Anil Kumar Parhi

Others

3  

Anil Kumar Parhi

Others

ଦର୍ପଣ - 7

ଦର୍ପଣ - 7

5 mins
14.1K


ଅନୀଲ କୁମାର ପାଢୀ

ମୁଁ ଯେତେବେଳେ ଫେସବୁକ ଭିତରକୁ ପ୍ରବେଶ କରିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ଯୋଜନା କରୁଥିଲି ବନ୍ଧୁ ବାରମ୍ବାର ନାହିଁ କଲେ। କହିଲେ - ତା ଭିତରକୁ ପଶନା। ମୁକୁଳିପାରିବନି! ମୁଁ ଭାବିଲି ହେଃ! ମୁକୁଳିପାରିବିନି! ପୁଣି ମୁଁ! ଇଏ କୋଉ ନକ୍ରର ଦାନ୍ତ ମାଢି ହୋଇଛି ଯେ!

ରାତିରେ ମାର୍କ ଜ୍ଜୁକରବର୍ଗ ମୋ ଖଟ ପାଖରେ ଠିଆହେଲେ। ବିକଳ ଦିଶୁଥାନ୍ତି। କାନ୍ଦିବା ପରି ଅବସ୍ଥା। ସେ ହାତ ଯୋଡିପକାଇଲେ - ଭାଇ, ମୋ ଫେସବୁକ୍ ଅବସ୍ଥା ବୁଡିଲାଣି! ପ୍ଲିଜ୍ ଜଣେ ମେମ୍ବର ହୋଇଯାଅ! ମୁଁ ବି ମୋ ବଡଲୋକି ଦେଖେଇଲି - ଯାଓ, ଯାଓ! ତୁମ୍ ଭି ୟାଦ୍ କରୋଗେ ମୁଝ୍ ଯୈସା କୋଇ ମିଲାଥା!

ବନ୍ଧୁ ବିରକ୍ତ ହେଲେ। ମୁଁ କହିଲି, ଆରେ ଭାଇ ସାରା ପୃଥିବୀରେ ଅଢେଇଶ' କୋଟି ଲୋକ ଫେସବୁକ ବ୍ୟବହାର କରୁଛନ୍ତି, ମୁଁ କରିନଥିଲେ କାହାର କଣ ହୋଇଯାଇଥାନ୍ତା! ଏହା ଦ୍ବାରା ବରଂ ପବ୍ଲିଶିଟି ବଢିବ। ଲେଖକ ଜଣେ ଖାଏ, ପିଏ, ଶୁଏ, ବଞ୍ଚେ ପବ୍ଲିଶିଟିରେ।

ବନ୍ଧୁ ଘୋର ଅସନ୍ତୋଷ ପ୍ରକାଶକଲେ। କହିଲେ, ତମେ କୋଉ ପ୍ରତିଷ୍ଠିତ ଲେଖକଙ୍କୁ ପାଇଛ ଫେସବୁକରେ! ଯେଉଁମାନେ ଅଛନ୍ତି ସେସବୁ ଚାରିଦଉଡି କଟା! କେଉଁଠି ଲେଖା ବାହାରୁନି, ପୁରସ୍କାର ମିଳୁନି, ଲୋକେ ଚିହ୍ନୁଜାଣୁନାହାଁନ୍ତି, ତ ଫେସବୁକ୍ କୁ ଆସ!

ମୁଁ ଅସମ୍ମତି ପ୍ରକାଶକଲି।

ବନ୍ଧୁ ମୋ ପାଗଳାମୀକୁ ହରେଇପାରିଲେ ନାହିଁ। ମାତ୍ର ପନ୍ଦରଦିନରେ ମୋର ବନ୍ଧୁ ସଂଖ୍ୟା ପାଁଶ! ସବୁ ସ୍ତରର। ବିଜିନେସ, ସିନେମା, ସଙ୍ଗୀତ, ଅଧ୍ୟାପକ, ପ୍ରଶାସକ, କବି, ଲେଖକ - ସବୁ ସ୍ତରରୁ ବନ୍ଧୁ। ଏହି ବନ୍ଧୁମାନେ ହ୍ବାଟ୍ସଆପ, ମ୍ୟାସେଞ୍ଜରରେ ଆକ୍ଟିଭ ହେଲେ। ରାମ, ହନୁମାନ, ସାଇବାବା, ତାରିଣୀଙ୍କ ଫଟୋ ସହିତ ସୁପ୍ରଭାତ କି ଶୁଭରାତ୍ରି ବାର୍ତ୍ତା ଆସିଲା। ସବୁଠୁ ବେଶୀ ଆସିଲା ଗୋଲାପଫୁଲିଆ ବାର୍ତ୍ତା। ହରେକ ରଙ୍ଗର ଗୋଲାପ! ଏଗୁଡିକ ଦେଖି ଭାରି ଖୁସିଲାଗୁଥିଲା। ଗୋଟିଗୋଟି କରି ବାର୍ତ୍ତା ପଢୁଥିଲି। ସକାଳ ଓ ରାତି ବିତିଯାଉଥିଲା।

କବିମାନେ କବିତା ପୋଷ୍ଟ କଲେ। ବାହାବା ପାଇଲେ। କମେଣ୍ଟ, ଲାଇକ୍ ର ଲମ୍ବା ତାଲିକା ଦେଖି ନିଜର କବିତା ବି ପୋଷ୍ଟ କରିବାର ଇଚ୍ଛା ହେଲା।

କିଛିଦିନ ପରେ ବନ୍ଧୁ ଫେସବୁକକୁ ନେଇ ପ୍ରଶ୍ନ ପଚାରନ୍ତେ ମୁଁ ଟିକିଏ ଦୁଃଖର ସହିତ କହିଲି - ନାଇଁ ଭାଇ! ତମେ ଠିକ୍

କହିଥିଲ। ଏ ଫେସବୁକ ମୋ ପାଇଁ ନୁହେଁ! ବନ୍ଧୁ ଗୋଟାଏ ତୀର୍ଯ୍ୟକ ଦୃଷ୍ଟି ହାଣି ପଚାରିଲେ - କଣ ହେଲା କି? ମୁଁ ବିରସ ଭାବରେ ଉତ୍ତରଦେଲି - ଭାଇହୋ, ଯିଏ ଯାହିତାହି ଲେଖୁଛି ତା ଉପରେ ହଜାରେ ଲାଇକ୍। ମୁଁ କେତେ ଭଲ କବିତା ପୋଷ୍ଟ କରିଥିଲି ମୋଟେ ଆଠଟା!

ଏବେ ବି ସମୟ ଅଛି। ସେ ଗୋଲକଧନ୍ଧାରୁ ମୁକୁଳି ଆସ। ବନ୍ଧୁ ଚେତେଇଦେଲେ।

ବହୁବାର ଭାବିଲି, ନା ଏଠୁ ବାହାରିଯିବି। ସଂଧ୍ୟାରେ ପ୍ରତିଦିନ କିଛି ନା କିଛି ଲେଖୁଥିଲି। ଟେବୁଲଚୟାରରେ ବସିପଡିବା ମାତ୍ରେ ମୋ ଦୁନିଆ ବଦଳି ଯାଉଥିଲା। ଏବେ କିନ୍ତୁ ବେଡ ଉପରେ ସଂଧ୍ୟା, ରାତି, ମଧ୍ୟରାତ୍ର। ପ୍ରତି ମୁହୂର୍ତ୍ତରେ ଲାଗୁଥିଲା ମୋବାଇଲ ନଖୋଲି ଫେସବୁକ ଇତ୍ୟାଦି ନଦେଖିଲେ ମୁଁ ଯେମିତି କିଛି ହରେଇବସିବି! ଏହି ହରେଇବାର ଭୟ, ପ୍ରଶଂସାର ଲୋଭ ମୋତେ ଧୀରେଧୀରେ ଗୋଟେ ଫେସବୁକରେ ପରିଣତ କରୁଥିଲା। ଯେମିତି ମୁଁ ଗୋଟିଏ ଅସରନ୍ତି ବ୍ଲାକବୋର୍ଡ। ସମସ୍ତଙ୍କ ହାତରେ ଚକ୍। ଯିଏ ଯାହା ଚାହିଁଲା ଲେଖିପାରିବ!

ଦିନେ ପ୍ରାୟ ରାତି ବାରଟାରେ ଗୋଟାଏ ବାର୍ତ୍ତା ଆସିଲା।

ହାୟ!

ହାୟ! ମୁଁ କହିଲି।

କଣ୍ କରୁଛନ୍ତି!

ଶୋଇବାକୁ ଯାଉଛି।

ଗୋଟେ କଥା ପଚାରିବି?

ପଚାରନ୍ତୁ!

ମୁଁ ଆପଣଙ୍କୁ ଏକେଲା ଭେଟିବାକୁ ଚାହେଁ।

କାହିଁକି?

ଆପଣ %#%# ଭଲପାଆନ୍ତି!

ଏହି ବାର୍ତ୍ତାଟି ମୋ ମୋବାଇଲ ପଟାରେ ଉଦଭାସିତ ହେବାକ୍ଷଣି ମୋ ଦେହ ବରଡାପତ୍ର ପରି ଥରିବାରେ ଲାଗିଲା। ମୁଁ ପ୍ରେରକର ନାମଟି ପୁଣିଥରେ ପଢିଲି। ଆଞ୍ଜେଲ୍ ....... ! ବିଜିନେସ୍ ଏକ୍ଜିକ୍ୟୁଟିଭ୍। ମୁଁ ଫୋନ୍ ସ୍ବିଚ୍ ଅଫ୍ କରି ରଖିଦେଲି। ରାତିସାରା ନିଦ ହେଲାନି। କାହିଁକି କେଜାଣି ଭୟ ଓ ଘୃଣାରେ ମନଟା ଭର୍ତ୍ତି ହୋଇଗଲା।

ସକାଳେ ଏକଥା ଶୁଣି ବନ୍ଧୁ ହସିଲେ। କହିଲେ - ଆରେ ପାଗଳ, ସେ କଣ ପ୍ରକୃତରେ କେହି ଆଞ୍ଜେଲ୍! ଆଜିକାଲିକା ଟୋକାମାନେ ଝିଅମାନଙ୍କ ନାମରେ ଆକାଉଣ୍ଟ ଖୋଲି ଏମିତି କରୁଛନ୍ତି। ତମେ ସେ ଆକାଉଣ୍ଟ ବ୍ଲକ୍ କରିଦିଅ।

ବ୍ଲକ୍ କରିଦେଲି।

ପୁଣିଦିନେ ରାତିରେ। ମ୍ୟାସେଞ୍ଜର। ପ୍ରୋଫାଇଲ୍ ଫଟୋ ଉପରେ ବାର୍ତ୍ତା।

ହ୍ୟାଲୋ ହେଣ୍ଡସମ୍!

ମୁଁ ପ୍ରଥମେ ପ୍ରେରକର ନାମ ଉପରେ ନଜର ଘୂରେଇଆଣିଲି। ମାଷ୍ଟର ......। ଓହୋ, ପୁଅ ପିଲା।

ହ୍ୟାଲୋ!

ଆପଣଙ୍କ କବିତା ପରି ଆପଣ ସୁନ୍ଦର।

କବିତାର ପ୍ରଶଂସା ଶୁଣି ମୁଁ କୃତକୃତ୍ୟ ହୋଇଗଲି। ଲେଖିଲି - ହ୍ୟାଲୋ, ହ୍ୟାଲୋ। ମୁଁ କୃତଜ୍ଞ!

ଆପଣଙ୍କ ବୟସ ତ ଚାଳିଶ ଉପରେ?

ଭାବିଲି ଓଡିଶାରେ ସାହିତ୍ୟ କ୍ଷେତ୍ରରେ ମୋ ପ୍ରତି ଯେଉଁ ଅବହେଳା କରାଯାଇଛି ବୋଧେ ସେଥିପ୍ରତି ସମବେଦନା ଜଣାଇବା ପାଇଁ ପ୍ରେରକ ବୟସ କଥା ପଚାରୁଛି। ମୁଁ ଉତ୍ସାହିତ ହୋଇପଡିଲି - ପଇଁଚାଳିଶ ଆଜ୍ଞା! ଦୀର୍ଘ ପଚିଶବର୍ଷରୁ ଉର୍ଦ୍ଧ୍ବ ସାହିତ୍ୟ କଲିଣି!

ଆର୍ ୟୁ ଇଣ୍ଟେରେଷ୍ଟେଡ୍ ଇନ୍ ମ୍ୟାନ୍! ଆଇ ଆମ୍ ଇଣ୍ଟେରେଷ୍ଟେଡ୍ ଇନ୍ ଆବଭ ଫର୍ଟି!

ପୁନଶ୍ଚ ମୋ ଦେହ ବରଡାପତ୍ର ପରି ଥରିଲା।

ସକାଳେ ବନ୍ଧୁ ହସିଲେ। କହିଲେ - ସେ କୋଉ ମାଷ୍ଟର କି ରକଷ୍ଟାର ନୁହେଁ। ଆଜିକାଲି ଝିଅଗୁଡାକ ପୁଅ ନାମ ନେଇ ସେପରି କରୁଛନ୍ତି!

ବ୍ଲକ୍ କଲି।

ଅଶ୍ଳୀଳ ଭିଡିଓ ଆସିଲା। ବ୍ଲକ କଲି।

ହ୍ବାଟ୍ସଆପ, ମ୍ୟାସେଞ୍ଜର କଲ୍। ବ୍ଲକ୍।

ବନ୍ଧୁମାନଙ୍କ ସଂଖ୍ୟା ସାଡେ ତିନିହଜାର। ତିନି ହଜାର ଓ୍ବେଟିଙ୍ଗରେ। କୋଡିଏ ପରସେଣ୍ଟରୁ ଅଧିକ ବିଦେଶିନୀ। ପାଞ୍ଚ ପରସେଣ୍ଟ ପଞ୍ଚାୟତ ସମିତି, ସଦରମହକୁମା। ପନ୍ଦର ପରସେଣ୍ଟ ସାହିତ୍ୟ ପତ୍ରିକା, ସାହିତ୍ୟ ସଂସ୍ଥା। କବି, ସାମ୍ବାଦିକ ଆଉ କୋଡିଏ ପରସେଣ୍ଟ।

ଜନ୍ମଦିନ, ବିବାହ ବାର୍ଷିକୀ, ସାହିତ୍ୟ ସଭା, ପୁସ୍ତକ ଉନ୍ମୋଚନ, ପ୍ରକାଶନ, ମୃତ୍ୟୁ ବାର୍ଷିକୀ। ଭୁଲ ବି ହୋଇଯାଉଥିଲା। ଜନ୍ମବାର୍ଷିକୀରେ ଅମର ଆତ୍ମାର ସଦଗତି, ମୁତ୍ୟୁବାର୍ଷିକୀରେ ଶୁଭେଚ୍ଛା! ମୋବାଇଲର ଛୋଟଛୋଟ ଅକ୍ଷର, ତହିଁକୁ ଭାଷାସ୍ବାଭିମାନୀମାନଙ୍କ ପାଇଁ ଓଡିଆ ନୋଟପେଡରେ ଟାଇପ୍, ଓଃ, ଜୀବନ ଯେମିତି ଗୋଟାଏ କିବୋର୍ଡ! କେବେ ଭୁଲିଭାଲିଗଲେ ଅଭିମାନ, ଅନଫ୍ରେଣ୍ଡ ହୋଇଯିବାର ଭୟ।

ଶନିବାରରେ ଶନିଦେବଙ୍କ ଫଟୋ ଶେୟାର କଲିନାହିଁ ପରଦିନ କୁକୁର ସହିତ ଆକ୍ସିଡେଣ୍ଟ। ସାଇବାବାଙ୍କ ଫଟୋ। ଓଁ ସାଇବାବା ନଲେଖିଲେ ସମୟ ଭଲରେ କଟିଲାନାହିଁ। ପଚା ନଡିଆ ଭିତରେ ତାରିଣୀଙ୍କ ମୁହଁ! ଓଫ୍! ପ୍ରତି ଦୁଇଟି ପୋଷ୍ଟିଙ୍ଗରେ ରାହୁଲ, ମୋଦି, ନବୀନ! ମତ, ମତାନ୍ତର, ମନାନ୍ତର। କାହାକୁ ସପୋର୍ଟ କରିବି କାହାକୁ ବିରୋଧ! ଦ୍ବିଧା, ଦ୍ବନ୍ଦ୍ବ।

ପ୍ରତିଦିନ ଶହେଟି କବିତା ପଢିବାର ଧୈର୍ଯ୍ୟ, ପନ୍ଦର ଗଳ୍ପ ପଢିବାର ସାହାସ, ଲିଟଫେଷ୍ଟର ଭିଡିଓ ସହିବାର ତାକତ। ଯଦି ଖାଲି ଭଲ କି ସୁନ୍ଦର ଲେଖିଦେଲି, କମେଣ୍ଟ ଆସିଲା ଠିକରେ ନପଢି ଲେଖିଛି। ଏମିତି ଭାବର ଆଦାନପ୍ରଦାନରେ ଗୁଡାଏ ଶତୃ ମୁଁ କରିପକେଇଲି, ଗୁଡାଏ ମୋତେ ଶତୃ କରିଦେଲେ।

ଏବେ ମୋ କବିତା ପୋଷ୍ଟିଙ୍ଗରେ ଲାଇକ୍ ଆଠରୁ ବଢି ସତୁରୀରେ ପହଞ୍ଚିଲାଣି। ଦୀର୍ଘ ଚାରିବର୍ଷର ଫେସବୁକ ଯାତ୍ରାରେ ମୋର ଅଗ୍ରଗତି ଏତକ।

ସେଦିନ ସଞ୍ଜ। ବନ୍ଧୁ ଆସି ପହଞ୍ଚିଲେ। ଜଣେଇଲେ ଯେ ସେ ବି ଫେସବୁକ, ହ୍ବାଟ୍ସଆପ, ମ୍ୟାସେଞ୍ଜର ସବୁ ଖୋଲିଦେଇଛନ୍ତି। ମୁଁ ପଚାରିଲି କାହିଁକି ହୋ? ସେ ଟିକିଏ କୁଣ୍ଠାର ସହିତ କହିଲେ - ଦେଢଶ ଖଣ୍ଡେ କବିତା ଲେଖିଛି। ଯେଉଁ ସଂପାଦକଙ୍କ ପାଖକୁ ପଠେଇଲି ବାହାର କଲେନି। ସେଗୁଡାକ ସବୁ ଧୀରେଧୀରେ ପୋଷ୍ଟ କରି ଶଳା ସେହି ସଂପାଦକମାନଙ୍କୁ ଟ୍ୟାଗ୍ କରୁଛି। ତମକୁ ଗୋଟେ ଫ୍ରେଣ୍ଡ ରିକ୍ବେଷ୍ଟ ପଠେଇଛି ଆଜିଯାଏ ଆକ୍ସେପ୍ଟ କରୁନା କିଆଁ!

ମୁଁ କହିଲି- ଭୁଲରେ ଛାଡିଯାଇଥିବି। ଏବେ କରିଦେବି।

ବନ୍ଧୁ କହିଲେ - ବହୁତ ଭାବିଲି। ଦେଖିଲି କେବଳ ଫେସବୁକରେ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ଅଛି। ଯିଏ ଯାହା ଚାହିଁଲା ଲେଖିପାରିବ! ସଂଘର୍ଷ କରୁଥିବା ସାହିତ୍ୟିକଙ୍କ ପାଇଁ ଇଏ ତ ଗୋଟେ ବରଦାନ ଭାଇ!

ମୁଁ କହିଲି - ହଁ!

ବନ୍ଧୁ କହିଲେ ଗୋଟେ କଥା ମନେରଖିବ ଯେ ତମେ କେତେଜଣ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସବୁବେଳେ ଭଲମନ୍ଦରେ ଲାଇକ୍ କମେଣ୍ଟ ଦେଇଚାଲିବ। ଦେଖିବ କିଛିଦିନ ପରେ ସେହି ଦଳଟି ତମ ଗ୍ରୁପ୍ ହୋଇଯିବେ। ତମେ ଯାହା ଲେଖିବ ଭଲ କମେଣ୍ଟ ଦେବେ!

ବନ୍ଧୁ ମୋ ପଛରେ ଆକାଉଣ୍ଟ ଖୋଲିବି ପୋଖତ ଫେସବୁକି ପରି କହିଲେ।

ଜମ୍ମା ଟାଣୁଆ, ଗଭୀର, ଦର୍ଶନମୂଳକ ଲେଖା ଲେଖିବନି। ଲେଖିଲେ ମଲ। ଟିକିଏ ଚଟପଟି କଥା, ଶସ୍ତା କଥା, ପ୍ରେମ-ସଂପର୍କ କଥା ଲେଖିବ। ଯଦି ଉତ୍ତରଦାତା ଦାତ୍ରୀ ହୋଇଥାନ୍ତି ତାଙ୍କୁ ତୁ ବା ତମେ ସମ୍ବୋଧନ କରି ଲେଖିବ। ଘରକୁ ଯିବ, ତା ହାତ ତିଆରି ବ୍ୟଞ୍ଜନ ଖାଇବ, ଏପରି ଲେଖିବ। ସାମାନ୍ୟ ରଙ୍ଗୀଲା ହେଲେ ଭଲ। ଆଉ ଯଦି ପୁରୁଷ, ଟିକିଏ ଆକଟ କରିବ, ସାନ ହୋଇଥିଲେ ସାନଭାଇ, ବଡ ହୋଇଥିଲେ ବଡଭାଇ ଡାକିବ। ଯାହା କର ବା ନକର ସପ୍ତାହକୁ କମ୍ ସେ କମ୍ ସାତରୁ ଆଠ ପ୍ରେମ କବିତା ପୋଷ୍ଟ କରିବ। ତାହେଲେ ଯାଇ ତମେ ଫେସବୁକ୍ ରେ ତିଷ୍ଠିପାରିବ! ବନ୍ଧୁ ବୁଝେଇଲେ। ଉଠୁଉଠୁ କହିଦେଇଗଲେ - ଆଉ ତମପାଖକୁ ଆସିବା କଣ ଦର୍କାର। ଏବେ କଥା କୁହାକୁହି ଫେସବୁକ୍ ରେ!

ଦିନେ ରାତିରେ ଜ୍ଜୁକରବର୍ଗ ମୋ ଖଟପାଖରେ ପୁଣି ଠିଆହେଲେ। ସେ ହସୁଥାନ୍ତି ବିଦ୍ରୂପର ହସ। ଦେଖିଲ, ତମମାନଙ୍କୁ କେମିତି ବୋକା ବନେଇଦେଲି! ପାଞ୍ଚଲକ୍ଷ ଭାରତୀୟଙ୍କ ଡେଟା ଚୋରୀ କରିଛି। ପଚାଶକୋଟିର କରିବି। ତମେମାନେ କିଛି କରିପାରିବନି। ତାଙ୍କ ହସ ଅଟ୍ଟହାସ୍ୟରେ ପରିଣତ ହେଲା! ସେ ଅଦୃଶ୍ୟ ହୋଇଗଲେ।

ମନେପଡୁଛି ଆଜି ସେ ପୋଷ୍ଟକାର୍ଡ ଦିନର କଥା! ମନେପଡୁଛି ଲ୍ୟାଣ୍ଡଫୋନରେ ଆସୁଥିବା ମଧୁର ସ୍ବର! ମନେପଡୁଛି କେବେ କାହା ଘରେ ସଞ୍ଜରେ ବସି ଆଳାପଆଲୋଚନା ଆଉ ପକୋଡି ଖିଆର କଥା!

ଏବେ ସବୁ ଏତେ ହାତ ପାହାନ୍ତାରେ! ସତରେ କେତେ ଦୂରରେ!!


Rate this content
Log in