STORYMIRROR

Sachidananda Kar

Classics

3  

Sachidananda Kar

Classics

ଯେଝା ବାଟରେ ଯେଝା

ଯେଝା ବାଟରେ ଯେଝା

2 mins
189


            - " ଲେଖାଲେଖି କରୁଛୁ ? "


            ବହୁତ ଦିନ ପରେ ମୋର ଜଣେ ବନ୍ଧୁ ମୋତେ ଦେଖିବା ମାତ୍ରେ ପ୍ରଶ୍ନ କଲା।


            - " ହଁ,କରୁଛି। " ବନ୍ଧୁଦର୍ଶନର ଖୁସିରେ ହସିଦେଇ କହିଲି।


            - " ଅନେକ ସମୟରେ ଭାବନାରେ ହଜିବାକୁ ପଡୁଥିବ ତା' ହେଲେ ? "


             ସେ ପୁଣି ପ୍ରଶ୍ନ କଲା।ଦିଶୁଥିଲା ବେଶ୍ ଗମ୍ଭୀର।


             - " କବି ଓ ଲେଖକ ତ ସବୁବେଳେ ଭାବନା ସହିତ ଯୋଡ଼ି ହୋଇ ରହିଥାନ୍ତି।ମୁଁ ସେଥିରୁ ଆଦୌ ଅଲଗା ନୁହେଁ। " ଚିରାଚରିତ ଭଙ୍ଗୀରେ କହିଲି।


             - " କେବେ ଭାବିଛୁ ଜଗତ ଓ ଜୀବନର ଶ୍ରେଷ୍ଠ ଲେଖାଟି ଏଯାଏଁ ଲେଖା ହୋଇନାହିଁ ? ଜୀବନର ଚରମ ସତ୍ୟଟି ଏଯାଏଁ ଫୁଟି ଉଠିନାହିଁ ? ମାନବିକତାକୁ ଛୁଇଁ ଛୁଇଁ ଝଙ୍କୃତ ହୋଇନି ଏଯାଏଁ ସୃଷ୍ଟି ସଙ୍ଗୀତର ହୃଦୟସ୍ପର୍ଶୀ ମୂର୍ଚ୍ଛନା ? କବି ବା ଲେଖକଟିଏ ଜୀବନକୁ ଜାଣିବାକୁ ଆହୁରି ବାକି ଅଛି ? " 


            ସେ ପ୍ରଶ୍ନ ପରେ ପ୍ରଶ୍ନ ଅଜାଡି ପକାଇଲା।


            ମୋର ମନେହେଲା ବୋଧହୁଏ ମୋତେ ପଚାରିବା ପାଇଁ ଏସବୁ ପ୍ରଶ୍ନ ତା' ଭିତରେ ସାଇତା ହୋଇ ରହିଥିଲା। - " ନା ! " ମୁର୍କି ହସି ମୁଁ ସଂକ୍ଷେପରେ ଉତ୍ତରଟିଏ ରଖିଲି।


            - " ଯାହା ମୁଁ ଜାଣେ ଏଠି ବଞ୍ଚି ରହିବା ଜୀବନର ସର୍ବଶେଷ କଥା ନୁହେଁ,ଏପରିକି ମରିବା ମଧ୍ୟ।ମହୁମାଛି ଏବେ ବି ନର୍ଦ୍ଦମାରୁ ମଧୁ ସଂଗ୍ରହ ବନ୍ଦ କରିନି।ଫୁଲରୁ ତ ସେ ସବୁବେଳେ କରିଥାଏ।କେବେ ଏକଥା ଭାବିଛୁ ? " ସେ କହିଲା।


            - " ଠିକ୍ କଥା, ହେଲେ କେବେ ତ ମୁଁ ଭାବିନି ଏସବୁ। " ମୁଁ ତାକୁ ମୋର ସ୍ପଷ୍ଟ ଉତ୍ତର ରଖିଲି।


            - " ଦେଖୁଛି ମନ୍ଦିର - ମସଜିଦ - ଗୀର୍ଜାର ଦେବତାମାନେ ଏବେ ବି ପରସ୍ପର ଲଢେ଼ଇ ବନ୍ଦ କରି ନାହାନ୍ତି।ଭୋଗ ଟିକେ ପାଇଁ ମଧ୍ୟ ବନ୍ଦ ହୋଇନି ସେମାନଙ୍କର ମଣିଷ ପାଖରେ ହାତ ପାତିବା।ମୁଁ କାର ର ହୁଁ କାର ନେଇ ଏବେ ବି ମଣିଷ ମନ୍ଦିର - ମସଜିଦ - ଗୀର୍ଜା ଗଢିବା ବନ୍ଦ କରିନାହିଁ।ଭୋଗ ଓ ଉପଭୋଗର ବିଲୁପ୍ତି ମଧ୍ୟ ଘଟିନାହିଁ ଏଯାଏଁ।କେବେ ଭାବନାରେ ଏକଥା ଆସିଛି ? " ସେ ପୁଣି କହିଲା।


            - " ନା ! " ସାମାନ୍ୟ ଲଜ୍ଜିତ ହୋଇ ମୁଁ ମୋର ସଂକ୍ଷିପ୍ତ ଉତ୍ତରଟି ରଖିବାକୁ ବାଧ୍ୟ ହେଲି।


            - " ନବମ ଅବତାର ପରେ ଦଶମ ଅବତାରକୁ ଏଯାଏଁ ବି ଚିହ୍ନଟ କରିପାରିଲା ନାହିଁ ମଣିଷ।ମଣିଷ କାହିଁକି ମଣିଷ ହୋଇଥିଲା ସେକଥା ଭାବିବାକୁ ତାକୁ ବେଳ ମିଳିଲା ନାହିଁ କି ଆଗ୍ରହ ଆସିଲା ନାହିଁ ଏଯାଏଁ।ମଣିଷ ହିସାବରେ କେବେ ଏକଥା ଭାବିଛୁ ଦିନେ ? " ସେ କଥା ଯୋଡିଲା।


             ଏବେ ମୁଁ ନିଜ ଭିତରେ ମୋ ଅଜ୍ଞତାକୁ ସ୍ବୀକାର କରିନେଲି।କହିଲି - " ଅନେକ ବିଳମ୍ବରେ ତୋ ସହିତ ମୋର ଭେଟ ହେଲା।ଆଗରୁ ମୋର ଏସବୁ ଜାଣିବାର ଥିଲା। "


             ମୋ ଭିତରେ ବନ୍ଧୁଦର୍ଶନର ଖୁସି ଆଉ ନ ଥିଲା।


             କଥା ସାରି ନ ଥିଲା ବୋଧହୁଏ, ତେଣୁ ପୁଣି ସେ କହିଲା - " ମା' ଓ ମାଟିର ଜୀବନ ଯନ୍ତ୍ରଣା ଏଯାବତ ଅଙ୍କା ଯାଇ ପାରିଲା ନାହିଁ।ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇ ପାରିଲା କି ?କେହି ମାପି ପାରିଲା କି ନିର୍ବାଣ ଓ ନିରଂଜନା ମଧ୍ୟରେ ଦୂରତ୍ୱ ? "


             ନିଜର କଥାଶେଷରେ ମୋ ଆଡେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା ସେ।


             ମୋର ଯେତେ ଭାବନା ଯେତେ ଲେଖାଲେଖି, ସେସବୁର କିଛି ମାନେ ନାହିଁ ବୋଲି ଏବେ ମୁଁ ଭାବିବାକୁ ଲାଗିଲି।- " ଯେଝା ବାଟରେ ଯେଝା। " ନିଜେ ନିଜେ ଲଜ୍ଜିତ ହୋଇ ତାକୁ କେବଳ ଏମିତି ମାତ୍ର କହିଲି।


            - " ହଁ,ଯେଝା ବାଟରେ ଯେଝା।ସେୟା ଭାବୁଥିଲି ମୁଁ।ଏବେ ତୋ ମୁହଁରୁ ଶୁଣିଲି। " ସେ ଏତିକି କହିଲା ଓ ତା' କଥାଶେଷରେ ଖୁବ୍ ଅନ୍ୟମନସ୍କ ହୋଇଗଲା।


             ତା'ର ସୁନ୍ଦର ଓ ମୂଲ୍ୟବାନ ପ୍ରଶ୍ନ ସବୁକୁ ନେଇ ମୁଁ ଭାବନାରେ ବୁଡିଗଲି।ଭାବିବାକୁ ଲାଗିଲି - ଏଇ " ଯେଝା ବାଟରେ ଯେଝା " ନୀତି କ'ଣ ବଦଳିବନି କେବେ ? ? ?


Rate this content
Log in

Similar oriya story from Classics