ଜହ୍ନମାମୁଁ -141
ଜହ୍ନମାମୁଁ -141
ପରିବର୍ତ୍ତନ - ୧
ଜମିଦାରି ସିନା ଯାଇଛି, କିନ୍ତୁ କୁମାରବାବୁଙ୍କ ଘରର ଖାନ୍ଦାନ୍ ଅତୁଟ ଥାଏ । ସେ ଯୁବକ ଲୋକ । ସଦ୍ୟ ବାହା ହୋଇଥାନ୍ତି । ସ୍ତ୍ରୀ ବି ସମ୍ଭ୍ରାନ୍ତ ଘରର ଝିଅ । ତେଣୁ ତାଙ୍କ ଘରକୁ ଆସିବା ପରେ ସ୍ତ୍ରୀ ବସୁମତିର ପ୍ରଥମଥର ଜନ୍ମଦିନ ଉପଲକ୍ଷ୍ୟେ ସେ ସହରରୁ ଗୋଟିଏ ଦୁର୍ମୁଲ୍ୟ ଉପହାର ଆଣିବାକୁ ସ୍ଥିର କଲେ ।
ସହରର ବିଶିଷ୍ଟ ଗହଣା ଦୋକାନରୁ ଅଢେଇହଜାର ଟଙ୍କା ମୂଲ୍ୟର ହାରଟିଏ ଖରିଦ୍ କରି ସେ ଗାଁ ମୁହାଁ ଫେରିବା ବେଳକୁ ସଞ୍ଜ ହୋଇ ଆସିଲାଣି । ଅବଶ୍ୟ ସେ ନିଜ ଘୋଡାଗାଡିରେ ଯାଇଥାନ୍ତି । ତଥାପି ବେଶି ରାତି ହୋଇଯିବା ଆଶଙ୍କାରେ ନିଜ କଚୁଆନ ଜୟସିଂହକୁ କହିଲେ, “ଯେତେ ଶୀଘ୍ର ସମ୍ଭବ ଚାଲ!”
ବାଟରେ ଜୟସିଂହ ହଠାତ୍ ଘୋଡାର ଲଗାମ୍ ଟାଣି ଗାଡି ଅଟକାଇଲା । ଦେଖିବା ବେଳକୁ ବାଟ କଡରେ ଜଣେ ଲୋକ ଠିଆ ହୋଇଛି । ତା’ ସହ ସେ କ’ଣ କଥାବାର୍ତ୍ତା ହେଲା ।
କୁମାରବାବୁ ପଚାରିଲେ “ଡେରି କାହିଁକି?”
ଜୟସିଂହ କହିଲା “ହଜୁର୍, ଇଏ ହେଲା କାଶୀରାମ, ମୋ ସ୍ତ୍ରୀର କକା ପୁଅ ଭାଇ । ଆମ ଗାଁରେ ଏହାର ଅଜାର ଘର । ଅଜା ଭୀଷଣ ଅସୁସ୍ଥ । ଆପଣଙ୍କ ଅନୁମତି ହେଲେ ଏହାକୁ ଗାଡିରେ ନେଇଯିବି ।”
କୁମାରବାବୁ ତାଙ୍କ ଗାଡିରେ ଅଜଣା ଅଚିହ୍ନା ଲୋକଙ୍କୁ ନେବାକୁ ପସନ୍ଦ କରୁ ନଥାନ୍ତି । କିନ୍ତୁ ସେ ବା ଏବେ କିପରି ମନା କରିବେ? ଏଣୁ କହିଲେ, “ହଉ, ଚାଲୁ!”
କାଶୀରାମ କୁମାରବାବୁଙ୍କ ପାଖରେ ବସିଲା । ଅବଶ୍ୟ ସେ ବହୁତ ସଙ୍କୋଚରେ ବସିଥାଏ ।
କୁମାରବାବୁ ପୁଣି ହୁକୁମ୍ ଶୁଣାଇ ଦେଲେ “ଶୀଘ୍ର ଚାଲ, ଶୀଘ୍ର!”
ରାସ୍ତା ବହୁତ ଖରାପ ଥାଏ । ଗାଡିର ଗୋଟାଏ ଚକା ହଠାତ୍ ଏକ ଗାତରେ ପଶିଗଲା । ଜୟସିଂହ ଠିକ୍ ସମୟରେ ତଳକୁ କୁଦି ପଡିଲା, କିନ୍ତୁ କୁମାରବାବୁ ତଳେ ପଡିଗଲେ । ଗାଡିରେ ଥିବା ଜିନିଷପତ୍ର ଏଣେ ତେଣେ ବିଛେଇ ହୋଇ ପଡିଲା । ଜୟସିଂହ ଓ କାଶୀରାମ କୁମାରବାବୁଙ୍କୁ ଧରି ଉଠାଇଲେ ଓ ତା’ପରେ ଗାଡି ସଳଖ କରି ମଝି ରାସ୍ତାକୁ ଆଣିସାରି ଜିନିଷପତ୍ର ଗୋଟାଇ ଗାଡିରେ ରଖିଲେ ।
ଗାଡି ପୁଣି ଚାଲିଲା । ଟିକିଏ ଉଛୁରରେ ସେମାନେ କୁମାରବାବୁଙ୍କ ଘରେ ଯାଇ ପହଁଚିଲେ । କୁମାରବାବୁ ଛୋଟେଇ ଛୋଟେଇ ଘର ଭିତରେ ପଶିବାବେଳକୁ ବସୁମତି ବାହାରି ଆସି ପଚାରିଲା, “ଦେଖିବା, କ’ଣ ଉପହାର ଆଣିଲ!”
କୁମାରବାବୁ ପ୍ରଥମେ ନିଜ ଦୁରାବସ୍ଥା ସକାଶେ ଟିକିଏ ସାନ୍ୱନା ଚାହୁଁଥିଲେ । ସେ କହିଲେ, “ବାଟରେ ଗାଡି ଓଲଟିଗଲା । କୌଣସି ବଡ ଦୁର୍ଘଟଣା ଯେ ଘଟିନାହିଁ ତାହା ସୌଭାଗ୍ୟର କଥା ବୋଲିବାକୁ ହେବ । ତେବେ…”
“ସେସବୁ ପରେ ଆରାମ୍ରେ ବସି ଶୁଣିବା ମ! ଦେଖେ କ’ଣ ଆଣିଛ!” ଏହା କହି ବସୁମତି ତା’ ହାତ ବଢାଇ ଦେଲା ।
କୁମାରବାବୁ ଗହଣା ଥିବା ସୁନ୍ଦର ଛୋଟିଆ ବାକ୍ସଟି ବଢାଇ ଦେଲେ । ବସୁମତି ଅତି ଆଗ୍ରହରେ ତାକୁ ଖୋଲିଲା । କିନ୍ତୁ ସଙ୍ଗେ ସଙ୍ଗେ ତା’ ମୁହଁ ଗମ୍ଭୀର ହୋଇଗଲା ।
ସେ ପଚାରିଲା “ଥଟ୍ଟା କରୁଛ?”
“କାହିଁକି? ହାର କ’ଣ ଭଲ ହୋଇ ନାହିଁ?”
“ହାର? କାହିଁ ହାର?”
କୁମାରବାବୁ ବୁଲିପଡି ଦେଖିଲେ, ବାକ୍ସ ଖାଲି ।
“ଏହାହିଁ ମୋ ଜନ୍ମଦିନ ପାଇଁ ଉପହାର? ମୋର ଜଣେ ସଙ୍ଗିନୀ ସହରରୁ ଆସିଛି । ସେ ପଡୋଶୀ ଘରେ ଅଛି । ଆଉ ଟିକିଏ ପରେ ତୁମେ କ’ଣ ଆଣିଛ ଦେଖିବାକୁ ସେ ଆସି ପହଁଚିବ । ତାକୁ ଏଇଆ ଦେଖାଇବି?”
କୁମାରବାବୁ “ଚୋପ୍!” ବୋଲି କହୁ କହୁ ରହିଗଲେ । ତାଙ୍କ କ୍ରୋଧ ଯାଇ ଜୟସିଂହ ଉପରେ ପଡିଲା । ସେ ସଙ୍ଗେ ସଙ୍ଗେ ଘୋଡାଶାଳକୁ ଯାଇ ଦେଖିଲେ ଜୟସିଂହ ଘୋଡାକୁ ଦାନା ଖୁଆଉଛି ।
“ଜୟସିଂହ! ତମେ ଯାହାକୁ ତମ ସ୍ତ୍ରୀର କକା ପୁଅ ଭାଇ ବୋଲି କହି ଗାଡିରେ ଆଣିଲ, ସିଏ ଡାକୁ, ବଦମାସ୍! ଗାଡି ଓଲଟି ପଡିବା ପରେ ଜିନିଷପତ୍ର ଗୋଟାଇବା ଅବକାଶରେ ସିଏ ସୁନାହାରଟି ବାକ୍ସରୁ କାଢି ନେଇଛି । ତାର ଦାମ୍ ଅଢେଇ ହଜାର ଟଙ୍କା!”
“ବାବୁ! ଆପଣ ଏ କ’ଣ କହୁଛନ୍ତି? କାଶୀରାମ ଏଇଆ କଲା? ମୁଁ ଯାଉଛି ତାକୁ ଦେଖିବି । ସେ ଏବେ କୁଆଡେ ଯିବ!” ଏହା କହି ଜୟସିଂହ ସିଧା ନିଜ ଘରକୁ ଯାଇ ତା’ ସ୍ତ୍ରୀକୁ କହିଲା, “ତମ କକା ପୁଅ ଭାଇ କାଶୀରାମ ଯୋଗୁଁ ବର୍ତ୍ତମାନ ମୋର ମାନ ଇଜ୍ଜତ ଗଲା । ସେ ତା’ ଅଜାକୁ ଦେଖିବାକୁ ଆସିଲା; ବାଟରେ ମାଲିକଙ୍କ ବାକ୍ସରୁ ଅଢେଇ ହଜାର ଟଙ୍କା ମୂଲ୍ୟର ହାର କାଢି ନେଇଛି । ଅଜାବୁଢା ଭୀଷଣ ଅସୁସ୍ଥ ବୋଲି ଶୁଣି ସିନା ମୁଁ ତାକୁ ଗାଡିରେ ଆଣିଲି ।”