ଘୋଷଯାତ୍ରା (୪)
ଘୋଷଯାତ୍ରା (୪)


ଦେଉଳଯେ ବଡ, ଠାକୁର ବି ବଡ, ରଥ ବଡ ପଥ ବଡ,
ମହୋଦଧି ବଡ, ଭକତ ବି ବଡ, ପ୍ରଭୁଙ୍କର ଭାବ ବଡ,
ବଡ ଭକତ ପ୍ରେମ,
ବଡ ଆରତ ତାରଣ ନାମ ହେ !
ଫରଫର ହୋଇ ବାନା ଯେ ଉଡଇ ନନ୍ଦିଘୋଷେ ପ୍ରଭୁଙ୍କର,
ବଡଦାଣ୍ଡେ ଆସି ନନ୍ଦିଘୋଷେ ବସି ହସୁଛନ୍ତି ରଙ୍ଗାଧର,
ଦେଖ କାଳିଆ ହାତୀ,
କି ସୁନ୍ଦର ଶୋଭା ପାଉଛନ୍ତି ହେ !
ଏଡେବଡ ପ୍ରଭୁ ଆଶ୍ରା କରି ବାବୁ କାହିଁକି ରହିବ ଦୁଃଖ?
ଦାନା କନା ପଛେ ନମିଳୁ ଯେ ଇଚ୍ଛେ,ଦେଖିଦେଲେ କଳାମୁଖ,
ମିଳେ ଅସୀମ ଶାନ୍ତି,
ରଥାରୂଢ଼ ବାମନ ମୂରତି ହେ।
ମା
ଗିବାକୁ ଯାହା ଭକ୍ତ ଚାହେଁ ତାହା ପାଶୋରି ପକାଏ କ୍ଷଣେ,
"ତରିଲି" ବୋଲଇ ରଥାସୀନ ଚାହିଁ ସ୍ୟନ୍ଦନେ ନନ୍ଦନନ୍ଦନେ,
ବୋଲେ "ପରାଣ ଯାଉ,
ତୁମ୍ଭ ପଦ୍ମପାଦେ ଲୀନ ହେଉ ହେ ।'
ପୁତ୍ର ବୋଲି ଭାଳି କେ ହୋଇ ବାଉଳି ବୋଲେ"ଆ ମୋର ଧନ,
କହେ କେଉଁ ଭକ୍ତ ହେ ପରମ ତାତ ! ଦିଅ ତୁମ୍ଭ ପାଦେ ସ୍ଥାନ,
କେହୁ ବୋଲେ ମୁଁ ଦାସୀ,
ସେବିବଇଁ ପାଦତଳେ ବସି ହେ।
ଯେ ଯେଉଁ ଭାବରେ ଡାକେ ତା'କର୍ଣ୍ଣରେ ଶୁଣନ୍ତି ରଙ୍ଗାଅଧର,
ସେ ପତିତ ପାଇଁ ଆସିଛନ୍ତି ଧାଇଁ ଛାଡିଣ ନୀଳକନ୍ଦର,
ସେତ ଭାବ ସାଗର,
ଭବାର୍ଣ୍ଣବେ ପୋତ କର୍ଣ୍ଣଧାର ହେ !