ନିତି ଭାବଇ ମୁହିଁ
ନିତି ଭାବଇ ମୁହିଁ
ନିତି ଭାବଇ ମୁହିଁ
ତିମିରରଞ୍ଜନ ପଣ୍ଡା
ସୂରୁଜ କେବେ ପଡେନା ଥକି
ଥକେନା କେବେ ଧରା,
ଟିକି ଫୁଲରୁ ମହୁମାଛିଟା
ଆଣେ ମଧୁର ଧାରା ।
ଚନ୍ଦ୍ରମାର ତୋଫା କିରଣେ
ଦୁନିଆ ସାରା ହସେ,
ଜୁଳୁଜୁଳିଆ କୀଟ ଆଲୋକେ
ସାରା ଜଗତ ଭାସେ ।
ପାହାଡ ସମ ନାହିଁ କେ ଆଉ
କଷଣ ଦାଉ ସହେ,
ମଣିଷ ପର ଶିଖଇ କେତେ
ସାହି ଯାତନା ଦେହେ ।
ପିମ୍ପୁଡିଟିଏ ଦିନତମାମ
ଘରେ ବସେନା କେବେ,
ଅଳସ ଦେହେ ରୋଗର ଘର
ବସା ବାନ୍ଧଇ ତେବେ ।
ଗଛ ଦିଅଇ ମଧୁର ଫଳ
ଦିଏ ଶୀତଳ ଛାଇ,
ପରୋପକାରେ ଜୀବନ ତରୀ
ବାହିବା ଆମେ ଭାଇ ।
କୋଇଲି ଡାକ ସତରେ ମିଠା
ହୃଦୟ ଭରି ଯାଏ,
ମଧୁର କଥା କହିଲେ ତାହା
ମନକୁ ମୋହି ନିଏ ।
ସରଗ ଠାରୁ ବଡ କେ ଆଉ
ନିତି ଭାବଇ ମୁହିଁ,
ମାଆର ମୁହଁ ଭାସଇ ତେବେ
ତୁଳନା ତାର ନାହିଁ ।
ଗୁରୁଜନଙ୍କ ଆଶିଷ ନେଲେ
ଦୂରେଇଯାଏ ଭୟ,
କହିବି ନିତି ସତକଥାଟି
ପାଠେ ରଖିବି ଲୟ ।