Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

SIPRA NAMTA

Romance Inspirational

3  

SIPRA NAMTA

Romance Inspirational

ଅସ୍ତ ରବିର ଧୂସର ପ୍ରେମ

ଅସ୍ତ ରବିର ଧୂସର ପ୍ରେମ

8 mins
14.9K


ସ୍ନିଗ୍ଧାର ପ୍ରୋଫାଇଲ୍ ଫଟୋକୁ ମୋବାଇଲରେ ନିର୍ନିମେଷ ନୟନରେ ଚାହିଁ ରହିଥିଲା ଶୁଭେନ୍ଦୁ ।ଅସ୍ତ ରବିର କିରଣ ବୁଣି ଦେଉଥିଲା ମେଞ୍ଚାଏ ରଙ୍ଗ ଅବିର ।ଘର ବାଲକୋନୀରେ ଚେଆରଟେ ପକାଇ ବସିଥିଲା ସେ ଆଉ ଭାବୁଥିଲା ସ୍ନିଗ୍ଧା ବିଷୟରେ ।ତା'ବିଷୟରେ ଯେତେ ଯେତେ ଭାବୁଥିଲା ସେ ,ସେତେ ଅଧିକ ରହସ୍ୟର ଘନ ତିମିର ଭିତରକୁ ଯାଉଥିଲା ଶୁଭେନ୍ଦୁ ।ଗୋଟିଏ ବ୍ଲକରେ ଦୁଇଜଣ ଚାକିରୀ କରନ୍ତି ।

ଏକା ଅଫିସରେ ।ଫିଲଡ୍ ଡିଉଟି ପ୍ରାୟ ରହେ ।ସବୁବେଳେ ଗ୍ରାମୀଣ ଲୋକଙ୍କ ସହ ସମ୍ପର୍କ ,ସେମାନଙ୍କ ପାରିପାର୍ଶ୍ଵିକ ସମସ୍ୟାର ଆଶୁ ସମାଧାନ, କୃଷି କାର୍ଯ୍ୟର ବିକାଶ ତଥା ଅନ୍ୟାନ୍ୟ ସରକାରୀ କଳର ଚାପ ପ୍ରାୟତଃ ଲାଗିରହେ ।

ଆଜିକୁ ତିନି ବର୍ଷ ହେଲାଣି ତା' ସହ ପରିଚୟ ।ଯେତେ ସରଳ ଉପରକୁ ଦେଖା ଯାଏ ସେତିକି ଜଟିଳ ସେ ଅନ୍ତଃ ମନରେ ।

ବୟସ କଥା ପଚାରିଲେ କହେ,"ବୟସ ଜାଣି କ'ଣ କରିବ ?

ଯେଉଁମାନେ ଲାଇଫ ପାର୍ଟନର ଖୋଜନ୍ତି ସେମାନଙ୍କ ବୟସ ଜାଣିବା ଦରକାର ପଡେ ।ମୋର ତ ସେମିତି କିଛି ନାହିଁ । "

କ୍ବାଲିଫିକେସନ କଥା ପଚାରିଲେ କହେ "କ'ଣ ମିଳିବ ଶିକ୍ଷାଗତ ଯୋଗ୍ୟତାର ଇତିହାସରୁ ? ଏଇ ଚାକିରୀ ହିଁ ମୋ ଶେଷ ଯୋଗ୍ୟତା ।" ଜୀବନର ଲକ୍ଷ୍ୟ ବିଷୟରେ ପଚାରିଲେ କହେ

"ଲକ୍ଷ୍ୟ କଥା ସେଇମାନେ ଭାବନ୍ତି ଯେଉଁ ମାନଙ୍କର ଭବିଷ୍ୟତର ମୋହ ଥାଏ ,ସ୍ଵପ୍ନ ଥାଏ ।ମୋ ପରି ଝିଅଙ୍କର କୌଣସି ସ୍ଵପ୍ନ ନାହିଁ ଯେତେବେଳେ ଲକ୍ଷ୍ୟ ଆସିବ କୁଆଡୁ ?"

 - "ଏମିତି କ'ଣ ଉଦଭ୍ରାନ୍ତ ଚିନ୍ତା ତୁମର? ଜୀବନର ଅସ୍ତିତ୍ଵକୁ ଏମିତି ନଓକାରି ଦେଲେ କ'ଣ ତାହା ଶେଷ ହୋଇଯିବ? ଚାଲିବାକୁ ହେବ ଏ ରାସ୍ତାର ଅନ୍ତିମ ଚରଣ ପର୍ଯ୍ୟନ୍ତ ।"

ଶୁଭେନ୍ଦୁ କହେ ।ସ୍ନିଗ୍ଧା ଆଉ କିଛି କହେନି ।ଆଖିପତା ଦୁଇଟିକୁ ବୁଜିଦିଏ ସେ । କାଳେ ମୁକ୍ତା ପରି ଢଳ ଢଳ ଲୁହ ଦି' ବୁନ୍ଦା ବାହାରି ଆସିବ କି ?ବୋଲି ଅନୁମାନ କରେ ଶୁଭେନ୍ଦୁ ।

ବୁଝି ହୁଏନି ସ୍ନିଗ୍ଧା ପରି ଝିଅଟିର ଦୁଃଖ କ'ଣ ? ଯେତିକି ତା' ସଂସ୍ପର୍ଶରେ ଆସିଛି ବେଶ ଭଦ୍ର, ନମନୀୟ, ସୁଶୀଳ ,ଉଚ୍ଚ ଶିକ୍ଷିତ, ମାନବିକତା ଗୁଣରେ ପୂର୍ଣ୍ଣ ଏବଂ ସୁନ୍ଦର ମଧ୍ୟ ।ସ୍ନିଗ୍ଧାର ସୁନ୍ଦରତା ତାକୁ ବିଶେଷ ଭଲ ଲାଗେ । "ତା' ହେଲେ କଣ କୁହାଯିବ ଯେ ସ୍ନିଗ୍ଧା ଅସାମାନ୍ୟ ସୁନ୍ଦରୀ ।ନା ସେମିତି ନୁହଁ ଯେ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ଭିନ୍ନ ଭିନ୍ନ ବିଶ୍ଲେଷଣ ଅଛି ।" ମନେ ମନେ ଯୁକ୍ତି କରୁଥିଲା ଶୁଭେନ୍ଦୁ ।

କଲିଂ ବେଲ ଡାକ ଦେବାରୁ ଭାବନା ବ୍ୟାହତ ହେଲା ।

ପଡିଶା ଘର ଛୋଟ ଝିଅ ଟିଏ ଟିଫିନ ନେଇ ଆସିଛି ।ଯା' ହେଉ ରାତି କର ଚିନ୍ତା ଗଲା ।ଆଜି ରୋଷେଇଆଣି ମାଉସୀ ଆସିବନି ବୋଲି କହିଯାଇଥିଲା ।

######

"ବାପା ,ତମ ଚଷମା କାହିଁ ? ଖାଲି ଆଖିରେ ଦେଖାଯାଉଛି ?"

--"ହଁ, ପରିଷ୍କାର ହେଉନି ।ଡାହାଣ ଆଖିଟା ବିଲକୁଲ ଦେଖାଯାଉନି ।ସେଇଥିପାଇଁ ଟେଷ୍ଟ କରୁଥିଲି ଯେ ..."

 "ହଉ ମୁଁ ଅଫିସରୁ ଫେରିଲା ପରେ ଡାକ୍ତର ପାଖକୁ ଯିବା ବୁଝିଲ । " କହି ସ୍ନିଗ୍ଧା ଅଫିସ ବାହାରିଗଲା ।

ଅଫିସରେ ଲଞ୍ଚ୍ ସମୟରେ "-ଶୁଭେନ୍ଦୁ ମୋତେ ଟିକେ ସାହାଯ୍ୟ କରିବ ? ଏଇ ଫାଇଲ କାମଟା ଟିକେ କରିଦେଇଥାନ୍ତ !! ମୁଁ ସବୁ କରିଦେଇଛି କେବଳ ଡାଟା ଗୁଡିକ କମ୍ପୁଟରରେ ଉଠିବାକୁ ବାକି ଅଛି ।ଆଜି ଟିକେ ଶୀଘ୍ର ଯାଇଥାନ୍ତି ।ତମେ ମ୍ୟାନେଜ କରିନେଵ ଯଦି ଯିବି । "

ଶୁଭେନ୍ଦୁର ଉତ୍ତରକୁ ଅପେକ୍ଷା ନ କରି ଗୋଟିଏ ପରେ ଗୋଟିଏ କଥା କହି ଚାଲିଥାଏ ସ୍ନିଗ୍ଧା ।ଶୁଭେନ୍ଦୁ ଏକ ଧ୍ୟାନରେ ତାକୁ ଚାହିଁ ପଚାରିଲା -"ଆଉ କିଛି ? ଯଦି ଆବଶ୍ୟକତା ଅଛି ମୁଁ ସାଙ୍ଗରେ ରହିବି " --"ଆରେ ନା ନା ମୁଁ ଏକା ପାରିବି ଯେ କେବଳ ଏଇ କାମଟା ଅଡୁଆ ।ହଉ ମୁଁ ଆସେ.... ୩ଟା ବାଜିଯିବ ଯେ କହି ସେ ଭାନିଟି ବେଗଟିକୁ କାନ୍ଧରେ ଗଳାଇ ପଛ ଗେଟ ଦେଇ ବାହାରକୁ ଆସିଲା ।

_"ହ୍ୟାଲୋ ...ବାପା ରେଡି ଥାଅ, ମୁଁ ପହଞ୍ଚୁଛି ସାଙ୍ଗେ ସାଙ୍ଗେ ଯିବା ।"କହି ମୋବାଇଲ ଭାନିଟିରେ ରଖିଦେଇ ଗାଡି ଷ୍ଟାର୍ଟ କଲା ସ୍ନିଗ୍ଧା ।

           ଆଖି ଡାକ୍ତରଙ୍କ ପାଖରେ ଲାଇନରେ ବସି ପ୍ରତୀକ୍ଷା କରୁ କରୁ ଅତୀତରେ ହଜିଗଲା ସେ । କ'ଣ ଆଉ କରିବାକୁ ବାକି ରହିଲା ଜୀବନରେ ? କେବଳ ନିଜ ପାଇଁ ଯାହା ସେ କିଛି କରିପାରିନାହିଁ ।ଅଳ୍ପ ବୟସରେ ମାଆ ଚାଲିଗଲେ ଅଫେରା ପଥର ପଥୁକୀ ସାଜି ।ବାପାଙ୍କର ନିଜ ଜିଲ୍ଲା ଭିତରକୁ କୌଣସି ପ୍ରକାରେ ଉପର ମହଲରେ ଧରା ଧରି କରି ଚାକିରୀରେ ବଦଳି କରେଇ ପାରିଛି ।ସେଥିପାଇଁ ଯେତିକି ପାମ୍ପଡ ବେଲିଛି ସେକଥା ବାପାଙ୍କ ଅଫିସ ଆଉ ସେ, ଏବଂ ସହାୟତା କରିଥିବା ଓକିଲ ସନ୍ତୋଷ ମଉସାଙ୍କ ବ୍ୟତୀତ କିଏ ଅଧିକ ଜାଣିବ ଯେ ?।ଦୁଇ ଭାଇଙ୍କ ଠାରୁ ସାନ ହେଲେ ମଧ୍ୟ ବୁଦ୍ଧି ଜ୍ଞାନର ପ୍ରଖରତା ନିମନ୍ତେ ସବୁ କାମ କାର୍ଯ୍ୟର ଭାରା ସମ୍ଭାଳିବାକୁ ପଡିଲା ତାକୁ ।ବାପାଙ୍କ ପେନସନ୍ ପାଇବା,ଭାଇଙ୍କ ବିଜିନେସ୍ ପାଇଁ ବ୍ୟାଙ୍କ ଲୋନ କରିବା ,ସାନ ଭାଇର ଚାକିରୀ ପାଇଁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସୁପାରିଶ କରାଇବା, ଏସବୁ କଣ ତା'ର କରିବାର ଥିଲା ? କିନ୍ତୁ ତାକୁ ସେସବୁ କରିବାକୁ ପଡିଲା । ସର୍ବୋପରି ମାଆର ଅନ୍ତ୍ୟେଷ୍ଟି କ୍ରିୟା ଠାରୁ ଆରମ୍ଭ କରି ଭାଇ ଦୁଇ ଜଣଙ୍କର ବିବାହ ପର୍ଯ୍ୟନ୍ତ ସାମଗ୍ରୀକ ଭାବେ ସବୁ କାମ ତାକୁ ହିଁ ତ କରିବାକୁ ପଡିଲା ।କିନ୍ତୁ ସବୁଠାରୁ ବେଶୀ ଆଶ୍ଚର୍ଯ୍ୟର କଥା ଯେ, ସେଇ ଭାଇ ମାନେ ତା' କଥା ବୁଝିବାକୁ ସମ୍ପୂର୍ଣ୍ଣ ଅସମର୍ଥ । ସେମାନଙ୍କ ନିଜ ନିଜ ଦାୟିତ୍ଵରୁ ଫୁରୁ ସତ କାହିଁ ଯେ ? ।ଦୁଃଖର ଖୋଳପାଟା ଏମିତି ଢାଙ୍କି ଯାଇଛି ଯେ ସେଇଟା ଆଉ କାଢି ହେଉ ନାହିଁ ।ସେତିକି ହିଁ ବିଶେଷ କଷ୍ଟ କାରଣ । ଆଉ ଯୌଥ ପରିବାର ନାହିଁ ।ଯିଏ ଯାହାର ସଂସାରରେ ବ୍ୟସ୍ତ । ସମ୍ପର୍କର ବ୍ୟବଧାନ ଅସମ୍ଭବ ରୂପେ ବଢି ଯାଇଛି । ଜୀବନର ହସ ଖୁସି,ମାୟା ମମତା,ସୁଖ ସମ୍ପନ୍ନତା କିଛି ଆଉ ଅନୁଭବ କରିପାରେନି ସେ ।ସ୍ନାୟୁରେ କୌଣସି ଶିହରଣ ନାହିଁ ।ବିବାହ ପ୍ରସ୍ତାବ ଆସିଲେ ମଧ୍ୟସ୍ଥିଙ୍କ ହାତରେ ଖବର କରାଏ ,ପୁଅ ଘର ପସନ୍ଦ କଲେନି ।କାରଣ କଥା ଫାଇନାଲ ବେଳକୁ ପୁଣି ସେଇ ଦେବା ନେବା ବିଷୟର ରେଞ୍ଜ ଘେସ ଆଉ ତା ପରେ ପରେ ନକାଚ ।ବାପାଙ୍କର ଚେହେରାର ଭୌଗୋଳିକ ପରିବର୍ତ୍ତନ ଆଉ ଆଖି କୋଣରେ ଅନେକ ଦିନ ପର୍ଯ୍ୟନ୍ତ ସଞ୍ଚିତ କୋହ ଦେଖି ଦେଖି ମନଟା ରିକ୍ତ, ବିଷର୍ଣ୍ଣ ,ହୋଇଯାଇଛି ।ସେଠି ସ୍ବାଭାବିକ ସ୍ନେହ ପ୍ରେମ କିଛି ନାହିଁ । ମଧ୍ୟସ୍ଥି ମଉସାଙ୍କୁ ବୁଦ୍ଧି ଦେବା ପରେ କିନ୍ତୁ ସେଇ ଯୁକ୍ତି ତର୍କର କଥା ଆଉ ଆଗକୁ ବଢେନି ମଧ୍ୟସ୍ଥିଙ୍କ କଥା "ନା, ଟିକେ ବୟସ ବେଶି ହୋଇଯାଉଛି ବୋଲି କହିଲେ " ରେ ଛିଡିଯାଏ ।ସ୍ୱସ୍ତିର ନିଃଶ୍ୱାସଟିଏ ମାରେ ସ୍ନିଗ୍ଧା ,ଛାତିରୁ ଦକଟିଏ ଯାଏ ।

ବାପାଙ୍କ ମୁହଁକୁ ସିଧା ଚାହିଁ ପାରେ ନାହିଁ ସେ ।ଜୀବନର ଅପରାହ୍ନରେ ଉପନୀତ ।ସନ୍ଧ୍ୟା ଆସିବାକୁ ଆଉ କେତେ କ୍ଷଣ ବାକି ?? ।ପତ୍ନୀକୁ ହରାଇ ସଂସାରର ଅର୍ଧେକ ସୁଖରୁ ବଞ୍ଚିତ ହୋଇ ଝିଅଟିକୁ କୁଳରେ ଲଗାଇ ନ ପାରିବାର ଦୁଃଖ ସେଇ ପିତା ହିଁ ବୁଝିପାରିବ ଯିଏ ଭୁକ୍ତ ଭୋଗୀ ।ସବୁ ବୁଝେ ସ୍ନିଗ୍ଧା ।ଅସ୍ତମିତ ରବି କିରଣ ରେ ସେ ତେଜ ଔଜ୍ଜ୍ୱଲ୍ୟ କାହୁଁ ଆସିବ ..?

ଏ ଯେ ପ୍ରତୀକ୍ଷା କରିଛି ,ସେଇ ମୁହୂର୍ତ୍ତକୁ..... ଘନ ତମସାର ବକ୍ଷ ବିଦୀର୍ଣ୍ଣ କରି କେତେବେଳେ ଉଠିବ ଅଗ୍ନିର ସଂଯୋଜନରେ ସ୍ତୁପୀକୃତ ଜୁପକାଷ୍ଠ ଉପରେ ଶୋଇଥିବା ଅସଜଡ଼ା ପ୍ରାଣର ବନ୍ହି ।ତା' ପରେ ...ତା' ପରେ ହୋଇଯିବ ଗୋଟିଏ ଯୁଗର ଅବସାନ ।ଆଉ ସେ ଯୁଗର ଅବସାନ ପରେ ପୁଣି ଦିନ ଆସିବ , ରାତି ଆସିବ କିନ୍ତୁ ନ ଥିବ ପାଖରେ ସେଇ ଅସ୍ତ ରବିର ଧୂସର ପ୍ରେମ । ଭଲ ପାଇବାର ଏକ ସ୍ଵକୀୟ ଧାରା ଅଛି ।ସେଇ ଭାଵରୁ ସେ ବା କେମିତି ବାଦ ପଡିଥାନ୍ତା !ଶୁଭେନ୍ଦୁର ପ୍ରଶ୍ନ ସବୁ ଏଡେଇଯାଏ ,କାହିଁକି ଜଣକର ଭାବନା ସହ ଖେଳିବ ?କାହା ଦୟା ,ଅନୁକମ୍ପାର ପାତ୍ର ହେବାକୁ ଚାହେଁନି ସେ । 

    "ଜ୍ୟୋତି ଶଙ୍କର ପଟ୍ଟନାୟକ "ନାଁ ଡକା ହେବାରୁ ଭାବନା ପ୍ରତିହତ ହେଲା ସ୍ନିଗ୍ଧାର ।ବାପାଙ୍କ ଡାହାଣ ଆଖିକୁ ଆଉ ଦେଖାଯାଉନି ।ଅପରେସନ ହେବ ବୋଲି ଡାକ୍ତର କହିଲେ ।

"ହଁ କରିବାକୁ ପଡିବ,"ସେ ହିଁ ତ ଏବେ ତାଙ୍କର ସାହା ଭରସା ।

ଦୋଷ ଛଡା ହେବା ପାଇଁ ଭାଇ ଦୁଇଜଣଙ୍କୁ ଖବର କରିଦେଇଥିଲା ସେ ।କିନ୍ତୁ ଜଣେ ଟୁରରେ ବାହାରକୁ ଯାଇଛନ୍ତି କହିଲେ ପନ୍ଦର ଦିନ ପରେ ଆସିବେ ତେଣୁ ତା'ପରେ ଅପରେସନ କରିବାକୁ ଉପଦେଶ ଦେଲେ ।ଆଉ ଜଣେ ବିଜିନେସରେ ଫୁରୁସତ ପାଇବେନି କହି କୁନ୍ଥୁ କୁନ୍ଥୁ ହେଲେ ।

"ହଉ ତୁ ଗୋଟେ କାମ କର, ବାପାଙ୍କୁ ଆଣି ଏଠି ଛାଡି ଦେଇଯା "କହିଲେ ।କିନ୍ତୁ ବାପା ସିଧା ମନା କରିଦେଲେ ।ନିଜ ଉପରେ ଭରସା ରଖି ବାପାଙ୍କ ଆଖି ଅପରେସନ ପାଇଁ ପ୍ରସ୍ତୁତ ହେଲା ସ୍ନିଗ୍ଧା ।ଅବଶ୍ୟ ଶୁଭେନ୍ଦୁ ଢେର ସାହାଯ୍ୟ କଲେ ।ପ୍ରକୃତ ବନ୍ଧୁ ପରି ତାକୁ ଲାଗିଲା ।ଶୁଭେନ୍ଦୁର ଆଖିର ଭାଵ ସ୍ନିଗ୍ଧା ବୁଝେ ଆଉ ହୃଦୟର ଗଭୀରତାକୁ ଯାଇ ପ୍ରଶ୍ନର ସମ୍ମୁଖୀନ ହୁଏ ସେ ,ଶୁଭେନ୍ଦୁ ଯୁବକ, ସୁନ୍ଦର, ସୁଠାମ ହୁଏତ ରଙ୍ଗୀନ୍ ପ୍ରେମରେ ଉବେଇ ଟୁବେଇ ହେଉଥିବ ,,ସେ କାହିଁକି ସ୍ନିଗ୍ଧାକୁ ପ୍ରତୀକ୍ଷା କରିବ ? ଏକ ନିର୍ଲିପ୍ତ ହୃଦୟ, ନିର୍ବିକାର ମନ, ଆଉ ନିଃଶବ୍ଦ ପ୍ରେମକୁ ।

   ######

          ସବୁ ଆଶଙ୍କାକୁ ହେୟ କରିଦେଲା ସେ ଦିନର ମୋବାଇଲ ମେସେଜ ---"ସତରେ କ'ଣ ତୁମ ହୃଦୟରେ ମୋ ପାଇଁ କାଣିଚାଏ ସ୍ଥାନ ନାହିଁ ?ତୁମ ନିର୍ଲିପ୍ତତା,ନିର୍ବିକାରତା, ମୋତେ କେଉଁ ରହସ୍ୟର ଗହନ, ଗଭୀର ମୁଲକକୁ ନେଇଯାଇଛି ଜାଣେନା ,କିନ୍ତୁ ତୁମ ସହିତ ଓତପ୍ରୋତ ଜଡିତ ହେବା ପରେ ଲାଗୁଛି ,ସତେ କି ତୁମେ ହିଁ...... କେବଳ ତୁମେ ହିଁ ମୋର ବହୁ ଆକାଂକ୍ଷିତ ନାୟିକା ।ତୁମର ଶୂନ୍ୟତା ହିଁ ମୋର ପୂର୍ଣ୍ଣତା ।ସେଇ ଅଭିଳାଷରେ ଏତିକି ବ୍ୟକ୍ତ କଲି ।ଜାଣେନା ତମ ପ୍ରତିକ୍ରିୟା କ'ଣ ହେବ ? ତଥାପି ମୋର "ବିଶ୍ଵାସ "ମୋତେ ହାରିବାକୁ ଦେବ ନାହିଁ ବୋଲି ମୁଁ ବିଶ୍ଵାସ କରୁଛି ।ଯାହା ବି ହେଉ ମୋତେ କିନ୍ତୁ ସବୁବେଳେ ତୁମ ପାଖେ ପାଖେ ପାଇବ ।"

 କ'ଣ ଲେଖିବ ?କି ପ୍ରଶ୍ନ ପଚାରିବ ?କାହିଁକି କାହିଁକି ?

ତୁମେ ଶୁଭେନ୍ଦୁ ଏମିତି କରୁଛ ? ଯାହା ପାଇଁ ମୋ ଆତ୍ମା ହା--ହା କାର କରି ଉଠୁଛି ।ବିବଶ ହୋଇ ପଡୁଛି ମୁଁ ।----""ତୁମର ପ୍ରତ୍ୟେକ କାମ, ପ୍ରତିଟି ଉକ୍ତି ,ପ୍ରତିଟି ଭାଵ ତୁମ ବିଶ୍ବସ୍ତତାର ପରିଚୟ ଦେଉଛନ୍ତି ସିନା ,କିନ୍ତୁ ମୋ ଠାରୁ ତୁମର ସେଇ ପ୍ରାପ୍ୟ ତୁମେ ପାଇ ପାରିବ ତ ?ମୋ ଭିତରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି, ତାହା ଯେ ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ ସେଥିରେ ମୋର ଆସ୍ଥା ନାହିଁ ।ତେଣୁ ତୁମକୁ ବା କେମିତି ସୁଖୀ କରାଇପାରିବି?

ଛଳନାର ମୁଖା ମୁଁ ପିନ୍ଧି ପାରିବିନି ଶୁଭେନ୍ଦୁ ।ଯେଉଁ ସମୟରେ ତାରୁଣ୍ୟର ଅଥଳ ସାଗରରେ ଛଳ ଛଳ ଢେଉ ସୃଷ୍ଟି କରନ୍ତି ତରୁଣ ତରୁଣୀ ସେ ସମୟରେ ସଂସାରଟାକୁ ମୁଣ୍ଡେଇ ସାରିଲା ପରେ ଯୋଉ ଖାଁ ଖାଁ ଶୂନ୍ୟତା ନିଶିଦିନ ଚତୁର୍ପାଶ୍ୱରେ ବୁଲୁଛି ତା'ର ଅବସାନ ଯେମିତି ନାହିଁ ।ତୁମେ କ'ଣ ସବୁ ଦିନ ସେଇ ଅସ୍ତ ରାଗର ଉଷ୍ଣତା ଭିତରେ ଆବଦ୍ଧ ହୋଇ ରହିପାରିବ ?କେବେ ତୁମେ ମଧ୍ୟାହ୍ନର ପ୍ରଖର କିରଣର ଉତ୍ତାପରେ ଅତିଷ୍ଠ, ଜର୍ଜରିତ ହୋଇ ପଡିବନି ତ ?ଜଳିବ ନି ତ ଅନୁତାପର ଦାବାନଳରେ ।କାରଣ ସେଇ ଜ୍ଵଳନରେ ମୁଁ ଜଳିଯାଇ ସମ୍ପୂର୍ଣ୍ଣ ନିଃସ୍ଵ ହୋଇ ଯାଇଛି ଆଉ ସେ ନିଃସ୍ୱତାର ଆନନ୍ଦ ତୀବ୍ର ହୋଇ ରୂପାନ୍ତର ହୋଇଯାଇଛି ଧୂସର ପ୍ରେମର କୋହରେ ।""

         ଗଭୀର ଅନ୍ତର ଦାହରେ ସ୍ନିଗ୍ଧାର ହାତ ଲେଖିସାରିଥିଲା ସେତକ କଥା ମୋବାଇଲର ମେସେଜ ବକ୍ସରେ । ଉପର ଠାଉରିଆ ଦି'ପଦ କଥା ଆଉ ତା'ପରେ ପରେ ଶ୍ଵାନ ପ୍ରେମ ପରି ପ୍ରୀତିର ଘୋର ବିରୋଧୀ ସେ । ରକ୍ତ ମାଂସର ଭୂଗୋଳର ସ୍ନାୟୁରେ ଚଉକା ଟିଏ କି ଛକ୍କା ଟିଏ ବାଡେଇ ଦେବାର ସଂଖ୍ୟା ତ ଢେର । କେବଳ ମନର ଚଉହଦିଟିକୁ ବିଶ୍ଳେଷଣ କରିପାରିବା ହିଁ ପ୍ରକୃତ ପ୍ରେମ ।ବାସ୍ତବ ରୂପାୟନ ଅନାବିଳ ପ୍ରେମର ।ଚାପା କୋହ ଭରା ଦୀର୍ଘଶ୍ଵାସଟିଏ ବାହାରି ଆସିଲା ପଞ୍ଜରା ଥରାଇ । "ତୁମ ସର୍ବାଙ୍ଗକୁ ମୋ ଭିତରେ ଅନୁଭବ କରୁଛି ଶୁଭେନ୍ଦୁ ...। ପ୍ରତ୍ୟେକ ଜଡତା ମୋର ତୁମ ଭିତରେ ଲୁଚିଯାଉଛି । ମୋ ଶୂନ୍ୟତାକୁ ତୁମେ ପୂର୍ଣ୍ଣତାରେ ଆଦରି ନେଇଛ ସତ .....,ବନ୍ଦ ଆଖି ପତାରୁ କେଇ ଟୋପା ଲୁହ ଗଡି ଆସୁଥିଲା ଚିବୁକ ଦେଇ ।ଆଃ ...ଶୁଭେନ୍ଦୁ ଇଚ୍ଛା ହେଉଛି ଏଇ ମୁହୂର୍ତ୍ତରେ ତୁମ ଛାତିରେ ମଥା ରଖି ଟିକିଏ ଶାନ୍ତିରେ କାନ୍ଦି ପାରନ୍ତି ।କିନ୍ତୁ ସବୁ ଦିନ ପାଇଁ ସେ ସୌଭାଗ୍ୟକୁ ଆଦରି ନେବା ପାଇଁ ହୁଏତ ମୋର ସାହସ ନାହିଁ ।ମୋତେ କ୍ଷମା କର ଶୁଭେନ୍ଦୁ,ଏଇ ଧୁସରତାକୁ ଯୋଉଦିନ ତୁମ ପ୍ରେମ ପୂର୍ଣ୍ଣ ସବୁଜ କରିଦେଇପାରିବ ସେଇ ଦିନ ହୁଏତ ମୋ ଜୀବନର ସର୍ବଶ୍ରେଷ୍ଠ ଦିନ ହେବ ଆଉ ତୁମେ ହେବ ମୋ ପାଇଁ ଶ୍ରେଷ୍ଠ ପୁରୁଷ ।""

ସ୍ୱାଗତକ୍ତି କରୁଥିବା ଅବସ୍ଥାରେ ତାକୁ ଲାଗିଲା ଯେମିତି ଶୁଭେନ୍ଦୁ ଅତି ନିକଟରେ ବସି ବଡ ବଡ ଆଖି କରି ଲୋଭୀଲା ହୋଇ ଖୁବ୍ ଗଭୀର ଭାବରେ ଚାହିଁ ଓଠ କୋଣରେ ଚାପା ହସ ରଖି ମନ କଥାକୁ ପଢିପାରିବା ପରି କହୁଛନ୍ତି "ମୁଁ ସବୁ ପାରିବି ସ୍ନିଗ୍ଧା ,ଖାଲି ଥରେ ତୁମେ ' ହଁ ' କହି ଦେଖ ତ "

 -"ଧେତ୍, ଏମିତି କଣ ଚାହିଁଛ? ତୁମର ସବୁ ପ୍ରଶ୍ନର ଉତ୍ତର ମୁହଁ ଖୋଲି ନ କହିଲେ ଚଳେନି ନା ?......ମୋର ତ ପୁଣି ଲଜ୍ଜା ଅଛି ;ତଥାପି ତ କହୁ କହୁ କହିଦେଲି ...."ଦଲକାଏ ପବନ ମୁହଁରେ ଆସି ବାଜିଲା ସ୍ନିଗ୍ଧାର ।ଚାଉଁକିନା ଆଖିପତା ଖୋଲିଗଲା ।ଶୁଭେନ୍ଦୁର ଉପସ୍ଥିତିକୁ ଅନୁଭବ କରୁଥିବା ବେଳେ ବାପାଙ୍କର ଡାକରେ ବାସ୍ତବତାକୁ ଫେରିଆସି ନିଜ ବଗିଚାରୁ ଘର ଭିତରକୁ ଯାଉଥିବା ବେଳେ ପଛକୁ ଚାହିଁଲା ସ୍ନିଗ୍ଧା ।ଶୁଭେନ୍ଦୁର ଛାୟାଟି ପବନରେ ମିଶିଯାଉଛି ଯେପରି

......ସେଇ ଛାୟା ପ୍ରତି ସୁମଧୁର ତେରଛା ହସ ଟିଏ ଉକୁଟି ଉଠୁଥିଲା ଆଉ ଛାତି ଭିତରୁ ବାହାରି ଆସୁଥିଲା କଥା ଗୁଡିକ --"ଯା... ଦୁଷ୍ଟ ...! ହେଇ ଦେଖ ,ପଶ୍ଚିମାକାଶ କେମିତି ଧୂସର

ବର୍ଣ୍ଣରୁ ଧୀରେ ଧୀରେ ରକ୍ତିମ ହୋଇ ଆସିଲାଣି.....ଠିକ୍ ତୁମ ପ୍ରେମ ପରି "।।

         ---------   -------   ----------

 ବାରିପଦା

ମୟୁରଭଞ୍ଜ


Rate this content
Log in

Similar oriya story from Romance