ମୋ ଆଈ
ମୋ ଆଈ
ରୋଜା ପଣ୍ଡା
ଗୋରା ତକତକ ଆଈ ମୋହର
ମାଆ ଠୁ ଅଧିକା ସ୍ନେହ ତାଙ୍କର ।।
କଥାରେ ତାଙ୍କର ଏମିତି ବଳ
ପେଟ ପୁରିଯାଏ ଶୁଣିଲେ ମୋର ।।
ହସ ମୁହଁ ତାଙ୍କ ଯେବେ ଦେଖଇ
ସବୁ ଅସାଧ୍ୟ ମୋ ସାଧ୍ୟ ହୁଅଇ ।।
ହସରେ ଏମିତି ଶକ୍ତି ତାଙ୍କର
ଲେଖିବାକୁ ନାହିଁ ଶବଦ ମୋର ।।
ଯେବେ କାର୍ଯ୍ୟାଳୟ ବାହାରେ ମୁହିଁ
ପଛରେ ଆସନ୍ତି ଛାଡିବା ପାଇଁ ।।
ସକାଳେ ମୋ ସାଥେ ଚାହା ପିଅନ୍ତି
ସନ୍ଧ୍ୟାରେ ମୋ ବାଟ ଚାହିଁ ବସନ୍ତି ।।
ଫେରିଲେ ସନ୍ଧ୍ୟାରେ ହୁଅନ୍ତି ଖୁସି
ଖଟି କରୁଥାନ୍ତି ମୋ ପାଖେ ବସି ।।
କୋଳରେ ବସେଇ ଝୁଲାନ୍ତି ମତେ
ଲାଗେ ମାଆ କୋଳେ ଝୁଲୁଛି ସତେ ।।
ନାଲି ଶାଢ଼ୀ ଖଣ୍ଡେ ଯେବେ ମୁଁ ପିନ୍ଧେ
ରଙ୍ଗଣି ଫୁଲ ସେ ଡାକନ୍ତି ମତେ ।।
ସର୍ବାଙ୍ଗ ସୁନ୍ଦରୀ ମତେ ଡାକନ୍ତି
ଯାହା ମୁଁ ପିନ୍ଧିଲେ ଖୁସି ହୁଅନ୍ତି ।।
ମୋ ପାଉଁଜି ସ୍ୱର ଯେବେ ଶୁଣନ୍ତି
ଲକ୍ଷ୍ମୀ ଠାକୁରାଣୀ ବୋଲି କୁହନ୍ତି ।।
ହୃଦୟ ତାଙ୍କର ଆକାଶୁ ବଡ
ସେନେହ ମମତା ବସୁଧା ତୁଲ ।।
ପ୍ରତିବର୍ଷ ଆସନ୍ତି କାର୍ତ୍ତିକ ବେଳେ
ମୁରୁଜ ପକାନ୍ତି ଚୋଉଁରା ମୂଳେ ।।
କାପତା,କାପେତି, ଧର୍ମର ଡଙ୍ଗା
ସରଗ ନିଶୁଣି,ଶଙ୍ଖ, ଚକର, ଗଦା ।।
ତିନି ଠାକୁର ଓ ଦୁଆର ପାଳ
ଜତନେ ଆଙ୍କି ସେ ଚଢାନ୍ତି ମାଳ ।।
ହବିଷ କରନ୍ତି ମାସଟି ଯାକ
ଝୋଟି ,ଚିତା କରି ଅଗଣା ଆଗ ।।
ସଭିଙ୍କୁ ଡାକିସେ ଏକତ୍ର କରି
ଖେଳନ୍ତି ଦହିରେ କଉଡ଼ି ଧରି ।।
ରାଧା ଦାମୋଦର କରନ୍ତି ପୂଜା
ଦେଖିବାକୁ ଲାଗେ ଆହାକି ମଜ଼ା ।।
ପୂର୍ଣ୍ଣମୀରେ ଆଈ ସାଙ୍ଗରେ ଯାଉ
ନଦୀରେ ଆନନ୍ଦେ ଡଙ୍ଗା ଭସାଉ ।।
ହବିଷ ମାସଟି ମହା ଆନନ୍ଦେ କଟେ
ଆଈ ପାଇଁ ଘରେ ହସ ଲହରୀ ଛୁଟେ ।।
କାର୍ତ୍ତିକ ସରିଲେ ଆଈ ପଳାନ୍ତି
ସେପାଇଁ ସଭିଏଁ ଲୁହ ଝରାନ୍ତି ।।
ଯେତେ ଦୁଃଖରେ ବି ଅଧରେ ହସ
ସଭିଙ୍କୁ ସ୍ନେହରେ କରନ୍ତି ବସ ।।
ଆମ ଆଈ ପରି ସଭିଙ୍କୁ ମିଳୁ
ହସ ,ଖୁସି ବାଣ୍ଟି ସମୟ ସରୁ ।।
କାଳ୍ପନିକ ନୁହେଁ କବିତା ମୋର
ସତ୍ୟ ଘଟଣା ଏ ଆମ ଆଈର ।।
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର,ମଧୁପାଟଣା
କଟକ-୭୫୩୦୧୦
Email-roja.saumya@gmail.com