STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ଉଠରେ ସନ୍ତାନ

ଉଠରେ ସନ୍ତାନ

1 min
317


ଉଠରେ ସନ୍ତାନ ଉଠ ଉଠ ବେଗି

        ଶୋଇଥିବ ଆଉ କେତେଦିନ,

ଭାରତ ମାତା ମୁଁ କହୁଛି ଆବେଗେ

        ଲୁହରେ ଭିଜୁଛି ମୋ ନୟନ ।।


କି ଥିଲି କାଲି ମୁଁ କି ହୋଇଛି ଆଜି

       ଥରେ ଟିକେ ବାବୁ ମନେ ହେଜ,

ପୂରୁବ ଗୌରବ ପଡୁନି କି ମନେ

       କାହିଁ ଗଲା ତୁମ ପୂର୍ବ ତେଜ ?


ପୂରୁବ ,ପଶ୍ଚିମ ,ଉତ୍ତର, ଦକ୍ଷିଣ

         ଚଉଦିଗେ ଶୁଭେ ହାହାକାର,

ଗୁଳି ଗୋଳା ଗନ୍ଧ ସହି ମୁଁ ପାରୁନି 

        ଭୟରେ ଥରୁଛି ଛାତି ମୋର ।।


ହିଂସା ଓ କପଟ ସ୍ବାର୍ଥ ଅହଙ୍କାରେ

         ଚାଲୁଛ ବାବୁରେ ଦିନ ରାତି,

ରକତର ଧାର ବୋହୁଛି ଧରାରେ

         କେମିତି ସହିବ ମୋର ଛାତି ?


କହିଥିଲି ଦିନେ ତମକୁ ବୁଝାଇ

        ସତ୍ୟ ଅହିଂସାର ମୂଳ କଥା,

ଭାଇଚାରା ଭାବ ଆମ ମୂଳ ମନ୍ତ୍ର 

        ଦେବା ନାହଁ କାହା ମନେ ବ୍ୟଥା ।।


ଜନ୍ମ ଦେଇଥିଲି କେତେ ବୀର ପୁତ୍ର 

        ରଖିଥିଲେ ଉଚ୍ଚେ ଟେକ ମୋର,

କି ଶିଖିଲ ବାବୁ ସେମାନଙ୍କ ଠାରୂ

       ଆଜି ମାଗୁଛି ମୁଁ ତା' ଉତ୍ତର  ।।


ମୋ ଦେହରେ ବହେ କଳ କଳ ହୋଇ

          କୃଷ୍ଣା,କେବେରୀ,ଗଙ୍ଗା, ଯମୁନା ,

ସେହି ନଦୀ ଜଳ ଭାଗ ବଣ୍ଟା ପାଇଁ 

          ଭୋଗୁଛ ବାବୁ ନାନା ଯାତନା ।।


ଜଙ୍ଗଲ ସମ୍ପଦ କରୁଛରେ ଧ୍ବୃଂସ

        ପରିବେଶ ହୁଏ ପ୍ରଦୂଷଣ,

କେତେ ଖଣି ପୁଣି କଳ କାରଖାନା

        ଧୂଆଁରେ ଶିଝୁଛ ରାତି ଦିନ ।।


ଉନ୍ନତି ନାଆଁରେ କେତେ ଅବନତି

        ଦୁଇ ଆଖି ମୋ ସବୁ ଦେଖୁଛି,

ମଣିଷ ପଣିଆ ଗଲାଣିରେ ହଜି

        ଶସ୍ତା ଜିନିଷେ ମନ ବଳିଛି  ।।


ମାଆ ମୁଁ ତମର ସବୁ ସହୁଛିରେ

         କେତେ ଯେ ଅଳି କେତେ ଅଝଟ,

ଆଗକୁ ବିପଦ ଆସୁଛିରେ ମାଡି

         କହୁଛି କଥା ସତ ନିରାଟ   ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational