ମହାଭାରତ (୪୪) ଲାଖବିନ୍ଧା
ମହାଭାରତ (୪୪) ଲାଖବିନ୍ଧା
ମହାଭାରତ (୪୪) ଲାଖବିନ୍ଧା
ଅର୍ଜୁନ ଶର ସନ୍ଧାନ କଲେ. ଦ୍ରୌପଦୀ ମା ମଙ୍ଗଳାଙ୍କୁ ସ୍ମରଣ କରୁଥାନ୍ତି, “ଏହି ବ୍ରାହ୍ମଣ ଲାଖ ବିନ୍ଧନ୍ତୁ, ମା, ତାଙ୍କୁ ସହାୟ ହୁଅ.” ଶର ତୀବ୍ର ଗତିରେ ଯାଇ ମତ୍ସ୍ୟର ବାମ ଚକ୍ଷୁରେ ଫୁଟି ଦକ୍ଷିଣ ଚକ୍ଷୁ ଦେଇ ଅନ୍ତରୀକ୍ଷକୁ ଚାଲିଗଲା. ସୁବର୍ଣ୍ଣ ମତ୍ସ୍ୟରେ ଲାଗିଥିବା ପୁସ୍ପମାଲ୍ୟ ଛିଡ଼ି ତଳେ ପଡିଗଲା. ଶ୍ରୀକୃଷ୍ଣ ଘନଘନ ଶଂଖନାଦ କଲେ, ଦେବତାମାନେ ପୁଷ୍ପ ବୃଷ୍ଟି କଲେ. ମୁନି ରୁଷିଗଣ ଜୟଧ୍ୱନି କଲେ ଓ ସାଧୁ ରାଜାଗଣ ଧନ୍ୟ ଧନ୍ୟ କଲେ. ପାଞ୍ଚାଳ ରାଜନନ୍ଦିନୀ ଆସ୍ଥାନରୁ ଓହ୍ଲାଇଲେ ନୀଲୋତ୍ପଳ ମାଳା ଧରି . ଗଜ ଗତିରେ ପଦ ଚାଳନା କରି ଅର୍ଜୁନଂକ ପାଖରେ ପହଞ୍ଚିଵା ବେଳକୁ ଦୁର୍ଯ୍ୟୋଧନ କହିଲା, “ରହିଯାଅ ରାଜକୁମାରୀ, ଲାଖବିନ୍ଧା ହୋଇନାହିଁ, ମତ୍ସ୍ୟର ବାମ ଚକ୍ଷୁରେ ନାରାଚ ନାହିଁ, ତେଣୁ ତୁମେ ୟାକୁ ବରଣ କରି ପାରିବ ନାହିଁ" .ଜରାସନ୍ଧ ଆଦି ଦୁଷ୍ଟ ରାଜାମାନେ ମଧ୍ୟ ଏ କଥାକୁ ସମର୍ଥନ କଲେ. ଶିଖଣ୍ଡୀ କହିଲେ, “ମତ୍ସ୍ୟର ଗଳାରେ ଥିବା ପୁଷ୍ପ ମାଳା ଛିଡି ପଡିଲା କିପରି ? ଦୁର୍ଯ୍ୟୋଧନ କହିଲେ, ସେଇଟା ଦୁର୍ବଳ ସୂତ୍ରରେ ବନ୍ଧା ଥିଲା ଖସି ପଡିଲା. ଦ୍ରୁପଦ କହିଲେ, “ଶ୍ରୀକୃଷ୍ଣ ଶଙ୍ଖନାଦ କଲେ. ସେଇଟା କଣ ଯଥେଷ୍ଟ ନୁହେଁ?" ଜରାସନ୍ଧ କହିଲା,"ସେ କୃଷ୍ଣ କିଏ କି ?ଗୋଟାଏ ଗଉଡଟୋକା, ଶଂଖଟେ ଧରି ବୁଲୁଥାଏ, ଯେତେବେଳେ ସେତେବେଳେ ବଜାଇ ଦିଏ. ତୁମେ ସବୁ ତାକୁ ବଡ ବୋଲି ଭାବିଛ. ମୁ ତାକୁ ଅଷ୍ଟାଦଶ ବାର ଧାଡି ଦେଲି, ମୋ ଜୁଆଇଁର ପ୍ରତିଶୋଧ ନେବାପାଇଁ ,ପଳାଇ ଯାଇ ଏଆଡ଼େ ସିଆଡେ ଲୁଚୁଛି ..."ଭୀଷ୍ମ ଆଉ ସହି ପାରିଲେ ନାହିଁ. କହିଲେ, ତୋତେ ସିଏ ନିଜେ ମାରିବାକୁ ଚାହୁଁ ନାହାନ୍ତି. ମନେ ପକା, ଗୋମତ ପର୍ବତ ଉପରେ ତୋତେ ବଳରାମ ମାରି ଦେଇ ଥାନ୍ତେ, ଶ୍ରୀକୃଷ୍ଣଙ୍କ ଯୋଗୁଁ ରକ୍ଷା ପାଇଲୁ, ଆହୁରି ମୁହଁ ବଢ଼େଇ କଥା କହୁଛୁ?"ଦୁଇ ଜଣ ଭୀଷଣ କଳି ଲାଗିବା ଦେଖି କର୍ଣ୍ଣ ଆସି ଦୁଇଜଣଙ୍କୁ ବୁଝାଇ ଶାନ୍ତ କଲେ. ବଳରାମ ସ୍ମିତ ହାସ୍ୟ କରୁଥାନ୍ତି. କୃଷ୍ଣ କହିଲେ,"ଆପଣଙ୍କ ହସରେ ମୁ ସ୍ପଷ୍ଟ ବିଦ୍ରୁପ ଲକ୍ଷ କରୁଛି, କାରଣ କଣ ?"ବଳରାମ କହିଲେ," ଲାଖ ବିନ୍ଧା ହୋଇନାହିଁ, ଶଂଖଟା ଫୁଙ୍କି ଦେଲୁ ଯେ?" କୃଷ୍ଣ କହିଲେ," ସେ ଅର୍ଜୁନ, ଶତବାର କହିଲେ ସେ ଏ ଲାଖ ବିନ୍ଧିପାରେ "ଏତକ ସେ ଏତେ ଜୋର କହିଲେ ଯେ, ଅର୍ଜୁନଙ୍କୁ ଶୁଭିଲା. ସେ ଧୃଷ୍ଟଦ୍ୟୁମ୍ନଙ୍କୁ କହିଲେ," ରାଜାମାନଙ୍କୁ ଶାନ୍ତ ହେବାକୁ କହ, ମୁ ଆଉ ଥରେ ଲାଖ ବିନ୍ଧି ପ୍ରମାଣ ଉପସ୍ଥାପିତ କରିବାକୁ ପ୍ରସ୍ତୁତ."
(କ୍ରମଶଃ)