Shanti Mishra

Others

3  

Shanti Mishra

Others

ମଧୁ ଯାମିନୀର ଶେଷ ପ୍ରହର

ମଧୁ ଯାମିନୀର ଶେଷ ପ୍ରହର

4 mins
219



ବୀଥିକା ! ବୀଥିକା, ସେ ପ୍ରାୟ ଦଶଥର ଡାକି ସାରିଲେଣି ସେପଟୁ କିଛି ଉତ୍ତର ନାହିଁ l ଶେଷରେ ଡାର୍ଲିଂ ପରି ଏକ ଶବ୍ଦର ଅମୋଘ ଅସ୍ତ୍ର ବି ପ୍ରୟୋଗ କରି ସାରିଲେଣି ତଥାପି ଉତ୍ତର ଆସୁନି l ଚା କପେ ସେ ମାଗି ମାଗି ଥକି ଗଲେଣି l ପ୍ରତ୍ୟେକ ଦିନ ସେ ଅଫିସରୁ ଫେରି ଚା କପେ ବିସ୍କୁଟ ହଉ କି ମିଠା ଟିକେ ହେଉ କି ମିକଶ୍ଚର ହେଉ ପାଟିରେ ପକେଇ ଦେଇ ଟିଭି ଖୋଲି ସମ୍ବାଦ ଦେଖି ଅନ୍ୟ କାମରେ ଲାଗନ୍ତି l

ବୀଥିକା କଣ ଏକଥା ଜାଣେନି l ବିବାହର ଦଶ ବର୍ଷ ହୋଇ ଗଲାଣି l ଏ ଜୀବନ ଶୈଳୀରେ ସେ ଏତେବେଳକୁ ଅଭ୍ୟସ୍ତ ହୋଇ ଯିବା କଥା l ହଁ ସେ ବେଳେ ବେଳେ କାର୍ଯ୍ୟ ବ୍ୟସ୍ତତାରେ ରହି ଚା ଦେବାରେ ଟିକେ ଡେରି କରି ଦିଏ l ହେଲେ ଆଜି ଏତେ ଡାକ ପରେ ବି କିଛି ଉତ୍ତର ନପାଇ, ସେ ତାକୁ ରୋଷେଇ ଘରେ ନଦେଖି ଶୋଇବା ଘର ଭିତରକୁ ପଶିଗଲେ l ରାଣୀ ବସି ଚୁପଚାପ ଗୋଟେ ମ୍ୟାଗାଜିନ ଭିତରେ ମୁହଁ ମାଡିଛନ୍ତି l

ଆଗେ ମୁନି ଋଷି ମାନେ ଏମିତି ସବୁବେଳେ ନିରବ ରହି କିଛି ଭାବନା ଗ୍ରସ୍ତରେ ଥାଆନ୍ତି l ସଂସାରର ମଙ୍ଗଳ କାମନା ବିଷୟରେ ସବୁ ବେଳେ କିଛି ନା କିଛି ଭାବି ତାର ଉପକାରରେ ଲାଗିଥାନ୍ତି l ଅଯଥା କଥାବାର୍ତ୍ତାରେ ସମୟ ନ ବିତେଇ ମୌନ ଭାବରେ ସମୟ ଅତିବାହିତ କରୁଥିବାରୁ ତାଙ୍କୁ ମୁନି କୁହାଯାଏ l ଆଉ ଋଷିମାନେ ସଂସାରର ଅନେକ ରହସ୍ୟ ଉନ୍ମୋଚନ କରିବାରେ ବ୍ୟସ୍ତ ରୁହନ୍ତି ବୋଲି ତାଙ୍କୁ ଋଷି କୁହାଯାଏ l ଏଇଆ ବିକ୍ରମଙ୍କର ଅନ୍ୟମାନଙ୍କ ଠାରୁ ଶୁଣିଥିବା କଥାରୁ ଅନୁମାନ l କିନ୍ତୁ ବୀଥିକା ତ ଏଥିରୁ କୋଉ ଶ୍ରେଣୀର ନୁହେଁ ତେବେ ସେ କାହିଁକି ଆଜି ଏପରି ମୌନ ବ୍ରତରେ ବସିଛି l କାହାର ଉପକାର ପାଇଁ ତାର ଆଜି ଏ ମୌନତା ନା ଆଉ କିଛି l

ବିକ୍ରମଙ୍କ ପାଟିରୁ ଏପରି କିଛି କଥା ବାହାରୁ ଥିବାର ସରୁ ନସରୁଣୁ ବୀଥିକା କଥା ମଝିକୁ ଲମ୍ଫ ପ୍ରଦାନ କରି କହିଲା ମୁଁ ଋଷି ନୁହେଁ କିନ୍ତୁ କିଛି ରହସ୍ୟ ଭେଦ କରିବାକୁ ଚାହେଁ l କି ରହସ୍ୟ କଥା କହୁଛି ଏ ବୀଥିକା l ଅଳ୍ପ ଚମକି ପଡି ବିକ୍ରମ ପଚାରିଲେ “କି ରହସ୍ୟ ?”

“- ଏ ଲୋପା କିଏ ସେ ?”

“ଲୋପା ! ଲୋପା ନାମରେ ତ ଅନେକ ଝିଅ ଅଛନ୍ତି ଏ ଦେଶରେ l ତୁମେ କୋଉ ଲୋପା କଥା କହୁଛ l”

“ମୁଁ ସେଇ ଲୋପା କଥା କହୁଛି l ଯାହା ଘରେ ତୁମେ ତୁମ ପେନ୍ ଡାଇରି, ରୁମାଲ ଛାଡି ଦେଇ ଆସିଥିଲ l ସେ ଆଜି ଫୋନ କରି ଘରେ ଆସି ଦେଇକି ଯାଇଛି l”

“ଓ ସେଇ ଲୋପା l ସେ ଆମ ଅଫିସରେ କାମ କରେ l ସେଦିନ ତା ଦେହ ଭଲ ନଥିଲା ତ କିଛି ଦରକାରୀ ଅଫିସ ଫାଇଲ ଦବାକୁ ଯାଇଥିଲି l ସେଇଠି ଅନ୍ୟ ଏକ ସାଙ୍ଗର ଫୋନ ନମ୍ବରର ଦରକାର ଥିଲା l ତା ଠୁ ଆଣି ଡାଇରିରେ ଲେଖୁ ଲେଖୁ ବୋଧହୁଏ ଛାଡି ଦେଇ ଆସିଥିଲି କି କଣ l ଘରକୁ ଆସିବାରେ ଡେରି ହେଇ ଯାଉଥିଲା ତ ତେଣୁ ତରତରରେ ଥିଲି l ଆଉ ସବୁ କଣ କହୁଥିଲା l”

“କହିବ ଆଉ କଣ ! ରାସ୍ତାରେ ତାକୁ ସ୍କୁଟର ପଛରେ ବସେଇ ତା ଘରକୁ ଛାଡିବାକୁ ଗଲାବେଳେ କଥାବାର୍ତ୍ତା ତ ସବୁ ସରୁଛି ବାକି କଣ ରହିଲା ଯେ ସେ କହିବ l”

ଆଁ ଏତେ କଥା ଏ ବୀଥିକା ଜାଣିଲା କେମିତି l ସତରେ ଏହା ଭିତରେ ସେ ଜଣେ ବଡ ଋଷି ପାଲଟି ଗଲାଣି ବୋଧହୁଏ l ଅନାୟସରେ ସବୁ ରହସ୍ୟ ଭେଦ କରି ଦଉଛି l ବୀଥିକା କଥା ପୁଣି ଆରମ୍ଭ କଲା l ସେ ଅମର ବାବୁଙ୍କୁ ଫୋନ କରି ଏ ଲୋପା ବିଷୟରେ ସବୁ ତଥ୍ୟ ସଂଗ୍ରହ କରି ନେଇଛି l “ତାକୁ ତୁମେ ସ୍କୁଟରରେ ମଝିରେ ମଝିରେ ନେଇକି ତା ଘରେ ଛାଡ ପୁଣି ବାଟରେ କୋଉଠି ଚା କଫି ପିଅ, ଚାଟ୍ ଖାଅ l ମତେ ସବୁ ଜଣା l ମୋ ବାପା କଣ ସ୍କୁଟର ଏଇଥି ପାଇଁ ଦେଇଥିଲେ l ଆଜିଠୁ ତୁମ ଓଭର ଟାଇମ କାମ ସବୁ ବନ୍ଦ l ଅଫିସ ସରିଲା ମାତ୍ରେ ଘରକୁ ସିଧା ଆସିବ ନଚେତ ନିଜ ଚା ନିଜେ ତିଆରି କରି ପିଇବ l”

ବିକ୍ରମଙ୍କର ମୁଣ୍ଡ ଝାଳେଇ ଗଲା l ହଁ ସ୍କୁଟରଟା ବୀଥିକାର ବାପା ବାହାଘର ବେଳେ ଦେଇଥିଲେ ସତ କିନ୍ତୁ ଏବେତ ସ୍କୁଟରର ମାଲିକ ସିଏ l ତାଙ୍କର ଯାହା ଯେତେବେଳେ ଇଚ୍ଛା ତାହା କରିବା କଥା l ନା କଥାଟା ଅଲଗା ଦିଗରେ ଗତି କରିବାକୁ ଲାଗିଲାଣି ବର୍ତ୍ତମାନ l ସବୁ ମଜ୍ଜା ଆଜିଠୁ ଶେଷ ହେଲା ପରି ଲାଗିଲା l ଖାଲି ତାଙ୍କୁ ନୁହେଁ ଅନେକଙ୍କୁ ଜଣା ଜଣେ ଘରେ ଆଉ ଜଣେ ବାହାରେ ରହିଲେ ମିଞ୍ଜାସ ଟା ଭଲ ରହେ l ବଞ୍ଚିବାର ଆନନ୍ଦ ଦ୍ଵିଗୁଣିତ ହୁଏ l

ସେ ଅମରକୁ ମୁଁ ଛାଡ଼ିବିନି l ସେ କିପରି ଆଜି ରୂପାକୁ ତ କାଲି ଭାନୁକୁ ତ ଆଉ କୋଉଦିନ ମମତାକୁ ନେଇ ତାଙ୍କ ଘରେ ଛାଡି ଦେଇ ଆସୁଛି l ଆଉ ତ ଆଉ ସିନେମା ବି ଯାଉଛି ମଝିରେ ମଝିରେ ସେମାନଙ୍କ ସାଙ୍ଗରେ ଘରେ ବୀଣା ଭାଉଜଙ୍କୁ ମିଛ କଥା କହି l ସବୁଯାଇ ଭାଉଜଙ୍କୁ କହିବି l

ସେଇ ଦିନଠୁ ବିକ୍ରମ ଆଉ ଅମରଙ୍କ ନାଗ ନାଡି l ଅଫିସରେ କେବେ କେମିତି ଦେଖା ହୋଇଗଲେ ସଙ୍ଗେ ସଙ୍ଗେ ଜଣଙ୍କ ମୁଁହ ଉତ୍ତରକୁ ତ ଆଉ ଜଣଙ୍କ ମୁହଁ ଦକ୍ଷିଣକୁ ହୋଇ ଯାଏ l ତାଙ୍କ ଭିତରେ ସିନା ଭଲ ପଡିଲାନି କିନ୍ତୁ ବୀଥିକା ଆଉ ବୀଣାଙ୍କର ବନ୍ଧୁତ୍ଵ ବହୁତ ଗଭୀର ହୋଇ ଯାଇଛି l ବୀଣା ଯୋଉଠୁ ଯାହା ଅଫିସ ଲୋକମାନଙ୍କଠୁ ଶୁଣନ୍ତି ବିକ୍ରମଙ୍କ ବିଷୟରେ ସେଥିରେ ଯୋଡି ଯାଡି ଆହୁରି କିଛି ମସଲା ମିଶାଇ ବିଥିକାଙ୍କୁ ପରଷନ୍ତି l ବୀଥିକା ବି ସେହିପରି ବୀଣାଙ୍କୁ ଅମର ବାବୁଙ୍କ ବିଷୟରେ ଶୁଣିଥିବା କଥାକୁ ବଢେଇ ଚଢେଇ କୁହନ୍ତି l ଏବେ ତ ଘଣ୍ଟା ଘଣ୍ଟା ସେମାଙ୍କ ଫୋନରେ ବିତେ l ଅନ୍ୟମାନଙ୍କ ନାମରେ କିଛି ଚୁଗୁଲି ଗପିଲେ କି ଶୁଣିଲେ କି ମଜ୍ଜା ଲାଗେ l

ସେ ଯାହା ବି ହେଉ ଏବେ କିନ୍ତୁ ବିକ୍ରମ କଣ ଅମର କଣ ଅଫିସ ସରୁ ସରୁ ଘରେ ଆସି ହାଜର ଆଉ କୋଉ ଝିଅକୁ କେବେ ରାଇଡ ଦେବାକୁ ସାହସ କରନ୍ତିନି l ଆଉ ଯଦି ବା ଭୁଲ କ୍ରମେ କେବେ କେମିତି କରି ଧରା ପଡି ଯାଆନ୍ତି ସେଦିନ ଚା କଥା ଛାଡ ରାତ୍ର ଭୋଜନ ବି ମିଳେ ନାହିଁ l କିଏ ସେ ଅଫିସରୁ କ୍ଳାନ୍ତ ହୋଇ ଫେରି ଚା କରି ପିଇବ ନା ହାତରେ ରୋଷେଇ ବାସ କରି ଘରେ ଖାଇବ l ଏମିତିରେ ବାହାର ତେଲ ମସଲା ଦିଆ ହୋଟେଲ ଖାଇବା ତାଙ୍କ ଦେହରେ ଯାଏନା ତା ବ୍ୟତୀତ ବହୁତ ମହଙ୍ଗା ବି l




Rate this content
Log in