Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -118
ଜହ୍ନମାମୁଁ -118
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.5K    16


Content Ranking

ଚନ୍ଦ୍ର ଓ ଚକୋର 2


ସେ ଫେରି ଆସିବାରୁ ବିମଳାଦିତ୍ୟ କୌତୁହଳୀ ହୋଇ ପଚାରିଲେ “ବାଟରେ କ’ଣ କେଉଁଠି ଅଟକିଗଲୁ?”

“ମହାଶୟ, ବାଟରେ ଅଟକି ନାହିଁ । ରାଜାଙ୍କ ପାଖରେହିଁ ଥିଲି । ସେ ନାନା ପ୍ରଶ୍ନ ପଚାରୁଥିଲେ । ମୁଁ ସେସବୁର ଉତ୍ତର ଦେଉଥିଲି ।”

ବିମଳାଦିତ୍ୟଙ୍କ ମୁହଁ ଶୁଖିଗଲା । ସେ କିଛି କହିଲେ ନାହିଁ କି ରାଜାଙ୍କ ସହ କେଶବର କି ଧରଣର ଗପସପ ହେଉଥିଲା, ସେକଥା ମଧ୍ୟ ଜାଣିବାକୁ ସେ ମୋଟେ ଚାହିଁଲେ ନାହିଁ । ତହିଁ ପରଦିନ ମଧ୍ୟ ବିମଳାଦିତ୍ୟ ଦରବାରକୁ ଯିବା ଭଳି ଅବସ୍ଥାରେ ନଥିଲେ । କେଶବ ତାହା ବୁଝିପାରି ସଫା ଲୁଗାପଟା ପିନ୍ଧି ତାଙ୍କୁ ଆସି କହିଲା, “ମହାଶୟ, ମୁଁ ତେବେ ଯାଇ ରାଜାଙ୍କୁ କହିଦିଏ!”

ବିମଳାଦିତ୍ୟ କହିଲେ “ତୋତେ ଏତେ ବାହାଦୁରୀ ଦେଖାଇବାକୁ କିଏ କହିଛି? ଚୁପ୍ କରି ରୁହ । ମୋ ବିନା ଅନୁମତିରେ କାହାରି ଆଗେ ମୁହଁ ଫିଟାଇବୁ ନାହିଁ ।”

“ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ, ମହାଶୟ!”

ବିମଳାଦିତ୍ୟ ତାଙ୍କ ପୁଝାରିକୁ ରାଜାଙ୍କ ପାଖକୁ ପଠାଇଲେ । ପୁଝାରି ଯାଇ କହିଲା, “ମହାରାଜ! ଆଗାମୀ କାଲି କବିବର ଆପଣଙ୍କୁ ଭେଟିବେ । ସେ ସୁସ୍ଥ ହେଲେଣି ।”

ରାଜା ପଚାରିଲେ “କେଶବ ଗଲା କୁଆଡେ?”

“ଘରେ ଅଛି, ଆଜ୍ଞା । କବିବର ତାକୁ ଏଠାକୁ ଆସିବାକୁ ବାରଣ କରି ମୋତେ ପଠାଇଲେ ।”

ରାଜା ଗମ୍ଭୀର ଭାବରେ କହିଲେ, “ଆଚ୍ଛା! କବିବର ଅସୁସ୍ଥ ଅଛନ୍ତି । ତେବେ ତାଙ୍କର ଯଦି ଇଚ୍ଛା, ତେବେ ସେ ଆସି ପାରନ୍ତି ।”

ପୁଝାରି ଯାଇ ବିମଳାଦିତ୍ୟଙ୍କୁ ରାଜାଙ୍କ ବକ୍ତବ୍ୟ ଜଣାଇଲା ।

ପରଦିନ ବିମଳାଦିତ୍ୟ ରାଜାଙ୍କୁ ଭେଟିଲେ ଓ କହିଲେ, “ମହାରାଜ! ଆପଣଙ୍କ ଉଦ୍ୟାନରେ ଚନ୍ଦନ ବୃକ୍ଷ ଥାଉ ଥାଉ ଚନ୍ଦନ ଲେପନ କରିଥିବା ବ୍ୟକ୍ତି ପ୍ରତି ଆପଣଙ୍କର କାହିଁକି ଏତେ ଆକର୍ଷଣ?”

ରାଜା ମୃଦୁ ହସି କହିଲେ, “ଚନ୍ଦନ ପ୍ରଲେପ ଯିଏ ଲଗାଇଥାଏ, ସେ ଗୁଣୀ, ନଚେତ ଦିଅଁ । ଚନ୍ଦନ ପ୍ରଲେପ ଧାରୀ ବ୍ୟକ୍ତି ଚନ୍ଦନର ସୁବାସ ବିତରଣ କରି ଚନ୍ଦନ ବୃକ୍ଷର ମର୍ଯ୍ୟାଦାହିଁ ବଢାଇଛି ।”

ବିମଳାଦିତ୍ୟ ଚୁପ୍ ରହିଲେ । ରାଜା ପ୍ରଶ୍ନ କଲେ, “କବିବର! ଏଣିକି ଆପଣଙ୍କୁ ପ୍ରତ୍ୟହ ଖାଂଟି ଦୁଗ୍ଧ ଯୋଗାଣର ବ୍ୟବସ୍ଥା ହେବ; ଆପଣଙ୍କୁ ନଅରର ପୂର୍ବ ଦିଗରେ ଉଚ୍ଚ ସ୍ଥାନ ଉପରେ ଅବସ୍ଥିତ ଗୋଟିଏ ଘରେ ସ୍ଥାନ ଦିଆଯିବ । ସେ ସ୍ଥାନ ସନ୍ତସନ୍ତିଆ ନୁହେଁ ।”

ବିମଳାଦିତ୍ୟ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କ ଆଡେ ଅନାଇ ରହିବାରୁ ରାଜା କହିଲେ, “ଯାହାର ସେବକ ଚନ୍ଦ୍ରକୁ ଚକୋର କରିଦେଇ ପାରେ, ସେ ବଡ ଭାଗ୍ୟବାନ!” ବିମଳାଦିତ୍ୟ ଘରକୁ ଲେଉଟି ଆସି ସଙ୍ଗେ ସଙ୍ଗେ କେଶବକୁ କୁଣ୍ଢାଇ ପକାଇଲେ ଓ କହିଲେ, “ମୋ ବ୍ୟବହାର ଯୋଗୁଁ ମୋତେ କ୍ଷମା କର । ତୁ ଆଜିଠାରୁ ମୋ ପୁଅ ଏବଂ ମୋର ଉତ୍ତରାଧିକାରୀ ବି ।”

କେଶବ ଅଶ୍ରୁ ରୋଧ କରି ପାରିଲା ନାହିଁ । ସେ ଖାଲି ଏତକ କହିଲା, “ଗୁରୁ ଓ ପିତା! ମୁଁ ଅତ୍ୟନ୍ତ ଭାଗ୍ୟବାନ!”

ବେତାଳ ଟିକିଏ ଚୁପ୍ ରହି ଧମକ ଦେଲା ଭଳି କଣ୍ଠରେ ପ୍ରଶ୍ନ କଲା, “ରାଜା! ମୋର ଗୁଡିଏ ସନ୍ଦେହ ଅଛି । ବିମଳାଦିତ୍ୟ ସୁସ୍ଥ ହେବାର ଶୁଣି ମଧ୍ୟ ରାଜା କାହିଁକି କହିଲେ କି ସେ ଅସୁସ୍ଥ? ଯାହାର ସେବକ ଚନ୍ଦ୍ରକୁ ଚକୋର ବନାଇଦେଇ ପାରେ ବୋଲି ସେ କହିବାର ଅର୍ଥ କ’ଣ? ଯେଉଁ ବିମଳାଦିତ୍ୟ କେଶବ ପ୍ରତି ଈର୍ଷାନ୍ୱିତ ହୋଇଥିଲେ, ସେ ହଠାତ୍ ତାକୁ ନିଜର ପୁଅ ବୋଲି କାହିଁକି ସମ୍ବୋଧନ କଲେ? ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତି ଥାଇ ମଧ୍ୟ ତମେ ଯଦି ନୀରବ ରହିବ, ତେବେ ତମ ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ଆଉ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି କହିଲେ, “ରାଜା ଚନ୍ଦ୍ରଦେବ ବୁଝିପାରିଲେ ଯେ ବିମଳାଦିତ୍ୟ ଈର୍ଷାକାତର ହୋଇଥିବା ଯୋଗୁଁ କେଶବକୁ ନ ପଠାଇ ପୁଝାରିକୁ ପଠାଇଛନ୍ତି । ଈର୍ଷା ମଧ୍ୟ ଏକ ପ୍ରକାର ବ୍ୟାଧି । ତେଣୁ ସେ କହିଲେ କି ବିମଳାଦିତ୍ୟ ଅସୁସ୍ଥ । ବିମଳାଦିତ୍ୟ ଦ୍ୱିତୀୟ ଦିନ ରାଜାଙ୍କ ସହ କେଶବର କ’ଣ କଥାବାର୍ତ୍ତା ହୋଇଛି, ସେକଥା କେଶବକୁ ପଚାରି ନଥିଲେ । ରାଜା ତାଙ୍କ ପାଇଁ ଖାଂଟି ଦୁଗ୍ଧ ବ୍ୟବସ୍ଥା କରିବା ଓ ସନ୍ତସନ୍ତିଆ ସ୍ଥାନରୁ ତାଙ୍କୁ ଭଲ ଘରକୁ ଉଠାଇ ଆଣିବା ପ୍ରସ୍ତାବ ଦେବା ମାତ୍ରେ ସେ ବୁଝିଲେ ଯେ ତାଙ୍କର ସେସବୁ ଅସୁବିଧା ବିଷୟ ଏକମାତ୍ର କେଶବହିଁ କହିଥିବା ସମ୍ଭବ । ତେଣୁ କେଶବ ପ୍ରତି ତାଙ୍କର ଈର୍ଷ୍ୟାଭାବ ଅନ୍ତର୍ହିତ ହୋଇ କୃତଜ୍ଞତା ଜାତ ହେଲା ।”

“ବାକି ରହିଲା ଚନ୍ଦ୍ର ଓ ଚକୋର ପ୍ରହେଳିକା । ଯେତେବେଳେ ବିମଳାଦିତ୍ୟ କହି ପଠାଇଲେ କି ଆଜି ଚକୋର ପାଇଁ ଅମାବାସ୍ୟା, ସେ ନିଜକୁ ଚକୋର ମନେ କରିଥିଲେ । ରାଜାଙ୍କ ନାମ ଯେହେତୁ ଚନ୍ଦ୍ରଦେବ, ତେଣୁ ତାଙ୍କୁ ସେ ଚନ୍ଦ୍ର ବୋଲି ଗ୍ରହଣ କରିଥିଲେ । କିନ୍ତୁ କେଶବର କବିଙ୍କ ପ୍ରତି ଶ୍ରଦ୍ଧା ଏଡେ ପ୍ରଗାଢ ଯେ ସେ ସହଜରେ ଧରିନେଲେ କବିବରହିଁ ଚନ୍ଦ୍ର, ରାଜା ଚକୋର! ରାଜା ଏହି କଥା ଦର୍ଶାଇବା ଦ୍ୱାରା କବିଙ୍କ ପ୍ରତି କେଶବର ଶ୍ରଦ୍ଧା କଥା କବିଙ୍କୁ ସେ ସୂଚାଇ ଦେଲେ । କବି ଚନ୍ଦନବୃକ୍ଷ ହୋଇ ପାରନ୍ତି, କିନ୍ତୁ କେଶବ ସେ ଚନ୍ଦନ ଲଗାଇ ଗଛର ଗୁଣଗାନ କରୁଥିଲା!”

“ରାଜାଙ୍କ କଥାରେ କବିବରଙ୍କ ଧାରଣା ପୁରାପୁରି ବଦଳିଗଲା । ସେ କେଶବର ପ୍ରକୃତ ସ୍ୱଭାବ ବୁଝି ଭାବାବେଗରେ ତାକୁ କୁଣ୍ଢାଇ ପକାଇଲେ ।”

ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ବେତାଳ ତାଙ୍କ କାନ୍ଧରୁ ଖସି ପୁନରାୟ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।

ଚକୋର ଚନ୍ଦ୍ର ଆଦେଶ

Rate the content


Originality
Flow
Language
Cover design

Comments

Post

Some text some message..