Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୧୨୪
ଜହ୍ନମାମୁଁ -୧୨୪
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.3K    16


Content Ranking

ଷଡଯନ୍ତ୍ରର ସୁଫଳ -୨

ଦିନେ ସୁଲତାନ୍ ସହରର ବାହାରକୁ ଯାଇଥା’ନ୍ତି । ଏପରି ସୁଯୋଗ ଦେଖି ଉଜୀରମାନେ ସେମାନଙ୍କ ଷଡଯନ୍ତ୍ର କାର୍ଯ୍ୟକାରୀ କରାଇବାରେ ଲାଗି ପଡିଲେ । ସେମାନେ ମୁହଁରେ ମିଠାକଥା କହି ସଲୀମ୍କୁ କିଛି ମଦ ପିଆଇଲେ ଓ ସେଥିରେ ସେମାନେ ଅଳ୍ପ ବିଷ ମଧ୍ୟ ମିଶାଇଥିଲେ । ଘୋର୍ ନିଶା ଓ ବିଷର ପ୍ରଭାବରୁ ସେ ଅଚେତ୍ ହୋଇ ପଡିଲା । ସେହି ଅବସ୍ଥାରେ ଏ ଉଜୀରମାନେ ତାକୁ ଟେକି ନେଇ ସୁଲତାନ୍ଙ୍କ ପଲଙ୍କରେ ଶୁଆଇ ଦେଲେ ।

ରାତିରେ ସୁଲତାନ୍ କ୍ଳାନ୍ତ ହୋଇ ଘରକୁ ଫେରି ଦେଖିଲେ ତାଙ୍କ ଶଯ୍ୟାରେ କିଏ ଶୋଇଛି । ସେ ଯେତିକି ଆଶ୍ଚର୍ଯ୍ୟ ହେଲେ ଲୋକଟାର ଔଦ୍ଧତ୍ୟରେ ସେ ସେତିକି କ୍ରୋଧାନ୍ୱିତ ମଧ୍ୟ ହେଲେ । ସେ କହିଲେ ଏପରି କାମ ଯିଏ କରିଛି ତା’ର ମୃତ୍ୟୁଦଣ୍ଡ ସୁନିଶ୍ଚିତ ।

ଉଜୀରମାନେ କହିଲେ, “କିଏ ଆଉ କରିବ? ଆପଣ ଯାହାକୁ ପ୍ରଶ୍ରୟ ଦେଇ ଉପରକୁ ତୋଳି ଧରିଛନ୍ତି ସେଇ ସଲୀମ୍ । ସେ ବୋଧେ ନିଜକୁ ନିଜେ ସୁଲତାନ୍ ଭାବୁଛି । ନ ହେଲେ ଏପରି କାମ କରିବାକୁ ତା’ର ସାହସ କେଉଁଠୁ ଆସିଲା ।”

ସିପାହୀମାନେ ତାକୁ ଶେଯରୁ ଉଠାଇ ଠିଆ କରାଇଲେ ଓ କହିଲେ, “ହଜୁର ଅତ୍ୟଧିକ ମଦ୍ୟପାନ ହେତୁ ଏପରି ହୋଇଛି । କାରଣ ସେ ଏବେ ତା’ ହୋସ୍ରେ ନାହିଁ ।”

ଉଜୀରମାନେ କହିଲେ, “ଏ ଅକ୍ଷମଣୀୟ ଅପରାଧ କରିବାକୁ ତା’ଛଡା ଆଉ ଦ୍ୱିତୀୟ ବ୍ୟକ୍ତି କିଏ ବା ପୁଣି ଏତେ ସାହସ କରନ୍ତା ।”

ସଲୀମ୍କୁ ଦେଖି ସୁଲତାନ୍ଙ୍କର ମନରେ ଟିକେ ଦୟା ହେଲା । କିନ୍ତୁ ସେ ନିଜେ ଦେଇଥିବା ମୃତ୍ୟୁଦଣ୍ଡର ଆଦେଶ ଆଉ ପ୍ରତ୍ୟାହାର କଲେ ନାହିଁ ।

ପରଦିନ ମୃତ୍ୟୁଦଣ୍ଡ ଦିଆ ହେବା କଥା । ସଲୀମ୍କୁ ବଧସ୍ଥଳୀକୁ ନିଆଗଲା । ରାଜ୍ୟସାରା ଲୋକ ସେଠାରେ ଜମା ହୋଇଥା’ନ୍ତି । ଭିଡ ଭିତରୁ ଜଣେ ବୃଦ୍ଧଲୋକ ବାହାରି ଆସି ସଲୀମ୍କୁ ଧରି କାନ୍ଦି କାନ୍ଦି କହିଲା, “ପୁଅ ତୁ କ’ଣ ଏବେ ବି ବଂଚିଛୁ? ମୁଁ ଭାବିଥିଲି କି ଅନ୍ୟ ଡାକୁଙ୍କ ସହିତ ତତେ ମଧ୍ୟ ମାରିଦିଆ ଯାଇଛି । କିନ୍ତୁ ହାୟ ହତଭାଗ୍ୟ ମୁଁ ତତେ ଏଇ ଅବସ୍ଥାରେ ଯାହା ଦେଖିଲି । ଏବେ କ’ଣ କରିବି?”

ସେହି ବୁଢାକୁ ସମସ୍ତେ ଡାକୁ ସରଦାର ବୋଲି ଚିହ୍ନିଲେ । ଉଜୀରମାନେ ସେହି ବୁଢାକୁ ବନ୍ଦୀ କରି ସୁଲତାନ୍ଙ୍କୁ ଖବର ଦେଲେ । ସୁଲତାନ୍ ନିଜେ ଆସି ବଧସ୍ଥଳରେ ପହଁଚିଲେ ।”

ସୁଲତାନ୍ଙ୍କୁ ଦେଖିବା ମାତ୍ରେ ଡାକୁ ସର୍ଦାର୍ ତାଙ୍କ ପାଦରେ ପଡି କହିଲା, “ହଜୁର୍ ମୁଁ ତାକୁ । ମୋତେ ପଛେ ମାର ହେଲେ ମୋ ପୁଅକୁ ଛାଡିଦିଅ । ମୋ ପୁଅ ଜଣେ ସ୍ୱର୍ଗଦୂତ । ସେ ଦେବତା ପରି ବ୍ୟକ୍ତି । ତାକୁ ମାର ନାହିଁ ।”

ଏକଥା ଶୁଣି ଉଜୀରମାନେ ଥଟ୍ଟା କରି କହିଲେ “ଆହାହା; ସବୁ ବାପାମାନେ ନିଜ ପୁଅକୁ ତ ଏମିତି ଦେବତା ବୋଲି କୁହନ୍ତି ।”

ସର୍ଦାର୍ କହିଲା “ହଜୁର୍ ସେ ସ୍ୱର୍ଗର ଦେବତା ନ ହୋଇଥିଲେ ମୁଁ କିପରି ଏକ ଅପନ୍ତରା ସ୍ଥାନରେ ତାକୁ ପାଇଥା’ନ୍ତି । ସମସ୍ତେ ଭାବନ୍ତି ଯେ, ସଲୀମ୍ ମୋ ପୁଅ । କିନ୍ତୁ ମୁଁ ତାକୁ ଗୋଟିଏ ପାହାଡ ପାଖରେ ଥିବା ଜଙ୍ଗଲ ଧାରରୁ ପାଇଥିଲି ।”

ସୁଲତାନ୍ ନିଜର ହଜିଥିବା ପୁଅ କଥା ମନେ କରି ପଚାରିଲେ “ପାହାଡ ପାଖରେ? ପୁଣି ଜଙ୍ଗଲ ଧାରରେ? କେବେ? କିପରି?”

ଡାକୁ ସର୍ଦାର୍ କୋଡିଏ ବର୍ଷ ତଳର ଘଟଣା ବର୍ଣ୍ଣନା କରି କହିଲା, “ଇଏ ସେଇ ପୁତ୍ର । ତାକୁ ମୁଁ ମୋ ନିଜ ପୁଅ ପରି ପାଳନ କରିଛି ।”

ସୁଲତାନଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବହିବାକୁ ଲାଗିଲା । ସେ ଜାଣିପାରିଲେ ସଲୀମ ତାଙ୍କର ସେହି ହଜିଲା ପୁଅ ବ୍ୟତୀତ ଆଉ କେହି ବି ନୁହେଁ । ସୁଲତାନ୍ ମହା ଆଡମ୍ବରରେ ତାଙ୍କ ପୁଅକୁ ଧରି ରାଜମହଲକୁ ଯାଇ ବେଗମଙ୍କୁ ସବୁକଥା ଖୋଲି କହିଲେ । ରାଜ୍ୟସାରା ଆନନ୍ଦ ଉତ୍ସବ ଲାଗିଲା । ରାଜା କିନ୍ତୁ ସେ ଉଜୀର୍ ମାନଙ୍କ ଉପରେ ଭୀଷଣ ମାତ୍ରାରେ ରାଗିଯାଇ ସେମାନଙ୍କୁ ପାହାଡ ଉପରୁ ଠେଲି ତଳେ ପକାଇ ମାରି ଦେବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ ।

କିନ୍ତୁ ସଲୀମ୍ କହିଲେ, “ହଜୁର୍ ସେମାନେ ଷଡଯନ୍ତ୍ର ନ କରିଥିଲେ ଆପଣ ମୋତେ ଆଜି କେବେବି ଚିହ୍ନି ପାରି ନ ଥା’ନ୍ତେ । ମୁଁ ସବୁଦିନ ପାଇଁ ସେମିତି ଅଜଣା ହୋଇ ରହିଥା’ନ୍ତି । ସେମାନଙ୍କୁ କ୍ଷମା କରି ଦିଅନ୍ତୁ ।”

ସୁଲତାନ୍ କହିଲେ “ଆଚ୍ଛା ଠିକ୍ ଅଛି । ସେମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ ।”

ତା’ପରେ ସଲୀମ୍ର ସହାୟତାରେ ସୁଲତାନ ଅମିରୁ ବହୁ ବର୍ଷ କାଳ ଶାସନ କଲେ ଓ ଲୋକପ୍ରିୟତା ଅର୍ଜ୍ଜନ କଲେ କିନ୍ତୁ ସଲୀମ୍ ସମସ୍ତଙ୍କର ଅତି ପ୍ରିୟପାତ୍ର ଥିଲା ।

ସୁଲତାନ୍ ଶଯ୍ୟା ସିପାହୀ

Rate the content


Originality
Flow
Language
Cover design

Comments

Post

Some text some message..