ନିଜର କେହି
ନିଜର କେହି
ବର୍ଷାରେ ଭିଜୁଥିଲା
କେତୋଟି ସ୍ବପ୍ନ ମୋର
ହେଲେ ନିଆଁ ଲାଗି ଯାଇଥିଲା ପାଣିରେ ।
ବଞ୍ଚିବାକୁ ବିକଳ ଜୀବନଟା
ସହର ବି ଜାଣିଚି
କିନ୍ତୁ , ଅଜଣା ବନିଛ ତୁମେ ।
କେତେଥର କହିଛି ତୁମକୁ
ଏକୁଟିଆ ଆସିବ ବୋଲି
ହେଲେ ଅମାନିଆ ପ୍ରକୃତି
ସମସ୍ତଙ୍କ ଉପସ୍ଥିତିରେ
ବି , ଚାଲିଆସ ପାଖକୁ ମୋର
ସେଇ ଅଦିନିଆ ବର୍ଷା ପରି
ଅପ୍ରସ୍ତୁତ କରି ଦିଅ ମୋତେ
ମୁହଁ ଲୁଚେଇବାର ଖାଲି ଶୁଖିଲା ଚେଷ୍ଟା
ଆଉ, ତୁମେ କୁହ କଣ ନା,
ଭିଡ଼ ଭିତରେ ମୁଁ ଏକୁଟିଆ ।
ସମ୍ପର୍କର ସରୁ ଡାଳଟାରେ
ପତ୍ରଟିଏ ଅପେକ୍ଷାର
ତୁମେ ଚାଲି ଆସ
ନ ଚାହିଁବା ସତ୍ତ୍ୱେ , ଆଉ କୁହ କଣ ନା
ଭିଡ଼ ଭିତରେ ମୁଁ ଏକୁଟିଆ ।
ବର୍ଷାରେ ବି ଲୁହରେ ବି
କେତେ ବେଳେ
ଅଧା ଓଦା
ଅଧା ଶୁଖିଲା
ମନ ଟି ମୋର କେଇଟି ଶବ୍ଦଙ୍କୁ
ନେଇ ଶେଜର କେଉଁ ଏକ
କୋଣରେ ପଡ଼ିଛି
ସେ ଶେଜଟିକୁ ଝାଡି ଦେଉ ଦେଉ
ଖସି ପଡ଼ିଲା କାରଣଟିଏ ।
ଧୂଳି ସହ
ପାପୁଲିରେ ଉଠାଇ ନେଇ
ଜାଣିଲି, ସେ କେହି
ମୋ ନିଜର ହିଁ ଥିଲା ।