Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Abstract Thriller

3  

Aravinda Das

Abstract Thriller

ଜଣେ ସମ୍ରାଟଙ୍କ କାହାଣୀ

ଜଣେ ସମ୍ରାଟଙ୍କ କାହାଣୀ

5 mins
355


ମୋବାଇଲ୍ ରେ ଏକ ଅଜଣା ନମ୍ବରରୁ କଲ୍ ଦେଖି ହାଲୋ କହିଲା ପରେ, ଆରପଟୁ ଏକ  ପୁରୁଷ କଣ୍ଠର ଗମ୍ଭୀର ସ୍ବର –  ଆଜ୍ଞା ନମସ୍କାର। ଆପଣଙ୍କ କାହାଣୀ " ଜଣେ ଏକୁଟିଆ ମଣିଷ" ପଢ଼ିଲି। କିଛି ଜରୁରୀ କଥାବାର୍ତ୍ତା ଥିଲା ଆପଣଙ୍କ ସହ । ସନ୍ଧ୍ୟା ସାଢ଼େ ପାଞ୍ଚଟା ଛଅଟା ବେଳକୁ ଗୋରାକବର ଆସିପାରିବେ ?

 ଅଚିହ୍ନା ଲୋକ ଜଣେ ମୋ ସହ କ’ଣ କଥା ହେବ ? ତା ପୁଣି ଏକୁଟିଆ, ସନ୍ଧ୍ୟାରେ ନଈକୂଳ ଗୋରାକବରରେ ? ଟ୍ରିଉକଲରରେ ନାଁ ଆସୁଛି, ରାଜୁ ପାନ ସପ୍ । ଲ୍ୟାଣ୍ଡ ଲାଇନରୁ ଫୋନ।

- ଆପଣ କିଏ କହୁଛନ୍ତି ଜାଣି ପାରିଲି ନାହିଁ । କ’ଣ କାମ ଅଛି କହୁ ନାହାନ୍ତି ?

- ମୁଁ ବି ଜଣେ ଏକୁଟିଆ ବୁଢ଼ା ମଣିଷ । ମୋ କାହାଣୀ କିନ୍ତୁ ଆପଣ ଲେଖିଥିବା ରବିବାବୁଙ୍କ କାହାଣୀଠାରୁ ସମ୍ପର୍ଣ୍ଣ ଭିନ୍ନ । ଭୟ କରନ୍ତୁନି, ମୋତେ ଦେଖିଲେ ହୁଏତ ଆପଣ ଚିହ୍ନିପାରିବେ । ମୁଁ ଗୋଟେ ଧଳା ରଙ୍ଗର ଟ୍ରାଉଜର ପଞ୍ଜାବୀ ପିନ୍ଧିଛି ଓ ମୁଣ୍ଡରେ ଗୋଟେ କଳା ରଙ୍ଗର ଟୋପି । ଆସିବେ ଯଦି ଅଳ୍ପ ସମୟ କଥା ହୁଅନ୍ତେ।

ହାତ ଘଣ୍ଟାକୁ ଅନାଇଲି । ସାଢ଼େ ଚାରିଟା । ଅଟୋରେ ଗଲେ କୋଡିଏ ପଚିଶ ମିନିଟ ଲାଗିବ ଗୋରା କବରରେ ପହଂଚିବା ପାଇଁ । ଲୋକଟା ଏତେ ଆଗ୍ରହରେ ଡାକିଛି । ଦ୍ଵନ୍ଦରେ ପଡ଼ିଥିଲି । ମୋତେ କ’ଣ କହିବାକୁ ଚାହାନ୍ତି ସେ ଭଦ୍ରବ୍ୟକ୍ତି ଓ କାହିଁକି ? ଗପଟେ ଲେଖିଲି ବୋଲି ତା ସହ ୟା’ଙ୍କ ସମ୍ବନ୍ଧ କ’ଣ ? ଅବଶ୍ୟ ଅନେକ ପାଠକ ବି ପ୍ରଶ୍ନ ଉଠାଇଥିଲେ ଯେ ରବି ବାବୁଙ୍କ ଭଳି ଲୋକ ସମ୍ଭବ ନା ନୁହେଁ ?ସତ୍ୟକୁ ପ୍ରତିପାଦିତ କରିବା ସତରେ କେତେ କଷ୍ଟ ?ଆମେ ସିନେମାରେ ହିରୋ ହଜାରେ ଲୋକକୁ ମାରିଦେବା ବିଶ୍ବାସ କରୁ, କିନ୍ତୁ ସାଧାରଣ ଲୋକଟିର କାହାଣୀକୁ କାହିଁକି ଅବିଶ୍ବାସ କରୁ ?

ଦୁନିଆରେ ଅସମ୍ଭବ କ’ଣ ? ରେଡି ହେଲି ଗୋରାକବର ଯିବାପାଇଁ ।

ଗୋରାକବରରେ ପହଞ୍ଚି, ବେଞ୍ଚରେ ବସିଥିବା ଭଦ୍ରବ୍ୟକ୍ତିଙ୍କୁ ପାଇବାରେ କିଛି ଅସୁବିଧା ହୋଇନଥଲା । ଧଳା ରଙ୍ଗର ପଞ୍ଜାବି, ଦୁର୍ବଳ ଚେହେରା, ମୁହଁରେ ଅଯତ୍ନରେ ବଢ଼ିଥିବା ପୁଳାଏ ଦାଢ଼ି ଓ ଆଖିରେ ଗୋଟେ କଳା ଚଷମା । ମୁହଁରେ କିନ୍ତୁ ଏକ ଦର୍ପିତ ଠାଣି ।

ନମସ୍କାର ଜଣାଇ ଲୋକଟାକୁ ଦେଖି ଦୋଦୋ ଚିହ୍ନା ଲାଗିଲା।

- ଆଜ୍ଞା, ନମସ୍କାର ମୁଁ କୈଳାସ ମିଶ୍ର । ଆପଣ ଫୋନ୍ କରିଥିଲେ ବୋଧେ।

- ବସନ୍ତୁ । ହଁ ଧନ୍ୟବାଦ କୈଳାସ ବାବୁ, ଆପଣ ଆସିଥିବାରୁ । ମୋତେ ଚିହ୍ନି ପାରୁଛନ୍ତି? ମୁଁ ଅନିରୁଦ୍ଧ ପଟ୍ଟନାୟକ । ଲେଖାଲେଖି କରୁଥିଲି ଆଗରୁ।

ଚମକି ପଡିଲି ମୁଁ । ଅନିରୁଦ୍ଧ ପଟ୍ଟନାୟକ ? ବିଗତ ଦିନର ସୁପ୍ରସିଦ୍ଧ ଗାଳ୍ପିକ ଅନିରୁଦ୍ଧ ପଟ୍ଟନାୟକ ! ପ୍ରେମ ଗଳ୍ପ ଲେଖିବାରେ ମାହିର ଗାଳ୍ପିକ! ପ୍ରେମ ଗପ ବାଦଶାହା ଆଜି ଏ ଅବସ୍ଥାରେ ! ଅଜଣାତରେ ମୋ ପାଟିରୁ ବାହାରି ପଡ଼ିଲା," ଗଳ୍ପ ସମ୍ରାଟ ଅନିରୁଦ୍ଧ ସାର୍ !"

ଆଖିରୁ ଚଷମାଟା କାଢି ଏକ ଶୁଖିଲା ହସ ମୁହଁରେ ଖେଳାଇ କହିଲେ, "ମୁକୁଟ ବିହୀନ ଓ ଦରିଦ୍ର ଦୁସ୍ଥ ସମ୍ରାଟ ବୋଲି କୁହନ୍ତୁ । ସରକାର ପରା ମୋତେ ଗୋଟେ ଉପାଧି ଦେଇଛନ୍ତି । ଦୁସ୍ଥ କଳାକାର/ସାହିତ୍ୟିକ । ହଜାରେ ଟଙ୍କା ଦେଉଛନ୍ତି ମାସକୁ ।"

- ଆଇ ଆମ ସରି ସାର୍ । ମୁଁ ଓଡିଶା ବାହାରେ ବହୁତ ଦିନ ହେଲା ଥିଲି । ଏଇ ନିକଟରେ ଫେରିଛି । ଆପଣଙ୍କର ପ୍ରାୟ ସବୁ ଗପ, ଉପନ୍ୟାସ ପଢ଼ିଛି । ବିଦ୍ରୋହୀ ଗାଳ୍ପିକ ଭାବେ ଆପଣ ସେତେବେଳେ ଖୁବ ଜଣାଶୁଣା ଥିଲେ । ଏବେ ଲେଖାଲେଖି କରୁଛନ୍ତି?"

ଦୀର୍ଘ ନିଶ୍ବାସ ଛାଡି ସେ କହିଲେ, "ଆଉ କ’ଣ ବଳ ବୟସ ଅଛି ? ମୋତିଆ ବିନ୍ଦୁ ଅପରେସନ ପରେ ଆହୁରି ଅସୁବିଧା । ଦେହ ଅସୁସ୍ଥତା ଲାଗି ରହିଛି । ଏବେ ମୁଁ ସଂଗ୍ରାମୀ ଲେଖକ । ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଥିବା ଜଣେ ଏକୁଟିଆ ମନୁଷ୍ୟ । ଆପଣଙ୍କ ଗପଟି ଖବରକାଗଜରେ ପଢ଼ିଲି । ମୋ ମନରେ ଗୋଟାଏ ପ୍ରଶ୍ନ।"

 ମୁଁ ସିଧାସଳଖ ଅନାଇଥିଲି ଅନିରୁଦ୍ଧ ବାବୁଙ୍କ ମୁହଁକୁ।

- ଏଇ ପାଖରେ ମୋ ଘର । ଯିବେ ମୋ ଘରକୁ? ସମ୍ରାଟର ଉଆସକୁ ?

- ମୋର ସୌଭାଗ୍ୟ । ଚାଲନ୍ତୁ ସାର୍।

- ସାର୍ ଫାର୍ ଡାକନ୍ତୁନି । ଅଖାଡୁଆ ଲାଗୁଛି । ଏତେ ବର୍ଷ ହୋଇଗଲାଣି ମୋତେ କେହି ଚିହ୍ଣୁ ବି ନାହାନ୍ତି । ଆପଣ ଚିହ୍ନିଲେ ସେତିକି ଯଥେଷ୍ଟ।

ଦଶ ମିନିଟ ଚାଲିବା ପରେ ଗୋଟେ ଛୋଟ ପୁରୁଣା ଦୁଇ ବଖରା ଆଜବେଷ୍ଟସ ଘର ସାମ୍ନାରେ ପହଂଚିଲୁ । ତାଲା ଖୋଲି ଭିତରକୁ ପଶିଲା ପରେ ଆଶ୍ଚର୍ଯ୍ୟ ହୋଇଗଲି । ଇସ୍,ଏଇ ଅସନା ଜାଗାରେ ରହୁଛନ୍ତି ଗଳ୍ପ ସମ୍ରାଟ ! କିଛି ପ୍ରତିଷ୍ଠିତ ସାହିତ୍ୟିକ/ସାହିତ୍ୟିକାଙ୍କ ସୁନ୍ଦର ଅଟ୍ଟାଳିକା ଦେଖିଛି । ଅଥଚ ଅନିରୁଦ୍ଧ ବାବୁ ! ଗୋଟେ ଟିଣ ଚେୟାରରେ ବସିବାକୁ କହିଲେ।

ଘରଭିତରେ ଥିବା କିଛି ଥାକରେ ପୁରୁଣା ବହି, ମାନପତ୍ର, ପୁରସ୍କାର । ଅନ୍ୟ ରୁମରେ ବୋଧେ ରୋଷେଇ ବାସ ହୁଏ।

- ଘରେ ଏକୁଟିଆ ରୁହନ୍ତି ଆପଣ?

- ଆପଣଙ୍କ ଭାଷାରେ ମୁଁ ଏକୁଟିଆ କାହିଁକି ରହିବି ? ମୋ ହଜାର ହଜାର ପ୍ରଶଂସକ, ପାଠକ, ଆଖପାଖ ସାହି ପଡିଶା, ମୋ ବହି ସମସ୍ତେ ଅଛନ୍ତି ବୋଲି କ’ଣ ଆପଣ ଭାବୁନାହାନ୍ତି ?ଠିକ୍ କହିଲି ନା ? କୈଳାସ ବାବୁ, ଆଜି ମଧ୍ୟ ମୁଁ ସମସ୍ତଙ୍କୁ ଆପଣାର କରିବାକୁ ଚେଷ୍ଟା କରେ । ହେଲେ କେହି ମୋତେ ପଚାରୁନାହାନ୍ତି । ଅନ୍ୟକୁ ଆପଣେଇ ନେବାର କଳା ଜାଣିଥିବା ମଣିଷ ମାନେ ବି ମୋ ଭଳି କେତେ ଅସହାୟ ତାହା ଜଣାଇବାକୁ, ଦେଖାଇବାକୁ ଡାକିଥିଲି ଆପଣଙ୍କୁ । ଗଳ୍ପ, ଉପନ୍ୟାସର କାଳ୍ପନିକ ଚରିତ୍ର ଓ ଜୀବନ ସହ ଲଢ଼ୁଥିବା ସତସତିକା ମଣିଷ ସମ୍ପର୍ଣ୍ଣ ଭିନ୍ନ । ଏହା ଏକ ଅବହେଳିତ ସାହିତ୍ୟିକର ଦସ୍ତାବିଜ ବୋଲି ଭାବନ୍ତୁ।

  ଛେପ ଢ଼ୋକି ପଚାରିଲି," ଆପଣଙ୍କ ପରିବାର ? ”

-ପୁଅଟା ଆକ୍ସିଡେଣ୍ଟରେ ଅନେକ ଦିନରୁ ଚାଲିଯାଇଥିଲା । ସ୍ତ୍ରୀ ମୋତେ ଅପେକ୍ଷା କରିଛି ଉପରେ । ହେଲେ ମୁଁ କ’ଣ ମରିପାରୁଛି ? ସାହିତ୍ୟିକ ଆତ୍ମା ମୋତେ ଆତ୍ମହତ୍ୟା କରିବାକୁ ବାଧା ଦେଉଛି । ଘର ପଛ ପଟେ ଆଉ ଦୁଇ ବଖରା ଆଜବେଷ୍ଟସ ଘର ଭଡା ଦେଇଛି । କେତେ ବା ଭଡା ମିଳୁଛି ? ତା ଛଡ଼ା ସରକାର ଯେଉଁ ହଜାରେ ଟଙ୍କା ଭତ୍ତା ଦେଉଛନ୍ତି, ସେଥିରେ ମାସେ ଚଳି କିଛି ବଳିଲେ ସିନା ! ପ୍ରେମ ଗପ ଲେଖୁଥିଲି, ଏବେ ଜୀବନ ଓ ପ୍ରେମ ଉପରୁ ଆସ୍ଥା ଉଠି ଯାଇଛି । ସେଇ ଗୋରାକବର ଭିତରେ ପଶି ଯିବାକୁ ଇଛା ହୁଏ । ଏକୁଟିଆ ଏଇ ଦୁନିଆକୁ ଆମେ ଆସିଛେ ଏକୁଟିଆ ଯିବା ।

- କେହି ସାହିତ୍ୟିକ ବନ୍ଧୁ, ପ୍ରକାଶକ, ଆପଣଙ୍କ ପୁରୁଣା ପତ୍ରିକାର ବନ୍ଧୁ ଜାଣି ନାହାନ୍ତି ଆପଣଙ୍କ ବିଷୟରେ? ସରକାରଙ୍କୁ ଜଣାଇଛନ୍ତି ?

ଠୋ ଠୋ ହୋଇ ହସିଲେ ଅନିରୁଦ୍ଧ ବାବୁ । ସେଇ ରାଜା ଭଳି ଠାଣି ।

- ଏଠି ମଳା ପରେ ସରକାର କ୍ଷତିପୁରଣ ଦିଅନ୍ତି । ଥରେ ମନ୍ତ୍ରୀ, ଏମ ଏଲ ଏ ହୋଇଗଲେ ଜୀବନ ସାରା ସବୁ ମାଗଣା । କିନ୍ତୁ ସାହିତ୍ୟିକ, କଳାକାର ହେଲେ ଜୀବନ ଦୁର୍ବିସହ । ବିଶ୍ବାସ କରନ୍ତୁ, ଅନେକ ଥର ମୁଁ ନିଜେ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ଯାଇଛି । ପାଞ୍ଚ ଛଅ ଥର ସିରିଅସ ହୋଇ ଆଡ଼ମିଟ ହୋଇ ପୁଣି ଭଲ ହୋଇ କାହିଁକି ବଞ୍ଚିଛି କେଜାଣି? ଆଉ ବଞ୍ଚିବାକୁ ସ୍ପୃହା ନାହିଁ।

ଆଜିକାଲି ଯୁଗରେ ହଜାରେ ଟଙ୍କାରେ ଗୋଟେ ଲୋକ ଚଳିପାରିବ ?ଆଉ ସାହିତ୍ୟିକ ବନ୍ଧୁ, ପ୍ରକାଶକ ମାନେ?

 କଥା ବଦଳାଇବା ପାଇଁ କହିଲି, "ଆପଣଙ୍କ ଘରେ ଥିବା ବହି ସବୁ ବହୁତ ଅମୂଲ୍ୟ ସମ୍ପତ୍ତି।

- ନିଲାମ କରିପାରିବେ ଏଇ ସମ୍ପତ୍ତିକୁ? ପଇସା ଅଣ୍ଟୁନି । ଆହାର କେନ୍ଦ୍ରରେ ଲାଇନ ଦେଇ ଖାଇବାକୁ ପଡୁଛି।

ଟିକେ ରହି ସେ ମୋତେ କହିଲେ, "ଆପଣଙ୍କୁ ଚା’ ଟିକେ ବି ଦେଇପାରିବି ନି । ମୋତେ ଦେଖିଲେ, ମୋ ଘର ଦେଖିଲେ । ଏଇ ଏକୁଟିଆ ଦୁସ୍ଥ ସମ୍ରାଟ ବିଷୟରେ କିଛି ଲେଖିପାରିବେ ? ଆତ୍ମ ସମ୍ମାନକୁ ଜଗି କାହା ଆଗରେ ହାତ ପତାଇ ହେଉନି। "

ଆହୁରି ଅନେକ କଥାବାର୍ତ୍ତା ହେଲୁ । ନିଜ ପର୍ସରୁ କିଛି ଟଙ୍କା ବାହାର କରିବାକୁ ଯାଇଁ ରହିଗଲି । କେତେ ଦେଇ ପାରିବି ମୁଁ ? ବରଂ କାଳିକୁ ତାଙ୍କ ପାଇଁ କିଛି ଲୁଗା, ଫଳ ମୂଳ ଉପହାର ଦେଇପାରିବି।

ଭାରି ମନରେ ଗଳ୍ପ ସମ୍ରାଟଙ୍କ ଠାରୁ ବିଦାୟ ନେଲାବେଳେ ମୋର କାନରେ ଗୁଞ୍ଜରିତ ହେଉଥିଲା ତାଙ୍କ କଥା ପଦକ-

-"ଏଠି ସାହିତ୍ୟିକଟେ ମଲା ପରେ ଶୋଭାଯାତ୍ରା, ଫୁଲମାଳ, ସଭା, ସ୍ମରଣିକା, ପୁରସ୍କାର, ପ୍ରତିମୂର୍ତ୍ତି ଘୋଷଣା ହୁଏ । କିନ୍ତୁ ବଞ୍ଚିବାକୁ ସଂଘର୍ଷ କରୁଥିବା ସେଇ ଲୋକଟିକୁ କେହି ପଚାରନ୍ତି ନାହିଁ । ସାହିତ୍ୟିକଟିକୁ ସମ୍ମାନ ପାଇଁ କାହିଁକି ମରିବାକୁ ପଡ଼େ କହିପାରିବେ ?"

ଆଖି ଆଗରେ ଭାସି ଉଠୁଥିଲା ସାମ୍ରାଟଙ୍କ ଚେହେରା ।


Rate this content
Log in

Similar oriya story from Abstract