ଦର୍ପଣ - 18
ଦର୍ପଣ - 18
ସମସ୍ତ ଜୀବଜଗତର ପ୍ରାଣୀମାନଙ୍କ ପ୍ରକାରଭେଦ ଭିତରେ ସାହିତ୍ୟିକମାନେ ଏକ ସ୍ବତନ୍ତ୍ର ବର୍ଗର। ବସ୍ତୁତ ହୋମୋସାପିଏନ୍ସ ବର୍ଗରେ ହୋଇଥିଲେ ହେଁ ଏମାନେ ସମ୍ପୂର୍ଣ୍ଣ ମଣିଷ ପଦବାଚ୍ୟ ନୁହଁନ୍ତି।
ଧରିନିଅନ୍ତୁ ଏମାନେ ଏମିତି - ସିଂହ ହେଲା ରଜା, ବଳିଷ୍ଠ ଟୋକା ବ୍ୟାଘ୍ର ମନ୍ତ୍ରୀ, ହାତୀ ସେନାପତି, ମାଙ୍କଡ ଚାଟୁକାର, ବିଲୁଆ ଗୁପ୍ତଚର .....! ଏମାନଙ୍କ ପ୍ରକୃତି ଆଉ ଦେହ ପଶୁମାନଙ୍କ ପରି, ହେଲେ ମୁହଁଟା ମଣିଷ ପରି।
ପ୍ରତିଦିନ ରଜାଙ୍କ ଆଦେଶ।
ନୀରିହ ଠେକୁଆ ପରି ଲେଖକ ଯାଏ ଆହାର ବନିବା ପାଇଁ।
ତା ପରଦିନ ଆଉ ଜଣେ।
ରଜା ଛାଡୁଥିବା ଉଚ୍ଚିଷ୍ଟ ଉପରକୁ ପ୍ରଥମେ କୁଦିପଡନ୍ତି ମନ୍ତ୍ରୀ। ମନ୍ତ୍ରୀଙ୍କ ଉଚ୍ଚିଷ୍ଟ ଉପରକୁ ବିଲୁଆ। ହାତୀ ଆଉ ମାଙ୍କଡ ରଜାଙ୍କ ଉଚ୍ଚିଷ୍ଟ ଫଳ ସେବନ କରୁଥିଲେ। ଏହି ଏବେଏବେ ସେମାନେ ମାଂସ ଖାଇବା ଆରମ୍ଭ କରିଛନ୍ତି!
ମାଙ୍କଡ ଗୀତଗାଏ - ତମେ ରାଜା,
ସୂ୍ର୍ଯ୍ୟସମ ବଳବାନ,
ତମ ଲାଂଜ ସୁନ୍ଦର, କୁଂଚ ସୁନ୍ଦର
ଆ..... ଆ,ଆ,ଆା......!
ଗୀତର ପଦ ପଡେନା। ବାକୀ ସ୍ତାବକ ଏହି ଗୀତର ପୁନରାବୃତ୍ତି କରନ୍ତି। ଇଏ ମାଙ୍କଡର ନୂଆ ଶୈଳୀର କବିତା। ଆଧୁନିକ କବିତା। ସିଂହ ଏହାକୁ ସ୍ବୀକୃତି ଦେଇଛନ୍ତି। ଯିଏ ଏବେ ଛନ୍ଦରେ ଲେଖିବ ସେ ବିତାଡିତ ହେବ!
ମନ୍ତ୍ରୀ ଗୋଟେ ଗୀତି ଉପନ୍ୟାସ ଲେଖିଛନ୍ତି। ଆଜିକାଲି ଏହି ସାହିତ୍ୟର ବହୁତ ଚର୍ଚ୍ଚା। ହଳହଳ ମେଡାଲ ମିଳୁଛି। ସିଂହ ତାଙ୍କ ନବରତ୍ନ ରେ ମନ୍ତ୍ରୀଙ୍କୁ ସାମିଲ କରିବାକୁ ମନସ୍ଥ କରିଛନ୍ତି।
ଏମାନଙ୍କ ଭିତରେ କିଛି ଏମିତି ବି ଅଛନ୍ତି ଯିଏ ତଡା ଖାଇ ଏବେ କୋଉ କୁଳର ବି ନୁହେଁ। ଏଇ ଯେମିତି ବୁଢୀ ବାଘୁଣି! ବେଳେବେଳେ ସେ ସୁନାର କଙ୍କଣ ଧରି ଠିଆହୁଏ। ଈଶ୍ବରଙ୍କୁ ପ୍ରାର୍ଥନା କରିବାର ଅଭିନୟ କରେ। କଙ୍କଣ ଲୋଭରେ କବିଏ ଯାଆନ୍ତି। ବାଘୁଣୀ ତା ଦୁର୍ବଳ ପଞ୍ଝାରେ ସେମାନଙ୍କୁ ଧରିବାକୁ ଚେଷ୍ଟାକରି ବିଫଳ ହୁଏ। ତଥାପି ସେ ବାଘ ଜାତିର। ବେଳେବେଳେ ଠେକୁଆ ଶ୍ରେଣୀୟ ଲେଖକମାନେ ଡରିଯାଆନ୍ତି। ବାଘୁଣୀ କହେ ମନ୍ତ୍ରୀ ତା'ର ସଂପର୍କୀୟ, ରଜାଙ୍କ ସହିତ ସେ ବହୁ ରାତି ବିତେଇଛି। ହାତୀ ଓ ମାଙ୍କଡ ସହିତ ତା'ର ବନ୍ଧୁତା। ଏଣୁ, ସେ ସ୍ପେଶାଲ ଶ୍ରେଣୀର।
ଅସଲରେ ସେମିତି କିଛି ନଥାଏ। ବୁଢୀ ବାଘୁଣୀ ର ବଦନାମ ବହୁତ। ସେ କାହାକୁ ବା କେତେଜଣଙ୍କୁ ବାହା ହୋଇଥିଲା ତାହା ଏକ ରହସ୍ୟମୟ କଥା। ଶୁଣାଯାଏ ଏଇ ବାଘୁଣୀ ଯୋଗୁଁ ବହୁ ବାଘଙ୍କ ସୁନାର ସଂସାର ଭାଙ୍ଗିଯାଇଛି। କିଛି ବାଘୁଣୀ ଏବଂ ବାଘ ଆତ୍ମହତ୍ୟା କରିଛନ୍ତି।
ଏବେ ବାଘୁଣୀ ଏକୁଟିଆ। ଆଗକୁ ପଛକୁ କେହି ନାହିଁ। ଦେହରୁ ଦୁର୍ଗନ୍ଧ ବାହାରୁଛି। ଟାଆଁସିଆ, କହଁରିଆ ଲୋମ ଏବଂ କଦାକାର ହାଡୁଆ ମୁହଁ ତାକୁ ସମସ୍ତଙ୍କ ଥଟ୍ଟାର ପାତ୍ର କରିଦେଇଛି।
ଠିକ୍ ବିଲୁଆ ଠାରୁ ଚାରି ଆଙ୍ଗୁଳି ଉଚ୍ଚା ଏଇ ବାଘୁଣୀ। ଭଲକି ନଦେଖିଲେ ଜଣେ କହିବ କୁତ୍ସିତ ବିଲୁଆ। ନିଜ ରାଜ୍ୟରୁ ଖଦେଡାଯାଇ ସେ ଦେଶାନ୍ତର ହୋଇଥିଲା। ସେଇଠି କିଛିଦିନ ରହିବା ଦ୍ବାରା ସେ ଦେଶର ଭାଷା କିଛି ଶିଖିଯାଇଛି। ଏଠି ଏ ଦେଶରେ ସେ ଫୁଟାଣିମାରି ସେହି ବିଦେଶୀ ଭାଷାରେ କଥା କୁହେ, ସେଥିରେ ଲେଖାଲେଖି କରେ। ମହାରାଜାଙ୍କର ଗୋଟାଏ ଉପନ୍ୟାସ ଆଉ କବିତା ପୁସ୍ତକକୁ ସେ ସେହି ବିଦେଶୀ ଭାଷାରେ ଅନୁବାଦ କରି ତାଙ୍କର ପ୍ରିହଭାଜନ ହୋଇଥିଲା। ଏବେ ମନ୍ତ୍ରୀଙ୍କ କାମ ଧରିଛି। ରଜା ତାକୁ ଏଠାକାର ଲେଖକମାନଙ୍କୁ ସେହି ବିଦେଶୀ ଭାଷା ଶିଖେଇବାର ଚାକିରୀ ଦେଇଛନ୍ତି।
ବାଘୁଣୀ ପ୍ରତିଦିନ ରଜାଙ୍କ ଆହାର ପାଇଁ ଆସୁଥିବା ଠେକୁଆ, ଖଚର, ହରିଣମାନଙ୍କୁ ବାଟରେ ଅଟକାଏ। ସେମାନଙ୍କ ସହିତ ରମଣ କରିବାର ପ୍ରସ୍ତାବ ରଖେ। ବେଳେବେଳେ ରମଣର ଶୀକାର ହୋଇ କିଛି କୁଟ୍ରା, ଠେକୁଆ, ହରିଣ ମରିଯାଆନ୍ତି। ଆଉକିଛି ଏପରି ଭୟଂକର ପ୍ରସ୍ତାବ ଶୁଣିବାକ୍ଷଣି ଇହଲୀଳା ସମ୍ବରଣ କରନ୍ତି। ଆଉ ଯେତେବେଳେ ଖଜୁରୀ ତାଡିରେ ଦୁଦୁରା ମଞ୍ଜି ମିଶେଇ ବାଘୁଣୀ ପିଇଦିଏ ତ ସେଦିନ ପ୍ରଳୟ। ସ୍ବୟଂ ମହାରାଜ ବି ଡରରେ କବାଟ ଖୋଲନ୍ତି ନାହିଁ।
ଦିନେ, ରାଜ୍ୟର ଘୋଡାଟିଏ ଚମତ୍କାର ଗଳ୍ପକବିତା ଲେଖିବା ଆରମ୍ଭ କଲା। ରଜା, ମନ୍ତ୍ରୀ ଆତଙ୍କିତ ହୋଇପଡିଲେ। ନିଜର କବିତ୍ବର ପରାକାଷ୍ଠା ପାଇଁ ସେମାନେ ରଜା କି ମନ୍ତ୍ରୀ ହୋଇଛନ୍ତି। ଜଣେ ପ୍ରତିସ୍ପର୍ଦ୍ଧୀ ଆସିଗଲେ ଆସନ ଟଳମଳ ହୋଇଯିବ। ସାହିତ୍ୟର ଜଙ୍ଗଲ ଇଏ। କଳେବଳେକଉଶଳେ ଶାସନ କରିବାକୁ ହେବ। ଯେଉଁ ଇଲାକାରେ ରଜାଙ୍କ ଉଆସ ଥିଲା, ପାତ୍ରମନ୍ତ୍ରୀ ଥିଲେ, ଆମ୍ବାସି ଥିଲା, ତାହା ଯେହେତୁ ନିଷିଦ୍ଧ ଅଞ୍ଚଳ ଥିଲା ଏବଂ ପ୍ରାୟତଃ ମାଂସାଶୀ ସାହିତ୍ୟିକ ଏହି ଅଞ୍ଚଳରେ ରହିବାର ଏକାଧିକାର ପ୍ରାପ୍ତ ହୋଇଥିଲେ, ଘୋଡା ପରି କ୍ଷୀପ୍ର, ସୁନ୍ଦର ଓ ତୃଣଭୋଜି ପ୍ରାଣୀଟିକୁ ଅନେକେ ଦେଖିନଥିଲେ। ପ୍ରଥମେ ସମସ୍ତେ ଏହାକୁ ଏକ ବିଚିତ୍ର ଖଚର ବୋଲି ଧରିନେଇଥିଲେ।
ଘୋଡାଟି ଶୁଭ୍ରରଙ୍ଗର ଥିଲା। ତା ଗ୍ରୀବାର ଚୂଳ ଯେତେବେଳେ ଦର୍ପର ସହିତ ଉଡୁଥିଲେ, ଲାଗୁଥିଲା ଅଶିଣ ନଈ ପଠାରେ ନୃତ୍ୟରତା କାଶତଣ୍ଡୀ ଯେମିତି!
ରଜା ଚିନ୍ତିତ ଜଣାପଡିଲେ। କିଏ କି ରେ ଇଏ? କଣ୍ ମୋ ଠାରୁ ଶକ୍ତିଶାଳୀ! ରଜା ମନ୍ତ୍ରୀକୁ ପଚା
ରିଲେ। ବିଜ୍ଞାପନ, ରିପୋର୍ଟିଙ୍ଗର ଅତିରିକ୍ତ ଦାୟିତ୍ବରେ ଥିବା ସାହିତ୍ୟିକ ହାତୀ ପଶୁଗଣମାଧ୍ୟମରେ ପ୍ରଚାର କରିଦେଲା ଯେ କେହି ଜଣେ ଅଦ୍ଭୁତ ଖଚର ଜାତୀୟ ପ୍ରାଣୀ ଆମର ରଜାଙ୍କୁ ସାହିତ୍ୟରେ ଚ୍ୟାଲେଞ୍ଜ ଦେବାକୁ ବାହାରିଛି। ଭାଷାସାହିତ୍ୟର ସୁରକ୍ଷା, ପୂଜ୍ୟପୂଜା ପରଂପରାର ରକ୍ଷା, ଜଙ୍ଗଲି ସାହିତ୍ୟର ନିରପେକ୍ଷ ପ୍ରଚାରପ୍ରସାର ପାଇଁ ରାଜ୍ୟର ପ୍ରକାଶକ, ସଂପାଦକ ଓ ସଂଗଠକମାନେ ସେହି ପ୍ରାଣୀକୁ ବୟକଟ କରନ୍ତୁ।
ଘୋଡାଟି ଅସହାୟ ହୋଇପଡିଲା ସତ ହେଲେ, ସେ ତା ଉଦ୍ୟମରୁ ବିରତ ହେଲାନାହିଁ। ପଶୁ ସାହିତ୍ୟ ଭିତରେ ସେ ଗୋଟିଏ ଚେତନାଗତ ଜାଗରଣର ଉନ୍ମେଷ ଚାହୁଁଥିଲା। ଯେମିତି ମଣିଷରୁ ପଶୁ ବନିଯାଇଥିବା ଏହି ସାହିତ୍ୟିକମାନେ ପୁନଶ୍ଚ ମନୁଷ୍ୟ ପଦବାଚ୍ୟ ହୁଅନ୍ତୁ। ହେଲେ, ବିବର୍ତ୍ତନ ଯେ ଇଚ୍ଛା ଅନୁସାରେ ହୁଏନା। ବିବର୍ତ୍ତନର ମୁଖ୍ୟ କାର୍ପେଟଦାର ସମୟ, ସମୟର କଡା ପ୍ରହାର। ଘୋଡା ଭ୍ରାନ୍ତିରେ ଥିଲା ଯେ ଦିନେ, ତା ଜୀବଦ୍ଦଶା ଭିତରେ ଗୋଟାଏ ଆଚମ୍ବିତ, ଅଚାନକ ପରିବର୍ତ୍ତନ ନିଶ୍ଚୟ ଆସିବ!
ପଶୁ ସାହିତ୍ୟରେ ସଭାସମିତି, ଆଲୋଚନା, ପୁରସ୍କାର ବିତରଣ ପୂର୍ବବତ୍ ଚାଲିଥିଲା। ନିସ୍କର୍ଷ ଏୟା ଥିଲା ଯେ ପଶୁ ହୋଇ ରହିବା ଗୋଟିଏ ଅନନ୍ୟ ଉପଲବ୍ଧି କାରଣ ପଶୁବୃତ୍ତିରେ ଅନୁତାପର ଗୁଞ୍ଜାୟିସ୍ ହିଁ ନାହିଁ। କେବଳ ବର୍ତ୍ତମାନରେ ବଞ୍ଚ, ବର୍ତ୍ତମାନକୁ ବଞ୍ଚ! ବର୍ତ୍ତମାନର ଖୁସିପାଇଁ ସୁରା,ସାକୀ, ହତ୍ୟା, ଲୁଣ୍ଠନ ଯାହା କରୁଛ କର, ଖୁସିରେ ରୁହ।
ଘୋଡା ବେଳେବେଳେ ପଛରେ ଛାଡିଆସିଥିବା ପଙ୍କିଳ ଇତିହାସ ଓ ଆଗକୁ ଆସୁଥିବା ଅନ୍ଧକାରମୟ ଭବିଷ୍ୟ ବିଷୟରେ ଭାବୁଭାବୁ ବ୍ୟସ୍ତ ହୋଇଉଠେ। ହେଲେ, ପଶୁ ସାହିତ୍ୟରେ କେହି ତାକୁ ପଢୁନାହାଁନ୍ତି କି ଜାଣୁନାହାଁନ୍ତି।
ଦିନେ କୌଣସି ଗୋଟିଏ ଘଟଣାକ୍ରମରେ ଘୋଡାଟିର ସେହି ବାଘୁଣୀ ସହିତ ସାକ୍ଷାତ ହୋଇଗଲା। ବାଘୁଣୀ ଏପରି ଏକ ପଶୁ ଦେଖି ଖାଇବ ନା ପ୍ରେମ କରିବ ଦ୍ବିଧାରେ ପଡିଗଲା। ତା'ର ମନେପଡିଲା ଯେ ପାଟିରେ ତୀକ୍ଷ୍ଣ ଦାନ୍ତଗୁଡା ଆଉ ନାହିଁ। ଏପରି କ୍ଷେତ୍ରରେ କଣ୍ କରାଯାଇପାରେ! ନିଜର ଆକାର, ପ୍ରକାର ଦୃଷ୍ଟିରୁ ସେ ପ୍ରଣୟ ବା କେମିତି କରିପାରିବ! ବୁଢୀ ବାଘୁଣୀର ଦିମାଗର ବତୀ ଜଳିଉଠିଲା। ଏଇ ପଶୁ ରାଜ୍ୟରେ ପ୍ରାୟ ପ୍ରତିଟି ଲେଖକର ଇଚ୍ଛା ତା'ର ବହି ବିଦେଶୀ ଭାଷାରେ ଅନୁଦିତ ହେଉ। ଯଦିଓ ପଡୋଶୀ ବିଦେଶରେ ବି ଠିକ୍ ଏହିପରି ଜଙ୍ଗଲୀ ସାହିତ୍ୟ ଥିଲା! ପଶୁ ରାଜ୍ୟର ଏତାଦୃଶ ଦୁର୍ବଳତାର ବହୁବାର ଫାଇଦା ନେଇସାରିଛି ସେ। ବିଦେଶୀ ଭାଷା ପଢାଏ ଆଉ ବିଦେଶୀ ଭାଷାରେ ଅନୁବାଦ କରିପାରେ ବୋଲି ସାରା ଜଙ୍ଗଲରେ ପଶୁଏ ତାକୁ ମାନ୍ୟତା ଦିଅନ୍ତି।
ବାଘୁଣୀ ନିଜର କୁତ୍ସିତ ରୂପ ଆଉ ଉଦ୍ଦେଶ୍ୟ ଛପେଇ ଘୋଡାକୁ କହିଲା - ତମର କିଛି ଲେଖା ମୁଁ ପଢିଛି। ଯଦିଓ ମୁଁ ନୂଆ ଲେଖକଙ୍କୁ ପଢେନାହିଁ।
ଘୋଡା ହୁଁ କହିଲା।
ତମର କିଛିଲେଖା ମୁଁ ବିଦେଶୀ ଭାଷାରେ ଅନୁବାଦ କରିଦେବି। ବୁଢୀ ବାଘୁଣୀ କହିଲା।
ମୋର ଇଣ୍ଟେରେଷ୍ଟ ନାହିଁ ମାଡାମ୍। ନିଜ ଭାଷାରେ ଆଗେ ଲେଖେ! ଘୋଡାର ଉତ୍ତର।
ନାଇଁ। ତମେ ଜାଣିନା। ବିଦେଶୀ ଭାଷାରେ ବହି ଛପାନଗଲେ ତମକୁ ଚିହ୍ନିବ କିଏ! ହେଲେ ......!
ଘୋଡାର ଇଚ୍ଛା ନଥିଲେ ବି ପଚାରିଲେ - ହେଲେ ମାନେ?
କିଛି ପାଇବାକୁ ହେଲେ କିଛି ଦେବାକୁ ହେବ! କହିଲା ବାଘୁଣୀ।
କଣ? ଘୋଡାର ପ୍ରଶ୍ନ।
ସମୟ ଆସୁ। କହିବି। ବାଘୁଣୀ କହିଲା।
ସମୟ ଆସୁଥାଏ ଯାଉଥାଏ। ବାଟଘାଟରେ ମହୁଲି ପାନକରି ନିଶାରେ ବୁଢୀ ବାଘୁଣୀ ଘୋଡାକୁ ଧମକ ଦିଏ। ଅଶ୍ଳୀଳ ଭାଷାରେ ଗପେ।
ଦିନେ ରାଜ ଦରବାରରେ ହାଜିରା ଦେବାକୁ ପଡିଲା ଘୋଡାକୁ। ମନ୍ତ୍ରୀଙ୍କ ପ୍ରେମିକା, ଯିଏ କି ରାଜ ନର୍ତ୍ତକୀ ସେ ପ୍ରେମବୋଳା ହସଟିଏ ହସିଲା। ରଜାଙ୍କ ଝିଅ ପ୍ରେମମନସ୍କ ହୋଇପଡିଲା।
ରଜା ପଚାରିଲେ - ତମେ କବିତା ଲେଖ?
ଆଜ୍ଞା! କହିଲା ଘୋଡା।
ମୋ କବିତା ପଢିଛ? ରାଜା।
ବୁଝିପାରେନି। ଘୋଡା।
ମୋ କବିତା। ମନ୍ତ୍ରୀ।
ସେଗୁଡିକ କବିତା ନୁହେଁ। ଘୋଡା।
ରାଜସଭାରେ ହଇଚଇ। ଶଃ, ଗୋଟେ ଜୀବ ଆସିଛି ସେ ପୁଣି ବହପ ଦେଖେଇବ!
ବାଘୁଣୀ ନିଜର ଭାଷା ପାରଦର୍ଶିତା ଦେଖେଇବା ପାଇଁ କହିଲା - ଇଏ ଫୋର୍ଥ ଗ୍ରେଡ ରାଇଟର ଛାମୁ। ଆପଣଙ୍କ ସାମ୍ନାରେ ପୋକଟିଏ। ବିଦେଶୀ ଭାଷାର ସାମାନ୍ୟତମ ଜ୍ଞାନ ନାହିଁ।
ଅଚ୍ଛା। କହିଲେ ପାରିଷଦ।
ଏ ଧୃଷ୍ଟତାର ଦଣ୍ଡ କଣ? ମାଙ୍କଡ ପଚାରିଲା।
ରାଜ ଉଆସ ବାହାରେ ସେ ପ୍ରତିଦିନ ଖଞ୍ଜଣି ବଜେଇ ରଜାଙ୍କ ଭଜନ ଗାଇବ। କହିଲେ ମନ୍ତ୍ରୀ।
ବେକରେ ଗୋଟାଏ ଘଣ୍ଟା ଲଗେଇ ଦିଆଯାଉ। ଡୋର ରହିବ ମାଙ୍କଡ ହାତରେ। ଏବେଠାରୁ ଏ ଘୋଡାର ସବୁକଥାର ନିୟନ୍ତ୍ରଣ ମାଙ୍କଡ ହାତରେ। କହିଲା ହାତୀ।
ବୁଢୀ ବାଘୁଣୀ ହତାଶ ଦିଶିଲା। ମୋ ପାଇଁ କିଛି କାମ ରଖନ୍ତୁ ରାଜନ। କହିଲା ସେ।
ତମେ ପ୍ରତିଦିନ, ମନଇଚ୍ଛା ଏ ମହାଶୟଙ୍କ ସହିତ ବ୍ୟବହାର କରିବ। ରଜା କହିଲେ।
କାହାଣୀ ଏବେ ସେୟା ହିଁ ଚାଲିଛି। ସାହିତ୍ୟ ମାଙ୍କଡଙ୍କ ହାତରେ ଓ ସାହିତ୍ୟିକ ବୁଢୀ ବାଘୁଣୀଙ୍କ ଡରରେ ବଞ୍ଚିଛନ୍ତି।
ଅନୀଲ କୁମାର ପାଢୀ