Anil Kumar Parhi

Others

3  

Anil Kumar Parhi

Others

ଦର୍ପଣ - ୧୧

ଦର୍ପଣ - ୧୧

4 mins
7.2K


ଗୋଟିଏ ସାହିତ୍ୟ ସଭାରେ ପାଖରେ ବସିଥିବା ଜଣେ ସାହିତ୍ୟିକ ମୋ ମୁହଁକୁ ଗଭୀର ଧ୍ୟାନର ସହିତ ଚାହିଁ ପଚାରିଲେ - କେଉଁଠି ଦେଖିଲା ପରି ମନେ ହେଉଛି! ଠିକରେ ମନେ ପଡୁନି।

ବନ୍ଧୁ ଉଠିକି ବାହାରକୁ ଯାଇଥିଲେ। ସେ ଥିଲେ ମୋ ପରିଚୟଟା ଦେଇଥାନ୍ତେ! ମୁଁ ବ୍ୟକ୍ତିଙ୍କ ପରବର୍ତ୍ତୀ ବକ୍ତବ୍ୟକୁ ଅପେକ୍ଷା କଲି ଧୈର୍ଯ୍ୟର ସହିତ।

କୁନା ତ୍ରିପାଠୀ ପରି ଲାଗୁଛନ୍ତି। ନୁହଁନ୍ତି ଆପଣ ମୁଁ ଜାଣେ। ସେ କହିଲେ।

କୁନା ତ୍ରିପାଠୀ ସିନେମା ଷ୍ଟାର। ସେ ହୋଇଥିଲେ ଗେଷ୍ଟ ହିସାବରେ ଆସିଥାନ୍ତେ। ସାମ୍ନା ସୋଫାରେ ବସିଥାନ୍ତେ। ମୁଁ ବ୍ୟକ୍ତିଙ୍କ ଆଇକ୍ୟୁର ପ୍ରଶଂସା କଲି। ତାଙ୍କ ନାମ ଠିକରେ ମନେ ପଡୁନଥିଲେ ବି ମୁଁ ଆଗରୁ ତାଙ୍କୁ ଦେଖିଛି। ଜଣେ ବିଦଗ୍ଧ କବି।

ଆପଣ ଲେଖାଲେଖି କରନ୍ତି କି? ସେ ପଚାରିଲେ।

ଲେଖିବାର ତିରିଶବର୍ଷ ପରେ ଏ ପ୍ରଶ୍ନ ମୋତେ ଅଜାଗା ଘା’ର ଯନ୍ତ୍ରଣା ପରି ବ୍ୟଥିତ କଲା। ମୁଁ ସ୍ବରକୁ ଯଥାସାଧ୍ୟ ଅସ୍ପଷ୍ଟ କରି କହିଲି - ଆଜ୍ଞା, ଯେମିତି ପାଖ ଲୋକ ଶୁଣିନପାରେ।

ବହୁ ଦିନ ତଳେ ମୋ ସହିତ ଗୋଟେ ହାଦସା ହୋଇଥିଲା ଏମିତି ସଭାରେ। ମୋ ପାଖରେ ବସିଥିବା ଶ୍ରୋତା - ସାହିତ୍ୟିକ ଜଣକ ମୋର ସାହିତ୍ୟିକ ହେବାକୁ ନେଇ ଏତେ ପ୍ରଶ୍ନ ପଚାରିଥିଲେ ଯେ ମୋର ଚୋପା ଛାଡିଯାଇଥିଲା। ଏଇ ଯେମିତି -

ଆପଣ କଣ ଲେଖନ୍ତି?

କେଉଁ ବିଷୟରେ ଲେଖନ୍ତି?

ଓଡିଶାର ଲୋକେ ଦୁଇଟଙ୍କିଆ ଚାଉଳ କିଣିବାକୁ ସମ୍ବଳ ପାଉନଥିବା ବେଳେ କାହିଁକି ବହି କି ପତ୍ରିକା କିଣିବେ?

ଆପଣ ସମାଜର କି ସଂସ୍କାର ଆଣିଛନ୍ତି?

କେତେଟା ରେପ୍ ରୋକିଛନ୍ତି, ଧାରଣା ଦେଇଛନ୍ତି?

ଉଦ୍ଭଟ କଥା ଲେଖି ଆପଣ ନିଜକୁ ବଡ ସାହିତ୍ୟିକ ପ୍ରମାଣ କରିବାକୁ ଚାହୁଁଛନ୍ତି?

ସେଦିନ ମୋତେ ଲାଗିଥିଲା ସାହିତ୍ୟ ଲେଖି ବଡ ଭୁ୍ଲ କରି ପକେଇଛି ମୁଁ। ସେ ତାଙ୍କ କପଡା ଥଳି ଭିତରୁ ଗୋଟେ ମୋଟା ବହି ବାହାର କଲେ। ପେପରବ୍ୟାକ୍ ର ବହି ଉପରେ ଶିରୋନାମା ଥିଲା - ଯୁଗେ ଯୁଗେ ସାହିତ୍ୟ। ମୋ ହାତକୁ ବହିଟି ବଢେଇ ସେ କହିଲେ - ଶହେ ପାଞ୍ଚ ଟଙ୍କା। ଥାର୍ଟିପରସେଣ୍ଟ ଡିସକାଉଣ୍ଟ ଦେଇଛି।

ମୁଁ ପକେଟରୁ ଶହେ ଦଶ ବାହାର କଲି। ସେ କହିଲେ - ଚେଞ୍ଜ ନାହିଁ। ମୁଁ ଉତ୍ତର ଦେଲି - ଠିକ୍ ଅଛି। ସେ ମୋ ଆଡକୁ ମୁହଁ ନୁଆଁଇଆଣି କହିଲେ - ତୃତୀୟ ସଂସ୍କରଣ ଚାଲିଛି ଏବେ। ହଟ୍ ସେଲ୍। ପବ୍ଲିଶର ବହି ସପ୍ଲାଇ କରିପାରୁନି। ବେଶି ତ କିଣୁଛନ୍ତି ରିସର୍ଚ୍ଚ୍ ପିଲା!

ମୁଁ ହସିଲି।

ସେ କହିଲେ - ପଢିବ ନିଶ୍ଚେ। ସାହିତ୍ୟ ଉପରେ ମୋର ଅଭିମତଟି ପଢିଲା ପରେ ତମ ଲେଖାରେ ନିଶ୍ଚୟ ପରିବର୍ତ୍ତନ ଆସିବ! ହଉ ଆସୁଛି। ପରେ କେବେ ଦେଖାହେବା!

ବହି ଉପରେ ତାଙ୍କ ନାମ ଲେଖାଥିଲା। ସେ ମୋ ଠାରୁ ଉଠିଯାଇ ଆଗ ଧାଡିର ଆଉ ଜଣକଙ୍କ ପାଖେ ବସିଥିଲେ। ମୋତେ ସେଦିନ ଲାଗିଥିଲା ଯୁଗ ଯୁଗରୁ ପ୍ରବହମାନ ଓଡିଆ ସାହିତ୍ୟ ଯେମିତି ଆଜି ଅଟକିଯାଇଛି।

ସେକଥା ମୋର ମନେ ପଡିଗଲା।

କଣ ଲେଖନ୍ତି? ସେଥରର ପୁରୁଣା ପ୍ରଶ୍ନ।

ମୁଁ ଉତ୍ତର ବଦଳେଇଲି - ଗପ, କବିତା, ଉପନ୍ୟାସ, ସମାଲୋଚନା, ସବୁ!

ଆଉ ନାଟକଟାକୁ ଛାଡିଦେଲେ କାହିଁକି! ଆଜ୍ଞା ଆପଣ ସାହିତ୍ୟ ସହିତ ଅନ୍ୟାୟ କରୁଛନ୍ତି! ସେ କହିଲେ।

କେମିତି? ମୁଁ ପଚାରିଲି।

ତା ନୁହେଁ ତ ଆଉ କଣ! ବାଲ୍ମିକୀ କେତେଟା ଉପନ୍ୟାସ ଲେଖିଥିଲେ! ଗଙ୍ଗାଧର, ରାଧାନାଥ ଏମାନେ! କବିତା ଲେଖିବା ଲୋକ ଗଳ୍ପ ଉପନ୍ୟାସ ଲେଖିବ କେମିତି! କବିତାର ଦେବୀ ସରସ୍ଵତୀ, ଗଦ୍ୟ ସାହିତ୍ୟର ଗଣେଶ! ସେ ମତ ଦେଲେ।

ଆଉ ଆପଣଙ୍କ ଫକୀରମୋହନ! ସେ ତ ପୁଣି ଗପ,କବିତା,ଉପନ୍ୟାସ ଲେଖୁଥିଲେ। କହିଲି ମୁଁ।

ତା ମାନେ ଆପଣ କଣ ଫକୀରମୋହନ! ବୁଝିଲେ, ଏ ମିଶାମିଶି ବେପାର ଯୋଗୁଁ କେହି ଆପଣଙ୍କୁ ଠିକ୍ ରେ ଜାଣିନାହାନ୍ତି!

ବହି ବାହାରିଲାଣି? ତାଙ୍କ ପ୍ରଶ୍ନ।

ହଁ। ମୋ ଉତ୍ତର।

କେତେ ଖଣ୍ଡ? ତାଙ୍କ ପ୍ରଶ୍ନ।

ପାଖାପାଖି କୋଡିଏ। ମୁଁ କହିଲି।

ସେ ମୋ ମୁହଁକୁ ପ୍ରଥମେ ହତବମ୍ବ ହୋଇ ଚାହିଁଲେ। ଅବିଶ୍ଵାସ କଲେ କି କଣ। କୋଡିଏ ଖଣ୍ଡ? ଆପଣଙ୍କର ମାଇନ୍ସ, ପେଟ୍ରୋଲ ପମ୍ପ କିଛି ଅଛି କି!

ନାଇଁ। ମୁଁ ଜଣେ ଅଧ୍ୟାପକ। କହିଲି।

କୋଚିଙ୍ଗ ସେଣ୍ଟରଫେଣ୍ଟର ଅଛି କି? ସେ ପଚାରିଲେ।

ଏତେବେଳେ ଯାଇ ମୋର ଅନୁଭବ ହେଲା ମୁଁ ଲୋକଟିକୁ ଏଣ୍ଟରଟେନ୍ କରୁନାହିଁ ତ! ମୁଁ କାହିଁକି ତା ପ୍ରଶ୍ନର ଉତ୍ତର ଦଉଛି ଯେ। ଏମିତି ତ ସବୁ ସଭାରେ ଘଟେ। ସାହିତ୍ୟିକ ଦୋଦୋପାଞ୍ଚ ହୋଇ ଚିହ୍ନନ୍ତି। କୋଉ ମ୍ୟାଗାଜିନରେ ବାହାରୁଛି, ମୁଁ ତ କାହିଁ ପଢିନି, ଏଥର ପଢିବା, ବା ଅମୁକ ପତ୍ରିକାକୁ ଲେଖା ପଠାଅ, ସଂପାଦକ ମୋର ବନ୍ଧୁ ଇତ୍ୟାଦି ମନ୍ତବ୍ୟ ଦିଅନ୍ତି। ଏଠି ଏତେ ଗୁଡା ସମୟ ବ୍ୟର୍ଥରେ ଗଲା। ବନ୍ଧୁ କୁଆଡେ ଯେ ଗଲେ!

ମୁଁ କହିଲି, କାହିଁକି ଏପରି ପଚାରୁଛନ୍ତି?

ଆଜ୍ଞା, କୋଡିଏ ବହି! ହାରାହାରି ତିରିଶ ହେଲେ ଛଅ ଲକ୍ଷ ଟଙ୍କା ଖର୍ଚ୍ଚ! ଘର ପରିବାର ଚଳେଇଲା ପରେ ଚାକିରିଆଙ୍କ ହାତ ତ ଠନଠନ ଗୋପାଳ! କିଛି ଏମିତି ବେଉସା ନହେଲେ କେମିତି ହେବ। ସେ ଉତ୍ତର ଦେଲେ।

ସେ ମୋତେ ଏମିତିକା ଜାଗାରେ ଛାଡୁଥାନ୍ତି ଯେ ମୋତେ ଉତ୍ତର ଦେବାକୁ ବାଧ୍ୟ। ମୁଁ କହିଲି - ଅମୁକଅମୁକ ମାନ୍ୟଗଣ୍ୟ ପ୍ରକାଶକମାନେ ମୋ ବହି ଛାପିଛନ୍ତି। ସେମାନେ କାହିଁକି ଟଙ୍କା ନେବେ!

ନେଇଥିବେ ତ ନିଶ୍ଚିତ। କେତେ ଦେଲେ, କେଉଁଠୁ ଆଣିଲେ ସେକଥା ଆପଣ ମିଛ କହିବେ। ମୋ କଥାକୁ ନାକଚ କରି ସେ କହିଲେ। ଛାଡନ୍ତୁ ସେ କଥା। ବହିର ସମୀକ୍ଷା, ସମାଲୋଚନା ଲେଖାଗଲାଣି?

ମୁଁ କହିଲି - ଆବଶ୍ୟକତା ପଡିନି।

ମାନେ? ସେ ଆଶ୍ଚର୍ଯ୍ୟ ହେଲେ। କୋଡିଏ ଖଣ୍ଡ ବହି ଛପା ସରିଲାଣି ସମୀକ୍ଷା କି ସମାଲୋଚନା ହେଇନି! ଓହୋ, ସେଇଥିପାଇଁ ନଜରରେ ପଡିନି!

ହେଇନି ତ! ମୋର ବିରକ୍ତ ଉତ୍ତର।

କରେଇବେ? ସେ ଟିକେଟ୍ ବ୍ଲାକ କଲା ପରି ସ୍ଵରରେ ପଚାରିଲେ। ମୋ ପାଖରେ ଅପ୍ ସନ ଅଛି।

ସମାଲୋଚନାର ଅପ୍ସନ! କେଉଁ କ୍ୟାଟାଗୋରୀର? ଏଇ ଧରନ୍ତୁ, କିଛି ପ୍ରାଇଭେଟ କଲେଜର ବିକଳିଆ ଓଡିଆ ଅଧ୍ୟାପକ ଅଛନ୍ତି। ସେମାନେ ଲେଖିବାପାଇଁ ହଣହଣ। ଆପଣଙ୍କ ଲେଖାରୁ ନାରୀ ଚରିତ୍ର, ସମାଜର ଚିତ୍ର ଆଦି ବାହାର କରି ସେମାନେ ଥୋଇଦେବେ। କିଛି ସରକାରୀ ଅଧ୍ୟାପକ ଅଛନ୍ତି। ବ୍ୟବହାର କରିବେ ଏମିତି ଯେମିତି ତାଙ୍କରି ଚାକିରୀଟା ସବୁଠୁ ବଡ ଚାକିରୀ। ଥୁଣ୍ଟିଆ, ସବଜାନତା l ସେମାନେ ଆପଣଙ୍କ ଲେଖାରୁ ଉତ୍ତର ଆଧୁନିକତା, ଉପଭୋକ୍ତାବାଦ ବାହାର କରି ଥୋଇଦେବେ। ସମାଲୋଚନା ବି ଆଇଏସବିଏନ ପତ୍ରିକାରେ ଛପାଯିବ।

ଆଉକିଛି? ମୁଁ ପଚାରିଲି।

ଅଛନ୍ତି ନା। ଇଏ ତୃତୀୟ ବର୍ଗ। ଏସବୁ ପାଲା ବାଲିଆ ପାଣ୍ଡିତ୍ୟରେ ମାହିର୍। ଆପଣଙ୍କ ଲେଖା ଉପରେ କମ୍ ଲେଖିବେ, ହେଲେ ସେଥିରେ ଅଧାରୁ ଅଧିକ ପାଶ୍ଚାତ୍ୟ ସାହିତ୍ୟର ଉଲ୍ଲେଖଥିବ। ଶଳା ସାଧାରଣ ପାଠକର ଚଉଦ ପୁରୁଷ ବୁଝି ପାରିବେନି!

ମୁଁ ହସିଲି। କହିଲି - ଏଇଥିପାଇଁ ତ କରିନି।

ଆଜ୍ଞା, ଇଏ ଓଡିଆ ସାହିତ୍ୟର ଯୋଗଧର୍ମୀ। ତେବେ ଶେଷ ବର୍ଗର କଥା ଶୁଣନ୍ତୁ। ଏମାନେ ପ୍ରକୃତରେ ସମାଲୋଚକ ନୁହଁନ୍ତି। ଏମାନେ ଲିଟଫେଷ୍ଟ, ସାହିତ୍ୟ ସଂସ୍ଥା, ପୁରସ୍କାର ସଂସ୍ଥା ସହିତ ଜଡିତ। ଏମାନଙ୍କ ହାତରେ ବଡବଡ ସାହିତ୍ୟିକ। ଯଦି ଏମାନେ ନିଜେ ଲେଖିବେ ବା ବଡବଡ ସାହିତ୍ୟିକଙ୍କ ଦ୍ବାରା ଲେଖେଇବେ ଆପଣଙ୍କ ସାହିତ୍ୟର ଆଲୋଚନା ନହେଉ ପଛକେ ପୁରସ୍କାର ଥୁଆ। ଆଉ ଏମାନେ ଯଦି ରାଗିଲେ ତ ସାହିତ୍ୟିକର ଭାଗ୍ୟରେ ନିଆଁ ଲାଗିଗଲା!

କେମିତି? ମୁଁ ପଚାରିଲି।

ଆଜ୍ଞା, ଏମାନେ ସୁନା କଳସ ଧରି ବୁଲୁଥିବା ହାତୀ। କୋଉ ୟେରଗେର୍ ଉପରେ ସୁନା କଳସ ଢାଳି ରାତାରାତି ରାଜା କରିଦେବେ ତ କୋଉ ରାଜାକୁ ପାଦରେ ଦଳି ରାସ୍ତା କଡକୁ ଫିଙ୍ଗିଦେବେ।

ଆଚ୍ଛା! ମୁଁ କହିଲି।

ସେ ଫିସଫିସ ସ୍ଵରରେ କହିଲେ - ଦେଖୁନାହାଁନ୍ତି ଯିଏ ନାଇଁ ସିଏ କେମିତି ରଥରେ ବସୁଛି!

ତ? ମୁଁ ପଚାରିଲି।

ଆପଣ ଯାହା ବାଛିବେ। ସେଇ ଅନୁସାରେ ପରସେଣ୍ଟେଜ ଲାଗିବ। ମ୍ୟାଗାଜିନରେ ବାହାରିବା ଯାଏ ସବୁ କାମ ମୋର। ଗୋଟେ କଥା ଆଜ୍ଞା, କିଛି ଦଲାଲ ବି ବୁଲୁଛନ୍ତି। ଆଗରୁ ଓଡିଆରେ ପିଏଚଡି କରଉଥିଲେ। ସେମାନେ କମ୍ ମାଗିବେ ଆଜ୍ଞା। ହେଲେ, ଆପଣଙ୍କ ମନ ମୁତାବକ କାମ ହବନାହିଁ। ସେମାନଙ୍କ ଜାଲରେ ପଡିବେନି।

ବନ୍ଧୁ ଫେରିଆସିଥିଲେ।

ବ୍ୟକ୍ତି ଜଣକ ଗୋଟିଏ କାଗଜରେ ତାଙ୍କ ଫୋନ ନମ୍ବର ଲେଖି ମୋତେ ବଢେଇଦେଲେ। କହିଲେ - କଥାହେବା। ମୁଁ ଆପଣଙ୍କ ଘରେ ପହଞ୍ଚିଯିବି। କମ୍ ସେ କମ୍ ପାଞ୍ଚଟା ବହିର କରିବେ। କମ୍ପ୍ଲିମେଣ୍ଟାରୀ କଣ ଜାଣନ୍ତି! ସେ ରହସ୍ୟମୟ ହସ ହସିଲେ।

କଅଣ!! ମୁଁ କୌତୁହଳରେ ପଚାରିଲି।

ଗୋଟେ ପୁରସ୍କାର ଫ୍ରି!


Rate this content
Log in