ନବଦୃଷ୍ଟିଙ୍କୁ
ନବଦୃଷ୍ଟିଙ୍କୁ
ନବଦୃଷ୍ଟିଙ୍କୁ
ଆଭାକାନ୍ତ ମହାନ୍ତି
ଆଧୁନିକେ, ଛନ୍ଦ ରୀତିରେ ଲିଖିତ
ପୁରୁଣାକାଳିଆ ଚିନ୍ତନ,
ଅସହ୍ୟ ଲାଗଇ ଯା'କୁ, ଥାଏ କିରେ
ତା ପାଶେ ସାହିତ୍ୟ ଚେତନ ?
ଆଧୁନିକ ବୋଲି ଅଜାଟା ଅସହ୍ୟ
ଯୁକ୍ତିରେ ଯଦି କା' ରହିଲା,
ତାହାଙ୍କୁ ଆଦିଠୁଁ ସାମ୍ପ୍ରତିକ ଛନ୍ଦ
ବିରକ୍ତିଆ ବୋଧ ହୋଇଲା ।
ଅଜା ଆଧୁନିକ ଥିଲେ ଦିନେ ତାଙ୍କ
ଗୁରୁ-ଗୁରୁଜନ ପାଶରେ,
ତେବେ ସେ ଏପରି ପରମ୍ପରାଦ୍ରୋହୀ
ନଥିଲେ ଅହଂର ବଶରେ ।
ସାହିତ୍ୟର ଛନ୍ଦବଦ୍ଧକୁ ‘କବିତା'
ନାମିତ ଆଜିର ନୁହଇଁ,
ମନକୁ ଆତ୍ମାର ଆଖ୍ୟା ଦେଇଦେଲେ
ତାହା କି ଉଚିତ ହୁଅଇ ?
ଆଧୁନିକତାରେ ସାହସ କି ନାହିଁ
ସୃଜିବାକୁ ନବ ବଳୟ,
ଅଣ୍ଡା ଦେଲା ବୋଲି କୁଆ ବସା କେବେ
ହେବ କି କୋଇଲି ଆଳୟ ?
‘ଜଗତେ କେବଳ’ କବିତାର ମୂଲ୍ୟ-
ବୋଧ ସାହିତ୍ୟ କି ରଖିନି ?
ଆଖି ବୁଜି ଦୁଧ ପିଇଲେ ବିଲେଇ
ଭାବେ ଯେମିତି କେ' ଦେଖିନି !
ପୁତ୍ରମୋହେ ପିତା ଅସହ୍ୟ ନୀତିଟା
ଯାହାକୁ ଲାଗଇ ଉଚିତ,
ପିତୃହୃଦୟର ପରାକାଷ୍ଠାଠାରୁ
ନିଶ୍ଚୟ ରୁହେ ସେ ବଞ୍ଚିତ ।
ଜଳ ସିଞ୍ଚନରେ ଜଳାଭାବ କିଛି
ବିଜ୍ଞାନ ଦେଲେ ବି ଦୂରେଇ,
ସ୍ୱର୍ଣ୍ଣପ୍ରସୂ ମହୀ କରାଉ, ତେବେ ବି
ବରଷା ନାମ କି ଧରଇ ?
ଅନ୍ଧକାର ପଛେ କବଳୁ ବିଜ୍ଞାନ
ପ୍ରଗତିର ନବୀକରଣେ,
ମେଣ୍ଟାଉ ମାନବ ଇପ୍ସିତ ଲକ୍ଷ୍ୟକୁ
ତୁଲ୍ୟ କି ତପନ କିରଣେ ?
ମାତୃସ୍ନେହ ଦାନେ ଯଶୋଦା ରଚିଲେ
ଇତିହାସ ପୃଷ୍ଠା ପ୍ରବଳେ,
ଜନନୀ ଶବଦ ଦେବକୀଙ୍କ ପାଶେ
ରହିଗଲା କିନ୍ତୁ ସବଳେ ।
ଆକ୍ଷେପ ନୁହେଁ ଏ, ମୋ ବିଚାର ଲେଖେ
ସାହିତ୍ୟାଙ୍ଗ ବୃଦ୍ଧି ଆଶାରେ,
ପରଶିଯାଉଟି ପାରଦର୍ଶିତାଟା
ପର୍ଯ୍ୟାପ୍ତେ ପ୍ରଭୁତ୍ୱ ପେସାରେ ।
ନବ-ଯୁଗେ ନବ-ଚିନ୍ତନରେ ନବ-
ସୃଷ୍ଟି ଗଢୁ ନବ-ଦିଗନ୍ତ,
ପୁରୁଣାକୁ ଛାଡୁ, ପାରିବାପଣଟା
ହେବ ପ୍ରତି ଛତ୍ରେ ସ୍ୱାଗତ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****