ଜୟ ଯଜମାନୀ
ଜୟ ଯଜମାନୀ
ହଗୁରା ପିଚାରେ ଦନେଇ ଭାଇନା
ଶେଉଳ ମାଡି ବସିଲା,
କାନେ ଦେଇଥିଲା ପଇତା ଖସିଲା,
ଶେଉଳ ଚମ୍ପଟ ଦେଲା।
କଣା ଆଖି ଥାଇ , କି ଲାଭରେ ଭାଇ,
ଆଖିକି କଷଣ ସିନା,
ଶ୍ରୁବ,ଶ୍ରୁଚ ଧରି ଗୋସେଇଁ ଯାଉଚି,
ଗାୟତ୍ରୀ ମନ୍ତ୍ର ଆସେନା।
କରି 'ନରୌ ନରା' ଦନେଇ ଡହରା,
ଶ୍ରାଦ୍ଧ ମାନ ଦିଏ ସାରି,
କିଏ ସେ ଜାଣିଚି ସକାଳୁ ଖାଇଚି,
ରାମପକ୍ଷୀ* ତରକାରୀ।
ପିନ୍ଧି ସାତହାତୀ ଖୁରୁଧା ଗାମୁଛା,
ନାଲି କୋଚଟ ମଇଳା,
କାନ୍ଧରେ ପଇତା କଳା କିଟି କିଟି,
ମାଜିନି ଛ'ମାସ ହେଲା।
ଝାଡା ଛୁଆଁଚିରେ ପଶେ ରୋଷଘରେ,
ଖାଏ ପଖାଳ ଶୁକୁଆ,
ଦିନବେଳେ ଯଜମାନୀ ସଂଜ ହେଲେ,
ଆସ୍କାଫଟି ହୁଏ ପିଆ।
ଶୁଦ୍ଧଘର କାମ କରିବାରେ ନାମ
କମେଇଚି ସିଏ ବଡ,
ଦଶଦିନଯାଏ ହାଙ୍କିକିରି ଖାଏ
ଚାଟୁଥାଏ ଜନ୍ଦାଗୋଡ।
ପ୍ରଧାନମନ୍ତିରୀ ଘର ଯୋଜନାରେ,
ପାଇଲା ଡାବୁ ଯେତେକ,
ମଦ ମାଉଁଷରେ ଉଡେଇଲା,ଏବେ
ଶୁଜିବାକୁ ହଙ୍କପଙ୍କ।
ମାଇପକୁ ମୁଥ ମାରି ଛାମୁଦାନ୍ତ
ଯୋଡିଏ ଦେଇଚି ଝାଡି,
ଆଗ ମାଇପଟି କଷଣ ନ ସହି,
ଲଗେଇଥିଲା ଦଉଡି।
ପୁଅଟିଏ ଥେଲା,ଘର ଛାଡିଦେଲା,
ଦେଖି ବୋପା କରାମତି,
ଦଶ ବରଷର ଝୁଅକୁ କରେ ସେ
ବିଧା ଗୋଇଠା ଆରତି।
ଗଛ ଯହିଁ ନାହିଁ,ଗବଗଛ ସେହି,
ଗୋସେଇଁ ମିଳନ୍ତି ନାହିଁ,
ପଇଆ ଶିରାଧ ବେଳେ କଚେପୁଅ-
ବାଆର ଦନେଇ ଭାଇ।
* ରାମପକ୍ଷୀ--କୁକୁଡା