ଯୁଗ
ଯୁଗ
ଏବେ ଆଉ ଦହି , ଲେମ୍ବୁ ସର୍ବତ କି ବେଲପଣା,ମିଶିରିଭୁଷି କି ପାନମଧୁରୀପାଣିର କାଟତି ନାହିଁ । ଲୋକେ କୋଲା,ଫାଣ୍ଟା ନ ହେଲେ ବିଦେଶି ନାଲି ସହ ଚାହା କଫି ଢ଼ୋକି ଫୁଙ୍କି ଟିକେ ଉପର ପାହାଚରେ ।ଆପାର୍ଟମେଣ୍ଟ ଚଳଣି ତ ସାହି ଚଳଣି ନୁହେଁ ।ଏଠି ସମସ୍ତଙ୍କର ଗୋଟେ ଆଦବ କାଇଦା। ଠାଣିମାଣି। ସାହେବ ପବନ ବାଆ।
ଏଠି ଆମର ହପ୍ତାଅକେ ଥରେ କିଟି ଗୋଟେ ହୁଏ ଯୋଉଠି ଘରଣୀ ମାନେ ନିଜର ଅଧାରୁ ଅଧିକ ମିଛ,ସତ,ଆଉ ସ୍ବପ୍ନ ଫେଣ୍ଟି ଗୋଟିଏ ପାନୀୟ ତିଆରନ୍ତି , ଯୋଉଥିରେ କଣ ସବୁ ଥାଏ ଅନୁଭବି ହିଁ ଜାଣେ।କେତେ ଲୋକ ଏ ପୃଥିବୀରେ ମୋ ଭଳିଆ ଥାନ୍ତି । ଗୁଡ୍ ଫର୍ ନଥିଙ୍ଗ୍ । ନା ମର୍ଡନ ହେଇପାରନ୍ତି ନା ସେମିତି ଛାଞ୍ଚରେ ଢଳିପଡନ୍ତି ସମୟ ସହ ତାଳ ଦେଇ ।ମଝିଘୋରଣାରେ ବିରି ମୁଠାଏ ପରି ଜୀବନଟେ, ନା ଗୋଟା ନା ଚୁନା ।
ସବୁ ରବିବାର କିଟିରେ ହାଜିରା ଦବାକୁ ଡାକରା ଆସେ ହେଲେ କଣ ଗୋଟେ ଅଟକାଏ । ପାଦ ପାରେନି । ଆଜି ସାଙ୍ଗଟି ରାଣ ନିୟମ ବାଢିଲା । ସିଏ ପଣ କରିଛି ମତେ ଯେମିତି ହେଲେ ଥାକରେ ପକେଇଦବ । ତେଣୁ ବାଧ୍ୟ ହେଇ ଗଲି। ଚଉକି ଭିଡି ବସିଲି । ମାତ୍ର ଷାଠିଏ ମିନିଟର ମହମହ ଅତର, ମିଠାଳିଆ ରଙ୍ଗ ଆଉ ମଦହୋସିଆ ପରିବେଶରେ ମୁଁ କିନ୍ତୁ କାନ୍ଥ ଘଣ୍ଟା ଦି'ଶହ ରାଉଣ୍ଡ ଦେଖିସାରିଥିଲି ।କାନରେ ପଡୁଥାଏ କେତେ ପ୍ରକାର ମସଲା ବୋଳା କଥା । ପାର୍ଲର ଠୁ ପାକଶାଳା ଯାଏ । ଘୋରଣାରୁ ଘଡଘଡି ଯାଏ । ପରସ୍ପର ଅତ୍ୟଧିକ ପ୍ରଶଂସାରେ ପୋତି ହେଇପଡୁଥାଏ ଆଖପାଖ । ରୋଗରୁ ଭୋଗ ଯାଏ । କଥା ଗଡି ଗଡି ପର୍ବପର୍ବାଣି ପଟକୁ ଗଲାରୁ ମୋ ମନଟା ଟିକେ କାନେଇଲା । ପିଲାଦିନର ସେ ନିରୁତା ସରଳ, ନିରୀହ, ନିଷ୍କପଟ ସାଜସଜ୍ଜା, ପିଠାପଣା,ବଟାକୁଟା, ବଣ୍ଟାବଣ୍ଟି, ଏକତ୍ର ମଉଜ ଆଉ ତହିଁରୁ ମିଳୁଥିବା ଅପୂର୍ବ ଆନନ୍ଦର ଚିଠା । ସମସ୍ତେ ଝୁରୁଥିଲେ ଶବ୍ଦ ଦେଇ ।
ଆହାଃ! ମନଟା ଖୁସି ଧରିଆସୁଥିଲା ମ ଏମନ୍ତ ଆପଣାପଣ ବୋଳା ଆଲୋଚନାରେ କି କବାଟ ପେଲି ଜଣଙ୍କର ବାଳକ ସନ୍ତାନଟି ଡାକ ପାରିଲା ଆଉ ଜଣେଇଲା ଯେ ସିଏ ବି ଆଜି ପଢି ବସିବନି ଯେହେତୁ ବାପା ତାଙ୍କ ସାଙ୍ଗମାନଙ୍କ ମେଳରେ ଆଉ ମାଆର କିଟି ଟି ଏ ଯାଏ ସରିବାର ନାଁ ଧରୁନି। ତେଣୁ ସିଏ ମଧ୍ୟ ବାହାରି ଯାଉଛି ତାର ସାଙ୍ଗମେଳରେ । ଫେରୁ ଫେରୁ ରାତି ନ ପରେ ହେବ ।ଅନୁମତି ମାଗୁନଥିଲା,ଜଣଉଥିଲା କେବଳ.....ଯେହେତୁ ବୟସର ଏଇ ମୋଡଣିରେ ତାର ନିର୍ଭରଶୀଳତା ରହିଛି । ଆଜି ହୁଁ ଏଡେ.... ପାଣି ପଡିଲେ ହେବ କେଡେ ।
ଆଉ ମୋର ସେଠି ବସିବାର ଆଗ୍ରହ ନ ଥିଲା ପାଣିଖିଆ କାଠ ଚଉକି ଖଣ୍ଡେ ପରି । ଭାବୁଥିଲି ଏମାନଙ୍କ ପାଖରେ ତ ଯଥାକଥା ହେଇ ସୁନ୍ଦର ପିଲାଦିନ, ପରିବାର,ଭାଇବନ୍ଧୁ, ସଂପର୍କ ,ବାପାବୋଉ, ସ୍ନେହ ଶ୍ରଦ୍ଧା,ସାଙ୍ଗସଖା, ସ୍କୁଲବେଳ,ଚିଠି ସବୁକୁ ନେଇ ଜୀଁ ଯିବାକୁ ଘଡିଏ ସୁନ୍ଦର ସବୁଜ ମୂହୁର୍ତ୍ତ କିଛି ଅଛି, ଆହାଃ! ବିଚରା ଆଜିକା ପିଲେ....
ବଡ ହେଲେ, କେବେ ଏକାଠି ବସିଲେ କଣ ଗପିବେ କେଜାଣି ? ହ ! ଗପିବେ ବି କାହା ସହ ? ଏ ଦୌଡ଼ ସରିଲେ ତ ! ସେମିତି ବି ତ ଆଜିକାଲି ଯୁଗରେ ଗୋଟିକିଆ ସନ୍ତାନ ସବୁ। ନା ଭାଇଟିଏ ନା ଭଉଣୀଟିଏ ।
ନିଶା ହେଇ ଘାୟଲ
ସମୟ ହୁଏ କାୟଲ ।