ମୁଁ ନାହିଁ
ମୁଁ ନାହିଁ
ସତ କହୁଛି , ଏ ଛଳନାର ବିସ୍ତୀର୍ଣ୍ଣ ପରିଧି ଭିତରେ କୋଉଠି ବି ମୁଁ ନାହିଁ ।
ତୁମେ ହୁଏତ ଦେଖିଥିବ , ମୋ ଆକୃତିର ପ୍ରଛାୟାକୁ ଦିକ ଦିକ ଆଲୁଅରେ ଦୋଳାୟମାନ ହେଉଥିବାର ।
ସମୟର କୁଟା କାଠିରେ ଜୀବନର ଛପର କରୁଥିବା ଅଧାଗଢା ମଣିଷଟି ଚଳଚଂଚଳ ହେଉଥିବାର ।
ସେଠି କିନ୍ତୁ ମୁଁ ନାହିଁ ।
ତୁମେବି ଦେଖିଥିବ , ଅମାବାସ୍ୟା ରାତିରେ ଆକାଶକୁ ଚାହିଁ ପୁନେଇ ଜହ୍ନକୁ ଖୋଜୁଥିବା ଏ ଆଖି ଯୋଡ଼ାକୁ ।
ଆହୁରି ବି ଦେଖିଥିବ , ପଲାଶ ଫୁଲରୁ ଆଞ୍ଜୁଳାଏ ବୋହି ଆଣି ଘର ଅଗଣାକୁ ବାସ୍ନାୟିତ କରୁଥିବା ଏ ନରମ ପାପୁଲି ଯୋଡ଼ାକୁ ।
ସେଠି ବି ତ ମୁଁ ନାହିଁ ।
କହିବି କହିବି ହେଇ କହି ପାରିନି ଆଜି ଯାଏ , ମୁଁ କୋଉଠି ଅଛି ।
ହେଲେ ତମେ ଥରେ ଦେଖ । ଆଉ ଥରେ ଦେଖ , ଏଥର ଟିକେ ପାଖରୁ ଦେଖ ।
ଜାଣିପାରିବ , ମୁଁ କୋଉଠି ବି ନାହିଁ ,
ସତ କହୁଛି ମୁଁ ବିଲକୁଲ ନାହିଁ ।