ଆସିଲା ଶୀତ
ଆସିଲା ଶୀତ
ପଲ୍ଲୀ କବିତା
(ଆସିଲା ଶୀତ)
ପୁଷମାସ ହେଲା ଶୀତ ଘନେଇଲା
ସଦେଇ ଭାରିଜା ବୁଢୀ,
ପାହାନ୍ତାରୁ ଉଠି ଧାନ ଉଷୋଁଉଚି
କରିବାକୁ ଚୁଡା ମୁଢି।
ଥୁରୁ ଥୁରୁ ହେଇ ସଦେଇ ଆସିଲା
ହାତରେ ବାଙ୍କୁଲି ବାଡି,
ନିଆଁ ପୋଇଁବାକୁ ଚୁଲିମୁଣ୍ଡେ ବସି
ଲଗେଇଲା ଖଣ୍ଡେ ବିଡି।
କୁଁ କୁଁ ହେଇ ଗେଲୀ କୁତୀ ତାର
ଧରି ପାଞ୍ଚ ମାଇ ଛୁଆ,
ଲାଂଜ ହଲେଇଲା ବୁଢୀପାଖେ ,ଛୁଆ
ହେଉଥିଲେ କୁଁ କାଁ।
ବୁଢୀ କହିଲା "ଏ ଆଣ୍ଡର କୁତୀଟା
ଏଡିକି ମଡିଛି ଛିଆ,
ସବୁ ସନ ପଲେ ଛୁଆ ଉଗାଳୁଚି
ଗୋଟିଏ ଜୀଅନ୍ତେ ଯାହା।
କାଳିଆ ବିଲେଇ ଘଷିହେଲା ଆସି
ମିଆଉଁ ମିଆଁଉ ହେଇ,
ଘୁଡୁ ଘୁଡୁ ହେଲା ବୁଢାର ଚାଦର
ଭିତରେ ଶୋଇଲା ଯାଇ।
ଚୁଲି ମୋହୁଁ ମୋହୁଁ ବୁଢୀକହେ "କାଲି
ଚଣାସାଗ ମୁଠେ ତୋଳ,
ଝୁଅ ଘରେ ଯାଇ ଦେଇ, ନେଉଟିବ
ସଂଜ ଆଗରୁ ସଅଳ।
ଅଢେଇଶ ଖାରପାଣିଆ କିଣିଚି,
ରଖିଚି ପାଛିଏ ସାରୁ,
ବାଇଗଣ ଯୋଡେ ବାଇରୁ ତୋଳିବି,
ଯିବ ସକାରୁ ସକାରୁ।
ବାଇରେ ଫୁଟିଚି ଭରା ଗେଣ୍ଡୁଫୁଲ
ଝୁଅ ମନେପଡେ ମୋର,
କେଡେ ଶରଧାରେ ସବୁ ବରଷ ସେ
ଗୁନ୍ଥେ ଦିଅଁଙ୍କର ହାର।
ଝୁଅ ଜନମ ତ ପରଘରକୁ ଲୋ,
ରଖି ଥାଆନ୍ତି କେମେତେ,
ଝିଅ ଘିଅ ପରା ରହଣିଆ ହୁଏ
ଘରେ ସାଇତିବୁ ଯେତେ।
ଖୁଁ ଖୁଁ ବୁଢା ଖାସିବାର ଦେଖି,
ବୁଢୀକହେ "ନିଆଁ ଚୁଲି,
ଶୀତଦିନଟାରେ ଖାସ କୋପୋଉଚି,
ଟାଣନି କେତେ କହିଲି।
ବେଙ୍ଗେଳା ବେଳର ଧାନ ଧୂଳି ପଶି,
ଖାସ ଅସାଧ୍ୟ ହେଲାଣି,
ବଇଦକୁ ଯାଇ ଦେଖଉନ କିଆଁ
ବେଙ୍ଗେଳା ତ ସରିଲାଣି।
ପତଳା ହେଲାଣି ପାହାନ୍ତି ଅନ୍ଧାର
ଉଦେ ହେଲେଣି ଅରୁଣ,
ପତର ଉପରେ ଚକମକ ହୁଏ,
କାକର ପଡି କୀରଣ।
ବୁଢାକହେ "ଆଲୋ ସାବିବୋଉ,
ତୋର ନାକଚଣା ପରି ଦିଶେ,
ପତର ଉପରେ ଝିଲିମିଲି ଯୋଉଁ
କାକର ବିନ୍ଦୁ ଝଲସେ।"
ନାଜରେ ଓଢଣୀ ମୁହଁରେ ଘୋଡେଇ
ବୁଢୀକହେ "ମୋ ଛୋପରା,
ବୁଢାକାଳେ ପେମ ଉଗୋଉଚି,ମୁଁ
କଣ କରିବି ପରା।"
କିଚିରି ମିଚିରି ଚଢେଇ ରାବିଲେ
ସତେ ବୁଢୀକଥା ଶୁଣି,
ହସି କହେ ବୁଢା "ନାଲି ଚା' ଟିକେ
କରେ ମୋ ଘରମଣି।"
ଭଲକିରି ଅଦା ଛେଚି ପକେଇବୁ,
ଜୋର ପଡିଚି ଶୀତ,
ଉସୁମୁ ମୁଢିରେ ସୋରିଷ ତେଲରୁ
ଟିକିଏ ପକା ମୋ ମିତ।
ଝୁଅଘର ଯିବା କାଲିକି ଥାଉ ଲୋ
ବିଲେରେ ବହୁତୁ କାମ,
ମୁଁ ନହେଲେ ବି ସଙ୍ଖୋଳି ଆସିବ,
ଭଉଣୀକି ଯାଇ ଦାମ।"
କାଲି କୁହୁଡିରେ ବାଟ ଦୁଶିଲାନି
ଆଜି ଦେଏଖେ ଉଜ୍ଜଳ,
କି ବିଚିତ୍ର ଲୀଳା କରନ୍ତି ଠାକୁରେ
ସେ ତ ବଡ ଚିତ୍ରକାର।"
ଚା'ପିଇସାରି ସଦେଇ ଚାଲିଲା
ହାତେ ବାଉଁଶ ଠେଙ୍ଗେଣି,
ବିଲଆଡେ ଯାଇ ଫସଲ ତୋଳିବ,
ବେଳ ଦିଘଡି ହେଲାଣି।
ଧଳା କୋଶଳାକୁ ଧନିଆ ପତର
ମଟର ଛୁଇଁ ତୋଳିବ,
ମୁକ୍ତକେଶୀ ବାଇଗଣ ସଙ୍ଗେ କିଛି
ବଂଧାକୋବି ତହିଁ ଥିବ।
ନାଲି ନାଲି ଦେଶୀ ପାଚିଲାଘାଣ୍ଟର
ଚାହିଦା ଗାଁ ହାଟରେ।
ଭଲ ଦି'ପଇସା କମଉଚି ବୁଢା
ସବୁ ସନ ଏ ଶୀତରେ।