଛିଟା ପରିବର୍ତ୍ତିତ ଆଚରଣକୁ ନେଇ ସୀମା ଦ୍ଵନ୍ଦରେ ପଡିଛି । ଅବଶ୍ୟ ଏଭଳି ପରିବର୍ତ୍ତନ , ଅଫିସର ନୂଆ ଦାୟିତ୍ୱର ଚାପ ଯୋଗୁ ହେଇଥାଇ ପାରେ । ଏବେ ଏବେ ପ୍ରମୋଶନ ହେଇଛି ।
ସେସବୁକୁ ବୁଝିବା ସତ୍ତ୍ୱେ , କାଲି ରାତିର ଅନୁଭବକୁ ସୀମା ଦୁଃସ୍ଵପ୍ନର ରୂପ ଦେଇ ଯେତେ ଭୁଲିଯିବାକୁ ଚେଷ୍ଟା କରୁଥିଲା , ତାହା ତାର ରକ୍ତ ମାଂସ , ଶିରା ପ୍ରଶିରାକୁ ଭେଦି , ତା ଅସ୍ଥି ମଜ୍ଜା ଭିତରକୁ ପ୍ରସାରିତ ହେଉଥିଲା ।
କାଲି ସମୀରଙ୍କ ସାଙ୍ଗରେ ମନ୍ଦିର ଗଲାବେଳେ ମୋନା ବ୍ୟବହାର କରୁଥିବା ପର୍ଫ୍ୟୁମର ବାସ୍ନାଟା କାର ଭିତରେ ସେ ସ୍ପଷ୍ଟ ବାରି ପାରିଥିଲା । ଆଗ ସିଟରେ କିଛି ମଉଳି ଯାଇଥିବା ମଲ୍ଲି କଢ଼ ଦେଖି ଚମକି ପଡିଥିଲା ସେ । ଯାହାକୁ ସମୀର ଖୁବ ସହଜରେ ଝାଡ଼ିଝୁଡ଼ି ସଫା କରିଦେଇଥିଲେ । ସତେ ଯେମିତି ସୀମାର ଚିନ୍ତା କରିବାଟା ଅର୍ଥହୀନ । ମନ୍ଦିରରେ ପହଞ୍ଚି ଠାକୁରଙ୍କୁ ବହୁତ ଗୁଡିଏ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲା ସୀମା । ରାତି ସାରା ଖୋଲା ଆଖିରେ ସିଲିଂ ଫ୍ୟାନଟାକୁ ଚାହିଁ ରହି କେତେ କଣ ଭାବି ଦେଇଥିଲା । ପୁଣି ନିଜ ମନକୁ ବୁଝେଇବାକୁ ଚେଷ୍ଟା କରୁଥିଲା ।
ଆଜି ସନ୍ଧ୍ୟା ବେଳୁ ବର୍ଷାଟା ଲାଗି ରହିଛି । ସୀମା ସନ୍ଧ୍ୟା ବେଳୁ ସଜବାଜ ହେଇ ସମୀରଙ୍କ ଫେରିବା ବାଟକୁ ଚାହିଁ ରହିଥିଲା । ହଠାତ ଫୋନଟା ବାଜି ଉଠିଲା ।
ସେପଟେ ସମୀର ।
କହିଲେ , " ଅଫିସରେ ପାଟି ଅଛି , ହଠାତ ପ୍ଲାନ ହେଲା । ଫେରିବାକୁ ଡେ଼ରି ହେବ । ତୁମେ ଖାଇ ନେବ " ସୀମା ପାଖରେ ମନା କରିବାର କିଛି କାରଣ ନଥିଲା । ତଥାପି ସେ ଫୋନ ଧରି କ’ଣ ସବୁ ବାଉଳି ଚାଉଳି ହେଉଥିଲା । ବୋଧେ ମନା କରିବାକୁ ଚେଷ୍ଟା କରୁଥିଲା କିନ୍ତୁ ତା ପାଖରେ ଶବ୍ଦ ନଥିଲା ।
ସମୀର ସତେ ଯେମିତି ସବୁ ବୁଝିପାରିଲେ । ହସି ହସି କହିଲେ , ବ୍ୟସ୍ତ ହୁଅନି ଜମା । ମୁଁ ଏକୁଟିଆ ନାହିଁ । ମୋନା ମ୍ୟାଡାମ ମୋ ସାଙ୍ଗରେ ଆସିବେ ।ତାଙ୍କ ଡ୍ରାଇଭର୍ ଛୁଟିରେ ଅଛି ।
ଚମକି ପଡିଲା ସୀମା । ଛାତି ଭିତରେ କଣ ଗୋଟେ ଖୁବ ଜୋରରେ କଡ ଲେଉଟିଲା । ତଣ୍ଟି ଅଠା ଅଠା ହେଇଗଲା । ଏତେ ବର୍ଷା , କୋହଲା ପବନ ହେବା ସତ୍ତ୍ୱେ , ତା ଦେହରୁ ଗମ ଗମ ଝାଳ ବୋହିଗଲା। କିଛି କହିବା ଆଗରୁ ସମୀର ଫୋନ ରଖିଦେଲେ ।
ମୋନା ଜାଣିଶୁଣି ତା’ହାଲେ ଡ୍ରାଇଭରକୁ ଛୁଟି ଦେଇଦେଇଛି । ସମୀର କଣ ସତରେ
କିଛି ବୁଝି ପାରୁନାହାନ୍ତି ? ଅଫିସରେ ଏତେ ପୁରୁଣା ଲୋକ ସବୁ ଏ ଡୁପ୍ଲେକ୍ସ ଘରଟି ଉପରେ ଆଖି ପକେଇ ଥିଲେ । ଅଥଚ ସମୀରକୁ ହିଁ ଏ ଘରର ଚାବି ମିଳିବା , ବର୍ଷ ମଝିରେ ଦରମା ବଢିବା , ଅଫିସ ତରଫରୁ ଗାଡି ମିଳିବା , ଏସବୁ ସ୍ୱାଭାବିକ ହେଇ ନପାରେ । ସମୀରଙ୍କର ଉନ୍ନତି ଦେଖି ସୀମା ଖୁସୀ ହେବା ପରିବର୍ତ୍ତେ ଅପମାନ ବୋଧ କରୁଥିଲା । ପରିସ୍ଥିତି ବୁଝିବା ଏତେ ସହଜ ନଥିଲା ସୀମା ପାଇଁ । ସମୀରକୁ ବା ସେ ବୁଝେଇବ କ’ଣ । ଥରେ ଦୁଇଥର ବୁଝେଇବାକୁ ଚେଷ୍ଟା ମଧ୍ୟ କଲା ।
କିନ୍ତୁ ସମୀର ଓଲଟି ସୀମାକୁ ବୁଝେଇ ଶାନ୍ତ କରିଦେଲେ ।
"ମୋନା ଖୁବ ଏକୁଟିଆ । ସେଥିପାଇଁ ସେ ମୋତେ ବେଳେବେଳେ ନିଜ ମନକଥା କୁହନ୍ତି ।
" ହେଲେ ତୁମେ ହିଁ କାହିଁକି? ଅଫିସରେ ଅନ୍ୟମାନେ ବି ଅଛନ୍ତି " ସୀମା ଅସ୍ପଷ୍ଟ ଭାବେ ପଚାରେ ।
" ସୀମା, ସେ କେବଳ ଜଣେ ଭଲ ବନ୍ଧୁ । କାର୍ଯ୍ୟ କ୍ଷେତ୍ରରେ ଖୁବ ସଫଳ ମହିଳା । ଅବଶ୍ୟ ତାଙ୍କର ମେଳାପୀ ସ୍ଵଭାଵ, ଆଧୁନିକ ରଂଗଢଙ୍ଗ, ଆଧୁନିକ ବେଶ ପୋଷାକ ଦେଖି ତାଙ୍କ ବିଷୟରେ ଅନ୍ୟମାନେ ଅସଙ୍ଗତ ମନ୍ତବ୍ୟ ଦିଅନ୍ତି, । କିନ୍ତୁ ମୁଁ ଜାଣେ, ଏସବୁ ଯୁକ୍ତିବିହୀନ ।"
ସମୀର ଯାହା ଭାବୁଛନ୍ତି , ମୋନା ବି ଯେ ସେୟା ଭାବୁଥିବ , ଏକଥା କିଏ କହିପାରିବ !
ହଠାତ ଗାଡିର ହର୍ଣ୍ଣ ଶବ୍ଦରେ ସୀମା ଭାବନଚ୍ୟୁତ ହେଲା । ସମୀରଙ୍କର ଗାଡି । ସୀମା ଉତ୍ସାହର ସହ ବାଲକୋନୀର ବାଡ଼ାକୁ ଆଉ ଟିକେ ଆଉଜି ଗଲା । ବର୍ଷା ଛିଟାରେ ତା ଶାଢ଼ୀ ପୁରାପୁରି ଓଦା ହେଇଗଲା । ସେସବୁକୁ ଭ୍ରୁକ୍ଷେପ ନକରି ସେ ଚାହିଁ ରହିଥିଲା ଏକ ଲୟରେ ସମୀରଙ୍କ କାର ସିଟ ଆଡକୁ ।
କବାଟ ଖୋଲି ଡ୍ରାଇଭର ସିଟରୁ ସମୀର ବାହାରିଲେ । ବର୍ଷାର ପ୍ରକୋପରୁ ନିଜକୁ ବଞ୍ଚେଇବା ପାଇଁ ମୁଣ୍ଡ ଉପରେ ନିଜ ହାତ ରଖିଲେ ।
ସୀମା ଆଶ୍ୱସ୍ତ ହେଲା ।ଅଜାଣତରେ ସେ ମଧ୍ୟ ଛାତି ଉପରେ ନିଜ ହାତକୁ ରଖି ଛେପ ଢ଼ୋକି ପକେଇଲା ।
ହଠାତ ସମୀରଙ୍କ ପାଦ ଚଳ ଚଂଚଳ ହେଇଉଠିଲା ।
ସେ ପଛକୁ ବୁଲି ଦୌଡ଼ିଗଲେ କାରର ଆର ପାଖ ସିଟକୁ । ଯେଉଁଠି ମୋନା ଥିଲେ ନିଶାରେ ବେହୋସ । ସମୀର ମୋନାକୁ ଗାଡି ଭିତରୁ ଏକରକମ ନିଜ କୋଳରେ ଧରି ତା ଘର ଭିତରକୁ ଚାଲିଗଲେ ।
ସୀମା ପାଦତଳୁ ପୃଥିବୀ ଖସିଗଲା । ଛାତି ଭିତରଟା ଜୋରରେ ଧଡ଼ ଧଡ଼ କରୁଥିଲା । ବିଜୁଳି ଆଲୁଅରେ ସୀମାକୁ ଦିଶିଯାଇଥିଲା ମୋନାର ଅର୍ଦ୍ଧ ନଗ୍ନ ଶରୀର । ସମୀର ତାକୁ କୋଳରେ ଉଠେଇ ନେଲାବେଳ , ତାଙ୍କ ଛାତିରେ ସଂଲଗ୍ନ ହେଉଥିଲା ମୋନାର ଉନ୍ନତ ଗୌର ବକ୍ଷ ଯୁଗଳ , ଯାହା ବର୍ଷା ଛିଟାରେ ସମ୍ପୂର୍ଣ ଭିଜି ଯାଇଥିଲା
କିନ୍ତୁ ସମୀର ସାଙ୍ଗେ ସାଙ୍ଗେ ମୋନା ଘରୁ ବାହାରି ଆସି , ପୋର୍ଟକୋରେ କାର ରଖି ଘର ଭିତରକୁ ଆସିଲେ ।
ତାଙ୍କ ହାତକୁ ତଉଲିଆ ବଢ଼େଇଦେଲା ବେଳେ ସୀମା ଛାତିରୁ ଉବୁକେଇ ଆସୁଥିଲା ଗୋଟେ କୋହଭରା ଚିତ୍କାର ।
ସମୀର ନିଜ ମୁଣ୍ଡ ପୋଛୁ ପୋଛୁ କହିଲେ , " ଆଜି ପାଟି ସରୁ ସରୁ ବହୁତ ଡେରି ହେଇଗଲା । ମୋନାକୁ ଖୁବ କଷ୍ଟରେ ମୋ ଗାଡି ଯାଏ ଆଣିଲି । ତାଙ୍କର ଏ ମଦ ପିଆ ଅଭ୍ୟାସଟା ସତରେ ଖୁବ ଖରାପ ।"
"ହଁ, ଆହୁରି ବି ଗୋଟେ ଖରାପ ଅଭ୍ୟାସ ଅଛି, ପର ପୁରୁଷଙ୍କୁ କେମିତି କାବୁ କରାଯାଏ, ସେ କଳାଟା ବି ତାକୁ ଭଲ ଭାବେ ଜଣା ", ଚିତ୍କାର କରି ଉଠିଲା ସୀମା ।
ହଠାତ କୋଉଠି ଗୋଟେ ବଜ୍ରପାତ ହେଲା । ବିଜୁଳି ଆଲୁଅ ସହ ବଜ୍ରପାତର ଶବ୍ଦଟା ଦୁହିଁଙ୍କୁ କିଛି କ୍ଷଣ ପାଇଁ ହତବମ୍ବ କରିଦେଲା ।
ସୀମା ! ଚିତ୍କାର କରି ଉଠିଲେ ସମୀର । ତୁମ ପରି ଝିଅର ପୁଣି ଏଭଳି ନିମ୍ନ ସ୍ତରର ଚିନ୍ତାଧାରା ! ମୁଁ କଳ୍ପନା ସୁଦ୍ଧା କରିପାରୁନାହିଁ । ରାଗରେ ସମୀରଙ୍କ ଆଖି ଦୁଇଟା ଦାଉ ଦାଉ ହେଇ ଜଳୁଥିଲା । ତଉଲିଆକୁ ଫୋପାଡିଦେଇ ରାଗ ତମ ତମ ହେଇ ଶୋଇବା ଘରକୁ ଚାଲିଗଲେ ସେ । ପଛେ ପଛେ ସୀମା , ଧୀରେ ଧୀରେ ପାହାଚ ଚଢ଼ିବାକୁ ଲାଗିଲା । ଆଜି ତା ପାଦ ଦୁଇଟା , ତାକୁ ନିଜ ଶରୀର ଠାରୁ ମଧ୍ୟ ବେଶି ଓଜନିଆ ଲାଗୁଥିଲା ।
ସାରା ଦିନର କାର୍ଯ୍ୟବ୍ୟସ୍ତତା , ଓ ଅଫିସ ପାଟିରେ ପିଇଥିବା ମଦର ହାଲକା ନିଶା ଯୋଗୁ ନିଦ୍ରାଦେବୀ ସାଙ୍ଗେ ସାଙ୍ଗେ ସମୀରଙ୍କୁ କୋଳାଗ୍ରତ କରିନେଲେ । କିନ୍ତୁ ସୀମା ଆଖିରୁ ନିଦ ଯେମିତି କୋଷେ ଦୂରରୁ ରହି ତାକୁ ପରିହାସ କରୁଥିଲା ।
ରାତି ବଢିବା ସହ ଝଡ ବର୍ଷା ବଢି ଚାଲିଥିଲା । କିନ୍ତୁ ସୀମା ଜୀବନରେ , ଏ ଝଡର ଅସ୍ତିତ୍ଵ ଥିଲା କି ନଥିଲା , ସେ ଚେଷ୍ଟା କରି ବି ବୁଝି ପାରୁନଥିଲା । ସତେ ଯେମିତି ତା ଜୀବନଟା ଗୋଟିଏ ରାତି ଭିତରେ କିଛି ଅବାନ୍ତର ପ୍ରଶ୍ନର କୁହେଳି ସାଜି ଯାଇଥିଲା ।
ସାଗରିକା ମହାନ୍ତି,ନବୀ ମୁମ୍ବାଇ
ଫୋନ ନମ୍ବର - ୯୦୮୨୯୪୭୭୬୨
Email _ mohantysagarika073@gmail.com