ସେହି ଗହନ କଥା
ସେହି ଗହନ କଥା
ସମ୍ପର୍କର କଥା ଉଠିଲେ ଫେସବୁକ, ଭାଙ୍ଗିଲେ ଫେସବୁକ। ଫେସବୁକ କି ଯେ କୌଣସି ସୋସିଆଲ ମିଡିଆ ଆଜି କେବଳ ସଂପର୍କର ପରିଧି ଭିତରେ ଘୂରିବୁଲୁଛି। ଅନ୍ତତଃ ନବେଭାଗ। ରାଜନୀତି, ସାହିତ୍ୟ, ଧର୍ମ, ସାମାଜିକ ଦାୟିତ୍ବ, ପରିବାର ଇତ୍ୟାଦି କିଛି ନା କିଛି ପ୍ରକାରେ ସୋସିଆଲ ମିଡିଆ ସହିତ ଜଡିତ ଓ ଏଇଠି ବହୁଦିନର ପୁଞ୍ଜିଭୂତ ଦୁଃଖ, କ୍ରୋଧ, ପ୍ରତିଶୋଧପରାୟଣତା, ପ୍ରେମ, ବିଫଳତା, ବୈଷମ୍ୟ, ଅନ୍ୟାୟ ନିରଂକୁଶ ଭାବରେ ଖୋଲିଯିବାର ଓ ଧୀରେଧୀରେ ବ୍ୟାପ୍ତ ହେବାର ଅବକାଶ ଅଛି।
ଫେସବୁକ ବା ଅନ୍ୟ ସୋସିଆଲ ମିଡିଆ ଆସିବା ଆଗରୁ କଣ ଦୁଃଖ, କ୍ରୋଧ ଇତ୍ୟାଦି ନଥିଲା! ସମାଜରେ ସୋସିଆଲ ମିଡିଆ ଆସିବା ଦ୍ବାରା ବିଶେଷ କିଛି ବଦଳିଗଲା ପରି ଲାଗେନା। ଲୋକମାନେ ଅଧିକ ଟେକ୍ନୋ ସାଭି ବା ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ ହୋଇଗଲେ ବୋଲି କହିହେବନି। ବରଂ ସାଧାରଣରେ କମ୍ପ୍ୟୁଟରକୁ ପ୍ରତ୍ୟାଖ୍ୟାନ କରି ଲୋକେ ମୋବାଇଲ ଏବଂ ମୋବାଇଲର ଛୋଟ କି ବୋର୍ଡ ସହିତ ଅଭ୍ୟସ୍ତ ହୋଇଯାଇଛନ୍ତି।
ଆଗରୁ ଲୋକେ ରାଗ ବା ପ୍ରେମକୁ ମନ ଭିତରେ ରଖୁଥିଲେ। ଟେଲିଫୋନ ର ପ୍ରଚଳନ ଗାଁଗହଳରେ, ଏମିତିକି ସହରର ସବୁ ଘରେ ନଥିଲା। ଥିଲେ ବି ଟେଲିଫୋନର ବିଲ୍ ଭୟରେ ଏହାର ମନଇଚ୍ଛା ବ୍ୟବହାର ହେଉନଥିଲା। ରାଗ ବା ପ୍ରେମକୁ ଜଣାଇବା ପାଇଁ ମାଧ୍ୟମ ଥିଲା ଚିଠି। ମନ ଗୋଟାଏ ବଡ ବିଚିତ୍ର ଜିନିଷ। ରାଗ ବା ପ୍ରେମକୁ ମନରେ ରଖି ଚିଠି ଲେଖିବା ପର୍ଯ୍ୟନ୍ତ ଏହି ଯେଉଁ ଛୋଟ ସମୟର ବ୍ୟବଧାନ ତାହା ଆମର ପ୍ରତିକ୍ରିୟା କୁ ପ୍ରଶମିତ କରିବାରେ ସାହାଯ୍ୟ କରୁଥିଲା।
ଏବେ ମାଗଣାରେ କଥାଭାଷା। ରାଗିବାର ପ୍ରୋସେସ ଭିତରେ ଆପଣ ଏକା ସାଙ୍ଗରେ କାହାର ସୋସିଆଲ ମିଡିଆ ଖୋଲି ତୁରନ୍ତ ପ୍ରତିକ୍ରିୟା ଦେଖେଇପାରିବେ। ଏଠି ଦ୍ବିତୀୟଥର ଚିନ୍ତାର ଅବକାଶ ନାହିଁ। ସୋସିଆଲ ମିଡିଆର ଅଧିକାଂଶ ପ୍ରତିକ୍ରିୟା ଲିଖିତ। ହୁଏତ ଟେଲିଫୋନ ମାଧ୍ୟମରେ କେହି ଆପଣଙ୍କୁ କିଛି କହିଥିଲେ ସମୟାନ୍ତରେ ଆପଣ ଭୁଲିଯାଇଥାନ୍ତେ। ସୋସିଆଲ ମିଡିଆର ଲିଖିତ ବାର୍ତ୍ତା ଆପଣଙ୍କୁ ଘଟଣାଟି ଭୁଲିବାକୁ ଦିଏନାହିଁ। ଦ୍ବିତୀୟ କଥାଟି ହେଲା ଆପଣ ରାଗିଥିବା ବା ଭଲପାଉଥିବା ବ୍ୟକ୍ତିର ଫଟୋ, ଭିଡିଓ, ପରିବାର, ସଫଳତା କି ବିଫଳତାକୁ ପ୍ରତ୍ୟକ୍ଷ କଲାପରେ ଆପଣଙ୍କ ମନ ଭିତରେ ପ୍ରତିକ୍ରିୟା ତୀବ୍ର ହୁଏ। ସୋସିଆଲ ମିଡିଆରୁ ପ୍ରେମ, ବିବାହ ଏବଂ ବିବାହର ବିଫଳତା ବିଷୟରେ ବହୁ ଭୟଂକର କଥା ଆପଣ ଶୁଣିଥିବେ। ଯୋଗାଯୋଗରେ ଯେଉଁ କ୍ରାନ୍ତି ଆସିଛି ବୋଲି ଆମେ ଉଲ୍ଲସିତ ତାହା ଆମକୁ ଆପାଦମସ୍ତକ ଲଙ୍ଗଳା କରିବାରେ ଲାଗିଛି।
ସଂପର୍କ ଏକ ଉନ୍ମୁକ୍ତ ବହି ନୁହେଁ। ହେବା ବି ଉଚିତ ନୁହେଁ। କଣ୍ କହିବା, କିପରି କହିବା, କେତେ କହିବା ଉପରେ ସଂମ୍ପର୍କର ସ୍ଥାୟିତ୍ବ ନିର୍ଭର କରେ। ଶତକଡା ଶହେଭାଗ ଉନ୍ମୁକ୍ତ ବ୍ୟକ୍ତିର ସଂପର୍କର ସ୍ଥାୟିତ୍ବ ଉପରେ ମୁଁ ସନ୍ଦିହାନ। ଆମର ମନ ଓ ମଗଜ ବିଭିନ୍ନ ପ୍ରକାର କାଟଛାଟ କରି ଆମକୁ ସାମାଜିକ ବନାନ୍ତି। ଯଦି ମନ ଓ ମଗଜକୁ ସେତିକି ସମୟ ଦିଆ ନଯାଏ, ଆମର ସାମାଜିକତା ବିପନ୍ନ ହୋଇଯାଏ।
ସଂପର୍କର
ପରିଭାଷା ହେଲା ପ୍ରତିକ୍ରିୟା। ପ୍ରତିକ୍ରିୟା ଉପରେ ସଂପର୍କ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥିଲା ବେଳେ ସୋସିଆଲ ମିଡିଆ ଆମକୁ ତୁରନ୍ତ ପ୍ରତିକ୍ରିୟା ରଖିବାକୁ ପ୍ରେରିତ କରେ। ବହୁ ଜାଗାରେ ସ୍ବୟଂ ମୁଁ ପ୍ରତିକ୍ରିୟା ଦେଇସାରି ଅନୁତାପ କରିଛି। ମୋର ଅନୁଭବ ହୋଇଛି ଯେ ପ୍ରତିକ୍ରିୟା ଦେଇନଥିଲେ ଠିକ ହୋଇଥାନ୍ତା। କେତେବେଳେ ବି ଏହି ସୋସିଆଲ ମିଡିଆ ଦ୍ବାରା ଶତୃ ବନିଥିବା କିଛି ବ୍ୟକ୍ତିଙ୍କ ଫଟୋ ଦେଖି ମୁଁ ତାଙ୍କ ସହ ବନ୍ଧୁତା କାଟିଛି, ଏମିତିକି ମୋ ସହିତ ଭଲ ସଂପର୍କ ଥିବା ବ୍ୟକ୍ତି କାହିଁକି ମୋ ଶତୃ ସହିତ ଫଟୋ ଉଠେଇ ପୋଷ୍ଟ କଲେବୋଲି ତାଙ୍କୁ ଅନଫ୍ରେଣ୍ଡ କରିଛି। ମୁଁ ଜାଣେ, ଆପଣଙ୍କ ଭିତରୁ ଅନେକେ ଏପରି କରିଥିବେ।
ସମ୍ପୂର୍ଣ୍ଣ ଦୋଷ କଣ ସୋସିଆଲ ମିଡିଆର? ନା ଇଏ ଆମର ପ୍ରଗଳ୍ଭତା, ପାଗଳପଣ, ବସ୍ତୁବାଦୀ ଚିନ୍ତାଧାରା ନା ଜାନ୍ତବତା! ସୁବିଧା ଓ ସୁଯୋଗ ମଣିଷର ଜୀବନକୁ ସଶକ୍ତ ଓ ସଂଭ୍ରାନ୍ତ କରେ। ଫେସବୁକ ବା ସୋସିଆଲ ମିଡିଆ ସତରେ ଆମକୁ ଶିକ୍ଷିତ ଏବଂ ସଭ୍ୟ ଭାବରେ ଚିତ୍ରିତ କରୁଛି ନା ଅସଭ୍ୟ ଆଉ ବର୍ବର! ଟେକ୍ନୋଲୋଜିର ପ୍ରାଣ ନଥାଏ। ପ୍ରାଣ ଥାଏ ମଣିଷର। ମଣିଷ ହିଁ ଯେମିତି ଚାହିଁବ ତାହାର ବ୍ୟବହାର କରିପାରିବ। ଏମିତି ଗୋଟାଏ ଯୁଗରେ ଆମେ ବାସ କରୁଛୁ ଯେଉଁଠି ସାନମାନେ ବଡଙ୍କୁ ବେଖାତିର ଓ ବଡମାନେ ସାନଙ୍କୁ ହେୟ ମନେକରୁଛନ୍ତି। ସୋସିଆଲ ମିଡିଆ ସମ୍ବନ୍ଧରେ ଗୋଟିଏ କଥା ସତ ଯେ ୧୬ ରୁ ୪୫ ବର୍ଷ ପର୍ଯ୍ୟନ୍ତ ଗ୍ରୁପର ପୋଷ୍ଟି ୪୫ ରୁ ୮୦ ବର୍ଷର ଗ୍ରୁପର ପୋଷ୍ଟିଂ ଅପେକ୍ଷା ଅଧିକ ଅସଂଗଠିତ, ଅକାରଣ ଏବଂ ପ୍ରତିକ୍ରିୟାଶୀଳ। ଏହି ନୂତନ ଯୁବଗୋଷ୍ଠୀ କାହାକୁ ଶୁଣିବାକୁ ଅସମ୍ମତ, ଏମାନଙ୍କ ଧାରଣା ଶିକ୍ଷା ଏବଂ ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ଦ୍ବାରା ଏମାନେ ସ୍ବୟଂସମ୍ପୂର୍ଣ୍ଣ। ଏମାନଙ୍କର ଯେହେତୁ କିଛି ଶିଖିବାର ନାହିଁ ଏମାନେ ବୟସକୁ ସମ୍ମାନ ଦିଅନ୍ତିନାହିଁ। ଭୟଂକର ଭାବରେ ଯିଦଖୋର ଏବଂ ସ୍ବାବଲମ୍ବୀ ଏହି ଗୋଷ୍ଠୀ ଅକାରଣ ତର୍କରେ ଯେତିକି ପାରଙ୍ଗମ ସେତିକି ହିଂସାରେ ମଧ୍ୟ।
ହାତ ପାଖରେ ବନ୍ଧୁକ ପଡିଛି ବୋଲି ସେଥିରେ କାହାକୁ ହତ୍ୟା କରିବା ଏଇଟା କେଉଁ ନ୍ୟାୟ! ମୋବାଇଲ ବା କମ୍ପ୍ୟୁଟରର କି ବୋର୍ଡ ବନ୍ଧୁକ ଠାରୁ ଅଧିକ ଭୟଂକର। ବନ୍ଧୁକ ତ କେଇଜଣଙ୍କୁ ମାରିପାରେ, ହେଲେ କଥା ବହୁଲୋକଙ୍କ ମୃତ୍ୟୁର କାରଣ ହୋଇପାରେ। ଯୁବବର୍ଗଙ୍କର ସୋସିଆଲ ମିଡିଆର ଏପରି ବ୍ୟବହାର ଦିନେ ଭୟଂକର ପରିସ୍ଥିତିକୁ ଜନ୍ମଦେବ। ମୋବାଇଲର ସ୍କ୍ରିନ ଉପରୁ ହାତ ଉଠାଉନଥିବା ଏ ଉଦବାୟୀ ଯୁବକମାନଙ୍କୁ ନିବେଦନ ସେମାନେ ପରିବାରର ସଂପର୍କ ଭିତରକୁ ଫେରନ୍ତୁ। ବାପା,ମା, ଭାଇ, ଭଉଣୀଙ୍କ ପାଖରୁ ବାନ୍ଧିହୋଇ ରହିବାର ପରଂପରା ଶିଖନ୍ତୁ। ଅନ୍ୟକୁ ସମ୍ମାନ ଦିଅନ୍ତୁ ଓ ନିଜେ ସମ୍ମାନର ସହିତ ବଞ୍ଚନ୍ତୁ। କେହିଜଣେ ଠିକ୍ କହିଥିଲେ ଯେ କୌଣସି ଦୁର୍ବଳ ଲୋକ କ୍ଷମା ମାଗିପାରେନା। କ୍ଷମା ମାଗିବା ପାଇଁ ଜିଗର, ଫୌଲାଦି ଛାତି ଏବଂ ଅସୀମ ନୈତିକ ସାହାସ ଦରକାର। ସଂପର୍କ ସୁଧାରିବା ପାଇଁ ଥରେ କ୍ଷମାମାଗି ଦେଖନ୍ତୁ ନା!
ଅନୀଲ କୁମାର ପାଢୀ