Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Inspirational Others

2.1  

Shanti Mishra

Inspirational Others

ମେଘ ଢଙ୍କା ଆକାଶ

ମେଘ ଢଙ୍କା ଆକାଶ

7 mins
515


ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

-------------------------------------------

ମିନତିଙ୍କ ମନ ଦୁଃଖ, ପୁଅ ‘ବାପି’ ଯେତେ ଚେଷ୍ଟା କଲେ ବି ଭଲ ପାଠ ପଢିଲାନି l ଚାରିଥର ସ୍କୁଲ୍ ବଦଳେ ଇଲେ, ବୋର୍ଡିଂଗ୍ ସ୍କୁଲରେ ବି ନେଇ ରଖେଇଲେ l ଯୋଉ ଫଳକୁ ସେଇ ଫଳ l ପାଠ ପଢ| ଦୂରେ ଥାଉ ସ୍କୁଲ୍ ଶିକ୍ଷକ ମାନଙ୍କ ଅଭିଯୋଗ ଶୁଣି ଶୁଣି ସେ ବହୁତ ଦୁଃଖୀ ହୋଇ ଯାଇଥିଲେ l ତାଠୁ ବେଶୀ ଦୁଃଖୀ ହୋଇ ପଡୁଥିଲେ ଯେତେବେଳେ ଘରେ ଆସି ବାସନ ମଜା, ଲୁଗା ସଫା, ଘର ଓଳା ପୋଛା କାମ କରୁଥିବା “ତାରା” ଆଣି ତାଙ୍କୁ ମିଠା ଦେଇ ଯାଏ ତା ଝିଅ ପରୀକ୍ଷାରେ ପ୍ରଥମ ହୋଇଛି କହି | ମନ୍ଦିରରେ ଭୋଗ ଚଢେଇ ଥିବା ଭୋଗ ମିଠା l ମନା କରି ପାରନ୍ତିନି ଭୋଗ ଯେତେବେଳେ, ଖାଇବାକୁ ପେଟକୁ ନଗଲେ ବି ଭୋଗ ବୋଲି ଖାଇ ଦିଅନ୍ତି l

ନିଶ୍ଚୟ ଖୁସି ଆଉ ଭାଗ୍ୟର କଥା l ଇଆ ତା ଘରେ କାମ କରି ପେଟ ପୋଷୁଥିବା ମା’ ର ଝିଅ ଯଦି ପାଠ ପଢି ଶ୍ରେଣୀରେ ପ୍ରଥମ ହବ କୋଉ ମା’ ଖୁସି ନହେବ l ଟିପ ଚିହ୍ନ ଦଉଥିବା ମା’ ପାଇଁ ବଡ଼ ଗର୍ବର ବିଷୟ l କିନ୍ତୁ ମିନତିଙ୍କ ମନ ବିଷେଇ ଯାଏ l ନିଜ ପୁଅ କଥା ଭାବି ଆଖି ଲୁହରେ ଭରି ଆସେ l ତା ପାଇଁ ସେ କଣ ନ କରିଛନ୍ତି, ନ କରୁଛନ୍ତି, ଖାଲି ଟିକେ ମନ ଦେଇ ପାଠ ପଢ଼ନ୍ତା ଯଦି ସବୁ ଶ୍ରମ ତାଙ୍କର ସାର୍ଥକ ହୋଇ ଯାଆନ୍ତା l

ବେଶୀ ଦୁଃଖ ହୋଇଥିଲା ବାପି ତିନି ଥର ମ୍ୟାଟ୍ରିକ୍ ପରୀକ୍ଷା ଦବା ପରେ ବି ଏଥର ପୁଣି ଫେଲ୍ ହୋଇଗଲା l ଦୁଃଖ ଟାକୁ ଯେମିତି ସେମିତି ହେଉ ଲୁଚେଇ ଦେଇଥାନ୍ତେ l କିନ୍ତୁ ‘ବାସନ୍ତୀ’ ତାରା ର ଝିଅ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ରାଜ୍ୟରେ ପ୍ରଥମ ହୋଇଛି, ଖବର କାଗଜ ଟିଭିରେ ବାରମ୍ଵ|ର ତା ନା କହୁଛି ତା ବିଷୟରେ କହୁଛି, ସେ କୋହ ଆଉ ଳୁଚେଇ ନପାରି ସେଦିନ ଯାକ ବେଶ୍ କାନ୍ଦିଥିଲେ l ରବିବାର ଗୋଟିଏ ଦିନ ତାରା ଆସେନି କାମ କରିବାକୁ ତେଣୁ ତା ପାଇଁ ସୋମବରକୁ ଡବଲ୍ କାମ ଥୁଆ ହୋଇଥାଏ l

ସେ ଭଲ ଭାବରେ ଜାଣନ୍ତି ସେ କାଲି ନିଶ୍ଚୟ ଭୋଗରେ ବେଶୀ ମିଠା ଧରିକି ଆସିବ l ନା ସେ ମିଠା ଖାଇ ପାରିବେ ନା ତାକୁ ହଜମ କରି ପାରିବେ l ତା ହସ ହସ ମୁହଁ ଦେଖିଲେ ତାଙ୍କ ଦେହରେ ନିଆଁ ଲାଗିଯିବ l ତାରାର ଏଥିରେ କିଛି ଦୋଷ ନାହିଁ ସେ ଜାଣନ୍ତି l କିନ୍ତୁ ତାରର ଏ ସୌଭାଗ୍ୟ ତାଙ୍କର ସହ୍ୟ ହୁଏନାହିଁ l ନିଜେ ତାରାକୁ ବି ଜଣା ନାହିଁ ତା ଝିଅ ତା ଭାଗ୍ୟକୁ କେତେ ପରିବର୍ତ୍ତନ କରି ପାରିବ l

ସତରେ ତା ପର ଦିନ ଆଗ ଅପେକ୍ଷା ବହୁତ ପ୍ରକାରର ମିଠା ଧରି ଆସିଥିଲା l ସେ କିନ୍ତୁ ତାଙ୍କୁ ଜର ହବା ବାହାନାରେ କମଳ ଘୋଡ଼େଇ ହୋଇ ଶୋଇଗଲେ l ତାରାକୁ କହିଲେ ମିଠା ରୋଷେଇ ଘରେ ରଖି ଦେଇ ଯା ସେ ପରେ ଖାଇବେ l ଆଉ କାମ ଶୀଘ୍ର ସାରି ଦେଇ ଯା ବେଶୀ ଶବ୍ଦ କରନା l “ମା ଗୋଡ କି ମୁଣ୍ଡ କହିଲେ ଚିପି ଦେଇ ଯିବି ଘରକୁ ଯିବା ପୂର୍ବରୁ l”

କେତେ ସତରେ ନିରିହ, କେତେ ଉଦାର, କେତେ ସରଳ, ସେ ଏହି ପରି ଲୋକକୁ ଇର୍ଷା କରି ଭିତରେ ଭିତରେ ଜଳୁଛନ୍ତି l ତାଂକଠୁ ମୁର୍ଖ ଆଉ କେହି ନହାଁନ୍ତି ଏ ପୃଥିବୀରେ l ତାଂକ ପୁଅ ଏପରି କୃତିତ୍ବ ଦେଖେଇ ଥିଲେ ସେ ହୁଏତ ସାରା ସହର ବାସିଙ୍କୁ ଭୋଜି ଭାତରେ ଆପ୍ୟାୟିତ କରିଥାନ୍ତେ ଏତେବେଳକୁ l କାହାର ଗୋଡ଼ ଘସିଦେବାର ଆବଶ୍ୟକତାକୁ ଅଗ୍ରାଧିକାର ଦେଇ ନଥାନ୍ତେ l ତାଙ୍କ ପୁଅ ଅଯୋଗ୍ୟ ସେଥି ପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି l ଅନ୍ୟକୁ ଇର୍ଷା କରିବାର ମାନେ ବି କିଛି ନାହିଁ l କିନ୍ତୁ ତାଙ୍କ ମନ ବୁଝୁନି l ମା’ ସେ l

ତିନି ଦିନ ବହାନା କଲା ପରେ ସେ ଶେଯରୁ ଉଠିଲେ l ସେତେବେଳକୁ ଅନେକ ଗୁଡାଏ କାନ୍ଦି ସାରିଥିଲେ ତେଣୁ ମନ ହାଲକା ହୋଇ ଯାଇଥିଲା l ଗତ ପନ୍ଦର ଦିନ ହେବ ସେ ତାରାକୁ ଖାପ ଛଡା ଭାବ ଦେଖେଇ ଆସିଛନ୍ତି ସତ କିନ୍ତୁ ତାରା କିଛି ଲକ୍ଷ ରଖି ନାହିଁ l ତା ନିଜର ସ୍ବପ୍ନ ଦୁନିଆଁ ରେ ସେ ପୁରା ମଗ୍ନ l ଝିଅର ଖୁସିରେ ସେ ଏତେ ଖୁସି ଯେ ଗୋଡ଼ ତଳେ ଲାଗୁ ନଥାଏ l ଲୋକ ମାନେ ସାଂଗ ସାଥୀ ମାନେ ବଧେଇ ଦେଇ ଯାଉଥାନ୍ତି l ସରକାର, ସ୍କୁଲ୍ ତରଫରୁ ତାକୁ ବହୁତ୍ ପ୍ରକାର ଉପହାର ଟଙ୍କା ସବୁ ମିଳିଛି l

ସେଦିନ ମିନତି ଅନ୍ୟ ମନସ୍କ ଭାବେ ଶୋଇବା ଘର ଝରକାରେ ବାହାରକୁ ଚାହିଁ ଅତଳ ଭାବନା ରେ ବୁଡି ରହିଥିଲେ l ପୁଅର ଭବିଷ୍ୟତକୁ ନେଇ ସେ ବଡ ଚିନ୍ତିତ l ଏତିକି ବେଳେ ପଛପଟୁ ତାରା ଆସି କହିଲା ମା’ ମୁଁ ଆସନ୍ତା ଦୁଇଦିନ ଆସି ପାରିବିନି l

-“କଣ ପାଇଁ ଲୋ ?’-

-‘ଘରେ ଟିକେ କାମ ଅଛି’ l

-‘କି କାମ ଲୋ ତୋର’ l ଝରକା ଆଡୁ ମୁହଁ ନଫେରେଇ ମିନତି ପଚାରିଲେ l ଝିଅ ପାଇଁ ପୁଅ ଘର ଦେଖି ଆସିବେ l ଚମକିଲା ପରି ସେ ମୁହଁ ଫେରେଇ ହଠାତ୍ ପଚାରି ଦେଲେ ବାହାଘର !! ତୋ ମୁଣ୍ଡ ଠିକ୍ ଅଛିତ ତୋ ଝିଅ ରାଜି ଏ ବାହାଘରରେ ?

-‘ନାଇଁ ସେଇଥି ପାଇଁ ତାକୁ ବୁଝେଇବାକୁ ତା ବାପା ଆଉ ମାମୁ ଲାଗିଚନ୍ତି l ସେ କିନ୍ତୁ ଜିଦି କରୁଛି ଯାଇ ସହରରେ ରହି ପାଠ ପଢିବ l ସେ ପାଠରେ ବହୁତ ଖର୍ଚ୍ଚ l ଆମେ ଏତେ ଟଙ୍କା କୋଉଠୁ ଆଣିବୁ l ଭଲ ପାତ୍ର ଟିଏ ମିଳିଛି ହାତ ଛଡା କରିବା କଥା ନୁହେଁ l ତାର ଘର ଦ୍ବାର ଜମିବାଡି ବହୁତ ଅଛି, ବାସନ୍ତୀ ଭଲରେ ରହିବ l ମୋ ପରି ବାର ଦୁଆରେ କାମ କରି ପେଟ ପୋଷିବନି l’

‘ଝିଅ ପିଲାଟା ଏତେ ପାଠ ପଢି ଆଉ କରିବ ବା କଣ l ଏଇଠି ପାଖରେ ସ୍କୁଲ୍ ଥିଲା ଘରୁ ଶାଗ ପଖାଳ ଖାଇ ପାଦରେ ଚାଲି ଚାଲି ପଳୋଉ ଥିଲା l ସାରେ ମାନେ ବହି ଖାତା ଯୋଗାଡ କରି ଦଉଥିଲେ l ପଢୁ ପଢୁ ଦି ଅକ୍ଷର ପଢିଦେଲା l ଏବେ ତା ନିଜର ସଂସାର କରି ସୁଖରେ ରହିବ କଥା l’

ମିନତି ଜାଣିଗଲେ ଏକୁ ବୁଝେଇ କିଛି ଲାଭ ନାହିଁ l ତାକୁ ପେଟ ଚିନ୍ତା ବ୍ୟତିତ ଆଉ କିଛି ଜଣାନାହିଁ l ଝିଅକୁ ମୁଠାଏ ଭଲ ଖାଇବାକୁ ପିନ୍ଧିବାକୁ ମିଳିବ ବୋଲି ଏତେ ବଡ କୃତିତ୍ବକୁ ହତ୍ୟା କରିଦେବ l ତଥାପି ସେ କହିଲେ -‘ହଁ ଛୁଟି ନବୁ ଯଦି ନେ କିନ୍ତୁ ବାସନ୍ତୀକୁ କାଲି ସକାଳୁ ମୋ ଘରକୁ ନେଇକି ଟିକେ ଆସିବୁ ତା ପାଖରେ ମୋର କାମ ଅଛି l ମୁଁ ତା ସହିତ କଥା ହେଲା ପରେ ତୁ ତା ବାହାଘର ପାଇଁ ଯୋଗାଡ କରିବୁ l ତା ପୁର୍ବରୁ ନୁହେଁ, ବୁଝିଲୁ l’ ହଁ ମା କହି ତାରା ଚାଲିଗଲା l ଦିନ ସାରା ବିଭିନ୍ନ ପ୍ରକାର ନିଜର ଚିନ୍ତା ସହିତ ଆଉ ଏକ ନୁଆ ଚିନ୍ତାରେ ବୁଡିଗଲେ ମିନତି l

ତା ପର ଦିନ ବାସନ୍ତୀକୁ ନେଇ ତାରା ଆସିଗଲା ସକାଳୁ ସକାଳୁ l ମିନତି ପଚାରିଲେ ବାସନ୍ତୀକୁ ତୁ ଏତେ ଭଲ ଛାତ୍ରୀ ହୋଇ ପଢାକୁ ଅଧାରେ ଛାଡ଼ି ଦେଇ ଏତେ ଶୀଘ୍ର ବାହା ହବାକୁ ରାଜି କିପରି ହୋଇଗଲୁ l ମତେ ଆଶ୍ଚର୍ଯ୍ୟ ଲାଗୁଛି l ତୋ ଠାରୁ ଦେଶ ବହୁତ କିଛି ଆଶା ରଖେ l

ବାସନ୍ତୀ ହସିଲା କହିଲା -‘ନାଇଁ ମା’ ବାପା ବୋଉ ଜିଦି କରୁଛନ୍ତି l ମୁଁ କିନ୍ତୁ ପାଠ ମୋର ନସାରିଲା ପର୍ଯ୍ୟନ୍ତ ବାହାଘରର ପ୍ରଶ୍ନ ନାହିଁ l କଲେଜ ଯାଇ ପାଠ ପଢିବା ପାଇଁ ମୋର ବର୍ତମାନ କୌଣସି ସମ୍ବଳ ନାହିଁ | ବିଭିନ୍ନ ଜାଗାକୁ ଛାତ୍ର ବୃତି, ଲୋନ୍ ପାଇଁ ଦରଖାସ୍ତ କରୁଛି କୋଉଠୁ ଯଦି କିଛି ସାହାଯ୍ୟ ମିଳିଯାଏ, ଭାବୁଛି ଏ ବର୍ଷଟା ଘରେ ରହି ଟ୍ୟୁସନ୍ କରି ଟଙ୍କା କିଛି ହାତରେ ରଖିଲା ପରେ ଆର ବର୍ଷକୁ କଲେଜ୍ ଯିବାର ପ୍ଲାନ୍ କରିବି l ଏମାନଙ୍କୁ କହିଲେ ଏମାନେ ସେ ସବୁ ବୁଝିବେନି ତାଙ୍କୁ ବି ଦୋଷ ଦେଇପାରିବିନି l ସେମାନେ ମୋ ପାଇଁ ଯଥେଷ୍ଟ କରିଛନ୍ତି ତାଙ୍କ ଶକ୍ତି ସାମର୍ଥ ଅନୁଯାୟୀ, ଆବଶ୍ୟକତା ଠାରୁ ଅଧିକ l

ତାଂକ ମନ ଖୁସି ପାଇଁ ମୁଁ ରାଜି ହୋଇ ଯାଇଛି ତାଙ୍କର ବି ତ ମୋ ଠାରୁ କିଛି ପ୍ରାପ୍ୟ ଅଛି l ପିଲାକୁ ମୁଁ ଦେଖିବାକୁ ଇଛା କରୁଛି ସେ ମତେ ଦେଖିବା ଆଗରୁ l ତା ପକ୍ଷରେ ପାଠର ମୁଲ୍ୟ କେତେ ମୁଁ ଜାଣିବାକୁ ଚାହୁଁଛି l ସେମାନେ ମତେ ଆଗକୁ ପଢିବାକୁ ରାଜି ହେଲେତ ବାହାଘର ପାଇଁ କଥା ବଢିବ ନଚେତ୍ ସେଇଠି ସେଇ କାହାଣୀର ଶେଷ l ବାପା ବୋଉଙ୍କ କଥା ବି ରହିବ, ମୋର ବି କାମ ହୋଇ ଯିବ l

ବାପା ବୋଉ ଙ୍କର ଏତେ କଥା ସବୁ ବୁଝିବା ସେମାନଙ୍କ ଶକ୍ତି ସାମର୍ଥର ବାହାରେ l ମତେ କିନ୍ତୁ ମୋ ରାସ୍ତା ବାହାର କରିବାକୁ ହେବ l ପାଠ ମୋ ଜୀବନର ବଡ଼ ଲକ୍ଷ l ତାକୁ ଅସମାପ୍ତ କରି ଅଧାରୁ ଛାଡ଼ି ପାରିବିନି l ନିତି ଏମା ନଙ୍କ ଦୁଃଖ ଦୁର୍ଦଶା ମୁଁ ଆଖିରେ ଡେଖୁଚି, ବୁଝୁଛି, ଅନୁଭବ କରୁଛି l ଆଉ ପାଠର କେତେ ମୂଲ୍ୟ, କେତେ ମାନ ସମ୍ମାନ ତା ବି ଦେଖୁଛି l ତେଣୁ ପାଠକୁ କେମିତି ଛାଡିଦେବି l ଯେତେ କଷ୍ଟ ହେଉ ପଢିବି ତ ନିଶ୍ଚୟ l’

ମିନତି କଥା ଆରମ୍ଭ କଲେ -‘ଶୁଣି ବହୁତ ଖୁସି ଲାଗିଲା ତୋ ମୁହଁରୁ ଏକଥା l ଏତେ ଅଭାବ ଅସୁବିଧା ଓ ପ୍ରତିକୂଳ ପରିବେଶରେ ତୁ ରାଜ୍ୟରେ ପ୍ରଥମ ହେବା କେତେ ବଡ଼ ଗୌରବର ବିଷୟ ଏମାନେ ବୁଝି ପାରିବେନି l ମୋର ଇଛା ତୁ ଆଗକୁ ପାଠ ପଢ ଏବଂ ତୋର ସବୁ ପଢା ଖର୍ଚ୍ଚ ମୁଁ ଦେବାକୁ ପ୍ରସ୍ତୁତ l ମୋ ପୁଅ ପାଇଁ ରଖିଥିଲି କିନ୍ତୁ ସେ ଅଯୋଗ୍ୟ ତେଣୁ ତା ପିଛା ଆଉ ଅଯଥା ଖର୍ଚ୍ଚ ନକରି ତୋ ପାଇଁ ଖର୍ଚ୍ଚ କଲେ ଖାଲି ଜଣେ ଲୋକ ନୁହେଁ ସାରା ଦେଶ ଉପକୃତ ହେବ l

ବାସନ୍ତୀ ନିରୁତ୍ତର l ପ୍ରଥମେ କିଛି ବୁଝି ପାରିଲାନି, କଣ ମିନତି କହୁଚନ୍ତି ବୋଲି l ସଂମବିତ ପାଇଲା ପରେ କହିଥିଲା -‘ଆପଣ କାହିଁକି ଏତେ କଷ୍ଟ କରିବେ ମୋ ପାଇଁ ମୁଁ ଯେ କୌଣସି ଉପାୟରେ ମୋ ପାଇଁ ରାସ୍ତା ଖୋଜି ନେବି l ଆପଣ ବ୍ୟସ୍ତ ହୁଅନ୍ତୁନି l’ ହସିଲେ ମିନତି କହିଲେ -‘ହଁ ମୁଁ ଜାଣେ ତୁ କିଛି ନା କଛି ଉପାୟରେ ତୋର ବ୍ୟବସ୍ଥା କରି ପାରିବୁ l ତୋ ମୁଣ୍ଡରେ ଯଥେଷ୍ଟ ବୁଦ୍ଧି ଅଛି lହଁ ମୁଁ ତତେ କୌଣସି ଦୟା ମଧ୍ୟ କରୁ ନାହିଁ l ତୋର ପଢା ସରିଗଲେ ତୁ ଭଲ ଚାକିରୀ ପାଇଲେ ମତେ ସୁଧ ସହ ଫେରସ୍ତ କରିବୁ l ମୁଁ ଭାବୁ ଥିଲି ସେ ଟଙ୍କା ଦ୍ବାରା ମୋ ପୁଅକୁ ଯାହି ତାହି ହେଉ କଲେଜ୍ ଡିଗ୍ରୀ ଖଣ୍ଡେ ଧରେଇ ଦେବି l କିନ୍ତୁ ତା ମୋର ଏକ ବହୁତ ବଡ଼ ମୂର୍ଖାମି ହେବ l’

‘ଏତେ ଅର୍ଥ ଶ୍ରାଦ୍ଧ କରି ତା କଲେଜ୍ ଡିଗ୍ରୀରେ ନା ସେ କିଛି ଉପକାର ପାଇବ ନା ମୁଁ ପାଇବି ନା ଦେଶ l ଅପା ତ୍ରରେ ଦାନ ଏକ ବିରାଟ ନିର୍ବୋଧତା l ବରଂ ତୁ ଏ ଟଙ୍କାକୁ ଉପଯୋଗ କରି ପାଠ ପଢି କିଛି ଭଲ କାମ କରି ପାରିଲେ ଅନେକ ଲୋକ ଉପକୃତ ହେବେ l ତା ବ୍ୟତିତ ତୁ ଟଙ୍କା ଯୋଗାଡ଼ କରୁ କରୁ ହାତରୁ ତୋର ବହୁତ ସମୟ ନଷ୍ଟ ହେବ l ଏମିତିରେ ସମୟ ବହୁତ ମୁଲ୍ୟବାନ l କାହିଁ ନଷ୍ଟ କରିବୁ ଅଯଥା l’

‘ତୁ ମତେ ମନା କରି ନିରାଶ କରିବୁନି ବୋଲି ମୋର ଅଶା ଆଉ ବିଶ୍ବାସ l ଯେତେବେଳେ ତୋର ଦରକାର ହେବ ମତେ ଟଙ୍କା ମାଗିବୁ ନିଶଙ୍କୋଚରେ l ବାସନ୍ତୀର ମନା କରିବା ବି ଆଉ କଣ ଦରକାର l ସବୁ ତାର ଇଛା ଯଦି ଏତେ ସୁବିଧାରେ ଓ ସହଜରେ ପୂରଣ ହୋଇ ପାରୁଛି ତାର ଅନିଚ୍ଛା ପ୍ରକାଶ କରିବା ଆଉ କଣ ଦରକାର l’

ବାସନ୍ତୀ ଡାକ୍ତର ହୋଇ ସାରିଲା ପରେ ନିଜର ଏକ କ୍ଲିନିକ୍ ଖୋଲି ତା ବାପା ମାଙ୍କ ପରି ଅନେକ ଅସହାୟ ଗରିବ ମାନଙ୍କର ଉପକାର ପାଇଁ ନିଜକୁ ଉସ୍ଚର୍ଗ କରିଥିଲା l ସେ ଜାଣିଥିଲା ଦୁଃଖ କଣ, ଦାରିଦ୍ରତା କଣ ଦୈନ୍ୟତା ଓ ଅସହାୟତା କଣ l

ଏବେ ବାସନ୍ତୀର ବାପା ମାଙ୍କ ଠାରୁ ମିନତି ବହୁତ ଖୁସି l ତାଙ୍କ ଅପଦାର୍ଥ ପୁଅ ପାଇଁ ସେ ଟଙ୍କା ଖର୍ଚ୍ଚ କରିଥିଲେ କଣ ହୋଇ ଥାନ୍ତା l ଚାକିରୀ ତ କୋଉଠି କିଛି ମିଳି ନଥାନ୍ତା l ସିଗାରେଟ୍ ଗଂଜେଇ ମଦ ପିଇ ରାସ୍ତାରେ ଗଡିଥାନ୍ତା l ଦେଶ ପାଇଁ ଆଉ ଗୋଟେ ଅପଦାର୍ଥ ସୃଷ୍ଟି କରିଥାନ୍ତେ l

ବାସନ୍ତୀ ଧିରେ ଧିରେ ତାଙ୍କ ଠାରୁ ନେଇଥିବା ଟଙ୍କା ପ୍ରତି ମାସରେ ଶୁଝୁଚି l ଯେତେବେଳେ ମିନତିଙ୍କର ଦେହ କିଛି ଖରାପ ହୁଏ ବାସନ୍ତୀ ପାଖକୁ ଯାଆନ୍ତି l ଖାଲି ଯାଆନ୍ତିନି ତାକୁ ବି ତା କାମରେ ଯେତିକି ସମ୍ଭବ ସାହାଯ୍ୟ କରି ଦେଇ ଆସନ୍ତି l ସେ ନିଜକୁ ବହୁତ୍ ଗର୍ବ ଅନୁଭବ କରନ୍ତି ସେଦିନ ସେ ଯାହା ସିଦ୍ଧାନ୍ତ ନେଇଥିଲେ ତାହା ସମ୍ପୁର୍ଣ୍ଣ ଫଳପ୍ରଦ ହୋଇ ପାରିଛି l

************************************************************


Rate this content
Log in

Similar oriya story from Inspirational