Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational Others

2.5  

Padmalaya Mishra

Inspirational Others

ବାପା:ଦାୟିତ୍ୱ ବୋଝ ଲଦା ପିଠି

ବାପା:ଦାୟିତ୍ୱ ବୋଝ ଲଦା ପିଠି

6 mins
7.2K


ଉପରେ ଧର୍ମ ଦେବତା, ତଳେ ବସୁମାତା ସବୁ ଦେଖୁଛନ୍ତି। ସତ୍ୟ ନ୍ୟାୟ ରେ ଥିଲେ ବିପଦ ବି ବିପଦ ନୁହେଁ, ଦୁଃଖ ବି ଫେରିଯାଏ। ଏମିତି କିଛି ପଦ ଲେଖା ଥିଲା ନନାଙ୍କ ଡାଏରୀରେ। ସେ ଡାଏରୀକୁ ମୁଁ ପାଇଥିଲି ନନାଙ୍କ ବାକ୍ସରୁ। ତାଙ୍କ ମୃତ୍ୟୁ ପରେ ତାଙ୍କ ଜିନିଷ ଖୋଳତାଡ଼ କରୁଥିଲୁ ଆମେ ଭାଇ ଭଉଣୀ ମାନେ। ନନାଙ୍କ ବୀମା କାଗଜ , ପେନସନ୍ କାଗଜ, ଘର ଜମି କାଗଜ ସବୁ ଦେଖି ଆମେ ଭାଗ ବାଣ୍ଟି ନବୁ। ଆଉ ବୋଉ ଚଳିବାକୁ ବି ତ କିଛି ଲୋଡ଼ା।

ଆମେ ଭୁଲି ଯାଇଥିଲୁ ଯେ ନନା ବୋଉ ଆମକୁ ଯୋଗ୍ୟ କରିଛନ୍ତି । ତଥାପି ମଣିଷ ଲୋଭ ତ ।

ବୋଉ ଯେତେବେଳେ ରାଗିକି କହେ କିଛି ସଞ୍ଚୟ କରୁନ, ସବୁ ରୋଜଗାର କୁ ଖାଇ ପି ଉଡୋଉଚ... ନନା ବି ହସିକି କହନ୍ତି , ସନ୍ତାନ ଯୋଗ୍ୟ ହେଲେ ଧନ କାହିଁକି ସଞ୍ଚୁ... ଅଯୋଗ୍ୟ ହେଲେ କାହିଁକି ସଞ୍ଚୁ। ଆମେ ତ ଆମ ଦୁଇ ପୁଅ ଦୁଇ ଝିଅଙ୍କୁ ଯୋଗ୍ୟ କରିଦେଇଛେ ଆଉ ଚିନ୍ତା କଣ... ବାକି ଜୀବନ ଆନନ୍ଦେ କାଟିବା।

ତଥାପି ନନାଙ୍କ ବାକ୍ସରୁ ଇନ୍ସୁରାନ୍ସ ପେପର , ଦୁଇଟା ବଣ୍ଡ୍ ପେପର, ଭୁବନେଶ୍ଵର ସ୍ଥିତ ବାସଭବନ ଠାରୁ ଅଳ୍ପ ଦୂରରେ ଦୁଇଟି ପ୍ଲଟ୍ କାଗଜ, ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ଛ ଲକ୍ଷର କାଗଜ ପତ୍ର ପାଇଲୁ। ନନା ତ ଧନ ସଞ୍ଜୟ ରେ ବିଶ୍ୱାସ ରଖୁନଥିଲେ, ତଥାପି ଏତେ କିଛି ରଖି ଯାଇଛନ୍ତି। କିଏ କଣ ପାଇବ, ବୋଉ ପାଖରେ କେତେ ରହିବ ସବୁର ବିବରଣୀ ବି କରିଥିଲେ। ବୋଧହୁଏ ସେ ଯାଣିଥିଲେ, ତାଙ୍କ ଯୋଗ୍ୟ ସନ୍ତାନ ମାନେ ନିଶ୍ଚୟ ଖୋଜିବେ। ଯେମିତି ବଞ୍ଚିବା ବେଳେ କାହାକୁ ହତାଶ କରିନଥିଲେ, ସେମିତି ମୃତ୍ୟୁ ପରେ ବି ହତାଶ କରିବାକୁ ଚାହିଁ ନଥିଲେ।

ସବୁ ନାତି ନାତୁଣୀ ମାନଙ୍କ ନାମରେ କିଛି କିଛି ଟଙ୍କା ରଖି ଯାଇଛନ୍ତି, ସେମାନଙ୍କ ବାହାଘର ବେଳେ ଅଜାଙ୍କ ଆଶୀର୍ବାଦ ସ୍ଵରୂପ ।

ନନା ଜୀବନ ସାରା ଖଟି ଖଟି ଶେଷରେ ଆକାଶର ତାରା ପାଲଟି ଗଲେ।

ଆମେ ଚାରି ଭାଇ ଭଉଣୀ ସ୍କୁଲ ଗଲାବେଳେ ନନା ପଛେ ପଛେ ଯାଆନ୍ତି, କାଳେ କିଛି ଅସୁବିଧା ହେବ ବୋଲି। ନାନୀ ସବା ବଡ଼, ତା ତଳେ ଦି ଭାଇନା, ଶେଷରେ ମୁଁ। ସାନ ବୋଲି ମୋର ଘରେ ଟିକିଏ ବେଶି ରାଜୁତି। ଆମେ ଭାଇ ଭଉଣୀ ଖେଳିବା ବେଳେ ମୁଁ କେବେ ହାରେନି। ହାରେନି କଣ , ମତେ କିଏ ହରାନ୍ତିନି। ମୁଁ ହାରିଲେ କାନ୍ଦେ, ଆଉ ମୋ କାନ୍ଦ ଶୁଣିଲେ ନନା ଖେଳ ବନ୍ଦ ବୋଲି କୁହନ୍ତି।

ସଞ୍ଜ ହେଲେ ପ୍ରାର୍ଥନା କରି ସମସ୍ତେ ମସିଣା ପକେଇ ପାଠ ପଢି ବସୁ। ନନା ଅଫିସରୁ ଫେରି ଆମକୁ ବସି ରାତି ୧୦ ପର୍ଯ୍ୟନ୍ତ ପଢାନ୍ତି। ନନାଙ୍କ ଚା ଜଳଖିଆ ବୋଉ ଆଣି ସେଇଠି ଦିଏ। ଟିକିଏ ପାଠ ଭୁଲ୍ ହେଲେ କି ଢୁଳେଇଲେ କଣି ଠାରୁ ମୋଟା ବାଉଁଶ ଠାରୁ ପତଳା ଏକ ବାଡ଼ି ଥାଏ, ସେଥିରେ ପାହାର ଦିଅନ୍ତି । ନାନୀକୁ ବାଡେଇଲେ ବୋଉ ରାଗେ। ..... ସବୁବେଳେ ଭୁଆସୁଣୀ ଝିଅକୁ ମାରନ୍ତିନି ବୋଲି କହେ। ମତେ ପାହାର ବସିଲେ ବୋଉ କହେ ଏଡିକି ବକଟେ ଛୁଆକୁ ବାଡେଇ ପଢେଇ ରାତାରାତି ପି. ଏଚ୍. ଡି କରେଇ ଦବନା କଣ।

ମୋ ପାଇଁ ସବୁ ସମାନ। ପାଠ ନପଢିଲେ ପିଠିରେ ପାହାର ନିଶ୍ଚେ ବସିବ। ତୁ ତୋ ପ୍ରେମ ନଦେଖେଇ ଏଠୁ ଯା। ବେଳେବେଳେ ବୋଉ ପଳାଏ, ଆଉ ବେଳେବେଳେ ନନା ବୋଉ ଭିତରେ କଳି ଲାଗେ। ଆମେ ଭାଇ ଭଉଣୀ ନଖ ଘଷୁ। ଆମେ କେମିତି ପଢାରୁ ମୁକ୍ତି ପାଇବୁ ବୋଲି। କିନ୍ତୁ ତା ପରଦିନ ପୁଣି ନନା ବସି ପଢାନ୍ତି। ନନାଙ୍କ ସେଇ ତପସ୍ୟା ଫଳରେ ନାନୀ କେମେଷ୍ଟ୍ରି ପ୍ରଫେସର, ଦୁଇ ଭାଇ ଇଂଜିନିୟର ଆଉ ମୁଁ ପ୍ରାଇଭେଟ୍ କମ୍ପାନୀରେ ଭଲ ପୋଷ୍ଟରେ ଅଛି।

ନାନୀ ଓ ବଡ଼ ଭାଇନା କଲେଜରେ ପଢୁଥାନ୍ତି, ବାଟରେ ପିଲାମାନେ ନାନୀକୁ କମେଣ୍ଟ୍ ମାରିଲେ। ଚୋଲି କେ ପିଛେ କ୍ୟା ହେ ଚୁନରି କେ ନିଚେ କ୍ୟା ହେ... । ଭାଇନା ଅଟକାଇବାରୁ ତାକୁ ମାଡ଼ ମାରିଲେ। ନାନୀ ଠାରୁ ସବୁ ଶୁଣି ନନା ସଙ୍ଗେ ସଙ୍ଗେ ଖବର ନେଇ ସେ ପିଲାମାନଙ୍କୁ ଉତ୍ତମ ମଧ୍ୟମ ଦେଇ ପୋଲିସରେ ଦେଲେ।

ନିଜେ ଭଲ କରି ଖାଉନଥିଲେ କି ପିନ୍ଧୁ ନଥିଲେ। କିନ୍ତୁ ଛୋଟିଆ ସରକାରୀ ଚାକିରି ଓ ଓଭର୍ ଡ୍ୟୁଟି କରି ଆମର ଫରମାଇସ୍ ପୂର୍ଣ୍ଣ କରୁଥିଲେ।

ଆଜି ନନା ନାହାନ୍ତି। ଦି ଭାଇ ବାଙ୍ଗାଲୋରରେ। ଘରେ ବୋଉ ଏକୁଟିଆ। ଆମେ ଦି ଭଉଣୀ ପାଖରେ ଅଛୁ ବୋଲି ମଝି ମଝିରେ ଯାଇ ଭଲମନ୍ଦ ବୁଝୁ, ବେଳେବେଳେ ବୋଉ ଦୁଇ ଚାରି ଦିନ ଆସି ଆମ ଘରେ ରହିକି ଯାଏ।

ଏବେ ମୋ ଝିଅ ନବମ ପଡିଲାଣି। ଆମର ଟଙ୍କା ଅଭାବ ନାହିଁ। ଝିଅ ପୁଅ ଦୁହେଁ ଯେତେବେଳେ ଯାହା ମାଗନ୍ତି, ତାଙ୍କ ପାପା ସଙ୍ଗେ ସଙ୍ଗେ ଯୋଗାଇ ଦିଅନ୍ତି। ମୁହଁ ବଢିବ ବୋଲି ମୁଁ କହିଲେ କୁହନ୍ତି, ମୋ ପିଲା ଦିନ କଷ୍ଟରେ କଟିଥିଲା। ମୋ ପିଲା ସେ କଷ୍ଟ ପାଇବେନି। ସେତେବେଳେ ମୁଁ ଭାବେ, ମୋ ନନା ଦାୟିତ୍ୱ ବୋଝ ତଳେ ଦବି ଯାଉଥିଲେ। ୟେ କେମିତି ବାପ କେଜାଣି ସବୁ କଥାକୁ ହାଲୁକା ନେଉଛନ୍ତି.....

ଏବେ ଗଣେଶ ପୂଜା ଚାଲିଛି। ଆମ ବେଳେ ଖାଲି ବିଦ୍ୟାଳୟରେ ଓ କିଛି ବଡ଼ ଅଫିସରେ ମୂର୍ତ୍ତି ବସି ପୂଜା ପାଉଥିଲେ। ଆଜିକାଲି କିନ୍ତୁ ପ୍ରତି ଗଳି କନ୍ଦିରେ ଗଣେଶ ମେଢ଼। ତା ସହ ଫିଲ୍ମ ଗୀତ ଓ ନାଚର ଜୋରଦାର ପ୍ରୋଗ୍ରାମ।

ଆମ ଘର ପାଖରେ ବି ଦୁଇ ପାଣ୍ଡାଲ୍। ଗଣେଶଙ୍କ ଏଡେ ବଡ଼ ବଡ଼ କାନ ତ ସେ ସାଉଣ୍ଡ ସମ୍ଭାଳି ନଉଛନ୍ତି କିନ୍ତୁ ଆମ କାନ ଛିଣ୍ଡି ଗଲା ଭଳି ଲାଗୁଛି।

ମୋ ଝିଅ ସ୍କୁଲରୁ ଫେରି କାନ୍ଦି କହିଲା, ଗଣେଶ ବିସର୍ଜନ ନହେଲା ଯାଏ ମୁଁ ସ୍କୁଲ ଯିବିନି। ପିଲା ଗୁଡା ମତେ ଦେଖି ସାଉଣ୍ଡ ଲଗାଇ ଗାଉଛନ୍ତି... ନବମ ଶ୍ରେଣୀ ଝିଅଟା ଛାତିକୁ ମୋ ହର୍ଟ କରୁଛି... ।

ମତେ ଭୀଷଣ ରାଗ ଲାଗୁଥାଏ, ଇଚ୍ଛା ହେଉଥାଏ ସେମାନଙ୍କୁ ଏଇଲେ ଯାଇ ପାହାରେ ଲେଖାଏଁ ଦିଅନ୍ତି। କିନ୍ତୁ ତା ପାପା ଚୁପ୍ ହୋଇ ବସି ଟିଭି ଦେଖୁଥାନ୍ତି।

ମୁଁ କହିଲି ମତେ ରାଗ ଲାଗୁଛି। ଅଥଚ ତମେ ଚୁପ ହୋଇ ବସିଛ। ସାଙ୍ଗେ ସାଙ୍ଗେ ସେ ଉତ୍ତର ଦେଲେ ପାଣି ଗିଲାସେ ପିଇ ମୁଣ୍ଡ ଥଣ୍ଡା କର। ଝିଅକୁ କହିଲେ, ହାତୀ ଗଲା ବେଳେ କୁକୁର ଭୁକେ। ତୁ ଇଗ୍ନୋର୍ କରେ।

ମୋର ମୋ ବାପାଙ୍କ କଥା ମନେ ପଡିଗଲା। ନାନୀ କମେଣ୍ଟ କଥା କହିଲା ତ ନନା ସେମାନଙ୍କୁ ବାଡେଇ ପୋଲିସକୁ ଦେଇଥିଲେ। ଅଥଚ ଇଏ ବାପ ହୋଇ ଚୁପ୍ ।

ଝିଅ କାନ୍ଦି କାନ୍ଦି ଶୋଇଲା। ମୁଁ ବସିଥାଏ, ତା ମୁଣ୍ଡକୁ ଆଉଁଷି। ଯେମିତି ସେ ଏକୁଟିଆ ଫିଲ୍ ନକରେ ।ମୋ ଆଖିକି ବି ନିଦ ନଥାଏ। ରହି ରହି ନନାଙ୍କ କଥା ମନେ ପଡୁଥାଏ । ଏମିତି ନାନୀ କି ମତେ କିଏ କଣ କହିଦେଲେ ସେ ରାଗି ଯାଉଥିଲେ। ଆମକୁ ବି ତାଗିଦ କରିଥାନ୍ତି ମୁଣ୍ଡ ତଳକୁ କରି ଚାଲିବ। ଫାଜିଲାମି କରିବା ଜାଣିଲେ ପାଠ ବନ୍ଦ କରା ଯାଇ ବିବାହ କରି ଦିଆଯିବ। ଭାଇନା ମାନଙ୍କୁ ତ କହିଥିଲେ, ଯଦି ସେମାନେ ଦାଣ୍ଡରେ ଗୁଣ୍ଡାମି କି ବଦମାସୀ କରିବା ନଜରକୁ ଆସେ ପାଠ ବନ୍ଦ କରି ଗାଁ ଜମି ଚାଷ କରିବାକୁ ଛାଡିଦେବେ।

ଆମେ ସମସ୍ତେ ନନାଙ୍କୁ ଡରୁଥିଲୁ। ସେ ଏମିତିରେ କିଛି କୁହନ୍ତିନି କିନ୍ତୁ ବାହାରେ ଆମ ଉପରେ କଡା ନଜର ରଖିଥାନ୍ତି। ବୋଉ କୁହେ, ନନା ଉଡିଗଲା ଚଢେଇର ପର ଗଣି ଦିଅନ୍ତି। ସତରେ ବି ଆମେ ଦେଖୁ ଆମ ଉପରେ ବାହାରେ କିଛି ବିପଦ ଆସିଲେ ନନା ସେଠି ଉଭା ହେଇ ଯାଆନ୍ତି।

ଆଜି ନନା ଥିଲେ ମୋ ଝିଅ କାନ୍ଦି ନଥାନ୍ତା।

ରାତି ପାହିଲା। ପିଲାମାନେ ସ୍କୁଲକୁ ଗଲେ। ଇଏ ବି ଅଫିସ ଗଲେ। ମୁଁ ଭାବୁଥିଲି ସେ ପିଲାମାନଙ୍କୁ ଯାଇ ମୋ ଝିଅକୁ ଦେଇଥିବା ମାନସିକ ନିର୍ଯାତନାର ହିସାବ ନେବି। ହେଲେ ମୋତେ ବି ଅଫିସ ଯିବାକୁ ହେଲା।

ସଞ୍ଜରେ ଘରକୁ ଫେରିଲି। ଝିଅ ଟ୍ୟୁସନ୍ ପଳେଇ ଥିଲା, ପୁଅ ତା ଆଈ ସହ ଖେଳୁଥିଲା। ଇଏ ଫେରି ନଥିଲେ ଅଫିସରୁ। ମୁଁ କାଲି କଥା ଭୁଲି ଯାଇଥିଲି। ଟିକେ ଫ୍ରେସ ହୋଇ ବସିଥାଏ, କିଛି ପିଲା ଘରକୁ ଆସିଲେ। ଗଣେଶଙ୍କ ଭୋଗ ଦେଇ କାଲି ଝିଅକୁ କରିଥିବା ବ୍ୟବହାର ପାଇଁ କ୍ଷମା ମାଗିଲେ। ମୁଁ ନିରବରେ ସେମାନଙ୍କ ଠାରୁ ଭୋଗ ରଖିଲି। ଏ ଚମତ୍କାର କେମିତି ହେଲା ଜାଣି ପାରୁ ନଥିଲି।

ଇଏ ଘରକୁ ଫେରିବା ପରେ ସବୁ କହିଲି। ସେ ଟିକେ ମୁରୁକି ହସିଦେଲେ। ମତେ ଅଛପା ରହିଲାନି ଯେ ନିଜ ଝିଅ ପାଇଁ ବାପା ହିସାବରେ ଇଏ ତାଙ୍କ କର୍ତ୍ତବ୍ୟ କରିଛନ୍ତି। ତାମାନେ ମୋ ଭାବନା ଭୁଲ୍। ମୋ ବାପା ଓ ମୋ ଝିଅର ବାପାଙ୍କ ଚିନ୍ତା ସମାନ। ଖାଲି ଯାହା କାର୍ଯ୍ୟ କରିବା ପ୍ରଣାଳୀ ଅଲଗା।

କଣ ଭାବୁଛ? ମୁଁ ପ୍ରକୃତିସ୍ଥ ହେଲି। ସେ ମୋ ମନ ପଢି ନେଲେ।

- ମୁଁ ବୁଝି ପାରୁଛି, ତମେ କାଲି ଓ ଆଜିର କଥାକୁ ନେଇ ଦ୍ଵନ୍ଦରେ ଅଛ। ସେ ପିଲାମାନଙ୍କୁ ମୁଁ ହିଁ ବୁଝେଇଛି। କାଲି ଯଦି ସଙ୍ଗେ ସଙ୍ଗେ ରିଆକ୍ଟ କରିଥାନ୍ତି କଥା ବିଗିଡ଼ି ଥାନ୍ତା। ଆମ ଝିଅ ବାହାରକୁ ବାହାରିବା ମାତ୍ରେ ହଇରାଣ କରିଥାନ୍ତେ । କାଲି କମେଣ୍ଟ ଅପେକ୍ଷା ଅଧିକ ମାନସିକ କଷ୍ଟ ପାଇଥାନ୍ତା ଆମ ଝିଅ।

-ମୁଁ ଉତ୍କଣ୍ଠାରେ ପଚାରିଲି କଣ କହିଲ ଯେ ସେ ପିଲାମାନେ ଚେଞ୍ଜ ହେଇଗଲେ।

- ମୁଁ ଖାଲି ହଜାରେ ଟଙ୍କା ଦେଇ ଗଣେଶଙ୍କୁ ଭୋଗ ଲଗେଇବାକୁ କହିଲି। ତାପରେ କହିଲି, ମୋ ଝିଅ ମାନେ ତୁମମାନଙ୍କ ଭଉଣୀ ଯିବା ଆସିବା କରୁଛି ଟ୍ୟୁସନ ସ୍କୁଲ। କେହି ଯେମିତି ହଇରାଣ ନକରନ୍ତି ନଜର ରଖିଥିବ ।

- ହେ ଭଗବାନ! ତୁମେ ସେ ବାଳୁଙ୍ଗା ମାନଙ୍କୁ ହଜାରେ ଟଙ୍କା ଦେଲ।

- ଆରେ ଏଇଟା ଏକ ଛୋଟ ଇନଭେଷ୍ଟମେଣ୍ଟ୍। ଦେଖିବ ନିଜେ ତ ଆଉ କମେଣ୍ଟ ମାରିବେନି। ଅନ୍ୟ କିଏ କମେଣ୍ଟ ମାରିଲେ, ଭଉଣୀ ପାଇଁ ଲଢି ଯିବେ।

- ତମ କଥା ଠିକ କିନ୍ତୁ ସେମାନେ ଏତେ ଟଙ୍କାର କଣ ଭୋଗ କରିବେ ?

- ହସି ହସି ଇଏ କହିଲେ, ତୁମକୁ କଣ ଲାଗୁଚି- ଏମାନେ ଭକ୍ତି ଭାବରେ ପୂଜା କରୁଛନ୍ତି..... ପ୍ରାୟ ସବୁ ଅଷ୍ଟମ ନବମରୁ ଅଧିକ ପଢି ନାହାନ୍ତି। ଏକାଠି ମାଇକ୍ ଲଗେଇ ଏମିତି ବାତରାମି କରିବା ପାଇଁ ମୂର୍ତ୍ତି ବସେଇଛନ୍ତି । ଜାଣିଚ ଆର ଗଳିର ମହାନ୍ତି ବାବୁଙ୍କ ଝିଅକୁ କମେଣ୍ଟ କଲାରୁ ମହାନ୍ତି ବାବୁ ରାଗି ପାଟିତୁଣ୍ଡ କଲେ। ଓଲଟି ସେ ପିଲାମାନେ ମହାନ୍ତି ବାବୁଙ୍କୁ ବାଡେଇଲେ। ତାଙ୍କ ଗାଡିରୁ ଲାଗି ଲାଗି ତିନି ଦିନ ହେଲା ପମ୍ପ ଖୋଲି ଦଉଛନ୍ତି। ତାଙ୍କ ଝିଅକୁ ଅଧିକ ହଇରାଣ କରୁଛନ୍ତି।

ମୁଁ କାବା ହୋଇ ତାଙ୍କ ମୁହଁକୁ ଚାହିଁ ଥାଏ।

- ଆରେ ଯାଅ, ତମ କାମ କର। ଅଯଥା ଟେନ୍ସନ ନିଅନି। ମୁଁ ସବୁ ସମ୍ଭାଳି ନେବି।

ସେ ତାଙ୍କ କାମରେ ବ୍ୟସ୍ତ ରହିଲେ ଓ ମୁଁ ମୋ କାମରେ। ମୁଁ ଖାଲି ଭାବୁଥିଲି, ଯେତେ ସମୟ ବଦଳୁ ବାପା ସଞା କେବେ ବଦଳିବନି। ସେ ସେମିତି ପରିବାର ବୋଝ ବୋହୁଥିବ, ଖାଲି ଯାହା ତରିକା ଭିନ୍ନ ।।। ....

............. ପଦ୍ମାଳୟା


Rate this content
Log in

Similar oriya story from Inspirational