ରୋଗୀଣା ମା'ର କଥା
ରୋଗୀଣା ମା'ର କଥା
ତୋ କୋଠା ପଛରେ ମୋ ପାଇଁ ପରା ତୁ
କୁଡ଼ିଆ ଦେଇଛୁ ତୋଳି
ସେହି ଘରେ ପରା ଶାନ୍ତିରେ ଥିଲି ମୁଁ
ଡିବିରି ଆଲୁଅ ଜାଳି ।
ଚାହିଁ ନାହିଁ କେବେ ମାର୍ବଲ ଚଟାଣେ
ପାଦ ମୋ ରଖିବା ପାଇଁ
ମୁଁ ପରା ବୁଢୀଟା ସେହି ଚଟାଣରେ
ପରିବିକି ପାଦ ଥୋଇ ।
ଶାଶୁକୁ ତୋହର ଘରେ ତୋର ଦେଖି
କରିନାହିଁ ମନ ଉଣା
କା ସାଥେ କେମିତି ଚଳିବାକୁ ହେବ
ସେ କଥା ମୋତେ ହିଁ ଜଣା ।
ଯେବେ ଭୋଜିଭାତ ଘରେ ତୋର ହୁଏ
ମାଗିଛିକି କହ କେବେ
ସବୁଗଲା ପରେ ବଞ୍ଚି ଗଲେ କିଛି
ଆଣି ଦେଉ ପରା ତେବେ ।
କରିନାହୁଁ ବୋଲି ସେବା ତୁ ମୋହର
କେମିତି କହିବି କହ
ମୋତେ ଛାଡ଼ନାହୁଁ ବୃଦ୍ଧାଶ୍ରମେ ତୁହି
କହିଛୁ ଏଇଠି ରହ ।
ଏଇଠି ତୋହର ପୁଅ ଝିଅ ଦେଖି
ହେଉଛି ଯେତିକି ଖୁସି
ବୃଦ୍ଧାଶ୍ରମେ କଣ ସେତିକି ମିଳନ୍ତା
ମରନ୍ତିନି ବସି ବସି ।
କହିବାକୁ ତୋତେ ଚାହୁଁଛି ଏତିକି
ପାରୁନାହିଁ କିଛି କରି
ପାରିବୁ ଯଦି ତୁ ଦୟାକରି ମୋତେ
ଦେବୁ ଭାତ ତରକାରୀ ।
ମାଗୁନାହିଁ ତୋତେ ସବୁଦିନ ପାଇଁ
ଖାଦ୍ୟରୁ ବଞ୍ଚେଇ ଦେବୁ
ଯେଉଁଦିନ ଯାହା ଫୋପାଡ଼ି ଦେଉଛୁ
ମୋ କଥା ସେବେ ଭାବିବୁ ।
ଦେଖୁଛି ନିଇତି ବୋହୁ ମା ମୋହର
କୁକୁରକୁ ଡାକି ଦିଏ
ଦେଖିଦେଲେ ମୋତେ ନାକକୁ ଟେକିକି
ଘରକୁ ପଳେଇ ଯାଏ ।
ନଦେବା ପାଇଁକି ମନ ଚାହେଁ ଯଦି
କରିବି ନାହିଁ ମୁଁ ରାଗ
କୁକୁରକୁ ଯାହା ଦେଉଅଛୁ ନିତି
କରିବି ସେଥିରୁ ଭାଗ ।
ସମସ୍ତେ କୁହନ୍ତି କୁକୁରଟା କାଳେ
ସବୁଠୁ ବିଶ୍ୱସ୍ତ ପ୍ରାଣୀ
ଜାଣିଅଛି କେବେ କରିବନି ମନା
ଦୁଃଖ ମୋ ପରିବ ଜାଣି ।