ଅଳପ ବୁଦ୍ଧି
ଅଳପ ବୁଦ୍ଧି
ରବିବାର ଆଜି ସକାଳୁ ସକାଳୁ
ହୋଇଛି ଝଗଡା ଝାଣ୍ଟି
ପତିଙ୍କର ଟାଣ କଥା ପଦକରେ
ଯାଇଅଛି ମୁହଁ ଶୁଖି ।
କହିଛନ୍ତି ସିଏ ଭାଗିଅ ଖରାପ
ସେଥି ପାଇଁ ହେଲେ ବାହା
ହାତ ଧରିବାକୁ ନହେଲେ ତାଙ୍କର
କେତେ ହେଉଥିଲେ ବାୟା ।
ଅଲିଅଳ ସିଏ ବାପା ବୋଉଙ୍କର
ବଢିଥିଲେ ଗେହ୍ଲା ପାଇ
ଏତେ ଟାଣ କଥା କେବେ ବି ଭୁଲ୍ ରେ
କହି ତ ନଥିଲା କେହି ।
ଏ ଅପମାନକୁ ସହି ନପାରିବେ
ଖାଇବେ ବିଷ ଜହର
ନହେଲେ ଛାଡିକି ଚାଲିଯିବେ ସିଏ
ପତିଙ୍କର ଘରଦ୍ୱାର ।
ବାର ବର୍ଷ କଳା ଖଟି ଖଟି କଣ୍ଟା
ହେଲାଣି ତାଙ୍କର ଦେହ
ପ୍ରଶଂସା ରହିଲା କୋଉଠି କେଜାଣି
ହୋଇଗଲେ କାଳଗ୍ରହ ।
କାନ୍ଦନ୍ତି ଘରଣୀ, ପତିଙ୍କୁ ଶୁଣାଇ
କୁହନ୍ତି – ‘ଠାକୁରେ ଶୁଣ
କାହାର ଭାଗିଅ ଖରାପ କୁହ ହେ
ନର ରୂପୀ ନାରାୟଣ ।
କି ଦେଖିଲେ ତୁମ ଠେଇଁ ବାପା ବୋଉ
ଦେଲେ ମୋ ହାତକୁ ଛନ୍ଦି
ବାହା ଦିନ ଠାରୁ ଉଡନ୍ତା ଚଢେଇ
ପଞ୍ଜୁରିରେ ଅଛି ବନ୍ଦୀ ।
ରୂପ ଗୁଣ କିବା କିମିଆ କଲା କି
ଅବା କଲା ତୁମ କୁର୍ସି
ଥରେ ବି ତ ଆସି ପଚାରିଲେ ନାହିଁ
ଅଛି କି ନଅଛି ଖୁସି ।
କା’ ଆଗେ କହିବି, କିଏ ବା ଶୁଣିବ
ସଭିଏଁ ତ ଏଠି ପର
ଯିଏ ଆଣିଥିଲା, ସିଏ ତ କହୁଛି
‘ଭାଗ୍ୟଟା ଖରାପ ତା’ର ।’
ହେଲେ ଜାଣିନାହିଁ ତାକୁ ବାହାହୋଇ
କେମିତି କାଟେ ମୁଁ ଦିନ
ଖଜୁରୀ ଗଛର କିସ ବାହୁନିବି
ସଂସାରରେ ନାହିଁ ଧ୍ୟାନ ।
ବଡ ଅଫିସର ନାମକୁ ମାତର
ମୁଣ୍ଡେ ନାହିଁ ପଳେ ବୁଦ୍ଧି
କେମିତି ଚଳଇ ସଂସାରର ରଥ
ଥରେ ଭଲା ପଚାରନ୍ତି ?
କୁହନ୍ତି ଭାଗ୍ୟଟା ଖରାପ ଥିଲାଠୁ
ହେଇଗଲେ ମତେ ବାହା
ବାର ବର୍ଷ ପରେ ମନେ ପଡିଗଲା
କେମିତି ସେକଥା ଆହାଃ ।
ଦିନରାତି ବୁଲା ଘିରି ଘିରି କରି
ସମ୍ଭାଳେ ମୁଁ ପିଲାଛୁଆ
ତା’ ସାଙ୍ଗକୁ ଶାଶୁ ଶ୍ୱଶୁରଙ୍କ ତାଉ
ଶୁଣି ଶୁଣିକି ହାଲିଆ ।
ବେଳ ଅବେଳରେ ଚାଲି ଆସୁଛନ୍ତି
ଗାଁରୁ ଯେତେ ଅତିଥି
ସେମାନଙ୍କ ଚର୍ଚ୍ଚା କରିବା ଭିତରେ
ବୟସ ପୂରା ବିତିଛି ।
ସଉକି କରିବା କାହାକୁ କୁହନ୍ତି,
ଭୁଲିଛି ମୁଁ ବାହାହୋଇ
ଏମିତି ପୁରୁଷ ହାତ ଧରିଲି ଯେ
ବିତିଲା ଦିନ ସକେଇ ।‘
ସକାଳ ପହରୁ ପତ୍ନୀଙ୍କ ମୁଖରୁ
ଛୁଟୁଛି ଗୋଳା ବାରୁଦ
ପତିଙ୍କର କାନ ତାବଦା ହେଲାଣି
ଏଥର ମୁଣ୍ଡ ବିନ୍ଧିବ ।
“ସାମାନ୍ୟ କଥାକୁ ଲମ୍ୱେଇ ଲମ୍ୱେଇ
ଥୋଇଲଣି କୋଉଠେଇ
ରାଗରେ ପଦଟେ କହିଦେଲି ବୋଲି
ବସିଛ ମୁହଁ ଫୁଲେଇ ।
ପତି ପତ୍ନୀଙ୍କର ସଂସାର ଭିତରେ
ହୁଏନା କି ପାଟିତୁଣ୍ଡ ?
ସେ କଥାକୁ ଫେଣି, ସକାଳ ପହରୁ
ଖରାପ କରୁଛ ମୁଣ୍ଡ ।
ଭୁଲ୍ ମୋର ସବୁ ମାନି ତ ଯାଉଛି
ଶୁଣ ଆଗୋ ପ୍ରାଣ ପ୍ରିୟେ
ସକାଳ ଭୁଲ୍ ର ସଂଶୋଧନ ପାଇଁ
ଦଣ୍ଡ ଦେଇପାର ତୁମେ ।
ଅଳ୍ପ ବୁଦ୍ଧି ବୋଲି ପଛରେ ପଡିଲି
ତୁମକୁ ମୁଁ ଭଲପାଇ
ତୁମେ ବୁଦ୍ଧିମତୀ ତେଣୁ କରି ଖୁସି
ହେଇଗଲ ଦେଖି ଦେଇ ।
ବାହାକଥା ଆମ ଉଠିଲା ମାତ୍ରକେ
ରାଜି ହେଲ ସଙ୍ଗେ ସଙ୍ଗେ
ଭାବିଲ ମୋ ଭଳି ‘ବକରା’ ମିଳିବା
ସମ୍ଭବ ନୁହେଁ ଏ ଭବେ ।
ଭଲ ପାଇ ଭୁଲ୍ କରିଥିଲି ବୋଲି
ପାଉଛି ଆଜି ଏ ଦଣ୍ଡ
ସବୁ ଦୋଷ ଅଟେ ହୃଦୟର ସିନା
ଅପବାଦ ପାଏ ମୁଣ୍ଡ ।
ତୁମ ବୁଦ୍ଧିକୁ ମୁଁ ତାରିଫ କରିକି
ନିନ୍ଦେ ମୋ ଅଳ୍ପ ବୁଦ୍ଧିକୁ
ରୂପେ ନଭଳିକି ଭାବିଥିଲେ ଦେଖୁ
ନଥାନ୍ତି ଏ କାନ୍ଦୁରା ମୁହଁକୁ ।