ପରଳ
ପରଳ


ସମୟର ଅବିଶ୍ରାନ୍ତ ଧୂଳି ଖେଳ ପରେ , ପେଣ୍ଡୁଲମ ପରି ଓହଳି ଯାଇଥିଲା ଗୋଟେ ଅନୁଭବୀ ଟାଣୁଆ ଚମଡାର ଅତିରିକ୍ତ ବାଚଳତା ।
କଥା କୁହା ଚଢ଼େଇର ନିଶବ୍ଦ ବସାରୁ ଭାସି ଆସୁଥିଲା କିଛି
ବେତାଳିଆ କିଚିରି ମିଚିରି ସଙ୍ଗୀତ ।
ପାପରୁ ପୁଣ୍ୟ ଯାଏ ଦୋହଲୁଥିବା ଗୋଟେ ଧୁସରିଆ ଅଳନ୍ଦୁ ତଳେ ଫିକା ପଡିଗଲା ଶୁଖିଲା ଆଖିର ଜଳଜଳ କାଚବିନ୍ଦୁ ।
ତତଲା କାନରେ ତଥାପି , ବାଜି ଉଠୁଥିଲା ବିଦେଶୀ କଠଉଟା ଠକ ଠକ ହେଇ , ଏକ ନିଛାଟିଆ ଖରାବେଳେ
ଶ୍ରାବଣର ପଣତରେ ଆଖି ପୋଛି ଦେଇ , ହାତ ଠାରି ବାଉଳି ଚାଉଳି ହେଉଥିଲା , ପାଗଳୀ ବୁଢୀଟା |
ତୁ ଆସିଗଲୁ ଧନ !!!
ମୁଁ ଜାଣିଥିଲି , ତୁ ନିଶ୍ଚୟ ଆସିବୁ ,,,,