Anil Kumar Parhi

Inspirational

3  

Anil Kumar Parhi

Inspirational

ଦର୍ପଣ - 10

ଦର୍ପଣ - 10

5 mins
7.2K


ମୋର ବଡହେବାକୁ ଇଚ୍ଛ ଗୋଟିଏ ଘଟଣାକୁ ଦେଖି ହୋଇଥିଲା। ସେତେଯାଏ ମୁଁ ସାହିତ୍ୟ ଲେଖୁଥିଲି, ପ୍ରକାଶ ପାଇଲେ ଖୁସି ହେଉଥିଲି।

ଥରେ ମୁଁ ମୋ ବଜାଜ ସ୍କୁଟରରେ ବାଲେଶ୍ବରରୁ ଫେରୁଛି, ବାହାନଗା ପାଖରେ ଗୋଟିଏ ଛୋଟ ଡାଲା ଅଟୋ ମୋତେ ଓଭରଟେକ୍ କରିଗଲା। ସେତେବେଳେ ମୋତେ ଗାଡି ଚଲେଇବାରେ ଓଭରଟେକ୍ କରିଯିବ ଆଉ ମୁଁ ସହିଯିବି! ପ୍ରବଳ ବେଗରେ ମୁଁ ଅନୁସରଣ କଲି। ପାଖାପାଖି ବିଦୁ ଷ୍ଟପେଜ ପାଖରେ ମୁଁ ଡାଲା ଅଟୋ ପାଖରେ। ହେଲେ, ଅଟୋ ପଛରେ ଯାହା ଲେଖାଥିଲା ତା ମୋତେ ସ୍ତବ୍ଧ କରିଦେଲା। ମୋ ଭିତରୁ କେହି କହିଲା, ରେ ମୁଢମତି ଖାଲି ଗାଡିରେ ନୁହେଁ ସାହିତ୍ୟରେ ବି ବଡ ହ!

ଅଟୋ ପଛରେ ଲେଖାଥିଲା - ମୁଁ ବଡହେଲେ ଟ୍ରକ୍ ହେବି।

ମୁଁ ବଡ ହେଲି। ଟ୍ରକ୍ ହୋଇଗଲି। ମୋ ସାଙ୍ଗରେ ଚାଲୁଥିବା ଅନେକେ ବିଏମଡବ୍ଲ୍ୟୁ, ମର୍ସିଡିଜ୍ କି ଅଡି ହୋଇଗଲେ। ଏବେ ରାସ୍ତାକଡରେ, ଢାବା ପାଖରେ, ନଈ କି କେନାଲବନ୍ଧରେ ଠିଆହୋଇ ଧୂଳିଉଡେଇ କ୍ଷେପିଯାଉଥିବା ସାହିତ୍ୟିକମାନଙ୍କୁ ମୁଁ ଦେଖୁଛି।

ପତ୍ନୀ ସେଦିନ ମୋ ବନ୍ଧୁଙ୍କ ପାଖରେ ଅଭିଯୋଗ କଲେ - ଦେଖନ୍ତୁ କଣ୍ ନାଇଁ କଣ୍ ଲେଖୁଛନ୍ତି! କେତେବେଳେ ତାଙ୍କ ଗାଁର ପଖାଳଖିଆ କଥା, ଗଜମନମଥିଆ କଥା; କେତେବେଳେ ଲେଖୁଛନ୍ତି ମୋର ମୂଲିଆ ହବାକୁ ଇଚ୍ଛା ଥିଲା, ପାଣିଖିଆ ଘା ଶୁଂଘିବାର ଥିଲା; ହେଇ ଦେଖନ୍ତୁ ଏବେ ଟ୍ରକ୍ କଥା! କେତେବେଳେ ୟାଙ୍କ ଲେଖାରେ କିଏ ନିଜକୁ ଯୋଡୁଛି ଯେ ସାରା ସାହିତ୍ୟ ସମାଜ ଶତୃ ହୋଇଗଲାଣି! ପୁରସ୍କାର ତ ଦୂରେ ଥାଉ, ଆଉ କେହି ପତ୍ରିକା ବି ୟାଙ୍କୁ ଛାପିବେନି!

ବନ୍ଧୁ ଯୋଡିଲେ - ହଁ ପରା ଭାଉଜ! ତା'ର ଲାଭ କଣ ହେଉଛି ମୁଁ ଜାଣିପାରୁନି!

ଆପଣ ବିଶ୍ବାସ କରିବେନି, କହିଲେ ପତ୍ନୀ, ମୋର ବହୁ ସାଙ୍ଗ ଆମେରିକାରେ, କାନାଡାରେ, ୟୁରୋପରେ। ସେମାନଙ୍କ ହଜବ୍ୟାଣ୍ଡମାନେ ମଲ୍ଟିନ୍ୟାସନାଲ କମ୍ପାନୀରେ। ସେମାନେ ସବୁ ସୋସିଆଲ ମିଡିଆରେ ମୋ ଫ୍ରେଣ୍ଡ ଅଛନ୍ତି। ଆଉ ଇଏ କଣ ଲେଖୁଛନ୍ତି ନା ମୂଲିଆ ହେବେ, ପଖାଳ ଖାଇବେ, ପ୍ରାଇଭେଟ କଲେଜ! ଏଗୁଡାକ ଲେଖି ନିଜକୁ ନ୍ୟୂନ ଦେଖେଇବାର କିଛି ଅର୍ଥ ଅଛି! ଅଯଥା!

ମୁଁ ଚୁପଚାପ ଶୁଣୁଥିଲି। ଉଁ ହୁଁ, ପିଲାଦିନେ ବଂଶୀ ବଜେଇ ଗାଈ ଜଗୁଥିବା ଗାୟାଳ ଟୋକା ହବାର ଇଚ୍ଛା ବି ଥିଲା। ଯାହା ହେଉ ସେତକ କୋଉଠି ଲେଖିନି!

ବନ୍ଧୁ କହିଲେ - ଏଇଟା ଗୋଟିଏ ବାହାଦୁରୀ ଭାଉଜ! କଣ୍ ନା ....। ନହେଲେ, ଗୋଟିଏ ମାନସିକ ରୋଗ! ହଁ, ପଚାରିଲେ ତମ ସ୍ବାମୀ କଣ୍ କହନ୍ତି ଜାଣନ୍ତି! ସେ କାଳେ ସିଂହ, ବାଦଶାହା!

ମନେମନେ! କହିଲେ ପତ୍ନୀ। କାଳେ ଚା୍ର୍ଲିଚାପଲିନ ନିଜ ଉପରେ ବ୍ୟଙ୍ଗ କରୁଥିଲେ, ସେଇଥିପାଇଁ ୟେ କରୁଛନ୍ତି।

ମୁଁ କିଛି ତ କହିବି। କହିଲି ପତ୍ନୀଙ୍କୁ - ତମ ସାଙ୍ଗମାନଙ୍କ ମୁଣ୍ଡରେ ଭେଜା ଅଛିତ! ଆରେ ସାହିତ୍ୟ ସହ ବ୍ୟକ୍ତିଗତ ଜୀବନକୁ ମିଶଉଛନ୍ତି କାହିଁକି! ସେଗୁଡା ତ ଉଗାଣ୍ଡାରେ ରହିବାକୁ ବି ଅଯୋଗ୍ୟ!

ମୁଁ ଉଠିଆସିଲି।

ଦୂରରୁ ଭାସିଆସିଲା ପରି ଲାଗିଲା ବଂଶୀସ୍ବନ!! ଗାଈଆଳ ପିଲାର କି!

ତୋଟାରେ ଗୋଟିଏ ଜାମୁକୋଳି ଗଛରେ ବସିଛି ମୁଁ। ଓଠରେ ଲାଗିଛି ବଂଶୀ! ମୁଗ୍ଧ ହୋଇ ଗୋଟିଏ ଧଳା ବାଛୁରୀ ଶୁଣୁଛି ସେ ତାନ! ଆକାଶରେ ଖଣ୍ଡେ ଧଳା ମେଘ ପରି ଉଡୁଛି ବଗ। ଯୌବନର ଅହଂକାରରେ ନାଚୁଛନ୍ତି ସବୁଜ ଧାନକ୍ଷେତ!

ମୋ ପଛରେ ଠିଆହୋଇଥିଲେ ପତ୍ନୀ ଓ ତାଙ୍କ ପଛକୁ ବନ୍ଧୁ। ଶୁଣ, ପତ୍ନୀ କହିଲେ, ତମର ସେ ଉପନ୍ୟାସଟିର ଉନ୍ମୋଚନ ଉତ୍ସବ ହବ ହିଁ ହବ! ସବୁ ସାହିତ୍ୟିକ କରୁଛନ୍ତି, ତମେ କାହିଁକି କରିବନି!

ମୁଁ ସବୁ ବୁଝିବି। କହିଲେ ବନ୍ଧୁ। କିଏକିଏ ଆସିବେ ଆମେ ଠିକ୍ କରିସାରିଛୁ। ତମେ ବିରକ୍ତ ହଉଥିବା କେହି ଆସିବେନି!

ପଇସା? ମୁଁ ପଚାରିଲି।

ଏତେଟଙ୍କା ବରବାଦ କରୁଛ, ଆଉ କେତେ ଏମିତି ଖର୍ଚ୍ଚ ହେବ ଯେ! ସେକଥା ମୁଁ ବୁଝିବି। ମୋ ରାଣ, ତମେ ନାଁ କହିବନି। ଦିନ ଧାର୍ଯ୍ୟ ହୋଇଗଲେ ଛୁଟିନେଇ ମୁଁ ଆସିବି। ପତ୍ନୀ କହିଲେ।

ସେଦିନର କଥା ସେଇଠି ସରିଗଲା।

ପତ୍ନୀ ଚାକିରୀକୁ ଫେରିଗଲେ।

ବନ୍ଧୁ ପଛରେ ଲାଗିଲେ।

ମୋ ବହି ଲୋକାର୍ପିତ ହେବାପାଇଁ ଗୋଟାଏ ଅସୁବିଧା ହେଉଥିଲା। ବହିର ପ୍ରକାଶକ ଏ ଲୋକାର୍ପଣକୁ ଭଲପାଉନଥିଲେ କି ବିଶ୍ବାସ କରୁନଥିଲେ। ସେ ହାତ ଝାଡିଦେଲେ। ଏବେ ଉନ୍ମୋଚନର ମାନେ ହେଲା ସମ୍ପୂର୍ଣ୍ଣ ଭାବେ ନିଜେ ଯୋଗାଡ କରିବା। ଗେଷ୍ଟ ଡାକ, ଶ୍ରୋତା ଡାକ, ପ୍ରେସ ଡାକ। ଭେନ୍ୟୁ, ଭିଡିଓ, ଭୋଜନର ଆୟୋଜନ! ଏଗୁଡାକ କରିବ କିଏ ଯେ!

ବନ୍ଧୁ କହିଲେ ବ୍ରୋକର ବି ଅଛନ୍ତି। ସେମାନେ ସବୁ ବୁଝିଦେବେ। ଟଙ୍କା ଦୁଇଗୁଣା ଲାଗିବ! ତିରିଶ କି ଚାଳିଶ ହଜାର!

ମୋର ମୁଣ୍ଡ ଘୂରେଇଦେଲା। ମୁଁ ଲଥ୍ କରି ବସିପଡିଲି!

ଖର୍ଚ୍ଚ ବି ଅନେକ ଭାଇ। ବନ୍ଧୁ କହିଲେ। ଏଇ ଦୁଇଚାରି ହଜାରିଆ ଭେନ୍ୟୁ ତ ଆଉ ବୁକ୍ କରିହେବନି। ଏସି ନଥିବ, ଥିଲେ ଚାଲୁନଥିବ। ଫଟା ଚେୟାର୍। ଫଡଫଡ କରୁଥିବା ମାଇକ୍। ଭଲ ହୋଟେଲର କନଫେରେନ୍ସ ହଲ ବୁକ୍ ହବ। ଗେଷ୍ଟଙ୍କ ଠାରୁ ଶ୍ରୋତା ସବୁ କିଣା!

ଶ୍ରୋତା ବି କିଣା! ମୁଁ ଆଶ୍ଚର୍ଯ୍ୟ ହେଲି।

ତ! ବିନା ପଇସାରେ କିଛି ହଉଛି ଆଜିକାଲି! ଭଲ ଖାଇବେ, ଦକ୍ଷିଣା ନେବେ! ଦେଖିନ କେମିତି ନେତାମାନଙ୍କ ମିଟିଙ୍ଗକୁ ଟ୍ରକଟ୍ରକ ଲୋକ ବୁହାହୋଇ ଆସନ୍ତି! ଜଣକା ଦୁଇଶ। ଖାଇବା ପିଇବା ମାଗଣା। ଠିକ୍ ସେଇମିତି।

ହେଃ! ମୁଁ ଉତ୍ତର ଦେଲି।

ଆରେ ଭାଇ, ବନ୍ଧୁ ବୁଝେଇଲେ, କିଛି ଦାନୁଆ, ଘାଟୁଆ ବ୍ରାହ୍ମଣପରି ରାଜଧାନୀରେ ପରା ନିତିଦିନିଆ ଶ୍ରୋତା ଗୋଷ୍ଠୀଟିଏ ଅଛି! ଖବର ଦେଇଦେଲେ ଦଳବଳ ସହିତ ହାଜର! ସେମାନେ ପରା ଏଇଥିରେ ବଞ୍ଚୁଛନ୍ତି!

ମୁଁ କହିଲି - ମାରିଦେଲେ ବି ବହିର ଉନ୍ମୋଚନ କରିବିନି।

ଠିକ୍ ଏହି ସମୟରେ ବନ୍ଧୁଙ୍କ ବହି ଉନ୍ମୋଚନର ପ୍ରସ୍ତାବଟିଏ ଆସିଲା। ଜଣେ ପ୍ରତିଷ୍ଠିତ ପ୍ରକାଶକ ଛାପିଥାନ୍ତି ଓ ସେ ନିଜେ ଉନ୍ମୋଚନ ଉତ୍ସବ କରିବାକୁ ଚାହୁଁଥାନ୍ତି।

ଭଲହେଲା। ମୋ ବହି ସହିତ ସେଇଠି ତମ ବହିର ଉନ୍ମୋଚନ ବି କରିଦେବା। ବନ୍ଧୁ କହିଲେ।

ବନ୍ଧୁଙ୍କ ପ୍ରକାଶକଙ୍କ ଡାକରା ପାଇ ଦିନେ ଆମେ ତାଙ୍କ ଦପ୍ତରରେ ପହଞ୍ଚିଲୁ। ମଧ୍ୟବୟସ୍କ ପ୍ରକାଶକ। ମୋତେ ବି ଚିହ୍ନିପାରିଲେ। ବନ୍ଧୁ ଟଙ୍କା ଦେଇ ବହି ଛପେଇଛନ୍ତି। ମୁଁ ତ ସେପରି କରିପାରିବି ନାହିଁ। ଏଣୁ, ତାଙ୍କ ସହିତ ସେତେଟା ସମ୍ପର୍କ ନାହିଁ।

ବନ୍ଧୁ ପ୍ରଥମେ ମୋ ପ୍ରସ୍ତାବ ରଖିଲେ ଯାହା ଗ୍ରହଣୀୟ ହେଲାନାହିଁ। ପ୍ରକାଶକ କେବଳ ନିଜେ ଛାପିଥିବା ବହିର ଉନ୍ମୋଚନ କରନ୍ତି।

ପ୍ରକାଶକ ବନ୍ଧୁଙ୍କୁ କିଛି କହିଲେ ଇସାରାରେ ଯାହାର ଅର୍ଥ ଥିଲା ଯେ ସେ କିଛି ବ୍ୟକ୍ତିଗତ ଆଲୋଚନା କରିବାକୁ ଚାହାଁନ୍ତି, ହେଲେ ମୋର ଉପସ୍ଥିତି ଯୋଗୁଁ କହିପାରୁନାହାଁନ୍ତି।

ବନ୍ଧୁ ବୁଝିପାରିଲେ, କହିଲେ - କୁହନ୍ତୁ, କିଛି ଅସୁବିଧା ନାହିଁ।

ଦେଖନ୍ତୁ, ପ୍ରକାଶକ କାଚ ଟେବୁଲ ଓ୍ବେଟଟାକୁ ଟେବୁଲ ଉପରେ ଘୂରଉଘୂରଉ କହିଲେ, ତିନିଟା ଡେଟ୍, ତିନିଟା ଭେନ୍ୟୁ ଉନ୍ମୋଚନର। ଆପଣଙ୍କୁ ଅପସନ୍ ଦେବାକୁ ହେବ!

ଅପସନ୍! ମୁଁ ଚକିତ ହେଲି।

ହଁ ଆଜ୍ଞା! ପ୍ରକାଶକ କହିଲେ। ପ୍ରଥମ ଡେଟ୍ ଆଉ ଭେନ୍ୟୁ ସାଧାରଣ। ମାନେ ଏଇ ସରକାରୀ ଭବନ। ସାଧାରଣ ଗେଷ୍ଟ। ଶ୍ରୋତାଙ୍କ ଉପରେ ଭରସା ନାହିଁ। ଦ୍ବିତୀୟ ସାଧାରଣ ହୋଟେଲରେ। ଗେଷ୍ଟ ଓଡିଶାର ବଡବଡ ସାହିତ୍ୟିକ। ଶ୍ରୋତା ଠିକଠାକ୍। ତୃତୀୟ ହେଲା ଷ୍ଟାର ହୋଟେଲ। ଗେଷ୍ଟ ଓଡିଶା ବାହାରର। ଜ୍ଞାନପୀଠ ଅଜ୍ଞାନପୀଠ ସବୁ ପହଞ୍ଚିବେ। ଆଉ ଓଡିଶାର ବଡବଡ ସାହିତ୍ୟିକ ଶ୍ରୋତା ହୋଇ ବସିବେ।

ଖାଇବା ଟେବୁଲରେ ମେନୁ ପଢିଲା ପରି ଲାଗିଲା।

ଚାହିଁଲେ କେନ୍ଦ୍ର ମନ୍ତ୍ରୀ ବି ଆଣିପାରିବି! କହିଲେ ପ୍ରକାଶକ। ବାହାରୁ ଯିଏ ଆସିବ ଫ୍ଲାଇଟ ଖର୍ଚ୍ଚ, ବଡ ହୋଟେଲ ଖର୍ଚ୍ଚ, ସେମାନଙ୍କ ଗସ୍ତ ଖର୍ଚ୍ଚ। ବହୁତ ଟଙ୍କା ଖର୍ଚ୍ଚ। ମୋ ହାତରୁ ତ ଲକ୍ଷେ କମ୍ ରେ ଯିବ! ଯାଉ। ସାହିତ୍ୟର ସେବା, ଲେଖକର ସେବା! ସବୁବେଳେ ଲାଭକୁ ଚାହିଁଲେ ହବ କି!

କଣ୍ କେମିତି? ବନ୍ଧୁ ପଚାରିଲେ।

ସାଧାରଣଟି ପନ୍ଦର, ଠିକଠାକଟି ପଚିଶ ଆଉ ଷ୍ଟାରଟି ପଚାଶ ହଜାର। ଯେଉଁଟା ଆପଣ ଚାହିଁବେ!

ବହି ପାଇଁ ବନ୍ଧୁ ଦେଇଥିଲେ ପଚିଶ ହଜାର। ଏବେ ଧରିନିଆଯାଉ ଆଉ ପଚିଶ! ମାନେ ପଚାଶ! କଣ ହୁଏ ବହି ଛାପି ଆଉ ପାଠକାର୍ପଣ କରି ଯେ! ଏମିତି ତ ଶୁଣିବାକୁ ମିଳେ ଯେ ଶହୀଦନଗରରେ ଗୋଟାଏ ଗୁପ୍ତ ଜେରକ୍ସ ଦୋକାନରେ ପ୍ରକାଶକମାନେ ଡିଟିପିର କପି କରି ଲେଖକକୁ ସେଇ ପାଞ୍ଚଦଶ ଖଣ୍ଡ ଧରେଇଦିଅନ୍ତି। ଆଉ ବହି ନଥାଏ।

ବନ୍ଧୁ କହିଲେ - ବୁଝିକି ଜଣେଇବି।

ଆମେ ଫେରିଆସିଲୁ। ବନ୍ଧୁ ଚିନ୍ତିତ ଦିଶୁଥାନ୍ତି।

କାହିଁକି ଏଭଳି ପ୍ରକାଶକଙ୍କ ପାଖକୁ ଯାଉଛ ଯେ! ଓଡିଶାରେ ବହୁ ଭଦ୍ର ଏବଂ ପ୍ରତିଷ୍ଠିତ ପ୍ରକାଶକ ବି ଅଛନ୍ତି। ସେମାନେ ତ ପଇସା ମାଗନ୍ତିନି। ମୁଁ କହିଲି।

ବନ୍ଧୁ ବିକିଳିଆ ହସ ହସିଲେ।

ସମୟ ଅତିକ୍ରାନ୍ତ ହେଲା।

ନିର୍ଦ୍ଦିଷ୍ଟ ଦିନ ଉଦ୍ଦିଷ୍ଟ ହୋଟେଲରେ ପହଞ୍ଚିଲୁ ଆମେ। ଗୋଟେ ବଡ ଫ୍ଲେକ୍ସ ଲାଗିଥାଏ - ମାରାଥନ ପୁସ୍ତକ ଉନ୍ମୋଚନ। ଅମୁକ ପ୍ରକାଶନ ସଂସ୍ଥା। ପାର୍କିଂ ସ୍ଲଟରେ ଗୁଡାଏ କାର ଲାଗିଥାଏ, ମଟରସାଇକେଲ ଗେଞ୍ଜା ହୋଇଥାଏ। ୟେ ପଚିଶ ହଜାରିଆ ଉନ୍ମୋଚନ।

ଗାଡି ରଖି ଆମେ ଭିତରକୁ ଗଲୁ। ଆଉ ଗୋଟିଏ ଫ୍ଲେକ୍ସରେ ସେଦିନ ଉନ୍ମୋଚିତ ହେବାକୁ ଥିବା ବହିର ନାମ ଓ ତା ସାଙ୍ଗକୁ ଫଟୋ ସହିତ ଲେଖକମାନଙ୍କ ନାମ ପ୍ରିଣ୍ଟ ହୋଇଥାଏ। ବନ୍ଧୁ ତାଙ୍କ ନାମ, ଫଟୋ ଦେଖିଲେ, ଖୁସି ହେଲେ। ସେ ମୋତେ ଅବୋଧ ବାଳକ ପରି ଲାଗୁଥାନ୍ତି।

ଚାଳିଶ ଜଣ ଲେଖକ! ଚାଳିଶ ଅମୂଲ୍ୟ ବହି। ଅମୂଲ୍ୟ ନୁହେଁ ତ ଆଉ କଣ!

ହଁ, ସାହିତ୍ୟର ବଡ ଗୁଢଗହନ କଥା ଆଲୋଚନା ହେଲା ସେଦିନ। ବକ୍ତାମାନଙ୍କ ପାଟିରେ ବାଟୁଳି ବାଜୁନି। ଓହୋ, ଗୋଟିଏଗୋଟିଏ ପଞ୍ଚ ଲାଇନ୍ ରେ କରତାଳି ଉପରେ କରତାଳି। ସୋଲ କପରେ ସୁପ୍, ତାପରେ କଫି। ଶେଷକୁ ଫ୍ରାଏଡ ରାଇସ୍, ବଟର ପନିର ମସାଲା, ଛେନା ପାୟସ୍, କେତେ କଣ୍!

ଅଠେଇଶତମ ବହି ବନ୍ଧୁଙ୍କର। ଉଠିକି ସଂକୋଚରେ ଷ୍ଟେଜ ପର୍ଯ୍ୟନ୍ତ ଯିବାକୁ ହେଲା। ମୋବାଇଲରେ ଫଟୋ ଉଠେଇବାକୁ ହେବ। ରାତିକୁ ପୁଣି ଫେସବୁକରେ ପୋଷ୍ଟିଂ କରିବାକୁ ହେବନା! ବନ୍ଧୁ ତାଙ୍କ ବହିଟିକୁ ଧରି ଫେରିଲେ। ଛାତିରେ ଚାପିଧରିଥାନ୍ତି। ମମତ୍ବରେ, ଯେମିତି ମା ମାଙ୍କଡ ଛୁଆକୁ ଧରିଥାଏ। ବହିଟି ବି କୁଣ୍ଢେଇଧରିଥାଏ ବନ୍ଧୁଙ୍କୁ। ଯେମିତି କହୁଥାଏ - ମା ଲୋ, ମୋତେ କୁଆଡେ ଛାଡିବୁନି। ମୋତେ ଡରଲାଗୁଛି। ମୋ ଆଖି ସାମାନ୍ୟ ପାଣିଚିଆ ହୋଇଉଠିଲା।

ଖାଇସାରି ଫେରିଲାବେଳେ ଆମେ ଉଭୟ ନୀରବ ଥିଲୁ। କାହିଁକି କେଜାଣି! ବନ୍ଧୁ କଣ ଭାବୁଥିଲେ ମୁଁ ଜାଣେନା, ହେଲେ, ମୁଁ ଭାବୁଥିଲି ଆଜିକାର ସଭାର ଆୟ ବିଷୟରେ। ଦଶଲକ୍ଷ ଟଂକାରୁ ଅତିବେଶୀରେ ଖର୍ଚ୍ଚ ହୋଇଥିବ ଲକ୍ଷେ। ନଅ ଲକ୍ଷର ଲାଭ!

ଏହି ସମୟରେ ବନ୍ଧୁଙ୍କ ହାତରେ ଥିବା ବହିଟି କୁଆଁକୁଆଁ କାନ୍ଦିବା ପରି ଲାଗିଲା। ମୋ ପାଟିରୁ ବାହାରି ଆସୁଥିଲା - ଆରେ ତାକୁ କ୍ଷୀର ପିଆଅ। ଭୋକ ଲାଗିଲାଣି!!

ଅନୀଲ କୁମାର ପାଢୀ


Rate this content
Log in

Similar oriya story from Inspirational