Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆତ୍ମହତ୍ୟା ଯୋଜନା
ଆତ୍ମହତ୍ୟା ଯୋଜନା
★★★★★

© Dr Subas Chandra Rout

Inspirational Others

10 Minutes   14.3K    15


Content Ranking

ମୋ ଜୀବନ ଅତି ସକ୍ରିୟ ଥିଲା ଓ ସୁରୁଖୁରୁରେ ଚାଲୁଥିଲା । କାହା ଉପରେ ନିର୍ଭର କରେନି । ପ୍ରତିଦିନ ନିଜେ ବଜାର ସଉଦା କରେ, ମାଛ ମାଂସ କିଣିବାକୁ ଯାଏ, ଘରର ଯାବତୀୟ ଆବଶ୍ୟକ ପଦାର୍ଥ ମୁଁ ନିଜେ ଆଣେ । ଇନସ୍ୟୁରାନ୍ସ ପ୍ରିମିୟମ, ମ୍ୟୁନିସିପାଲଟିର ଦେୟ ଆଦି ସବୁ ମୁଁ ସେମାନଙ୍କ ଅଫିସକୁ ଯାଇ ଦେଉଥିଲି । ଘରର ପ୍ରତ୍ୟେକ ବସ୍ତୁକୁ ଯଥା ସ୍ଥାନରେ ସାଇତି ରଖିବା କାମ ମୋର । କାନ୍ଥ ଓ ଛାତରୁ ଅଳନ୍ଧୁ ସଫା ବି ମୁଁ କରେ । ବନ୍ଧୁ ବାନ୍ଧବ ସହିତ ଯୋଗାଯୋଗ, ଭଲମନ୍ଦ ଆଦି କଥା ମୁଁ ବୁଝୁଥିଲି । ମୋ ପାରୁ ପର୍ଯ୍ୟନ୍ତ ଦିଆନିଆ କରୁଥିଲି । ଅଫିସକୁ ଠିକ ସମୟରେ ଯାଏ ଓ ଠିକ ସମୟରେ ଫେରିଆସେ । ବିନା ବାଧାରେ ହସ ଖୁସିରେ ସଂସାର ଚାଲିଥିଲା । କିନ୍ତୁ ହଠାତ ଦିନେ ସକାଳେ ସବୁ ବଦଳିଗଲା ।

ସେଦିନ ସକାଳୁ ବିଛଣାରୁ ଉଠିଲା ବେଳକୁ ମୋର ଅଣ୍ଟାରେ ପ୍ରବଳ କଷ୍ଟ ଅନୁଭବ କଲି । ରାତିରେ ଶୋଇବା ସମୟରେ ଦେହ ତ ସଂପୂର୍ଣ୍ଣ ଭଲ ଥିଲା ଓ ଭଲ ନିଦ ବି ହେଇଥିଲା । ସକାଳୁ ଠିଆ ହେଲେ ବା ଚାଲିଲେ ପ୍ରବଳ କଷ୍ଟ ହେଲା । କିଛି ବୁଝି ପାରିଲିନି, ଏମିତି କାହିଁକି ହେଲା । ନା ଜ୍ଵର ନା ଆଘାତ, କିଛି ହେଇନି । କିଛି ଓଜନିଆ ଜିନିଷବି ଉଠେଇନି । ବଡ ଅଦ୍ଭୁତ କଥା ହେଲା । ଭାବିଲି, ହଁ ବୟସ ହେଲା, ନିଶ୍ଚୟ କିଛି ଅସୁବିଧା ତ ହେବ । ଓଷଧ ଖାଇଲି କିନ୍ତୁ କୌଣସି ପ୍ରଭାବ ପଡ଼ିଲାନି ।

ଦିନ ପରେ ଦିନ, ମାସ ପରେ ମାସ ଗଡ଼ିଚାଲିଲା । ଦୈନନ୍ଦିନ କାର୍ଯ୍ୟକ୍ରମ ସବୁ ବଦଳିଗଲା । ଘରୁ ବାହାରିପାରିଲିନି । ସମୟ ଗଡ଼ିବା ସାଥେ ସାଥେ ମୋର ଦୁଇ ଗୋଡ଼ ଓ ପାଦ ଝିମିଝିମି ହେଉଥିଲା । ଠିଆ ହେଲେ ବା ଚାଲିଲା ବେଳେ ପାଦରେ କଣ୍ଟା ଫୋଡ଼ି ହେଲା ଭଳି ଲାଗେ । ଉପର ତଳ ଚପଲକୁ ଓଲଟେଇ ଯେତେ ଖୋଜିଲେ ବି କୌଣସି କଣ୍ଟା ମିଳେନି । ଔଷଧ ଖାଇ ଅଣ୍ଟା କଷ୍ଟ ଉପଶମ ହୋଇଗଲା, କିନ୍ତୁ ରାତିରେ ଶୋଇପାରୁନଥିଲି । ବିଛଣାରେ ଶୋଇଲା ବେଳେ ମୋତେ ଲାଗେ ଯେମିତି ମୋର ଦୁଇ ପାଦ ଏକ ଓଭେନ ଭିତରେ ଅଛି । ପାଦ ଓ ଗୋଡ଼ରେ ହାତ ମାରିଲେ ଅସମ୍ଭବ ଗରମ ଲାଗେ । ମାତ୍ର ଦୁଇ ଶହ ଗଜ ଚାଲିଲା ପରେ ହଠାତ ଲାଗେ ଯେମିତି ମୋର ବଳା ଗଣ୍ଠିରେ (ankle) ତାଲା ପଡିଯାଇଛି । ଆଉ ଚାଲି ପାରେନି । ଦିନକୁ ଦିନ ସେଇ କଷ୍ଟ ଧୀରେ ଧୀରେ ପାଦରୁ ଉପରକୁ ଉଠିଆସିଲା । ସେ ଯନ୍ତ୍ରଣା ଭାଷାରେ ବର୍ଣ୍ଣନା କରିହେବନି । ମେଡିକାଲ, ହୋମିଓପାଥି ଓ କବିରାଜୀ, ୟୁନାନୀ ଆଦି ସମସ୍ତ ପ୍ରକାର ଔଷଧ ଖାଇବା ସତ୍ତ୍ୱେ କିଛି ଉପଶମ ହେଲାନି ।

ଏମ.ଆର.ଆଇ. ପରୀକ୍ଷା କରି ଜଣା ପଡ଼ିଲା, ମୋର ସ୍ପାଇନାଲ ଷ୍ଟେନୋସିସ ରୋଗ ହୋଇଛି । ଏହି ରୋଗରେ ମେରୁଦଣ୍ଡ ଭିତର ସ୍ଥାନ କମିଯାଏ, ତେଣୁ ତା ଭିତରେ ଥିବା ସ୍ନାୟୁ ଓ ସୁଷୁମ୍ନା କାଣ୍ଡ ଚିପି ହୋଇଯିବା ଫଳରେ କଷ୍ଟ ଓ ପ୍ରଦାହ ହୁଏ । ଏହା ନିମନ୍ତେ ଗୋଟିଏ ଔଷଧ କେବଳ କାମ କରେ ଯାହାର ନାମ ‘ପ୍ରିଗାବାଲିନ’ । ଔଷଧରେ ଭଲ ନହେଲା ନାହିଁ, ଅପରେସନ କଲେ ବି ଭଲ ହୁଅନ୍ତା । କିନ୍ତୁ ମୋ ରୋଗ ନିମନ୍ତେ ଅପରସନ ମଧ୍ୟ ସମ୍ଭବ ହେଲାନି, ଡାକ୍ତର ମନା କଲେ । କହିଲେ ଆପଣଙ୍କ ରୋଗ ଅପରେଶନ ସ୍ଟେଜରୁ ଅଧିକ ହୋଇଯାଇଛି । ଓଷଧ ଖାଇ କେବଳ ରହିବେ, ଯେତିକି ସମ୍ଭବ ସେତିକି ଭଲ ହେବ । ସବୁଠାରୁ ଅସୁବିଧାର କଥା ଥିଲା, ସେହି ଔଷଧର ଅନେକ ଭୟାବହ ପ୍ରତିକ୍ରିୟା ହୁଏ ଯାହା ଘାତକ ସିଦ୍ଧ ହୋଇପାରେ ଓ ତାହା ନେଟରେ ଦେଖିଲି । ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରଭାବିତ ଓ ନଷ୍ଟ ହୋଇପାରେ । ଏହା ଜାଣିବା ପରେ ମୋ ମୁଣ୍ଡ ଭିତରେ ଗ୍ରାଇଣ୍ଡର ବ୍ଲେଡ ଘୁରିଲା ଭଳି ଲାଗିଲା । ଚେତା ହଜେଇ ପଡ଼ିଗଲି ।

ଚିନ୍ତା କଲି, କଅଣ କରିବି ! କୁଆଡ଼େ ଯାଇପାରିବିନି, ବେଶୀ ସମୟ ବସିପାରିବିନି, ଠିଆ ହେଲେ ଗୋଡ଼ ଥଣ୍ଡା ହୋଇ କାଲୁଆ ଲାଗେ, ଶୋଇଲେ ଭୟାବହ ଯନ୍ତ୍ରଣା । ତାହେଲେ କରିବି କଅଣ । ଆସ୍ତେ ଆତେ ତଳିପେଟରେ ମଧ୍ୟ ଯନ୍ତ୍ରଣା ହେଲା । ଖାଲି ଖାଇ ପିଇ ବଞ୍ଚିବାର ନାମ କଅଣ ଜୀବନ ! କି ଦିନ, କି ରାତି - ନିଦ ହଜିଗଲା । ଭାବିଲି, ଏହା ପରେ ବୋଧହୁଏ ମୋର ସାରା ଦେହରେ ପାରାଲିସିସ ହୋଇଯିବ । ମୁଁ ଜାଣିଲି, ମୃତ୍ୟୁ ମୋ ପାଖକୁ ଧୀରେ ଧୀରେ ଆଗେଇ ଆସୁଛି । ମୋତେ ନେଇଯିବାକୁ ଆତୁର ହେଲାଣି । ଯେଉଁ ମୃତ୍ୟୁ ହଠାତ ହୁଏ, ତାକୁ ଭୟ ଲାଗେନି । ମରିଗଲେ ତ ସକଳ ଯନ୍ତ୍ରଣାର ଅନ୍ତ ହୋଇଯାଏ । କିନ୍ତୁ ମରଣର ଘୋଷଡ଼ାକୁ ଭୟ ଲାଗେ, ତାହା ମୃତ୍ୟୁଠାରୁ ଆହୁରି ଭୟାନକ । ମୋର ଦେହର ଓଜନ କମିବାକୁ ଲାଗିଲା । ଭୋକ ଉଭେଇ ଗଲା । କିଏ କଅଣ କହୁଛି ଶୁଣିବାକୁ ମୋର ହୋସ ରହୁନଥିଲା । ଚିନ୍ତା ଶକ୍ତି ହଜିଗଲା । ଏହିଭଳି ଭାବରେ ତିନି ବର୍ଷ ବିତିଗଲା । ଧୈର୍ଯ୍ୟର ସୀମା ଟପିଗଲା ।

ଅସହନୀୟ ପୀଡ଼ାରେ ଛଟପଟ ହୋଇ ଦିନେ ଭାବିଲି, ‘ଏଭଳି କଷ୍ଟମୟ ଜୀବନ ଯାପନ କେମିତି କରିବି ? କେତେ ଦିନ ପାଇଁ ସମ୍ଭବ ହୋଇପାରିବ ! ମରିଯିବା ଏହାଠାରୁ ଶ୍ରେୟସ୍କର ।’ ସେହି ରାତିରେ ଆତ୍ମହତ୍ୟା କରିବାକୁ ସ୍ଥିରକଲି । ନୂଆ ସମସ୍ୟା ଆସିଗଲା, କେଉଁ ଉପାୟରେ ଆତ୍ମହତ୍ୟା କରିବି । ବେକରେ ରଶି ଲଗେଇ ଝୁଲିପଡ଼ିବି ବା ଟ୍ରେନ ଆଗରେ ଶୋଇପଡ଼ିବି ବା ବିଷ ଖାଇବି ! ଯେମିତି ହେଉ, ଅନ୍ତତଃ ମଲା ବେଳକୁ ଅଧିକ କଷ୍ଟ ନହେଉ । ଚିନ୍ତା କଲି, ସବୁ ରାସ୍ତାରେ କଷ୍ଟ ଅଛି, କେବଳ ଗୋଟିକୁ ଛାଡ଼ି – ସେଇଟା ହେଲା ନିଦ ଔଷଧ ଖାଇ ଶୋଇବା । ସେଇ ଔଷଧ ଖାଇଲେ ଶେଷ ନିଦ୍ରା ଆସିଯିବ । କିଛି କଷ୍ଟ ହେବନି । ଠାକୁରଙ୍କୁ ସ୍ମରଣ କରି କହିଲି, “ପ୍ରଭୁ, ମୋର ଶେଷ ସମୟ ଆସିଗଲା । ମୁଁ ବାହାରିଲି ଆପଣଙ୍କ ପାଖକୁ । ଆତ୍ମହତ୍ୟା କରିବାକୁ ଯାଉଛି, କ୍ଷମା କରିଦେବେ । ଏ ପୃଥିବୀରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । ଏତେ ଭୟ କାହିଁକି !” ନିଦ ଔଷଧ ଆଣିବାକୁ ସ୍ଥିର କରି ସେହି ରାତିରେ ବିଛଣାରେ ପଡ଼ିରହିଲି ।

ତା’ପରଦିନ ଅଟୋରେ ଔଷଧ ଦୋକାନକୁ ଯାଇ ଦଶଟି ବଡ଼ ନିଦ ବଟିକା କିଣିଲି । ସାଧାରଣତଃ ମୋର ଗୋଟିଏ ଛୋଟ ବଟିକାରୁ ଫାଳେ ଖାଇଲେ ନିଦ ହୋଇଯାଏ । ୧୦ଟି ବଟିକା ଖାଇଲେ ୪୦ ଗୁଣ ଅଧିକ ପ୍ରଭାବ ହେବ ଓ ମୁଁ ନିଶ୍ଚିତ ମରିଯିବି । ବଟିକା ଆଣି ଶାନ୍ତିରେ ଘରକୁ ଫେରିଲି ।

ତା’ ପରଦିନ ସକାଳେ କିନ୍ତୁ ଗୋଟିଏ ଅଦ୍ଭୁତ ନୂଆ ଖିଆଲ ମୁଣ୍ଡରେ ଯୁଟିଲା । ଭାବିଲି, ମୁଁ ତ ମରିବି । ଯଦି କୌଣସି କାରଣ ବଶତଃ ମରି ନପାରିଲି, ତାହେଲେ ଘର ଲୋକମାନେ ମୋତେ ଡାକ୍ତରଖାନାକୁ ନେବେ । ସେଠାରେ ଯାବତୀୟ ଔଷଧ, ସାଲାଇନ ଓ ଇଂଜେକସନ ନେବାକୁ ପଡ଼ିବ । ତା ମାନେ ଆହୁରି ଅଧିକ କଷ୍ଟ ପାଇବି । ବଞ୍ଚିଗଲେ ପୋଲିସ ଆସି ଆତ୍ମହତ୍ୟା କେଶ କରିବ । ସେ ଆଉ ଏକ ଅସୁବିଧା । ମୋତେ ଜେଲ ଯିବାକୁ ପଡ଼ିବ । ଯଦି ମରିଯାଏ, ତେବେ ବି ପୋଲିସ ଆସିବ । ଆତ୍ମହତ୍ୟା ହେଇଛି କି କିଏ ମାରି ଦେଇଛି ! କାହିଁକି ହେଲା ଜାଣିବାକୁ ଛାନବିନ ହେବ । ଘରର ସମସ୍ତଙ୍କୁ ଥାନା ଯିବାକୁ ହେବ । କିଏ ବିଷ ଦେଲା, ଏହାର ଏନକୁଆରି ହେବ । ଥାନାରେ ଯାହା କଷ୍ଟ ମିଳେ, ସେ କଥା ସମସ୍ତଙ୍କୁ ଜଣା । ମୋର ଆତ୍ମୀୟ ଲୋକ ମୋ ପାଇଁ ବିନା ଦୋଷରେ କାହିଁକି କଷ୍ଟ ଓ ଦଣ୍ଡ ସହିବେ ? ମୁଁ’ଟା କେଡ଼େ ସ୍ଵାର୍ଥପର ! ମୋ ପାଇଁ ଅନ୍ୟମାନେ ଦଣ୍ଡିତ ହେଲେ ମୋତେ ପାପ ହେବ ନିଶ୍ଚୟ । ଏଣେ ମାଇଲେ ଗୋ ହତ୍ୟା ତେଣେ ମାଇଲେ ବ୍ରହ୍ମହତ୍ୟା । ହଠାତ ମସ୍ତିଷ୍କ ଶୂନ୍ୟ ହୋଇଗଲା । ଭାବିଲି, ଏଠି ମରିହେବନି । ଏଠି ନମରି ଅନ୍ୟ କୌଣସି ସ୍ଥାନକୁ ପଳେଇବି ଓ ସେଇଠି ମରିବି । ମୋତେ କେହି ପାଇବେନି ଓ ମୋର ମୃତ ଶରୀର ଏହି ବିରାଟ ପୃଥିବୀରେ ହଜିଯିବ ବା ବିଲୀନ ହୋଇଯିବ । ଶେଷ ଥର ପାଇଁ ଏଇ ନିଷ୍ପତ୍ତି ନେଲି ।

ଠିକ ଏହି ସମୟରେ ମୋତେ ଦକ୍ଷିଣ ଆଫ୍ରିକାର କେପଟାଉନ ସହରକୁ ଯିବାକୁ ଗୋଟିଏ ନିମନ୍ତ୍ରଣ ପାଇଲି । ସେଠାରେ ଗୋଟିଏ ଆନ୍ତର୍ଜାତୀୟ ସମ୍ମିଳନୀ ହେବାକୁ ଥାଏ । ଏହା ପାଇ ଖୁସି ବି ଲାଗିଲା ଏଣେ ଡର ବି ଲାଗିଲା । ଡରର କାରଣ - ମୁଁ ଏତେ ବାଟ, ଏତେ ସମୟ ଧରି ଫ୍ଲାଇଟରେ ବସି ପାରିବି କି ନାହିଁ ! ପାଦରେ ତ କଷ୍ଟ ହେବ । ଅତ୍ୟଧିକ କଷ୍ଟ ହେଲେ କଅଣ କରିବି ? ଇକୋନୋମିକ ଶ୍ରେଣୀରେ ଶୋଇବାକୁ ସୁବିଧା ନଥାଏ । ଶୋଇବା କଥା ଦୂରେ ଥାଉ, ଗୋଡ଼ ହାତ ଟିକେ ମେଲେଇ ହାଲୁକାରେ ବସିବା ସୁବିଧା ବି ନଥାଏ । ତା’ପରେ ଖୁସି ହେଲି । ଯାହାହେଉ ଭଗବାନ ମୋ କଥା ଶୁଣିଲେ । ସେଇ କେପ ଟାଉନରେ ଆତ୍ମହତ୍ୟା କରିବି । ମଲା ବେଳକୁ ଦେହରେ ବା ପୋଷାକରେ କୌଣସି ଚିହ୍ନଟକାରୀ ପଦାର୍ଥ ରଖିବିନି । ଭାରତୀୟ ପୋଷାକ ନପିନ୍ଧି କୌଣସି ବିଦେଶୀ ପୋଷାକ ଯେପରିକି ଚୀନ ବା ନେପାଳୀ ପୋଷାକ ପିନ୍ଧିବି । କିଛି ସୁରାକ ଥିଲେ ସିନା କେହି ଚିହ୍ନିବେ ? ପୋଲିସ ମୋର ଶବ ପାଇଲେ ଗୋଟିଏ ଅଜ୍ଞାତ ଶବ ଭାବି ପୋତି ଦେବେ । ଘରେ ମଲେ ସିନା ଘର ଲୋକ ମାରିଥିବେ ଭାବି ଖାନତଲାଶ ଚାଲିବ । ସେଠାରେ ସେ ଡର ରହିବନି । ଘର ଲୋକେ ଅନ୍ତତଃ ସନ୍ଦେହର ପରିସରକୁ ଆସିବେନି ବା ହଇରାଣ ହେବେନି । ଭଲ ହେଲା । ଘରେ ଏକଥା କାହାକୁ କହିଲିନି । ଚୁପ ଚାପ ସେଠାକୁ ଯିବାକୁ ବାହାରିଲି ।

ଯିବା ପୂର୍ବଦିନ ରାତିରେ ସମସ୍ତେ ଶୋଇଗଲା ପରେ ବିଛଣାରୁ ଉଠିପଡ଼ିଲି । ରାତିର ଅନ୍ଧାର-ଚାଦର ଧରିତ୍ରୀକୁ ଘୋଡ଼େଇ ରଖିଥାଏ । ମୋବାଇଲ ଆଲୁଅ ପକେଇ ଘରର ସମସ୍ତଙ୍କୁ ମନ ଭରି ଦେଖିଲି । ଆଖିରୁ ଲୁହ ଝରିଆସୁଥାଏ । ପତ୍ନୀଙ୍କୁ ମନଭରି ଶେଷ ଥର ପାଇଁ ଦେଖିଲି । ମନେ ମନେ କହିଲି, “ଯାଉଛି ପ୍ରିୟେ, ଆଉ ଏ ଜନ୍ମରେ ଦେଖାହେବନି । ମୁଁ ଗଲା ପରେ ତୁମର ବିଶେଷ କିଛି ଅସୁବିଧା ହେବନି । ରୋଜଗାରିଆ ଓ ଭଲ ପାଉଥିବା ପୁଅ ଅଛି । ସେ ତୁମର ଯତ୍ନ ନେବ । ଆଉ କଷ୍ଟ ସହିହେଉନି । ଅଜାଣତରେ କିଛି ଭୁଲ କରିଥିଲେ କ୍ଷମା କରିଦେବ ତୁମମାନଙ୍କ ଦେବପ୍ରତିମ ଗୁଣରେ ।” ମନେ ମନେ ଘରର ସମସ୍ତଙ୍କୁ ପ୍ରଣାମ କଲି । ଛାତିରୁ କୋହ ଉଠିଆସିଲା । ବାଥ ରୁମରେ ପଶିଗଲି ।

ଭୁବନେଶ୍ଵରରୁ ଉଡାଜାହାଜରେ ଦିଲ୍ଲୀ ଓ ଦୁବାଇ ବାଟ ଦେଇ ସାଢେ ୨୮ ଘଣ୍ଟା ପରେ କେପ ଟାଉନର ସଦର୍ନ ସନ କେପ ସନ ହୋଟେଲରେ ପହଞ୍ଚିବା ବେଳକୁ ଆମ ଘଡ଼ି ଅନୁସାରେ ରାତି ପ୍ରାୟ ୧୨ ଟା ୩୦ ମିନିଟ ହୋଇଥିଲା (ଘ୩.୩୦ ମିନିଟ ଫରକ) । ହୋଟେଲରେ ଚେକ ଇନ କରିସାରି ବାହାରକୁ ବୁଲି ବାହାରିଲୁ । ସେଠାକାର ସମୟ ସେତେବେଳେ ରାତି ୯ ଟା, କିନ୍ତୁ ରାସ୍ତାରେ କାଁ ଭାଁ ଲୋକ ଯିବାଆସିବା କରୁଥାଆନ୍ତି । ଆମେ ରହୁଥିବା ହୋଟେଲରେ ଖାଇବା ସ୍ଥାନ ବନ୍ଦ ହୋଇସାରିଥିଲା । ତେଣୁ ବାହାରେ ହୋଟେଲ ଖୋଜିଲୁ । ପ୍ରାୟ ଦେଢ କିଲୋମିଟର ଚାଲିବା ପରେ ଗୋଟିଏ ଇଥିଓପିଆନ ହୋଟେଲ ଦେଖିଲୁ । ସେଠାରେ ସେଇ ଇଥିଓପିଆନ ଖାନା ଛଡା ଆଉ କିଛି ନଥିଲା ଖାଇବା ବେଳ ଗଡ଼ିଯାଇଥିବାରୁ ମୋତେ ତ ଆଦୌ ଭୋକ ନଥିଲା କିନ୍ତୁ ମୋ ଟେବୁଲର ଅନ୍ୟ ଦୁଇ ଜଣ ସାଥି ପେଟ ଭରି ଖାଇଲେ । ଖାଇସାରି ହୋଟେଲକୁ ଫେରିଲୁ । ମୋ ରୁମରେ ମୁଁ ଏକାକୀ ଥିଲି । ବାଥ ରୁମରେ ଧୁଆ ଧୋଇ କାମ ସାରି ବିଛଣାରେ ଗଡ଼ିଲା ବେଳକୁ ରାତି ସାଢ଼େ ଦୁଇ । ସୁତରାଂ ୩୧ ଘଣ୍ଟା ପରେ ବିଛଣାରେ ପଡୁ ପଡୁ ନିଦ ଆସିଗଲା । ସକାଳ ସାତରେ ବ୍ରେକଫାଷ୍ଟ ଖାଇବା ବେଳକୁ ମନେ ପଡିଲା ରାତିରେ ଔଷଧ ଖାଇବା କଥା ଭୁଲିଯାଇଛି । ରାତିରେ କଷ୍ଟ କେମିତି ହେଲାନି ! ବୋଧହୁଏ ଏତେ ଦୀର୍ଘ ଯାତ୍ରା ପରେ ଥକ୍କା ଲାଗୁଥିବା ଯୋଗୁ ଗାଢ଼ ନିଦ ହେଇଗଲା ।

ବ୍ରେକଫାଷ୍ଟ ଖାଇବା ବେଳକୁ ମଧ୍ୟ ମୋ କୌଣସି ଯନ୍ତ୍ରଣା ହେଉନଥିଲା । ତା’ପରେ କନଫରେନ୍ସ ହଲକୁ ଚାଲିଲି । କେବଳ ଲଞ୍ଚ ସମୟ ବାଦ ଦେଇ ବାକି ଦିନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସବୁବେଳେ ମିଟିଂ ଚାଲିଥିଲା । ରାତିରେ ଶୋଇବା ବେଳେ ଔଷଧ ଖାଇବା କଥା ମନେପଡିଲା । ଆଶ୍ଚର୍ଯ୍ୟର କଥା, ମୋର ଗୋଡ଼ରେ କୌଣସି କଷ୍ଟ ହେଉନଥିଲା । ପାଦରେ ହାତ ମାରିଲି । ଗରମ ବିଲକୁଲ ଲାଗିଲାନି । ନା ଝିମି ଝିମି ନା ଗରମ । ଦିନ ସାରା ବସି ବସି ଥକ୍କା ଲାଗୁଥିଲା । ବିଛଣାରେ ପଡ଼ୁ ପଡ଼ୁ ନିଦ ଆସିଗଲା । ଏମିତି ପାଞ୍ଚ ଦିନ ବିତିଗଲା । ସେହି ପାଞ୍ଚ ଦିନ କୌଣସି ଔଷଧ ଖାଇବା ଆବଶ୍ୟକ ହେଲାନି । ଫେରିବା ସମୟ ଆସିଗଲା । ଶେଷ ଦିନ ବସି ଭାବିଲି, ମୋତେ ବୋଧହୁଏ ଭଗବାନ ଭଲ କରିଦେଲେ । କଷ୍ଟ ତ ହେଉନି । ଆତ୍ମହତ୍ୟା କାହିଁକି କରିବି ! ଦୀର୍ଘ ଶ୍ଵାସ ଛାଡ଼ି ଉପରକୁ ଅନେଇ ପ୍ରଣାମ କଲି । ଭାବିଲି, ପ୍ରଭୁ ତିନି ବର୍ଷ ପରେ ମୋତେ ଦୁଃଖ ସାଗରରୁ ପାରି କଲେ । କୃତଜ୍ଞତାରେ ମନ ପୁରିଗଲା ।

ଫେରିବା ସମୟରେ ଦୁବାଇ ବା ଦିଲ୍ଲୀଠାରେ ପରବର୍ତ୍ତୀ ଫ୍ଲାଇଟକୁ ଅନେକ ସମୟ ଅପେକ୍ଷା କରିବାକୁ ହେଉଥିଲା । ସେଠାରେ ମଧ୍ୟ ମୋର କୌଣସି ଅସୁବିଧା ହେଲାନି । ନିଜେ ମୁଁ ମୋର ଓଜନିଆ ଲଗେଜ ଟାଣି ଟାଣି ନେଲି ଯାହା ଗଲା ବେଳକୁ ସମ୍ଭବ ହୋଇନଥିଲା । ମୋର ବୟସ ଦଶ ବର୍ଷ କମିଗଲା ଭଳି ଲାଗୁଥିଲା । କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ସୁଖରେ ମୁଁ ଭୁବନେଶ୍ଵରରେ ରାତି ୧୧ଟାରେ ପହଞ୍ଚିଲି । ସେଠାରେ ଘରେ ପହଞ୍ଚି ପ୍ରଥମେ ସମସ୍ତଙ୍କୁ କୁଣ୍ଢେଇ ପକେଇଲି । ମୋର ମୃତ୍ୟୁ ଟଳିଯାଇଥିଲା । ମନ ପ୍ରଫୁଲ୍ଲିତ ଥିଲା ।

ତା’ପରଦିନ ସକାଳେ ମୁଁ ଚୌକିରେ ବସି ଟେବୁଲ ଉପରେ ଖବର କାଗଜ ରଖି ପଢ଼ିବାକୁ ଲାଗିଲି । କିନ୍ତୁ ଏ କଅଣ ! ସେଇ ଝିମି ଝିମି କଷ୍ଟ ଫେର ଆରମ୍ଭ ହୋଇଗଲା । ଏଥର ହତାଶାର ସୀମା ପାର ହୋଇଗଲା । ନଅ ଦିନର ପ୍ରଶାନ୍ତି ପରେ ସେଇ ପୁରୁଣା ଦୁଃଖ ମୋ କୋଳକୁ ଫେରି ଆସିଲା । ଆଖିରୁ ଲୁହ ଧାର ଧାର ହୋଇ ବହିଆସିଲା । ଘରେ ସମସ୍ତ ପ୍ରଶ୍ନ କଲେ, “ଆଜି କେମିତି ଲାଗୁଛି ?” କିଛି ସମୟ ନିରବରେ ବସି ରହିଲା ପରେ ଉତ୍ତର ଦେଲି, “କଷ୍ଟ ତ ମୋର ଚିର ସହଚର । ସେ ମୋତେ ଛାଡି କୁଆଡ଼େ ଯିବ ?” ଆଉଥରେ ସେହି ଔଷଧ ଖିଆ ଆରମ୍ଭ ହୋଇଗଲା । ଔଷଧ ଖାଇଲେ ମଧ୍ୟ କଷ୍ଟ ସଂପୂର୍ଣ୍ଣ ଯାଏନି । ଅନ୍ତତଃ ୨୦% ସବୁବେଳେ ରହେ । ଏହିଭଳି ଭାବରେ ଦଶ ଦିନ ବିତିଗଲା ।

ଦିନେ ବସି ଚିନ୍ତା କଲି, ଏମିତି କାହିଁକି ହେଲା । କେପ ଟାଉନରେ ସଂପୂର୍ଣ୍ଣ ଭଲ ଥିଲି, ଅଥଚ ଘରକୁ ଆସିଲା ବେଳକୁ ପୁନଶ୍ଚ ଆରମ୍ଭ ! ବିଶ୍ଳେଷଣ କରିବାକୁ ଲାଗିଲି । ଘରେ ଚୌକିରେ ବସୁ ବସୁ କଷ୍ଟ ହେଉଛି, କିନ୍ତୁ ସେଠାରେ ସାତ ଘଣ୍ଟା ଧରି ସଭାରେ ବସିଲେ ମଧ୍ୟ କିଛି ହେଉନଥିଲା । କାରଣ କଅଣ ହୋଇପାରେ ? ସବୁଠାରୁ ବଡ଼ କାରଣ ହୋଇପାରେ, ସେଠାରେ ମୁଁ ସବୁବେଳେ କାମରେ ବ୍ୟସ୍ତ ରହୁଥିଲି, କନଫରେନ୍ସର ବକ୍ତୃତା ମନ ଦେଇ ଶୁଣୁଥିଲି । ନିଜ କଥା ଆଦୌ ଭାବୁନଥିଲି ଯାହା ଏଠାରେ ହେଉନି । ଏଠାରେ ସେଇ ଗତାନୁଗତିକ କାର୍ଯ୍ୟ । କେହି ମୋ ସାଥିରେ କଥାବାର୍ତ୍ତା କରୁନାହାନ୍ତି । ଯିଏ ଯାହାର କାମରେ ବ୍ୟସ୍ତ । ମୁଁ ଲୋକଙ୍କ ମେଳରେ ଥାଇ ମଧ୍ୟ ଏକାକୀ ରହିବା ଭଳି ଲାଗୁଥିଲା । ଅବଚେତନ ମନରେ ମୁଁ ଜଣେ ପରିତ୍ୟକ୍ତ ମଣିଷ ଥିଲି । ଘରେ ତ କେହି କାହାକୁ ଶୁଭ ସକାଳ ବା ଶୁଭ ରାତ୍ରି ଜଣାନ୍ତିନି । କେମିତି ଅଛନ୍ତି, ପ୍ରଶ୍ନ କରନ୍ତିନି । କେବଳ ନିଜର ଆବଶ୍ୟକତାର ବିଲ ଦେବାକୁ ଆସନ୍ତି ।

ଆମ ମନରେ ଅନ୍ୟମାନଙ୍କ ପ୍ରତି ଏକ ନିର୍ଦ୍ଦିଷ୍ଟ ଭାବନା ଜମା ହୋଇରହିଥାଏ । ସମସ୍ତଙ୍କର ଗୋଟିଏ ଧାରଣା, 'ବୟସ୍କ ଲୋକଙ୍କୁ ଗଣ୍ଡେ ଖାଇବାକୁ ଦେଇଦେଲେ ସବୁ ହେଇଗଲା । ସେମାନେ ତ ତାଙ୍କ ଜୀବନ ଜିଇଁ ସାରିଛନ୍ତି । ଆଉ କଅଣ ଆବଶ୍ୟକ !’ ଖାଇବା ଅପେକ୍ଷା ପରସ୍ପର ପ୍ରତି ଅନୁରାଗ ପ୍ରଦର୍ଶନ କେବେ କେହି ଦେଖାନ୍ତିନି । ଦୁଃଖ ସମୟରେ ଆଶ୍ଵାସନା ଦିଅନ୍ତିନି । ଏହା ବ୍ୟତୀତ ବ୍ୟକ୍ତିଗତ ଯୋଗାଯୋଗ (communication) ଅପେକ୍ଷା ସଂଯୋଗ (connection) ଅଧିକ ଗୁରୁତ୍ଵପୂର୍ଣ୍ଣ । ସୁଖଦୁଃଖରେ ଭାଗୀ ହେବା ଅତି ଆବଶ୍ୟକ । ପରିବାରର ଅନ୍ୟ ସଭ୍ୟଙ୍କ ପ୍ରତି କର୍ତ୍ତବ୍ୟ ବିଷୟରେ କେବେ କେହି ସଚେତନ ରହନ୍ତିନି । ଏହି ପରିପ୍ରେକ୍ଷୀରେ ଯନ୍ତ୍ରଣା କେବଳ ମୋର ସାଥି ଥିଲା । ଏଠି ସୁଖାନୁଭୂତି କେଉଁଠୁ ଆସିବ ?

ଅବଶେଷରେ ମୁଁ ଏହି ନିଷ୍କର୍ଷରେ ପହଞ୍ଚିଲି, ମୋର ପ୍ରକୃତରେ ଯେଉଁ ରୋଗ ହୋଇଥିଲା, ତାହା ଅନେକ ଦିନୁ ଭଲ ହୋଇଯାଇଛି । ନହେଲେ କେପଟାଉନରେ ମୁଁ କେମିତି ଭଲରେ ଥିଲି ? ଘରେ ଯେଉଁ ଉପେକ୍ଷା ହେଉଛି ତାହା ଅବଚେତନ ମନ ସହିପାରୁନି । କେବଳ ମନର ଟେନସନ ଯୋଗୁ ମୋର ରୋଗ ଚାଲୁ ରହିଛି । ବର୍ତ୍ତମାନ ଯେଉଁ ଯନ୍ତ୍ରଣା ହେଉଛି ତାର ମୋହର ମୋର ମସ୍ତିଷ୍କରେ ବାଜିଛି ଦେହରେ ନୁହେଁ । ବିଶ୍ଵାସ ଆସିଲା, ମୋର କଷ୍ଟ ଯାହା ହେଉଛି ତାକୁ ମୁଁ ନିଜେ ନିୟନ୍ତ୍ରଣ କରିପାରିବି । ଆଉ ସେ ଔଷଧ ଖାଇବିନି । ତେଣୁ ପ୍ରିଗାବାଲିନ ଛାଡ଼ି ମାନସିକ ଚାପ ଓ ଉଦବେଗ କମେଇବା ନିମନ୍ତେ କିଛି ଔଷଧ ଖାଇବାକୁ ସ୍ଥିର କଲି । ସାତ ଆଠ ଦିନ ପର୍ଯ୍ୟନ୍ତ କିଛି କିଛି କଷ୍ଟ ରହିଲା । ତା'ପରେ ଆଉ ଯନ୍ତ୍ରଣା ହେଲାନି । ତା’ପରେ ସଦ୍ୟ ଯେଉଁ ଔଷଧ ଖାଉଥିଲି, ତାହା ମଧ୍ୟ ଖାଇଲିନି । ଧୀରେ ଧୀରେ ସବୁ କଷ୍ଟର ଉପଶମ ହୋଇଗଲା । ବୋଧହୁଏ ଭଗବାନ ଭାବିଲେ, ‘ମୁଁ ପଠେଇ ଥିଲି ସଂସାରକୁ, ମୁଁ ଆଣିବି । ତୁ କିଏ ମୋ ଠାରୁ ଦୁଇ ପାଦ ଆଗକୁ ଯାଇ ଆତ୍ମହତ୍ୟା କରିବାକୁ ।’ ଆଉଥରେ ସୀମିତ ଜୀବନ ସ୍ରୋତରେ ମୋର ସଂସାର ନୌକା ମୁଣ୍ଡ ହଲେଇ ହଲେଇ ଭାସି ଚାଲିଲା । ଭଗବାନଙ୍କୁ ଆଉଥରେ ସଭକ୍ତି ଓ ସପ୍ରେମ ଧନ୍ୟବାଦ ଜଣେଇଲି ।

(ଅନେକ ସମୟରେ ଦେଖାଯାଏ, ଯନ୍ତ୍ରଣା ଦାୟକ ‘ପାଦ କର୍କଟ ରୋଗ’ ଅପରେସନ କରି କାଟି ଦେବା ପରେ ମଧ୍ୟ ସେହି ସମାନ ଧରଣର ୟନ୍ତ୍ରଣା ଚାଲୁ ରହେ । ଏହାହିଁ ତାହାର କାରଣ । ମୋର ଏହି ଅନୁଭୂତିକୁ ବାଣ୍ଟିବା ପାଇଁ ଏହି ଜୀବନର ସତ୍ୟ କାହାଣୀ ଲେଖିଲି । ଏହିଭଳି କଷ୍ଟ କେହି ପାଉଥିଲେ ନିଜେ ନିଜକୁ ବିଶ୍ଳେଷଣ କରି ଅନେକ ପରିମାଣରେ ଭଲ ହୋଇପାରିବେ ବୋଲି ମୋର ବିଶ୍ଵାସ ଓ ଏଭଳି ହେଲେ ମୋର ଲେଖିବା ପ୍ରୟାସ ସାର୍ଥକ ହେଲା ବୋଲି ଭାବିବି ।)

ମୁଁ ଦୈନନ୍ଦିନ କାର୍ଯ୍ୟକ୍ରମ ଯନ୍ତ୍ରଣା

Rate the content


Originality
Flow
Language
Cover design

Comments

Post

Some text some message..