ମୋ ମାଆ ପରା ସିଏ
ମୋ ମାଆ ପରା ସିଏ
ଯା' ମିଠା ଛୁଆଁରେ ନିବିଡ଼ତା ବାରି ହୁଏ
ଯା' ମଧୁର ଡାକେ ଭୋକ ଶୋଷ ମେଣ୍ଟିଯାଏ
ଯାହା ଉପସ୍ଥିତି ବିନା ମନ ଶୂନ୍ୟତାରେ ଧାଏଁ
ସେ କେହି ନୁହଁଇ ମୋ ମାଆ ପରା ସିଏ ।।
ଅନ୍ତରେ ଯା' ସରଳତା ସଦା ଶୋଭା ପାଏ
ଜୀବନତମାମ ଅୟୁତ କୋହ ସେ ପିଏ
ସୁଖେ ଦୁଃଖେ ସଦା ଯିଏ ମୋତେ ରାହା ଦିଏ
ସେ କେହି ନୁହଁଇ ମୋ ମାଆ ପରା ସିଏ ।।
ନିଃସର୍ତ୍ତେ ଭଲ ପାଇବା ଯେ ଅଜାଡ଼ି ଦିଏ
ଦିବାନିଶି ଉଜାଗର ହୋଇ ସେବା ଦିଏ
'ମାଆ' ଡାକ ଶୁଣିଲେ ଯେ' ଆତ୍ମତୃପ୍ତି ପାଏ
ସେ କେହି ନୁହଁଇ ମୋ ମାଆ ପରା ସିଏ ।।
ଦୁଃଖର ପସରା ସବୁ ପଣତେ ଘୋଡାଏ
ସୁଖର ପୁଡ଼ିଆ ସଦାବେଳେ ବାଣ୍ଟୁଥାଏ
ସ୍ନେହ ,ପ୍ରେମ,କରୁଣାର ଯଶୋଧାରା ଯିଏ
ସେ କେହି ନୁହଁଇ ମୋ ମାଆ ପରା ସିଏ ।।