ବିଶ୍ରାନ୍ତି ନେବାର ସମୟ
ବିଶ୍ରାନ୍ତି ନେବାର ସମୟ
“ ଏ ମା କିଛି ଦେ ନା’’ଏ ଡାକରେ ପଛକୁ ଫେରିଲି ଚାହିଁ l
ରାତି ଦିନ ପଢାରତ ଛାତ୍ରୀ, ଅଭ୍ୟସ୍ତ ନଥିଲି ଏପରି ଶୁଣିବା ପାଇଁ ll
ପଛକୁ ଫେରିଲି ଚାହିଁ, ଦୟନୀୟ ବେଶେ କେ ଜଣେ ଚାହିଁଛି ରହି l
ମୋ ମୁଠାକ ପାଇଁ ନେହୁରା ହୋଇ, ହାତ ଦେଇଛି ପତାଇll
ଦୁଃଖ ଲାଗିଲା, ଦୟା ବି ଲାଗିଲା, କିଛି କ୍ଷଣ ପରେ ପୁଣି ରାଗିଗଲି ମୁହିଁ l
କାହିଁକି ଜଣେ ଏପରି ବଞ୍ଚିବ, ବଞ୍ଚିବାର ଆଉ କଣ କିଛି ଉପାୟ ନାହିଁ ll
ଦୁର୍ବଳ ହାତେ ଲଂଗଳା ଛୁଆଟେ ଧରି ଦେଖାଉଛି, ତାକୁ କାଖରେ କାଖେଇ l
ମୋ ପାଇଁ ନ ଦେଲେ ନାହିଁ ମା, ତାକୁ ଗଣ୍ଡେ କିଛି ହେଲେ ଯା ଦେଇ ll
ଧରମ ହୋଇବ ତୋର, ଦେଇ ଦେଲେ ତୋର କିଛି ସରିଯିବ ନାହିଁ l
ଦବା ବାଲା ତତେ ଅନେକ ଦେଇଛି ମା’ ଲୋ, ମତେ କିଛି ଦେଇ ନାହିଁ ll
ପାତର ଅନ୍ତର କରିବା ଅଭ୍ୟାସ ତାର ଏ ଯାଏ ଯାଇନାହିଁ l
କାହାକୁ ଦଉଛି କାହାକୁ ଠକୁଛି, ଏ ହିସାବ ଏକା କହି ପାରେ ସେହି ll
ସବୁ ଦୋଷ ଲଦି ଉପର ବାଲାଙ୍କ ଉପରେ, ନିଶ୍ଚିନ୍ତ ଗଲା ସେ ହୋଇ l
କିନ୍ତୁ ମୋ ମନ ଭିତରେ, ସମାଧାନ ଖୋଜି ଛଟପଟ ହେଉଥିଲି ମୁହିଁ ll
ମୋ ପରି ସିଏବି ତ ନାରୀ, ଦୁଇ ହାତ ଦୁଇ ଗୋଡ ଦୁଇ ଆଖି ଥାଇ l
ମୁଁ ଯଦି ପାରୁଛି ଏକା ଏକା ବଞ୍ଚି, ସେ କାହିଁ ପାରିବ ନାହିଁ ll
କେଉଁ ରାସ୍ତାରେ ଗଲେ, ସିଧା ଚାଲିବ ସେ ଏପରି ଝୁଣ୍ଟିବ ନାହିଁ l
ଏଇ ଶିକ୍ଷା ତାକୁ କେବେ ବୋଧେ, କେହି ଶିଖାଇ ତ ନାହିଁ ll
ସେ ପାଇଁ ସହଜ, ସିନା କଦର୍ଯ୍ୟ ରାସ୍ତାକୁ, ଏପରି ନେଇଅଛି ଆପଣେଇl
ଭାଗ୍ୟ ଆଉ ଭଗବାନଙ୍କ ଉପରୁ କିନ୍ତୁ ଏଯାଏ ଭରଷା ଦେଇନି ତୁଟାଇ ll
ସେ ପାରିବ ନାହିଁ, କିନ୍ତୁ ମୁଁ ତ ପାରିବି, ତାକୁ ଭଲ ରାସ୍ତା କିଛି ଦେଖାଇ l
ମୁକ୍ତ କରିବି ଏ ଜୀବନରୁ, ବଞ୍ଚିବାର ଅନ୍ୟ ମାଧ୍ୟମର ଶିକ୍ଷା ଦେଇ ll
ତା ହାତରେ କିଛି ଦେଲି ସତ, ଅଶାନୁରୁପ ଯଦିଓ ଲାଗିଲା ନାହିଁ l
ସ୍ଥାୟୀ ସମାଧାନ ଏ ସମସ୍ୟାର, ନିଶ୍ଚେ ଖୋଜିବି ଭାବି, ସେ ସ୍ଥାନ ଛାଡିଲି ମୁହିଁ l
ନୁହେଁ ମନ୍ତ୍ରୀ ବା ନେତା ସିନା ତଥାପି କରିବି କିଛି ପ୍ରତିକାର ଏମାନଙ୍କ ପାଇଁl
ଏ ଦେଶର ଜଣେ ଶିକ୍ଷିତା ଝିଅ ମୁଁ, ଏତିକି କଣ କାହା ପାଇଁ କରି ପାରିବି ନାହିଁ ll
ଏ ଦେଶର ଜଳ ବାୟୁର ଋଣ ସୁଝିବାର ସଦୁପୋଯୋଗ ଯିବ ହୋଇ l
ସେଇ ହେବ ମୋର ଉପଯୁକ୍ତ ଉପହାର ମୋ ଦେଶ ଜାତି ପାଇଁ ll
ଉଚ୍ଚ ଶିକ୍ଷା ପାଇଁ ଯାଉଥିଲି ବିଦେଶକୁ, ସେଠାରୁ ଫେରିଲି ଘରକୁ ମୁହିଁ l
ଉଚ୍ଚ ଶିକ୍ଷାର ଡିଗ୍ରୀ ଧରି, ଗୋଟେ ପେଟକୁ ଭଲରେ ପୋଷିବା ପାଇଁ ll
ଯିବି ଏତେ ଦୂରେ ସ୍ବାର୍ଥ ପର ହୋଇ, ସବୁକୁ ଅଣଦେଖା କରି ଦେଇ l
ଯଦି ଏତେ ପେଟ, ଭୋକେ ଛଟପଟ ହେଉଥିବ, ଆହାର ଗଣ୍ଡାକ ପାଇଁll
କି କରିବି ସେ ଶିକ୍ଷା ଦୀକ୍ଷା ଉଚ୍ଚ ପଦ ଓ ସମ୍ମାନ୍ନ ଯଦି କାହା ଉପକାରରେ ଲାଗିବ ନାହିଁ l
ନିଜକୁ କି କେବେ କ୍ଷମା ଦେଇ ନିଶ୍ଚିନ୍ତେ ପାରିବି କେବେ ହେଲେ ଶୋଇ ll
ସେ ଦିନର ସେଇ ଦୁଃଖିନୀ ନାରୀର ଅସହାୟ ଆକ୍ଷି ବହୁ କଥା ଦେଇଥିଲା କହି l
ଲାଗିବ ଯଦି ଦେଶ ସେବାରେ ଲାଗ ତା ଠୁ ବଡ ଡିଗ୍ରୀ ଆଉ କଣ ପାରେ ଥାଇ ll