Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Comedy Drama

3  

Anil Kumar Parhi

Comedy Drama

ଦର୍ପଣ - ୩

ଦର୍ପଣ - ୩

6 mins
7.4K


କବିତା.... କବିତା .... କବିତା। ଜଣେ ନହନହକା ଟୋକା ତମ୍ବୁ ତଳେ ବସିଥିବା ଶ୍ରୋତାମାନଙ୍କୁ ପଚାରିପଚାରି ଯାଉଥାଏ। ବସ୍ ର କଣ୍ଡକ୍ଟର ଆଙ୍ଗୁଳି ସନ୍ଧିମାନଙ୍କରେ ଦଶଟଙ୍କିଆ, କୋଡିଏ ଟଙ୍କିଆ ଲମ୍ବା ପଟେ ମଝିରୁ ଦିଭାଙ୍ଗ କରି ଧରିଲା ପରି ସେ କବିତା ଲେଖା କାଗଜମାନଙ୍କୁ ଧରିଥାଏ।

ମୋତେ ହଠାତ୍ କବିତା କବିତା ଶୁଣାଗଲା ନାହିଁ। ଲାଗିଲା 'ତା' ଅକ୍ଷରରେ ସରୁଥିବା କିଛି ହରେକମାଲ ଜିନିଷ ଯେମିତି ଟୋକାଟି ବିକୁଛି! ବହି ମେଳା ଚାଲିଥାଏ, ବହି ଦୋକାନ ଅପେକ୍ଷା ଠୁଙ୍କା ପୁରୀ, ଚାର୍ଟ୍, କେନ୍ଦ୍ରାପଡା ରସାବଳୀ ଦୋକାନ ଅଧିକ। କୋଉ ବେପାରୀ ହୁଏତ ଏଠାକୁ ଚାଲିଆସିଥିବ!

ଏତେ ଗୁଡା ଦିନ ମଧୁମେହ ହେଲା ପରେ କାନକୁ ମୋର ଠିକ୍ ରେ ଶୁଭୁନି ନା କ’ଣ! ମୁଁ ବନ୍ଧୁଙ୍କୁ ପଚାରିଲି - ସେ ଟୋକା କ’ଣ ବିକୁଛି କି?

ବନ୍ଧୁ ମୁଁ ଫୁଲେଇହଉଛି ବୋଲି ମନେକଲେ। ତଥାପି ନିଜର ବିରକ୍ତିକୁ ସମ୍ବରଣ କରି କହିଲେ - ବିକିବ କ’ଣ ମ! କବିତା ପାଠୋତ୍ସବ ପାଇଁ କବିତା ସଂଗ୍ରହ କରୁଛି। ତମେ ଆଣିଚ ଟି? ବନ୍ଧୁ ମୋ ଆଖିଆଗରେ ସେ ଆଣିଥିବା କବିତା ଲେଖା ଏ ଫୋର୍ କାଗଜକୁ ଆନ୍ଦୋଳିତ କଲେ।

ମୁଁ କହିଲି - ଆରେ ପୁସ୍ତକ ମେଳାକୁ ଆସିଥିଲି ବହି କିଣିବା ପାଇଁ। କବିତା ପଢିବା କଥା ତମେ ଜଣେଇଥିଲେ ହୋଇଥାନ୍ତା ନା! ବନ୍ଧୁ ମୋ କଥାରେ ବ୍ୟଙ୍ଗ କରି ହସିଲେ - ତମେ କ’ଣ ଏତିକି ଜାଣିନା ଯେ କୌଣସି ସଭା ବିନା କବିତା ପାଠୋତ୍ସବରେ ସମ୍ପନ୍ନ ହୁଏନା! ଏକଥା ତମକୁ ଜଣେଇବାକୁ ହେବ! ସେ ତାପରେ କିଛି ସମୟ ଚିନ୍ତିତ ଦିଶିଲେ ଏବଂ ଶେଷ ତମ ଆଶ୍ବାସନା ଶୁଣେଇଲେ - ବ୍ୟସ୍ତ ହୁଅନି। ଫେସବୁକରେ ତ ଅନେକ କବିତା ଲେଖିଛ। ଜିଓ କବିତା। ଜିଓ ତ ନେଟ୍ ଫ୍ରି କରିଦେଇନି, କବିତା ଫ୍ରି କରିଦେଇଛି। ଗୋଟେ ଜିଓ କବିତା ପଢିଦେବ।

ହଁ, ସେତିକିବେଳେ ମୋର ନଜର ପଡିଲା ମୋ ମୋବାଇଲ ଉପରେ। ବ୍ୟାଟାରୀ ସୂଚକାଙ୍କ ମାତ୍ର ୨୨ ଦେଖାଉଥାଏ। ଏତେ ଶୀଘ୍ର କାହିଁକି ମୋ ସ୍ମାର୍ଟଫୋନର ବ୍ୟାଟେରୀ ସରିଯାଉଛି ଯେ! କେତେଥର ଭାବିଲିଣି ଗୋଟେ ପାଓ୍ବାର ବ୍ୟାଙ୍କ କିଣିବି, କିଣିପାରିନି ଆଜିଯାଏ। ସେତେବେଳକୁ କବିତା ପଢିବାର ନିଶାଟା ଟିକେଟିକେ ମାଡି ଆସିଲାଣି। ମୋତେ ସେତେବେଳେ ଯଦି ଈଶ୍ଵର ଅମୃତ ନା ପାଓ୍ବାର ବ୍ୟାଙ୍କ ନେବ ପଚାରିଥାନ୍ତେ ମୁଁ ପାଓ୍ବାର ବ୍ୟାଙ୍କ କହିଥାନ୍ତି।

ଆମେ ଘୋଷଡା, ନେସଡା, ପଙ୍ଗତଖିଆ କବିଗୁଡାକ। ଗୋଟେ ଦିଟା ସଭାରେ କବିତା ପଢିବାର ସୁଯୋଗ ମିଳିଗଲେ ଆମେ କୃତକୃତ୍ୟ।

ବନ୍ଧୁ ତାଙ୍କ ପାଖରେ ବସିଥିବା ଆଉଜଣେ କବି ବନ୍ଧୁଙ୍କ ସହିତ କଥା ହେଉଥିଲେ - ଜାଣିଲେଣି, ପାର୍ବତୀ ପଣ୍ଡା ଏଥର ଚେନ୍ନାଇ ଯାଇଛି କବିତା ପଢିବା ପାଇଁ ଏକ ଆନ୍ତର୍ଜାତିକ କବି ସମ୍ମିଳନୀରେ! ଫି ବର୍ଷ ଦିଲ୍ଲୀ, ବମ୍ବେ ଯିବା ପାଇଁ ସେଇ ଏକା ମିଳୁଛି! ଏକା ଘୋଷ ପଣ୍ଡିତଟା! ବୟସରେ କେତେ ସାନ! ମୋ ବନ୍ଧୁଙ୍କ ବନ୍ଧୁ ହସିଲେ - ହେତ୍! ତମେ ତ ବିଳରେ ପଶିଲ, ଜାଣିବ କେମିତି! ତା ହଜବେଣ୍ଡ ପରା ଶାସକ ଦଳର! ସେ ଯିବନି ଆଉ କ’ଣ ତମେ ଯିବ!

ନହନହକା ଟୋକାଟି ଗୋଟେଗୋଟେ ଜାଗାରେ ବେଶ୍ କିଛି ସମୟ ଅଟକି ଯାଉଥିଲା। ମହାଭାରତ ଯୁଦ୍ଧରେ ଅଭିମନ୍ୟୁକୁ କୌରବ ବୀରମାନେ ଘେରିଲା ପରି। କିଏ ଭାଇ, କିଏ ସାର୍ ଡାକିଡାକି ପରସ୍ପର ଉପରେ ଚଢାଚଢି ହୋଇ କବିତା ବଢଉଥିଲେ। ଯେମିତି ଏଠି କବିତା ପଢିଦେଲେ ପ୍ରେମିକା ବାହା ହବାକୁ ରାଜି ହୋଇଯିବ, ସରକାରୀ ବ୍ୟାଙ୍କ ଋଣ ଛାଡିଦେବ, ବହୁ ଦିନର କଚେରୀ ମାମଲା ତୁଟିଯିବ!

ଆହା ସାରଳା, ଜଗନ୍ନାଥ, ବଳରାମଙ୍କ ସମୟରେ କବି ସମ୍ମିଳନୀ ନଥିଲା! ଥିଲେ ସାରଳା ଗୋଟିଏ ଦିନ କେବଳ ମହାଭାରତ ପଢିଥାନ୍ତେ!

ଏବେ କବିତାର ନାମ ଜିଓ, କବିମାନେ ମାଓ ଏବଂ କବିତାର ଶବ୍ଦ ମ୍ୟାଉଁ। ବଡ ଗଉଁ କବିଙ୍କର।

ଇଏ କବିତା ପଢିବେ, ନହନହକା ପତର ବଙ୍କା ଟୋକାଟିକୁ ବନ୍ଧୁ ମୋତେ ଦେଖେଇ କହିଲେ। ହେଲେ, ସେ ହାର୍ଡକପି ଆଣିନାହାଁନ୍ତି। ବନ୍ଧୁ ପୂର୍ଣ୍ଣାଙ୍ଗ ସୂଚନା ଦେଲେ।

ତେବେ? କ’ଣ ମୁହଁରୁ ପଢିବେ? ଗଳାର୍ଦ୍ଧକରଣ ଅର୍ଥରେ ଟୋକାଟି ଫଟା ଟିଣର ଆବାଜରେ ପଚାରିଲା।

ନାଇଁ, ମୋବାଇଲରୁ ପଢିବେ। ବନ୍ଧୁ କହିଲେ।

ମୋତେ ତାହେଲେ ମୋବାଇଲଟା ଦେବାକୁ ହେବ। ଟୋକା କବି କହିଲେ। ମୁଁ ରାଜି ହେଲିନି। ବନ୍ଧୁ ଯେମିତି ହେଉ ମୋର କବିତା ପଢାର ଆୟୋଜନ କରେଇ ଦେବେ କହିଲେ। ମୁଁ କବିତା ନପଢିବାକୁ ଯିଦ୍ କଲି।

ଚାରି କି ଛଅ ଜଣ ଅତି ବରିଷ୍ଠ କବି ଆସି ତମ୍ବୁ ତଳେ ଆଗରେ ବସିଲେଣି। କିଛି ନାରୀ କବି ସେମାନଙ୍କ ପାଖରେ ନଇଁ ପଡି କ’ଣ କହୁଛନ୍ତି। କିଛି ଗଦଗଦ ହୋଇ ସେଲ୍ଫି ନେଉଛନ୍ତି। ସେମାନଙ୍କ ସାମ୍ପୁକରା ବାଳ ହାଲୁକା ଭାବରେ ଉଡି ସାରା ତମ୍ବୁ ବ୍ୟାପ୍ତ ହୋଇଗଲା ପରି ଲାଗୁଛି। ବାମ ହାତରେ ସେମାନେ ଟେକି ଧରିଥିବା ଶାଢିର ଆଂଚଳରୁ ଅତିମହତକାଂକ୍ଷା ଫଗ୍ ଡିଓ ପରି କଥା କହିବା ଆରମ୍ଭ କରିଛି। ଆହା, କି ମାହେନ୍ଦ୍ରବେଳାରେ ଏ କବିମାନଙ୍କ ଜନ୍ମ ହୋଇଥିଲା! ମୋର ହେଲାନି ସେମିତି! ଜଣେ ଜ୍ୟୋତିଷ କହିଥିଲେ ମୋତେ - ତମ ରାଶିଟା ଏକରେ ଖରାପ, ତା ଛଡା ଗ୍ରହନକ୍ଷତ୍ର ଗୁଡାକର ସ୍ଥିତି ଏତେ ଖରାପ ଯେ ତମେ ମୂଲିଆଟେ ବି ହୋଇପାରିନଥାନ୍ତ। ଭାଗ୍ୟ ଭଲ ସରକାରୀ ଚାକିରୀ ପାଇଛ, କିଛି ଗୀତ ଲେଖୁଛ।

ଭୁଲ ସବୁ ମୋ କୁମ୍ଭ ରାଶିର। ହେଲେ, ଓଡିଶା କ’ଣ, ସାରା ଭାରତବର୍ଷରେ ବହୁ ଲୋକପ୍ରିୟ ଜଣେ ଓଡିଆ କବିଙ୍କ ରାଶି ବି କୁମ୍ଭ!

କବିତା ସଭାର କେତୋଟି ବଡ ବିଶେଷତ୍ଵ ଅଛି ଓଡିଶାରେ। ପ୍ରଥମଟି ହେଲା, ଏହାର ସବୁ ଶ୍ରୋତା ଜଣେ ଜଣେ କବି ଓ ପ୍ରତ୍ୟେକଙ୍କର ସେହି ସଭାରେ କବିତା ପଢିବାକୁ ଥାଏ। ଦ୍ଵିତୀୟ ହେଲା, ନିଜର କବିତାଟି ପଢା ସରିଲା ପରେ ସେହି ଶ୍ରୋତା-କମ୍-କବି ସଭା ସ୍ଥଳରୁ ପଳାୟନ କରିବା ନିଶ୍ଚିତ। ତୃତୀୟଟି ହେଲା ବହୁ ବରିଷ୍ଠ କବିମାନଙ୍କୁ ବୟସ, ପ୍ରତିପତ୍ତି ଆଉ ପୁରସ୍କାର ଅନୁସାରେ ସବା ଆଗେ ଡକାଯାଏ ଏବଂ ଠିକ୍ ଯେତେବେଳେ ସେମାନଙ୍କର କବିତା ପଢା ସରିଯାଏ ସେତେବେଳେ ସେମାନଙ୍କର ଅର୍ଜେଣ୍ଟ କାମଟି ମନେପଡେ। ଦୁଇପଟେ ବସିଥିବା ବହୁ କବି ଯାହାଙ୍କୁ କବିତା ଶୁଣେଇ ଇମ୍ପ୍ରେଷ୍ଡ କରିବାକୁ ଆସିଥାନ୍ତି ସେମାନେ ଆୟୋଜକଙ୍କ ବାଟେଇଦବା ପ୍ରସେସନ ଭିତରେ ବଡ କବିଙ୍କୁ ଦେଖି ମଧ୍ୟ ପାରନ୍ତିନାହିଁ। ତୃତୀୟ ହେଲା ପଢାହେଉଥିବା କବିତାର ନବେରୁ ଅଧିକ ଭାଗ କବିତା ପ୍ରେମ କବିତା, ଯେଉଁଥିରେ ପ୍ରିୟା, ଓଠ, ଚୁମ୍ବନ, ସମୟ, ମଳୟ, ସ୍ମୃତି, ଋତୁ, ପକ୍ଷୀ, ଆକାଶ, ଫୁଲ, ବିରହ, ଲୁହ, ଆଖି, ଭୁଲିଗଲ, ବ୍ୟତୀତ ଆଉକିଛି ଶବ୍ଦ ନଥାଏ। ଆଉ ଦଶଭାଗ କବିତା ନିକଟରେ ଗଣଧର୍ଷଣର ଶୀକାର ହୋଇଥିବା କନ୍ୟାଟି ଉପରେ। ଚତୁର୍ଥ ବିଶେଷତ୍ଵଟି ଏପରି - କେହି ପ୍ରକୃତରେ କାହା କବିତା ଶୁଣନ୍ତିନାହିଁ। ପଞ୍ଚମ ବିଶେଷତ୍ଵ ହେଉଛି, କବିତା ପଢିବା ପୂର୍ବରୁ କବିଟିଏ ଅଧିକ ସମୟ ମାଇକ ଧରିବା ଉଦ୍ଦେଶ୍ୟରେ ନିଜ କବିତା ସମ୍ପର୍କରେ ଆଗେ କିଛି କହିବ ଏବଂ ସେହି କହିବା ଭିତରେ ତିନି ଚାରି ଟାଣୁଆ ପାଶ୍ଚାତ୍ୟ କବି ଓ ଓଡିଶାରେ ପ୍ରକାଶନ ସଂସ୍ଥା ସହିତ ଜଡିତ କବିମାନଙ୍କ ଭୁରିଭୁରି ପ୍ରଶଂସା କରିବ। ଷଷ୍ଠ ହେଲା ସେ ପଢୁଥିବା କବିତା ଦୀର୍ଘ ହେବାକୁ ବାଧ୍ୟ ଏବଂ କିଛି ଶବ୍ଦ ଓ ଧାଡିମାନଂକର ପୁନଃପୁନଃ ଉଚ୍ଚାରଣ ଏହାକୁ ଅତି ଦୀର୍ଘ କରୁଥିବ।

ବନ୍ଧୁ ପଚାରୁଥିଲେ - ତମେ କ’ଣ ଚାହିଁଲେ ଏଇଠି କବିତାଟିଏ ଲେଖିପାରିବ ନାହିଁ! ହେଇ ଦେଖ! ସେ ମୋତେ ସଭାର ଗୋଟିଏ ନିର୍ଦ୍ଦିଷ୍ଟ ଦିଗ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଟୋକାଟି କବିତା ଗୋଟେଇବା ଜାରି ରଖିଥାଏ। କେତେଜଣ ନଇଁ ପଡି କଲମରେ କ’ଣ ସବୁ ଗାରେଇ ପକାଉଥାନ୍ତି।

ବନ୍ଧୁ କହିଲେ - ସେମାନେ ତ ପୁଣି ଏଇଠି ବସି କବିତା ଲେଖି ପକାଉଛନ୍ତି! ତମେ ପାରିବନି କାହିଁକି ବା! ସେ ମୋ ହାତକୁ ଖଣ୍ଡେ ଦଳାମକ୍ଚା କାଗଜ ବଢେଇଲେ। ମୁଁ ପ୍ରଥମେ ତାକୁ ମୋ ଜଂଘ ଉପରେ ରଖି ପାଲିସ୍ କରିବାକୁ ଚେଷ୍ଟା କଲି।

ଲେଖ। ବନ୍ଧୁ କହିଲେ।

ମୋ ମୋବାଇଲର ବ୍ୟାଟେରୀ ଏବେ ୧୭!

କ’ଣ ଲେଖିବି ମୁଁ? କ’ଣ! କେମିତି! ମୋ ମନକୁ ଗୋଟେ ବି ଶବ୍ଦ ଆସୁନଥିଲା।

କବିସଭାର ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ। କବି କର୍ମ, କବି ଧର୍ମ, ଶବ୍ଦ ନାଦ ପରଂବ୍ରହ୍ମ ଉପରେ ଦୀକ୍ଷାନ୍ତ ଭାଷଣ। କେତେ କଥା ଜଣା ମ ଏମାନଙ୍କୁ। ଏମାନଙ୍କ ମା ମାନେ ନିଶ୍ଚିତ ବାରମାସ ଗର୍ଭ ଧାରଣ କରିଥିବେ।

କବିତା ପଢାର କ୍ରମକୁ ନେଇ କିଛି କବି ରୀତିମତ ମଞ୍ଚ ପାଖକୁ ଯା’ଆସ କରୁଥିଲେ। ସଂଚାଳିକା ମାନଙ୍କର ହୀରା ପଥର ବସା ସ୍ବର୍ଣ୍ଣ ମୁଦ୍ରିକାମାନ କବିତାର ଲୋଚାକୁଚା କାଗଜ ଉପରେ ଆନ୍ଦୋଳିତ ହେଉଥିଲା। ଭାଷଣ ପରେ କବିତା ପଢା।

ଆରେ ଆରେ। ମୋ କାନ ପଡିଲା ଭାଷଣ ଦେଉଥିବା ବରେଣ୍ୟ କବିଙ୍କ ଉପରେ। ହଁ ତ! ଏଇ କିଛି ସମୟ ପୂର୍ବରୁ ତାଙ୍କ ପାଖରେ ନଇଁପଡି ଗପୁଥିବା କବୟତ୍ରୀମାନଙ୍କୁ ସେ ଓଡିଆ କବିତାର ମଙ୍ଗୁଆଳ କହୁଛନ୍ତି! ହେଃ।

କବିତା ଆସୁନାହିଁ ମନକୁ। ବନ୍ଧୁ ଶୀଘ୍ର ଲେଖ ବୋଲି କହୁଛନ୍ତି। ମୁଁ ଲେଖିଦେଲେ ସେ କବିତା ଥାକରେ ଉପର ଆଡକୁ ମୋ କବିତା ଗୁଞ୍ଜିଦେଇ ଆସିବେ କହିଛନ୍ତି। ହେଲେ, କବିତା ଆସୁନି। ମା ସାରଳା, ମା ସରସ୍ଵତୀ! ସହାୟକ ହୁଅ ମା। ନା ମ! କବିତା ଲେଖିଲା ବେଳକୁ ଅକ୍ଷୟ ମହାନ୍ତିଙ୍କ ଗୋଟେ ଗୀତର ଧାଡି ଅପଭ୍ରଂଶିଆ ହୋଇ ମନେ ପଡୁଛି - ହେ ଫଗୁଣ ତମେ ଗଲା ପରେ ପରେ, କେତେ ଯେ ଫଗୁଣ ଏଠି .....।

ହଠାତ୍ ମୋ ପାଦ ପାଖରେ ଖଣ୍ଡି ପବନରେ ଉଡିଆସି ବାଦାମ ମୋଡାରେ ବ୍ୟବହୃତ କାଗଜଟେ ପଡିଲା। କିଏ ବୋଧେ ବାଦାମ ଖାଇ କାଗଜ ଫିଙ୍ଗିଦେଇଛି। ଖବରକାଗଜର ଅଂଶ। ମୁଁ ଗୋଟାଏ ଉତ୍ସାହରେ କାଗଜଟିକୁ ଉଠେଇ ଆଣିଲି। ମୋର ଆଖି ସେହି ସ୍ବଳ୍ପାଲୋକରେ କାଗଜ ଉପରେ ଘୂରିଆସିଲା। ମୁଁ ମନେମନେ ଚିତ୍କାର କଲି ୟୁରେକ୍କା.....ୟୁରେକ୍କା। ଖବରକାଗଜରେ ଥିବା କିଛି ଶବ୍ଦ, କିଛି ବାକ୍ୟାଂଶକୁ ସିଧାସିଧା ଯୋଡିଦେଲେ ଗୋଟେ ସୁନ୍ଦର କବିତା ହୋଇଯାଉଛି!

ଚତୁରତାର ସହିତ ଶବ୍ଦମାନଙ୍କୁ ଯୋଡି ମୁଁ କଷ୍ଟେମଷ୍ଟେ କବିତାଟି ଲେଖିଦେଲି।

ମୋ ମୋବାଇଲ ବ୍ୟାଟେରୀ ୭ ପରସେଣ୍ଟ!!

ବନ୍ଧୁ ମୋ ହାତରୁ କବିତାଟିକୁ ଝିଙ୍କିନେଲେ। ସେ କବିତାଟିକୁ ପଢୁଥାନ୍ତି, ତାଙ୍କ ଆଖିରୁ ଧାରେ ଲୁହ ଗଡିଆସିଲା। ସେ ମୋ ହାତକୁ ମୁଠେଇ କହିପକାଇଲେ - ଧନ୍ୟ, ଧନ୍ୟ ତମେ କବି! କୁନ୍ଦୁଲି ଉପରେ ୟା'ଠାରୁ ଭଲ କବିତା ଆଉ ଲେଖା ହୋଇପାରିବ ନାହିଁ!

ବନ୍ଧୁ କବିତାଟିକୁ ପଇଠ କରିବା ଆଗରୁ ଆଉ କେତେଜଣଙ୍କୁ ପଢେଇଲେ। ବାହା, ବାହାର ଗୁଞ୍ଜରଣ ଶୁଣାଗଲା। ମୋତେ ଟିକେ ଅନ୍ ଇଜି ଲାଗିଲା। ମୁଁ ବାଦାମ ଠୁଙ୍ଗାର କାଗଜ ଧରି ମିଛ ବାହାନାରେ ବାହାରକୁ ଆସିଲି।

ତମ୍ବୁ ବାହାରେ କୁନ୍ଦୁଲି ବୋଲି ମୁଁ ଜାଣିନଥିଲି।

ଜଣେ ପ୍ରକାଶକଙ୍କ ପାଖରେ ଠିଆହୋଇଥିଲେ ଜଣେ ଅପ୍ରସିଦ୍ଧ ଯୁବ କବି। ମୁଁ ସେମାନଙ୍କ କଥାକୁ କାନେଇଲି। କବି କହୁଥାନ୍ତି - ପନ୍ଦର ହଜାର ଭିତରେ କରିଦିଅନ୍ତୁ ଆଜ୍ଞା! ପ୍ରକାଶକ - କ’ଣ, ହାତରୁ ଖାଇ ଘୋଡା ଆଗରେ ନାଚିବି! କବିତା ବହି କେହି କିଣୁଛନ୍ତି! ତମ ବହି ପୁଣି ଲାଇବ୍ରେରୀ ବି ନବନି! ତିରିଶ ହଜାର। ଦୁଇ କିସ୍ତିରେ। ଦେବି କୋଡିଏ ଖଣ୍ଡ ତମକୁ!

ବରେଣ୍ୟ କବି ଭାଷୁଥିଲେ - କବିତା ହୃଦୟର କଥା କୁହେ! ଆପଣା ପଣରେ ବାନ୍ଧି ରଖେ। କବିତା ପଣ୍ୟ ନୁହେଁ!

ମୋ ମୋବାଇଲ ବ୍ୟାଟେରୀ ୨ ଶତକଡା।

ତମ୍ବୁଠୁ କିଛି ଦୂରକୁ ମୁଁ ଆସିଲି। ହାତରେ ଧରିଥିବା ବାଦାମ ଠୁଙ୍ଗାକୁ ହାତ ଚକି ଉପରେ ରଖିଛି କି ନାହିଁ, ଦଲକାଏ ପବନରେ ଠୁଙ୍ଗା ଚମ୍ପଟ ମାରିଲା। ଗଲାବେଳେ କହିଗଲା - ତମେ ଏଡିକି ସିଆଣା! କି ମାରାତ୍ମକ କାମରେ ମୋତେ ଲଗେଇଲ!!

ବ୍ୟାଟେରୀ ଖତମ୍।

ମୁଁ ମୋ ବାଇକ୍ ଷ୍ଟାର୍ଟ କଲି।


Rate this content
Log in

Similar oriya story from Comedy